ହକିର ଯାଦୁଗର: ମେଜର ଧ୍ୟାନଚାନ୍ଦ

ଭାରତୀୟ ହକି ଜଗତର କିମ୍ବଦନ୍ତୀ ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ସ୍ମୃତିରେ ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ରାଷ୍ଟ୍ରୀୟ ଖେଳ ଦିବସ ରୂପେ ପାଳନ କରାଯାଏ ।


ଫଟୋ: ଉଇକିପିଡ଼ିଆ

ପ୍ରତିବର୍ଷ ଦେଶରେ ଅଗଷ୍ଟ ୨୯ ତାରିଖକୁ ରାଷ୍ଟ୍ରୀୟ ଖେଳ ଦିବସ ଭାବେ ପାଳନ କରାଯାଏ । ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କର ଆଜି ୧୧୬ତମ ଜନ୍ମଦିବସ । ଭାରତୀୟ ହକି ଜଗତର କିମ୍ବଦନ୍ତୀ ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ସ୍ମୃତିରେ ପ୍ରତିବର୍ଷ ଏହାକୁ ରାଷ୍ଟ୍ରୀୟ ଖେଳ ଦିବସ ରୂପେ ପାଳନ କରାଯାଏ । ଏହି ଦିନ ଖେଳ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ରାଷ୍ଟ୍ରପତି ଭବନରେ ପୁରସ୍କାର ପ୍ରଦାନ କରାଯାଏ । ଏହି ପୁରସ୍କାର ମଧ୍ୟରେ ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଖେଳର ସର୍ବୋଚ୍ଚ ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର (ଯାହା ପୂର୍ବରୁ ରାଜୀବ ଗାନ୍ଧୀ ପୁରସ୍କାର ନାମରେ ନାମିତ ଥିଲା ) ଆଦି ଉଲ୍ଲେଖଯୋଗ୍ୟ ।

୧୯୦୫, ଅଗଷ୍ଟ ଆଜିର ଦିନରେ ପ୍ରୟାଗରାଜଠାରେ ଜନ୍ମଗ୍ରହଣ କରିଥିଲେ ଧ୍ୟାନଚାନ୍ଦ । ସମଗ୍ର ବିଶ୍ୱରେ ସେ ହକି ୱିଜାର୍ଡ ବା ହକିର ଯାଦୁଗର ନାମରେ ପରିଚିତ । ତାଙ୍କୁ ସମ୍ମାନ ଜଣାଇ ଭାରତରେ ପ୍ରତିବର୍ଷ ଜାତୀୟସ୍ତରରେ "କ୍ରୀଡ଼ା ଦିବସ" ଆୟୋଜିତ ହୋଇଥାଏ । ହକି ସହିତ ଧ୍ୟାନଚାନ୍ଦଙ୍କ ନାଁ ଖୁବ ନିବିଡ ଭାବେ ଜଡିତ । ଲଗାତାର ଭାବେ ୧୯୨୮ର ଆମଷ୍ଟରଡାମ୍ ଅଲମ୍ପିକ, ୧୯୩୨ ମସିହାର ଲସ ଏଞଲସ୍ ଅଲିମ୍ପିକ୍ସ ଓ ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ଲଗାତାର ଭାବେ କ୍ରୀଡ଼ାଜଗତର ଏହି କିମ୍ବଦନ୍ତୀ ପୁରୁଷ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ । ତାଙ୍କ ପିତା ସେନାରେ ଥିବାବେଳେ ସେ ପିତାଙ୍କ ପଦାଙ୍କ ଅନୁସରଣ କରି ମାତ୍ର ୧୬ ବର୍ଷ ବୟସରେ ସେନାରେ ଯୋଗ ଦେଇଥିଲେ । ମାତ୍ର ୧୪ ବର୍ଷ ବୟସରେ ସେ ହକି ଷ୍ଟିକ ଧରିଥିବାବେଳେ ହକି ଖେଳରେ ସୃଷ୍ଟି କରିଛନ୍ତି ଅନେକ ଇତିହାସ ।

ମେଜର ଧ୍ୟାନଚାନ୍ଦଙ୍କୁ ତାଙ୍କ ସାଥି ଖେଳାଳିମାନେ ଚାନ୍ଦ କହି ସଂଵୋଧନ କରୁଥିଲେ । ଯାହାର ଅର୍ଥ ଅନ୍ଧାରରେ ଆଲୋକ ପ୍ରଦାନ କରୁଥିବା ଚନ୍ଦ୍ର । ଆଜି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅବସରରେ ଭାରତୀୟ ହକିର ସୁବର୍ଣ୍ଣଯୁଗକୁ ଟିକେ ମନେପକେଇବା -

୧୯୨୮ ମସିହାରେ ଭାରତୀୟ ହକି ପ୍ରଥମ ଥର ପାଇଁ ଅଲମ୍ପିକରେ ପଦାର୍ପଣ କରିଥିଲା । ନିଜର ପ୍ରଥମ ଅଲମ୍ପିକ ମ୍ୟାଚରେ ମଧ୍ୟ ଭାରତ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲା । ନିଜର ଅନ୍ତିମ ମ୍ୟାଚରେ ସେ ନେଦରଲାଣ୍ଡକୁ ପରାସ୍ତ କରି ସ୍ବର୍ଣ୍ଣପଦକର ହକଦାର ହୋଇଥିଲା । ଯଶପାଲ ସିଂଙ୍କ ନେତୃତ୍ୱାଧୀନ ଏହିଦଳରେ ରହିଥିଲେ ସୟିଦ ଏମ ୟୁସୁଫ, ରିଚାର୍ଡ ଜେ ଆଲେନ, ମାଇକେଲ ଇ ରୌକ, ଲେସଲି ସି ହାମ୍ମଣ୍ଡ, ରେକ୍ସ ଏ ନୋରିସ,ୱିଲିୟମ ଜନ ଗୁଡ଼ସାର, କେହେର ସିଂ ଗିଲ, ମୋୖରିସ ଏ ଗେଟଲେ, ଶୌକତ ଅଲ୍ଲୀ, ଜର୍ଜ ଇ ମାର୍ଥିନ୍ସ, ଧ୍ୟାନଚାନ୍ଦ, ଫିରୋଜ଼ ଖାଁ ଓ ଫ୍ରେଡରିକ ଏସ ସିମନ ପ୍ରମୁଖ ।

ତେବେ ଏହି ଅଲମ୍ପିକରେ କ୍ୟାପଟେନସିପ୍କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସେତେବେଳେ ଭାରତୀୟ ଦଳର କ୍ୟାପଟେନ ଥିବା ଜୟପାଲ ସିଂଙ୍କ ସମେତ ଅନ୍ୟ ଦୁଇ ଭାରତୀୟ ଖେଳାଳିଙ୍କୁ ଚୟନ କରାଯାଇଥିଲା, ଯେଉଁମାନେ କେବଳ ଅଭ୍ୟାସ ମ୍ୟାଚରେ ଖେଳୁଥିଲେ । ଅପରପକ୍ଷରେ ଜୟପାଲ ସିଂଙ୍କୁ ନେଇ ଦଳରେ ରହିଥିବା ଆଙ୍ଗଲୋ - ଇଣ୍ଡିଆନ ଖେଳାଳିମାନେ ନିରାଶ ହୋଇଥିଲେ । ଜୟପାଲଙ୍କ ନେତୃତ୍ୱରେ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ପରେ ଜୟପାଲଙ୍କୁ ଦଳରୁ ବାହାର କରାଯାଇଥିଲା । ତାଙ୍କ ସ୍ଥାନରେ ଏରିକ ପିନିଙ୍ଗର ନେତୃତ୍ୱ ନେଇଥିଲେ । ତେବେ ଏହି ଅଲମ୍ପିକ ଜଣେ କିମ୍ବଦନ୍ତୀ ଖେଳାଳିକୁ ଜନ୍ମ ଦେଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରଥମଥର ପାଇଁ ଏହି ମ୍ୟାଚରେ ଧ୍ୟାନଚାନ୍ଦଙ୍କ ଜଲୱା ଦେଖିବାକୁ ମିଳିଥିଲା । ଏହି ମ୍ୟାଚଗୁଡିକର ୧୪ଟି ଗୋଲ ଦେଇ ଶୀର୍ଷସ୍ଥାନ ଅକ୍ତିଆର କରିଥିଲେ ଧ୍ୟାନଚାନ୍ଦ । ସେହିପରି ଏହି ଶୃଙ୍ଖଳର ଅନ୍ତିମ ମ୍ୟାଚରେ ଭାରତ ହ୍ୟାଟ୍ରିକ କରିଥିଲା ।

୧୯୨୮ର ଫଳାଫଳ ଏପରି ରହିଥିଲା ଭାରତ ଓ ଅଷ୍ଟ୍ରିଆ ସଂଘର୍ଷରେ ଭାରତ ୬-୦ରେ ଅଷ୍ଟ୍ରିଆକୁ ମାତ୍ ଦେଇଥିଲା । ସେହିପରି ବେଲଜିୟମ୍ ବିପକ୍ଷ ମ୍ୟାଚରେ ଭାରତ ୯-୦ରେ ବିଜୟ ହୋଇଥିଲା । ଡେନମାର୍କ ବିପକ୍ଷ ମ୍ୟାଚରେ ଭାରତ ୫-୦ରେ ବିଜୟୀ ହୋଇଥିବାବେଳେ ସ୍ୱିଜରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ୬-୦ରେ ଓ ଅନ୍ତିମ ମ୍ୟାଚ ହଲାଣ୍ଡ ବିପକ୍ଷରେ ଭାରତ ୩-୦ରେ ବିଜୟୀ ହୋଇଥିଲା । ଏହି ସମସ୍ତ ମ୍ୟାଚରେ ଧ୍ୟାନଚାନ୍ଦ ସର୍ବାଧିକ ୧୪ଟି, ଫିରୋଜ଼ ଖାଁ ୫ଟି, ଫେଡ଼ରିକ ୩ଟି, ଜର୍ଜ ମାର୍ଥିନ୍ସ, ୩ଟି, ଶୌକତ ୧ଟି ଓ ମୋୖରିସ ୩ଟି ଗୋଲ ଦେଇଥିଲେ ।

ଭାରତୀୟ ହକି ଦଳ ୧୯୩୨ ଅଲମ୍ପିକରେ ଦ୍ଵିତୀୟଥର ପାଇଁ ସ୍ୱର୍ଣ୍ଣ ପଦକ ପାଇଥିଲା । କିମ୍ବଦନ୍ତୀ ଖେଳାଳି ଧ୍ୟାନଚାନ୍ଦଙ୍କ ଯୋଗୁଁ ଭାରତୀୟ ହକି ଦଳ ଇତିହାସ ସୃଷ୍ଟି କରିଥିଲା । ଲସ ଏଞ୍ଜେଲସଠାରେ ହୋଇଥିବା ଏହି ଅଲମ୍ପିକ ପ୍ରତିଯୋଗିତାର ନିର୍ଣ୍ଣାୟକ ମ୍ୟାଚରେ ଭାରତ ଆମେରିକାକୁ ୨୪ - ୧ରେ ହରାଇ ବିଜୟ ହାସଲ କରିଥିଲା ।

୧୯୩୬ରେ ବର୍ଲିନଠାରେ ହୋଇଥିବା ଅଲମ୍ପିକ ମ୍ୟାଚରେ ଧ୍ୟାନଚାନ୍ଦ କ୍ୟାପଟେନ ରୂପେ ନିଜର ଯାତ୍ରା ଆରମ୍ଭ କରିଥିଲେ । ଅଗଷ୍ଟ ୧୫ରେ ନିର୍ଣ୍ଣାୟକ ମ୍ୟାଚରେ ଭାରତ ୮-୧ରେ ଜର୍ମାନୀକୁ ମାତ ଦେଇ ବିଜୟପ୍ରାପ୍ତ କରିଥିଲା କିନ୍ତୁ ସେଇ ସମୟରେ କେହି ବି ଜାଣିନଥିଲେ ଯେ ଭାରତ ୧୯୪୭ ଅଗଷ୍ଟ ୧୫ରେ ନିଜର ସ୍ୱତନ୍ତ୍ରତା ଦିବସ ପାଳନ କରିବ ବୋଲି । ଅଗଷ୍ଟ ୧୪ ତାରିଖରେ ପ୍ରଚୁର ବର୍ଷା ଯୋଗୁଁ ଅନ୍ତିମ ମ୍ୟାଚ ସ୍ଥଗିତ ହୋଇଥିବାବେଳେ ଅଗଷ୍ଟ ୧୫ରେ ଭାରତୀୟ ହକି ଦଳ ବିଜୟ ହାସଲ କରି ବିଦେଶ ମାଟିରେ ଭାରତୀୟ ପତାକା ଉଡାଇ ଇତିହାସ ସୃଷ୍ଟି କରିଥିଲା।

ଧ୍ୟାନଚାନ୍ଦ ଅଲମ୍ପିକରେ ୧୦୧ଟି ଗୋଲ କରିଥିବାବେଳେ, ଅନ୍ତରାଷ୍ଟ୍ରୀୟରେ ୩୦୦ଟି ଗୋଲ କରି ରେକର୍ଡ କରିଛନ୍ତି । ହକିର ଏହି ସେଣ୍ଟର ଫରୱାର୍ଡ଼ ଖେଳାଳି ଧ୍ୟାନଚାନ୍ଦ ମାତ୍ର ୪୨ ବର୍ଷରେ ୧୯୪୮ ମସିହାରେ ହକି ଖେଳରୁ ସନ୍ୟାସ ନେଇଥିଲେ । ୧୯୫୬ ମସିହାରେ ଭାରତର ତୃତୀୟ ବୃହତ ସମ୍ମାନ ପଦ୍ମବିଭୁଷଣରେ ସମ୍ମାନିତ ହୋଇଥିଲେ ଧ୍ୟାନଚାନ୍ଦ । ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ହୋଇ ୧୯୭୯ ମସିହାରେ ଧ୍ୟାନଚାନ୍ଦଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ଭାରତ ସରକାର ଦିଲ୍ଲୀଠାରେ ତାଙ୍କ ନାମରେ ଏକ ହକି ଷ୍ଟାଡ଼ିୟମର ଉଦଘାଟନ କରିବା ସହିତ ଏକ ଡାକ ଟିକେଟ ମଧ୍ୟ ପ୍ରଚଳନ କରିଥିଲେ ।

ଧ୍ୟାନଚାନ୍ଦଙ୍କ ଖେଳ ଶୈଳୀରେ ମୁଗ୍ଧ ହୋଇ ଜର୍ମାନ ଶାସକ ହିଟଲର ତାଙ୍କୁ ତାଙ୍କ ସେନାରେ ଉଚ୍ଚ ଅଧିକାରୀ ରୂପେ ଯୋଗ ଦେବା ପାଇଁ ଏକ ଭଲ ସୁଯୋଗ ଦେଇଥିଲେ ମଧ୍ୟ ଦେଶ ପାଇଁ ଏହି ସୁଯୋଗକୁ ପାଦରେ ଆଡେଇ ଦେଇଥିଲେ ଭାରତୀୟ କ୍ରୀଡା ଜଗତର ଏହି ମହାନ ତାରକା । କେବଳ ଜଣେ ଖେଳାଳି ଭାବେ ନୁହେଁ ଜଣେ ଦେଶଭକ୍ତ ଭାବରେ ବି ଧ୍ୟାନଚାନ୍ଦ ଚିରକାଳ ପାଇଁ ମନେ ରହିବେ । ଏହି ଦିନଟି ଭରତୀୟ ଯୁବକଙ୍କୁ ଖେଳ ପ୍ରତି ନିଜର ମନୋଭାବ ଦୃଢ କରିବାରେ ପ୍ରେରଣା ଯୋଗାଇଥାଏ ।

Report an Error