ଅଣସର ଓ ଅଲାରନାଥ

ଜଗତର ନାଥ ଜଗନ୍ନାଥ । ତାଙ୍କ ମାନବୀୟ ଲୀଳା ସତରେ ଅବର୍ଣ୍ଣନୀୟ । ଭକ୍ତଙ୍କ ପାଇଁ ତାଙ୍କର ସବୁ ଲୀଳା ପୁଣି ଯାନିଯାତ୍ରା । ତାଙ୍କ ଭକ୍ତିଲୀଳାର ମହାପର୍ବ ମଧ୍ୟରେ ଅଣସର ଏକ ଅଧ୍ୟାୟ ।


ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥ । ଜଗତର ନାଥ ଜଗନ୍ନାଥ । ତାଙ୍କ ମାନବୀୟ ଲୀଳା ସତରେ ଅବର୍ଣ୍ଣନୀୟ । ସେ ଭାବଗ୍ରାହୀ । ଭକ୍ତର ଆଶା ପୂରଣ ପାଇଁ ସେ ରତ୍ନ ସିଂହାସନ ଛାଡି ଚାଲି ଆସନ୍ତି ଭକ୍ତମେଳକୁ ସେଥିପାଇଁ ତ ସେ ଭାବଗ୍ରାହୀ । ଭକ୍ତଙ୍କ ପାଇଁ ତାଙ୍କର ସବୁ ଲୀଳା ପୁଣି ଯାନିଯାତ୍ରା । ତାଙ୍କ ଭକ୍ତିଲୀଳାର ମହାପର୍ବ ମଧ୍ୟରେ ଅଣସର ଏକ ଅଧ୍ୟାୟ ।

ସ୍ନାନପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂରତି ଜରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ । ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ (ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ) ନିଅନ୍ତି । ପ୍ରକୃତରେ ଅଣସର ଗୃହ ବୋଲି କିଛି ନଥାଏ, ଏହା ଅସ୍ଥାୟୀ ରୂପରେ ନିର୍ମାଣ କରାଯାଇଥାଏ । ଏହି ଗୃହର ଏକ ଛୋଟ ଦ୍ୱାର ଥାଏ, ଯାହାକୁ ଧୁକୁଡ଼ି ଦ୍ୱାର କୁହାଯାଏ । ଏହି ଘରଟି ଅନ୍ଧକାର ଥାଏ । ଏଠାରେ ମହାପ୍ରଭୁଙ୍କ ଗୁପ୍ତ ସେବା ଅନୁଷ୍ଠିତ ହୁଏ । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପରିକ ଉପଚାର କରାଯାଏ । ଏହିସମୟରେ ଶ୍ରୀଜୀଉଙ୍କ ପାଖରେ ଅନ୍ନ ଭୋଗ ହୁଏ ନାହିଁ । ଲଘୁ ପାକ ଖାଦ୍ୟ ଭୋଗ କରାଯାଏ । ଅଣସର ପଣା ମଧ୍ୟ ଲାଗି କରାଯାଏ । ପୁଣି ଚକଟା ଭୋଗ ଓ ଟାକୁଆ ଭୋଗ ଲାଗି କରାଯାଏ । ମହାପ୍ରଭୁଙ୍କ ଜ୍ଵର ଉପଶମ ପାଇଁ ଓସ ଲାଗି ଓ ଫୁଲରୀ ତେଲ ଲାଗି କରାଯାଏ । ଏହାପରେ ରାଜବୈଦ୍ୟଙ୍କ ଦଶମୂଳ ମୋଦକ ଉପଚାରରେ ମହାପ୍ରଭୁ ସୁସ୍ଥ ହୁଅନ୍ତି ।

ଏହି ପନ୍ଦରଦିନ ଧରି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୁଅନ୍ତି । ଏହି ସମୟରେ ଶ୍ରୀମନ୍ଦିରରେ ପଟ୍ଟିଦିଅଁ ପୂଜା ପାଆନ୍ତି । ସେହିପରି ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଭାବେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁ ରୂପରେ ଦର୍ଶନ କରିଥାନ୍ତି । ବର୍ଷତମାମ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳିଥାଏ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଥରେ ଦର୍ଶନ କଲେ ସେତିକି ପୁଣ୍ୟ ମିଳେ ବୋଲି ବିଶ୍ବାସ କରାଯାଏ ।

ପ୍ରଭୁ ଅଲାରନାଥଙ୍କ ମନ୍ଦିର ପୁରୀ ଜିଲ୍ଲାରେ ବ୍ରହ୍ମଗିରିଠାରେ ଅବସ୍ଥିତ । ତେବେ ମନ୍ଦିରର ଇତିହାସ ବେଶ ପ୍ରାଚୀନ । ଅଲାରନାଥଙ୍କ ମନ୍ଦିରଟି ଏକ ସୂକ୍ଷ୍ମ କାରୁକଳା ବିମଣ୍ଡିତ ପ୍ରାଚୀନ ମନ୍ଦିର । ତାମିଲନାଡୁର ଆଲବର ସମ୍ପ୍ରଦାୟମାନେ ଏଠାରେ ମୂର୍ତ୍ତି ସ୍ଥାପନ କରିଥିଲେ ବାେଲି ସୂଚନା ମିଳେ । ଗବେଷକଙ୍କ ମତଅନୁଯାୟୀ ଅଲାରନାଥ ଦ୍ରାବିଡ଼ ଶବ୍ଦ ‘ଆଲେୟା’ରୁ ଆସିଛି, ଯାହାର ଅର୍ଥ ଭକ୍ତ । କାଳକ୍ରମେ ଆଲୋୟାରନାଥ ଶବ୍ଦର ଅପଭ୍ରଂଶ ଘଟି ଆଲବନ୍ଦାନାଥ, ଅଲବରନାଥ, ଆଲାଲାନାଥ ଏବଂ ପରିଶେଷରେ ସ୍ଥାନୀୟ ଲୋକମୁଖରେ ଏହା ‘ଅଲାରନାଥ’ ନାମରେ ପ୍ରସିଦ୍ଧି ଲାଭ କରିଛି । ଅଲାରନାଥଙ୍କୁ ନେଇ ବହୁ କିମ୍ବଦନ୍ତୀ ରହିଛି ।

କୁହାଯାଏ ଅଣସର ସମୟରେ ପ୍ରଭୁଙ୍କର ଦର୍ଶନ ନ ପାଇ ବିରହ ଜ୍ୱାଳାରେ ମିୟମ୍ରାଣ ହୋଇପଡ଼ିଥିଲେ ଶ୍ରୀଚୈତନ୍ୟ । ପ୍ରଭୁଙ୍କ ନିର୍ଦ୍ଦେଶରେ ସେ ବ୍ରହ୍ମଗିରିସ୍ଥ ଅଲାରନାଥଙ୍କ ପୀଠରେ ପହଞ୍ଚି ନାରାୟଣ ମୂର୍ତ୍ତିଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ । ଶ୍ରୀବିଗ୍ରହଙ୍କ ଦର୍ଶନ ନ ପାଇ ବିରହ ଜ୍ୱାଳାରେ ତାଙ୍କ ଶରୀର ଏତେ ଉତ୍ତପ୍ତ ହୋଇଯାଇଥିଲା ଯେ ସେଠାରେ ପଡ଼ିଥିବା ଏକ ପ୍ରସ୍ତର ଖଣ୍ଡ ଉପରେ ଶ୍ରୀଚୈତନ୍ୟ ପ୍ରଣିପାତ କରିବାବେଳେ ଉକ୍ତ ପ୍ରସ୍ତର ଖଣ୍ଡକ ତାଙ୍କ ଶରୀରର ଆକାର ଅନୁଯାୟୀ ତରଳି ଯାଇଥିଲା । ଏବେ ବି ସେହି ପ୍ରସ୍ତର ଖଣ୍ଡିକ ମନ୍ଦିର ପରିସରରେ ପୂଜିତ ହେଉଛି । ଏଠାରେ ବି ବାରମାସରେ ତେର ଯାତ ଅନୁଷ୍ଠିତ ହୁଏ ଓ ବିଭିନ୍ନ ବେଶ କରାଯାଏ । ଅନବସର ସମୟରେ ଅନବସର ବେଶ, ଚନ୍ଦନ ଯାତ୍ରା ସମୟରେ ଚନ୍ଦନ ବେଶ, କାର୍ତ୍ତିକ ମାସରେ ରାଧାଦାମୋଦର ବେଶ, ଦଶହରା ଦିନ ରାଜବେଶ ଓ ଅନ୍ୟାନ୍ୟ ବେଶ କରାଯାଏ । ସେହିଭଳି ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ଅନବସର ଉତ୍ସବ, ଚିତାଲାଗି ଅମାବାସ୍ୟା, ଗହ୍ମାପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ବିଜୟା ଦଶମୀ, ଦେବ ଦୀପାବଳୀ, ଧନୁ ସଂକ୍ରାନ୍ତି, ପହିଲି ଭୋଗ, ମକର ସଂକ୍ରାନ୍ତି, ବକୁଳ ଅମାବାସ୍ୟା, ବସନ୍ତ ପଞ୍ଚମୀ, ଦୋଳ ପୂର୍ଣ୍ଣମୀ, ପୁଷ୍ୟାଭିଷେକ, ପଣାସଂକ୍ରାନ୍ତି, ଚନ୍ଦନ ଯାତ୍ରା ଆଦି ଅନୁଷ୍ଠିତ ହୁଏ । ଏଠାରେ ବି ଶ୍ରୀମନ୍ଦିର ଭୋଗନୀତି ପରି ଭୋଗ ଅନୁଷ୍ଠିତ ହୁଏ । ତେବେ ଏଠାରେ ଶ୍ରୀଅଲାରନାଥଙ୍କ କ୍ଷୀରି ଭୋଗ ହେଉଛି ସବୁଠାରୁ ପ୍ରିୟ । ଶ୍ରୀମନ୍ଦିର ଭଳି ଏଠାରେ ପ୍ରଭୁ ଅଲାରନାଥଙ୍କ ଦୈନନ୍ଦୀନ ଆଳତୀ, ଅବକାଶ, ବଲ୍ଲଭ, ଅନ୍ନଭୋଗ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ପହୁଡ଼ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ ।