ଅଗଷ୍ଟ - ସେପ୍ଟେମ୍ବର ୨୦୧୫
୨୦୧୫ ମସିହା ଥିଲା ଚତୁର୍ଦ୍ଧାମୂରତିଙ୍କ ନବକଳେବରର ସମୟ । ପରମ୍ପରା ଅନୁସାରେ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼େ ସେହିବର୍ଷ ନବକଳେବର ପାଳନ ହୁଏ । ଯୋଡ଼ା ଆଷାଢ଼ ସାଧାରଣତଃ ୮ ବର୍ଷରେ, ୧୧ ବର୍ଷରେ କିମ୍ବା ୧୯ ବର୍ଷରେ ପଡ଼ିଥାଏ । ୨୦୧୫ ନବକଳେବର ୧୯ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହେଇଥିଲା । ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପ୍ରାଣ ଓ ପ୍ରେରଣା । ଓଡ଼ିଆ ଜାତି ଶ୍ରୀଜଗନ୍ନାଥଙ୍କ ମାଧ୍ୟମରେ ନିଜ ଅନ୍ୱେଷଣ ଓ ଅନ୍ତଃସାରକୁ ପ୍ରକାଶ କରିଛି । ଏହି କ୍ରମରେ ମହାପ୍ରଭୁଙ୍କ ନବକଳେବର ଲୀଳା ହେଉଛି ଆମ ପରମ୍ପରା ଆଉ ବିଶ୍ବାସର ଦୃଢ ପ୍ରତୀକ । ସାହିତ୍ଯ ଓ ସଂସ୍କୃତିର ଅନନ୍ଯ ବାର୍ତ୍ତାବହ ଏହି ପତ୍ରିକାଟି ମହାପ୍ରଭୁଙ୍କ ନବକଳେବର ଲୀଳାକୁ ସ୍ମରଣୀୟ କରିବା ପାଇଁ କରିଥିଲା ବିଶେଷ ପ୍ରସ୍ତୁତି । ଏହି କ୍ରମରେ ଏହି ସଂଖ୍ଯାର ପ୍ରଚ୍ଛଦରୁ ପ୍ରବନ୍ଧ, କବିତା ସବୁଠି ରହିଛି ଜଗନ୍ନାଥଙ୍କ ସଂସ୍କୃତି ଓ କଥା ।
ଏହି ସଂଖ୍ଯାର ପ୍ରଚ୍ଛଦରେ ରହିଛି ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କ ଦ୍ବାରା ପ୍ରସ୍ତୁତ ନବକଳେବର ଉପଲକ୍ଷେ ଏକ ବିଶେଷ ଚିତ୍ର । ସେହିପରି ଏହି ସଂଖ୍ଯାର ପ୍ରବନ୍ଧରେ ରହିଛି - ଡ. ଜଗନ୍ନାଥ ମହାନ୍ତିଙ୍କ 'ବଡ଼ଦାଣ୍ଡରେ ବଡ଼ଯାତ୍ରା', ଅଜୟ ସ୍ୱାଇଁଙ୍କ 'ଜାଗୁଳାଇର ଦାରୁଭୂତ', ଡ. ସୁନୀଲ କୁମାର ପଟ୍ଟନାୟକଙ୍କ 'ଶ୍ରୀ ଅଲାରନାଥ ବିଗ୍ରହ ତତ୍ତ୍ୱ', ବିଜୟ କେତନ ପଟ୍ଟନାୟକଙ୍କ 'ଦାରୁ ଦେବତା - ନିମ୍ବବୃକ୍ଷ', ରୀତାରାଣୀ ମହାପାତ୍ରଙ୍କ 'ବିବାଦରୁ ବାହୁଡିବା ଏଥର' ସମେତ ଡ. ବସନ୍ତ କୁମାର ପଣ୍ଡାଙ୍କ 'ବିଶ୍ୱାୟନର ସ୍ୱରୂପ ଓ କବିତା ପ୍ରସଙ୍ଗ', ବଲ୍ଲଭ ରାଉତଙ୍କ 'ଗାଁ ଏବେ ଗାଁ ନୁହେଁ', ଅସତୀ ନିଶିକାନ୍ତ ପାଢୀଙ୍କ 'କେହି ନୁହେଁ ସତୀ ସମସ୍ତେ ଅସତୀ' ଆଦି ରହିଛି । ଯଦୁନାଥ ଦାଶ ମହାପାତ୍ର, ଡ. ପ୍ରସନ୍ନ ପାଟ୍ଟଶାଣୀ, ଡ. ହରପ୍ରସାଦ ପରିଛା ପଟ୍ଟନାୟକ, କୁମାର ଶ୍ରୀକାନ୍ତ, ଅଧିକାରୀ ସ୍ୱାଇଁ, ରକ୍ଷକ ନାୟକଙ୍କ ପରି ଆମ ସମୟର ବହୁ ଲୋକପ୍ରିୟ କବିମାନଙ୍କର ଜଗନ୍ନାଥଙ୍କୁ ନେଇ ବିଶେଷ କବିତା ସହ ଆହୁରି ଅନେକ କବିତା ରହିଛି ।
ତେବେ ଏହି ସଂଖ୍ଯାର ନାଟକରେ ରହିଛି ନିର୍ମଳା କୁମାରୀ ମହାପାତ୍ରଙ୍କ ସମସ୍ତେ ବଞ୍ଚିବେ । ପୁସ୍ତକ ସମୀକ୍ଷାରେ ରହିଛି - କବିତା ବାରିକ୍ ଙ୍କ ଆତ୍ମଜୀବନୀ ନିଜକଥା । ଡ. ସୁଷମା ତ୍ରିପାଠୀ, ମାନସ ରଞ୍ଜନ ପଟ୍ଟନାୟକ, ମାନମୟୀ ରଥଙ୍କ ଗଳ୍ପ ରହିଥିବାବେଳେ ସବୁଥର ପରି ଏହି ସଂଖ୍ଯାରେ ଅନ୍ଯ ଦିଗନ୍ତ ଓ ପର୍ଯ୍ଯଟନ ସହ ଆହୁରି ଅନେକ କିଛି ରହିଛି ।