ଦୀପାବଳି ଓ ଓଡିଶାରେ କାଳୀ ପୂଜା

ଭାରତର ବିଭିନ୍ନ ପ୍ରାନ୍ତରେ ଏହି ଦିବସକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ । କେଉଁଠି ଏହିଦିନରେ ମାତା ଲକ୍ଷ୍ମୀଙ୍କର ଆରାଧନା କରାଯାଏ ତ ଆଉ କେଉଁଠି ମହାକାଳୀଙ୍କର ।


ଆଜି ଆଲୋକର ପର୍ବ ଦୀପାବଳି । ପୁଣି ଆଜି ଧରାବତରଣ କରିବେ ମା ମହାକାଳୀ । ଭାରତ ତଥା ଓଡ଼ିଶାରେ ଏହି ପର୍ବଟି ବେଶ ଆନନ୍ଦ ଉଲ୍ଲାସରେ ପାଳିତ ହୁଏ । ଭାରତର ବିଭିନ୍ନ ପ୍ରାନ୍ତରେ ଏହି ଦିବସକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ । କେଉଁଠି ଏହିଦିନରେ ମାତା ଲକ୍ଷ୍ମୀଙ୍କର ଆରାଧନା କରାଯାଏ ତ ଆଉ କେଉଁଠି ମହାକାଳୀଙ୍କର । ଦୀପାବଳିକୁ ନେଇ ଆମ ଭାରତୀୟ ଶାସ୍ତ୍ରରେ ବହୁ ପୌରାଣିକ ଆଖ୍ୟାନ ରହିଛି । ଏହିଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ଚଉଦ ବର୍ଷର ବନବାସ ସାରି ମାତା ସୀତା ଓ ଭ୍ରାତା ଲକ୍ଷ୍ମଣଙ୍କୁ ଧରି ଅଯାେଧ୍ୟା ପ୍ରତ୍ୟାଗମନ କରିଥିଲେ । ଆହୁରି ମଧ୍ୟ ଏହି ତିଥିରେ ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠି ସହସ୍ର ରାଜକନ୍ୟାଙ୍କୁ ଉଦ୍ଧାର କରି ଦ୍ବାରକା ଫେରିଥିଲେ । ସେଥିପାଇଁ ଏହି ଦିନ ଦୀପ ଜଳାଯାଇ ଈଶ୍ବରଙ୍କ ଆଶୀର୍ବାଦ କାମନା କରାଯାଇଥାଏ ।

କିନ୍ତୁ ଓଡ଼ିଶାରେ ଏହି ଦିନ ପୟା ଶ୍ରାଦ୍ଧ ଦିଆଯାଇଥାଏ । ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦିଆଯାଇ କାଉଁରିଆ କାଠି ଜଳାଯାଇଥାଏ । କାଉଁରିଆ କାଠି ଜାଳିବାବେଳେ ବଡ଼ବଡୁଆ ହୋ / ଅନ୍ଧାରରେ ଆସ ଆଲୁଅରେ ଯା', ପୁରୁଷୋତ୍ତମରେ ମହାପ୍ରସାଦ ଖାଇ / ବାଇଶି ପାବଛେ ଗଡ଼ଗଡାଉ ଥା' । ବୋଲି ଉଚ୍ଚାରଣ କରାଯାଇ ପିତୃଗଣଙ୍କ ଆଶୀର୍ବାଦ କାମନା କରାଯାଏ । ପିତରଙ୍କୁ ଆମ ଭାରତୀୟ ଧର୍ମଶାସ୍ତ୍ରରେ ବେଶ ଉଚ୍ଚ ସ୍ଥାନ ଦିଆଯାଇଛି । ପିତୃପୁରୁଷଙ୍କୁ ସ୍ମରଣ କରିବା ପାଇଁ ମାସେ ବ୍ୟାପି ପିତୃପକ୍ଷ ପାଳିତ ହେଉଥିବାବେଳେ ଦୀପାବଳି ହେଉଛି ଶେଷ ତିଥି ।

ଏହି ପର୍ବଟି ଭାରତ ବ୍ଯତୀତ ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ମାଲେସିଆ, ସିଙ୍ଗାପୁର ଓ ଫିଜି ଆଦି ଦେଶମାନଙ୍କରେ ମଧ୍ୟ ପାଳିତ ହୁଏ । କାର୍ତ୍ତିକ କୃଷ୍ଣପକ୍ଷ ଅମାବାସ୍ଯା ଦିନରେ ପାଳିତ ହେଉଥିବା ଏହି ପର୍ବଟିରେ ଆତସବାଜି ଅନ୍ଯତମ ଆକର୍ଷଣ ସାଜିଥାଏ ।

ଓଡିଶାରେ ଦୀପାବଳିରେ ମା କାଳୀଙ୍କର ପୂଜା କରାଯାଏ । ଦୁର୍ଗା ପୂଜା ଭଳି କାଳୀ ପୂଜା ବି ଓଡ଼ିଶାରେ ବେଶ ପ୍ରାଚୀନ । ବିଶେଷକରି ଭଦ୍ରକରେ କାଳୀ ପୂଜା ବେଶ ପ୍ରସିଦ୍ଧ । ପ୍ରାୟ ପନ୍ଦର ଦିନ ଧରି ଏହି ପୂଜା ଅନୁଷ୍ଠିତ ହୁଏ । କଟକରେ ମଧ୍ୟ ମୃଣୟୀ କାଳୀ ପୂଜା ବେଶ ନିଆରା ଢଙ୍ଗରେ ପାଳିତ ହୁଏ ।

ପ୍ରତ୍ନତାତ୍ତ୍ୱିକ ଓ ମୂର୍ତ୍ତି ତତ୍ତ୍ୱ ଦୃଷ୍ଟିକୋଣରୁ ଦେଖିଲେ ଜଣାପଡେ ଯେ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀଠାରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ କାଳୀ ପୂଜା ବହୁଳଭାବେ ପ୍ରସାର ଲାଭ କରିଥିଲା । ତେବେ କାଳୀ ଉପାସନର ଉତ୍ତରଣରେ ଓଡ଼ିଶାରେ କାଳୀ, ଚାମୁଣ୍ଡା, ଭଦ୍ରକାଳୀ, ଦକ୍ଷିଣକାଳୀ ପ୍ରଭୃତି ଉପାସନର ବ୍ୟାପକ ପ୍ରସାର ଘଟି ଜଗନ୍ନାଥ ମଧ୍ୟ ଦକ୍ଷିଣକାଳିକା ରୂପେ ପୂଜିତ ହାେଇଛନ୍ତି । ଗୁପ୍ତ ଓ ପ୍ରାଚୀନ ଯୁଗ ପରେ ମଧ୍ୟ ଯୁଗରେ ସମଗ୍ର ଭାରତରେ ନୂତନ କାଳୀ ପୀଠମାନ ପ୍ରତିଷ୍ଠିତ ହେଲା । ଦିଲ୍ଲୀର କାଳୀ ମନ୍ଦିର, ମସୌରୀର ଚାମୁଣ୍ଡା - ମନ୍ଦିର, କଲିକତାର କାଳୀ ମନ୍ଦିର ପ୍ରଭୃତି ଏହି ସମୟର ଅନ୍ଯତମ କୀର୍ତ୍ତି ।

ସପ୍ତଦଶ - ଅଷ୍ଟାଦଶ ଶତାବ୍ଦୀରୁ ସାର୍ବଜନୀନ ମୃଣୟୀ କାଳୀ ପୂଜା ଅନୁଷ୍ଠିତ ହୋଇଥିବାର ଅନୁମାନ କରାଯାଏ । ତତ୍କାଳୀନ ଭାରତର ଅନେକ ରାଜା, ମହାରାଜା ଓ ସାମନ୍ତଙ୍କର ଈଷ୍ଟଦେବୀ ଥିଲେ ମହାକାଳୀ । ଭଦ୍ରକାଳୀ ପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ଶାକ୍ତ ତାନ୍ତ୍ରିକ ପୀଠ ରୂପେ ସ୍ୱୀକୃତ । ଏଠାରେ ଖ୍ରୀଷ୍ଟୀୟ ତୃତୀୟ - ଚତୁର୍ଥରେ ଖୋଦିତ ଏକ ଶିଳାଲେଖ ଦେଖିବାକୁ ମିଳେ । ଭଦ୍ରକ ସହର ଉପକଣ୍ଠରେ ଥିବା ଆହାରପଦା ଗ୍ରାମରେ ସାଳନ୍ଦୀ ନନ୍ଦୀ କୂଳରେ ମା’ ଭଦ୍ରକାଳୀଙ୍କ ପୀଠ ଅବସ୍ଥିତ । ଭଦ୍ରକ ସହରଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ଏହାର ଦୂରତା ପ୍ରାୟ ୫ କିମି ।

ପ୍ରଚଳିତ ଜନଶ଼୍ରୁତି ଅନୁସାରେ ଭଦ୍ରକ ସହରର ନାମ ମଧ୍ୟ ମା’ଭଦ୍ରକାଳୀଙ୍କ ନାମନୁସାରେ ହୋଇଅଛି । ଦେବୀ ମା’ଙ୍କର କଳା ମୁଗୁନି ପଥରର ମୂର୍ତ୍ତିଟି ସିଂହ ବାହନ ଉପରେ ପଦ୍ମାସନରେ ଶୋଭିତା । ସିଂହ ବାହନ ଉପରେ ଆସୀନା ଥିବାରୁ କେତେକ ଦେବୀଙ୍କୁ ଦୁର୍ଗା ବୋଲି ମଧ୍ୟ ଅଭିହିତ କରିଥାନ୍ତି । ଚତୁର୍ଭୁଜା ଭଦ୍ରକାଳୀଙ୍କ ଉପର ଭୁଜ ଦୁଇଟି ମଧ୍ୟରୁ ଦକ୍ଷିଣରେ ଖଡ୍‌ଗ ଓ ବାମ ଭୁଜରେ ଖର୍ପର ଧାରଣ କରିଛନ୍ତି । ତଳଭୁଜ ଦୁଇଟି ମଧ୍ୟରୁ ବାମଭୁଜରେ ଜପାମାଳି ଓ ଦକ୍ଷିଣ ଭୁଜରେ ଶିଶୁ କୃଷ୍ଣଙ୍କୁ କୋଳରେ ଧରିଛନ୍ତି । ଏହା ଏକମାତ୍ର ଶକ୍ତିପୀଠ ଯେଉଁଠି କାଳୀ ଶ୍ରୀକୃଷ୍ଣଙ୍କୁ କୋଳରେ ଧରିଛନ୍ତି । ତେଣୁ ଏହି ପୀଠକୁ ଦୁର୍ଗା ମାଧବ ପୀଠ ମଧ୍ୟ କୁହାଯାଏ ।

ତେବେ ମା’ଙ୍କଠାରେ ଶାରଦୀୟ ଦୁର୍ଗା ପୂଜା ପାର୍ବଣ ସମୟରେ ଦେବୀଙ୍କର ପାର୍ବଣ ବେଶମାନ ଅନୁଷ୍ଠିତ ହେଉଥିବାବେଳେ କାଳୀପୂଜା ସମୟରେ ଏଠାରେ ସାତ ଦିନ ଧରି ଶତଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ । ଏହି ଯଜ୍ଞ ପାଇଁ ପୁରୀର ଜଗନ୍ନାଥ ମନ୍ଦିର, ଘଟଗାଁର ତାରିଣୀ ମନ୍ଦିର ଏବଂ ଯାଜପୁରର ବିରଜା ମନ୍ଦିରରୁ ଆଜ୍ଞାମାଳ ଆସିଥାଏ । ଏହି ଅବସରରେ ମା’ଙ୍କର ସପ୍ତମାତୃକା ବେଶ ଅନୁଷ୍ଠିତ ହୋଇଥାଏ । ପ୍ରଥମ ଦିନରେ ମାତା ବେଦମାତା ବେଶରେ ଦର୍ଶନ ଦେଉଥିବାବେଳେ ଦ୍ୱିତୀୟ ଦିନରେ ମହାକାଳୀ ବେଶ, ତୃତୀୟ ଦିନରେ ରାଜରାଜେଶ୍ୱରୀ ବେଶ, ଚତୁର୍ଥ ଦିନରେ ସିଂହବାହିନୀ ବେଶ, ପଞ୍ଚମ ଦିନରେ ଜଗଦ୍ଧାତ୍ରୀ ବେଶ, ଷଷ୍ଠ ଦିନରେ ମହାସରସ୍ୱତୀ ବେଶ, ସପ୍ତମ ଦିନରେ ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହୋଇଥାଏ । ଆସନ୍ତୁ ଆଜିର ଏହି ପବିତ୍ର ଦିନରେ ମାତା କାଳୀଙ୍କୁ ଧ୍ଯାନ କରି ଆଶୀର୍ବାଦ ପ୍ରାପ୍ତ କରିବା ।

ଆଲୋକର ପର୍ବ ଦୀପାବଳି ଓ ମାତା କାଳୀଙ୍କ ପୂଜା ଅବସରରେ ବାଟାେଇ ପରିବାର ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।

Report an Error