ଅକ୍ଟୋବର - ଡିସେମ୍ବର ୨୦୧୯

ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କର ପ୍ରଚ୍ଛଦ ଚିତ୍ରଟି ଅକ୍ଟୋବର - ଡିସେମ୍ବର -୨୦୧୯ ସଂଖ୍ଯା ତଥା ଶାରଦୀୟ ପୂଜାସଂଖ୍ଯାକୁ ଅଧିକ ଆକର୍ଷଣୀୟ କରିଛି । କେବଳ ପୂଜା ପ୍ରସଙ୍ଗ ନୁହେଁ, ବରଂ ଏକ ସୁଚୟନିତ ସମକାଳୀନ ସାହିତ୍ୟର ସମ୍ଭାର ହିଁ ଏହି ସଂଖ୍ଯାକୁ ବିଶେଷତ୍ୱ ପ୍ରଦାନ କରିଛି ।

ପୂଜା ବିଶେଷାଙ୍କରେ ଥିବା ବିବିଧତା, ଉନ୍ନତ ମାନର ଲେଖା ଓ ପତ୍ରିକାର କଳେବର ପାଠକଙ୍କ ମଧ୍ୟରେ ନୂତନ ଆଗ୍ରହ ସୃଷ୍ଟି କରେ । ଏହି କ୍ରମରେ ଶାନ୍ତନୁ କୁମାର ଆଚାର୍ଯ୍ଯ, ଦେବ୍ରାଜ ଲେଙ୍କାଙ୍କ ପରି କଥାକାରମାନଙ୍କ ଗପ ସମେତ ଏହି ସଂଖ୍ଯାରେ ପ୍ରାୟ କୋଡିଏରୁ ଉର୍ଦ୍ଧ୍ବ ଗପ ରହିଛି । ତେବେ ପରେଶ ପଟ୍ଟନାୟକଙ୍କ ‘ଗୋଟିଏ ଫୋନ୍ କଲ୍’ ମନକୁ ବେଶ୍ ଆଲୋଡିତ କରିବ । ଯେମିତିକି - xxx ଏଠି ସମସ୍ତେ ଅଟକି ଯାଇଛନ୍ତି, ମୃତ୍ୟୁ ଅପେକ୍ଷାରେ । ମୃତ୍ୟୁ ଏଠି ଏକ ନିୟମିତ ଅତିଥି । ମଝିରେ ମଝିରେ ଆସେ ଓ କାହାରିକୁ ନା କାହାରିକୁ ନେଇଯାଏ xxx । ସେହିପରି ଏହି ସଂଖ୍ଯାରେ ସୀତାକାନ୍ତ ମହାପାତ୍ର, ହରପ୍ରସାଦ ଦାସ, ମନୋରମା ବିଶ୍ବାଳ ମହାପାତ୍ର, ହରିହର ମିଶ୍ର, ଅମରେଶ ପଟ୍ଟନାୟକ, ସୌଭାଗ୍ଯବନ୍ତ ମହାରଣା, ଡ. ହୁସେନ ରବି ଗାନ୍ଧୀ, ହୃଷୀକେଶ ମଲ୍ଲିକ୍, ଅପର୍ଣ୍ଣା ମହାନ୍ତି, ଗାୟତ୍ରୀବାଳା ପଣ୍ତାଙ୍କ ପରି ଆମ ସମୟର ବହୁ ଲୋକପ୍ରିୟ କବିମାନଙ୍କ କବିତାସବୁ ରହିଛି ।

ଏତଦ୍ ବ୍ଯତୀତ ତନ୍ତ୍ର କଥା, ବଳି, ଶାକ୍ତ ପରମ୍ପରା, ମାତୃଭାଷା ଓ ଅନ୍ଯ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବଳିଷ୍ଠ ପ୍ରବନ୍ଧ ସହ ରମ୍ଯକଥା, ଗୀତିକବିତା, ଫିଚର୍, ବିଶେଷ କବିତା, ଅନ୍ଯଦିଗନ୍ତ, ପର୍ଯ୍ଯଟନ ପରି ଆହୁରି ଅନେକ କିଛି ରହିଛି ।

Report an Error