![](https://hub.batoi.com/pub/assets/2024/05/03/manara-manisha-6634cb9fe0f99.jpg)
ମନର ମଣିଷ
ସୁନୀଲ ଗଙ୍ଗୋପାଧ୍ୟାୟଙ୍କ ଚର୍ଚ୍ଚିତ ଉପନ୍ୟାସ ‘ମୋନେର ମାନୁଷ୍’କୁ ଓଡ଼ିଆରେ ଅନୁବାଦ କରିଛନ୍ତି ସୂର୍ଯ୍ଯ ମିଶ୍ର ।
ଏହି ଉପନ୍ଯାସକୁ ପୂରା ମାତ୍ରାରେ ଲାଲନ୍ ଫକୀରଙ୍କ ଐତିହାସିକ ତଥ୍ଯ ଆଧାରିତ ଜୀବନୀ କହିବା ମଧ୍ୟ ଉଚିତ୍ ହେବ ନାହିଁ । ମାତ୍ର ଏହି ଉପନ୍ଯାସର ନାୟକ ହେଉଛନ୍ତି ଲାଲନ୍ ଫକୀର୍ । ଏଥିରେ ଜୀବନକୁ ଏକ ବୃହତ୍ତର ସରଳ ଆଧ୍ୟାତ୍ମିକତା ସହ ଯୋଡିବାର ପ୍ରୟାସ କରାଯାଇଛି । ତଥାକଥିତ ସମାଜରେ ରହିଥିବା ରୂଢି ଓ ଧାର୍ମିକ ଛଳନା ଉପରେ ଏହି ଉପନ୍ଯାସ ଜରିଆରେ ଏକ ପ୍ରଚଣ୍ଡ ପ୍ରହାର କରାଯାଇଛି ।
ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ଲାଲନ୍ ଫକୀରଙ୍କ ଯୋଗଦାନ ସ୍ୱୀକୃତ । ଲାଲନ୍ ପଢ଼ାଲେଖା ଜାଣିନଥିଲେ, ତାଙ୍କର ଅକ୍ଷର ଜ୍ଞାନ କ’ଣ ଥିଲା ଜଣା ନାହିଁ, ବିଭିନ୍ନ ସ୍ଥାନ ବୁଲିବା ମଧ୍ୟରେ ସେ ନିଜ ଉଦ୍ୟମ ବଳରେ ଇସ୍ଲାମ, ହିନ୍ଦୁ ଓ ବୈଷ୍ଣବ ଶାସ୍ତ୍ରଗୁଡ଼ିକ ବାବଦରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିପାରିଥିଲେ । ସୁଫିବାଦ ପ୍ରତି ସେ ଆକୃଷ୍ଟ ହେବା ସହିତ ସେଥିରେ ଅନେକ ମାତ୍ରାରେ ପ୍ରଭାବିତ ହୋଇଥିଲେ । ସ୍ୱତଃସ୍ପୂର୍ତ୍ତ ଭାବରେ କବିତା (ଗୀତ) ରଚନା କରିବାର ଚମତ୍କାର ପ୍ରତିଭା ଲାଲନ୍ଙ୍କର ରହିଥିଲା । ସେ ଧାର୍ମିକ ସ୍ୱଭାବର ଥିଲେ ମାତ୍ର କୌଣସି ନିର୍ଦ୍ଦିଷ୍ଟ ଧର୍ମରେ ବର୍ଣ୍ଣିତ ଆଚରଣ ବାବଦରେ ସେ କୌଣସି ଆଗ୍ରହ ରଖୁନଥିଲେ । ସବୁ ଧର୍ମର ମାନ୍ୟତା ଉପରେ ତନ୍ନ ତନ୍ନ ଅନୁଶୀଳନ କରି ସେ ମାନବଧର୍ମକୁ ସର୍ବୋଚ୍ଚ ସ୍ଥାନ ଦେଇଥିଲେ ।
ଆତ୍ମାର ସନ୍ଧାନ ଓ ମନର ମଣିଷଙ୍କ ଅନ୍ୱେଷଣ ହେଉ କିମ୍ବା ଆଲ୍ଲାଙ୍କ ପ୍ରତି ଭୟ ହେଉ କି ଭକ୍ତି, ତା’ ବଦଳରେ ଲୋକମାନଙ୍କ ସହିତ ପ୍ରେମସଂପର୍କର ଧାରା ଏହା ହିଁ ଆମ ସାହିତ୍ୟ ଓ ଦର୍ଶନରେ ଅନେକ ଆରମ୍ଭରୁ ଚାଲିଆସିଛି । ଲାଲନ୍ ସେହି ଆଦର୍ଶର ଜଣେ ଉତ୍ତରାଧିକାରୀ ଥିଲେ । ତାଙ୍କର କୌଣସି ଉପଦେଶ କିମ୍ବା ବାଣୀ କେଉଁଠାରେ ହେଲେ ଲିପିବଦ୍ଧ ରୂପରେ ଉପଲବ୍ଧ ହେଉନାହିଁ । ସମ୍ଭବତଃ ସେ ମଧ୍ୟ ସେଥିରେ ବିଶ୍ୱାସ କରୁନଥିଲେ । ତାଙ୍କ ଗୀତଗୁଡ଼ିକରେ ହିଁ ଆପଣାର ଜୀବନଦର୍ଶନ ଫୁଟିଉଠିଥିଲା ।
ଲାଲନ୍ ଫକୀରଙ୍କ ଏକ ଗୀତ ନିମ୍ନରେ -
“ସବ ଲୋକେ କଏ ଲାଲନ୍ କି ଜାତ ସଂସାରେ
ଲାଲନ୍ ଭାବେ- ଜାତିର କି ରୂପ ଦେଖଲାମ ନା ଏଇ ନଜୋରେ ।”
“କେଉ ମାଲା ତୋ କେଉ ତୋସବି ଗଲାୟେ
ତାଇତୋ ଜାତ ଭିନ୍ନ ବୋଲାୟ
ଯାଓୟା କିମ୍ବା ଆସାର ବେଲାୟେ
ଜାତେର ଚିହ୍ନୋ ରାୟ କାରରେ ?”
“ଯୋଦି ସୁନ୍ନତ ଦିଲେ ହୟ ମୁସଲମାନ
ଶୋରୀର ତବେ କି ହୟ ବିଧାନ ?
ବାମୁନ୍ ଚିନି ପୋଇତେ ପ୍ରୋମାଣ
ବାମୁନି ଚିନି କିସେ ରେ ?”
“ଜଗୋତେ ବେଡ଼େ ଜାତେର କଥା
ଲୋକେ ଗୌରବ କରେ ଯଥା-ତଥା
ଲାଲନ୍ ସେ ଜାତେର ଫାତା
ଘୂରାଇଛ ମାଠେ ବାଜାରେ ।”