କେକେ: ଆମ ସମୟ ଓ ତାରୁଣ୍ୟର ସ୍ଵର

ଏକ ଅପ୍ରତ୍ୟାଶିତ ମୁହୂର୍ତ୍ତରେ ଆମଠୁ ବିଦାୟ ନେଇଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ କେକେ । ତାଙ୍କ ମୃତ୍ୟୁରେ ସଂଗୀତ ଜଗତ ସ୍ତଵଧ ।


ଫଟୋ - ୱିକିପିଡିଆ

ବିରହ - ବିଷାଦ ହେଉ କି ରୋମାଣ୍ଟିକ ଗୀତ ହେଉ ଅବା ପାର୍ଟି ସଂଗ ସବୁଥିରେ ଏକ ସହଜ, ସ୍ଵାଭାବିକ ଓ ଓଜନଦାର ସ୍ୱର ଥିଲା କେକେ ଓରଫ କ୍ରିଷ୍ଣକୁମାର କୁନାଥଙ୍କ ପରିଚୟ । ମାତ୍ର ପଚାଶ ବର୍ଷର ଜୀବନକାଳ ମଧ୍ୟରେ ସେ ସଂଗୀତପ୍ରେମୀଙ୍କୁ ଦେଇଯାଇଛନ୍ତି ସାତଶହରୁ ଉର୍ଦ୍ଧ୍ବ ଗୀତ । ବଲିଉଡ ହେଉ କି ଟଲିଉଡ଼, ସେ ଭାରତୀୟ ସଂଗୀତର ଏକ ଅନନ୍ୟ ଉଜ୍ୱଳମୟ ତାରକା । ହିନ୍ଦୀ, ବଙ୍ଗଳା, ମାଲାୟାଲମ, ତେଲୁଗୁ, ତାମିଲ ପରି ଅନେକ ଭାରତୀୟ ଭାଷାରେ ସେ ଗୀତ ଗାଇଛନ୍ତି । ସଂଘର୍ଷରୁ ସଫଳତା ପାଇ କେକେ ଗଢ଼ିଥିଲେ ନିଜର ଏକ ନିଆରା ପରିଚୟ । ଗତକାଲି ବିଳମ୍ବିତ ରାତ୍ରିରେ ସେ କଲିକତାଠାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଗୀତ ଗାଇ ହୃଦୟ ଜିଣିଥିବା କେକେ ଗୀତ ଗାଉ ଗାଉ ମଞ୍ଚରେ ଅଣନିଃଶ୍ଵାସୀ ହୋଇପଡିଲେ ଓ ତାହା ତାଙ୍କ ମୃତ୍ୟୁର କାରଣ ହେଲା । ଏକ ଅପ୍ରତ୍ୟାଶିତ ମୁହୂର୍ତ୍ତରେ ସେ ଆମଠୁ ବିଦାୟ ନେଇଛନ୍ତି । ତାଙ୍କ ମୃତ୍ୟୁରେ ଭାରତୀୟ ସଂଗୀତ ଜଗତ ସ୍ତଵଧ ।

ନବେ ଦଶକରେ ୟଙ୍ଗଷ୍ଟାରଙ୍କ ମଧ୍ୟରେ କେକେଙ୍କର କ୍ରେଜ ପୂରା ଅଲଗା ରହିଥିଲା । ଦିଲ୍ଲୀର ଏକ ମାଲାୱୀ ପରିବାରର ଜନ୍ମଗ୍ରହଣ କରିଥିବା କେକେଙ୍କ ପ୍ରକୃତ ନାଁ ହେଉଛି କ୍ରିଷ୍ଣକୁମାର କୁନାଥ । ନବେ ଦଶକରେ ବଲିଉଡରେ ପାଦ ଥାପି ସଂଗୀତ କ୍ଷେତ୍ରରେ ସେ ସୃଷ୍ଟି କରିଥିଲେ ଏକ ଅନନ୍ୟ ପରିଚୟ । ସାନବେଳୁ ଗୀତ ଗାଇବାକୁ ପସନ୍ଦ କରୁଥିବା କେକେଙ୍କ ଆଦର୍ଶ କିଶୋର କୁମାର ରହିଥିଲେ । ଜୀବନରେ ବହୁ ଘାତ ପ୍ରତିଘାତ ଦେଇ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ୧୯୯୬ରେ ରିଲିଜ ହୋଇଥିବା ସିନେମା ‘ମାଚି଼ସ’ରେ ରହିଥିବା ଲୋକପ୍ରିୟ ଗୀତ ‘ଛୋଡ ଆୟେ ହମ୍ ୱ ଗଲିୟା’ରେ ସେ ପ୍ରଥମେ କଣ୍ଠଦାନ କରିଥିଲେ । ଏହି ଗୀତରେ କେକେଙ୍କ ସହ ହରିହରନ, ସୁରେଶ ୱାଡେକର, ବିନୋଦ ରାଠୋର ପ୍ରମୁଖ କଣ୍ଠଦାନ କରିଥିଲେ । ତେବେ ୧୯୯୯ ମସିହାରେ ରିଲିଜ ହୋଇଥିବା ତଥା ସଞ୍ଜୟ ଲୀଲା ଭନସାଲିଙ୍କ ସୁପର ହିଟ ସିନେମା ‘ହମ ଦିଲ ଦେ ଚୁକେ ସନମ’ର ଲୋକପ୍ରିୟ ଗୀତ ‘ତଡପ ତଡପ କେ ଇସ ଦିଲ୍….ରେ କଣ୍ଠଦାନ କରି ସେ ରାତାରାତି ଲୋକପ୍ରିୟତା ପାଇଥିଲେ । ଏହାପରଠାରୁ ସେ ଆଉ ପଛକୁ ଫେରି ନାହାନ୍ତି ।

୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେକେ । ‘ରେହେନା ହେ ତେରେ ଦିଲ ମେ’ ଫିଲ୍ମର ‘ସଚ କେହେ ରହା ହୈ ଦିୱାନା ...’ ଗୀତ ତାଙ୍କୁ ବଲିଉଡରେ ଦେଇଥିଲା ଭଏସ ଅଫ୍ ଲଭ୍ ର ପରିଚୟ । ଏହାପରେ ବଲିଉଡକୁ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଦେଇ ଚାଲିଥିଲେ । ସେ ଗାଇଥିବା ଲୋକପ୍ରିୟ ଗୀତ ମଧ୍ୟରେ ରହିଛି - ଖୁଦା ଜାନେ … (ବଚନା ଏ ହସିନୋ), ଜିନ୍ଦଗୀ ଦୋ ପଲ କି …. (କାଇଟସ), ଜରା ସା… (ଜନ୍ନତ ), ଆଖୋ ମେଁ ତେରି ….(ଓମ ଶାନ୍ତି ଓମ), ତୁ ହି ମେରି ସବ୍ ହୈ... (ଗ୍ଯାଙ୍ଗଷ୍ଟର), ଦିଲ୍ ଇବାଦତ୍... (ତୁମ୍ ମିଲେ), ତୁ ଜୋ ମିଲା… (ବଜରଂଗୀ ଭାଇଜାନ) ପରି ଅନେକ ଗୀତ ।

କେବଳ ହିନ୍ଦୀ ନୁହେଁ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ, ମରାଠୀ ଓ ବଙ୍ଗାଳୀ ସମେତ ବହୁ ଭାରତୀୟ ଭାଷାରେ ସେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି । ସେ ୯ଟି ଭାଷାରେ ପ୍ରାୟ ୭୦୦ରୁ ଉର୍ଦ୍ଧ୍ଵ ଗୀତ ଗାଇଛନ୍ତି । ସେ ସିନେମାକୁ ଆସିବା ପୂର୍ବରୁ ଜିଙ୍ଗଲ ପ୍ରସ୍ତୁତ କରୁଥିଲେ । ୧୯୯୯ ମସିହାରେ କେକେଙ୍କ ପ୍ରଥମ ଆଲବମ ‘ପଲ୍’ ରିଲିଜ ହୋଇ ସୁପରହିଟ ସାବ୍ୟସ୍ତ ହୋଇଥିଲା । ଏଥିରେ ଥିବା ଚିରସବୁଜ ଗୀତ ହମ ରହେ ୟା ନା ରହେ କଲ….ଗୀତଟି ଶ୍ରୋତାମାନଙ୍କୁ ବିମୁଗ୍ଧ କରିଥିଲା । ସେ ସଂଗୀତ କ୍ଷେତ୍ରରେ ବିଧିବଦ୍ଧ ତାଲିମ ନ ନେଇ ମଧ୍ୟ ନିଜର ଏକ ଅନନ୍ୟ ଗାୟିକୀ ସୃଷ୍ଟି କରିଥିଲେ । କେବଳ ସିନେମା କି ଆଲବମ ନୁହେଁ ସେ ଅନେକ ଧାରାବାହିକ ପାଇଁ ମଧ୍ୟ କଣ୍ଠଦାନ କରିଛନ୍ତି ।

ତେବେ ଜଣେ କଳାକାରର ମୃତ୍ୟୁ ନଥାଏ । ସେ ତାର ପ୍ରତିଟି ସ୍ଵାକ୍ଷରରେ କାଳ କାଳ ପାଇଁ ଅମର ରୁହେ । ଅସମୟରେ ବାହୁଡ଼ି ଯାଇଥିବା ଆମ ସମୟ ଓ ତାରୁଣ୍ୟର ସ୍ଵର କେକେ ତାଙ୍କର ପ୍ରତିଟି ଗୀତରେ ଶ୍ରୋତାଙ୍କ ହୃଦୟରେ ସର୍ବଦା ଅମର ରହିବେ । ଲୋକପ୍ରିୟ କଣ୍ଠଶିଳ୍ପୀ କେକେଙ୍କୁ ଆମ ବାଟୋଇ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।