ପଖାଳ: ସେକାଳ ଏକାଳ
ଦେବ୍ରାଜ ଲେଙ୍କା ଓଡିଆ କଥା ସାହିତ୍ଯର ଜଣେ ଏକକ ଅର୍କେଷ୍ଟା, ଏକକ ଇତିହାସ । ଏକକ କିମ୍ବଦନ୍ତୀ ଆଉ ଏକକ ଅସ୍ବୀକାର । ଓଡ଼ିଆ କଥା ଜଗତରେ ଦେବ୍ରାଜ ଲେଙ୍କା ନିଜେ ଏକ ଆଶ୍ଚର୍ଯ୍ୟ, ନିଜେ ଉପପାଦ୍ଯ, ଏକ ସ୍ମରଣିକା, ନିଜେ ନିଜର ପ୍ରମାଣ ଆଉ ଉଦାହରଣ । ଚିତ୍ର, ଚରିତ୍ର ନୁହେଁ, ଅଙ୍ଗୀକାର ଓ ଅନୁଭୂତିରେ ମଧ୍ୟ ସେ ଚକ୍ରବର୍ତ୍ତୀ ଦେବ୍ରାଜ, ଦେବ୍ରାଜ ଦୟନୀୟ ଜୀବନର ଚିତ୍ରକର, ଆମ ଚଉକତିର ଚପଳ ସ୍ରଷ୍ଟା, ଯାହାଙ୍କର ଭୂମି ଓ ଭୂମା ଅଦ୍ଭୁତ କେବଳ ନୁହେଁ, ଅଦ୍ଭୁତ ବି ।
ଦେବ୍ରାଜ ଲେଙ୍କା ଶବ୍ଦର ଯାଦୁଗର, ସ୍ବର, ସ୍ବର ପତନ, ବୈଚିତ୍ର୍ଯ ଓ ବିଭିନ୍ନତାର ଏକ ଏକକ ସଙ୍ଗୀତ, ସେ କଥାରେ ଆମକୁ ହିଁ ଭେଟନ୍ତି, ଆମକୁ ନେଇ ଆଙ୍କନ୍ତି ଏଭଳି ଏକ ପୃଥିବୀ, ଯେଉଁ ପୃଥିବୀ ଆଭିଜାତ୍ଯକୁ ଅସ୍ବୀକାର କରେ ।
କଥାକାର ଦେବ୍ରାଜ ଲେଙ୍କାଙ୍କ ଅର୍କେଷ୍ଟ୍ରାର ନୂଆ ସିମ୍ଫୋନୀ ‘ପଖାଳ ସେକାଳ ଏକାଳ’ । ଏ ସିମ୍ଫୋନୀର ସା-ରେ-ଗା-ମାରେ କକ୍ଟେଲ୍ ହୋଇଛି ନୌଶାଦ ଅଲ୍ଲୀ, ଏସ୍ଡି ବର୍ମନ, ଶଙ୍କର ଜୟକିଷନ୍ଙ୍କ ଧୂନ୍ ସହ ଖୋକାଭାଇ ଆଉ ଏଆର୍ ରେହମାନର ସବାବ୍-ଜୟ ହୋ । ଏ ଅପୂର୍ବ କକ୍ଟେଲ୍ରୁ ଯେଉଁ ମିଠା ନିଶା ଉତ୍ତୁରି ଆସିଛି ତାହା ପାଠକଙ୍କୁ କରିବ ନିଶ୍ଚୟ ମଦ୍ହୋସ୍... ବିନ୍ଦାସ୍ । ତା’ ପାଦ ଦେଇ ବହିଯିବ କୁଳୁକୁଳୁ ନଈ, ଆଦିଗନ୍ତ ସବୁଜିମାରେ ହଜିଯିବ ସେ ।
ଜୀବନକୁ ମହୋତ୍ସବ ଭାବେ ଚିତ୍ରଣ କରୁଥିବା ଆର୍ଟିଷ୍ଟ ଶୈଳୀ ସମ୍ରାଟ ଦେବ୍ରାଜଙ୍କ ଏହି ଉପନ୍ୟାସିକାର ପୃଷ୍ଠଭୂମି ବାଙ୍କୀ ଡମପଡ଼ାର ଏକଦା ରହସ୍ୟମୟ ଆରଣ୍ୟକ ସବୁଜ ଭୂଖଣ୍ଡ । ତା’ ଭିତରେ ଚେନାଏ ବାସ୍ନାମୟ ସବୁଜିମା, ଲେଖକଙ୍କ ଆମ୍ବତୋଟା । ଧୂର୍ ପୁର୍ଥୀବି’ର ଏ ସାବ୍ଜା ସାବ୍ଜା ଆମ୍ବତୋଟାରେ ଭଳିକି ଭଳି ଆମ୍ବ, କୋଳି, ଡେଣାକଟା ଛିଟ ଛିଟ ପ୍ରଜାପତି, ପାଖରେ ନଦୀ, ନାଳ, ଯୋର, ପାଟ, ପୋଖରୀ, ପଦ୍ମଫୁଲ, ଗଛବୃଚ୍ଛ, ମୁଣ୍ଡିଆ ପାହାଡ଼, ଭସା ବାଦଲ, ଚଢ଼େଇ, ମହୁମାଛି, ଗାଡ଼ଭାଲୁ, ଡାହୁକର ଗୀତ, ଠେକୁଆର ଘାସ କୁଟୁକୁଟୁ ଶବ୍ଦ, ବିଲୁଆର ହୁକେ...ହୋ....
ଏ ଉପନ୍ୟାସିକା ଦେବ୍ରାଜଙ୍କ ଅନନ୍ୟ ଅନ୍ୱେଷାର ଅନୁକ୍ଷଣ ।