ଅଫେରା ପଥରେ କମଳ ଦେଶର ରାଜକୁମାର

ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ତଥା ଗୀତିକାର ପ୍ରଫୁଲ୍ଲ କରଙ୍କ ଦେହାନ୍ତ ହୋଇଯାଇଛି, ଏହା ସହିତ ଓଡ଼ିଆ ସଂଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି ।


ଫଟୋ - ୱିକିପିଡ଼ିଆ

ବର୍ଷିଆନ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଆଉ ନାହାନ୍ତି । ସେ ଏବେ ଅଫେରା ପଥର ପଥିକ । ରବିବାର ରାତିରେ ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ତଥା ଗୀତିକାର ପ୍ରଫୁଲ୍ଲ କରଙ୍କ ଦେହାନ୍ତ ହୋଇଯାଇଛି, ଏହା ସହିତ ଓଡ଼ିଆ ସଂଗୀତ ଜଗତର ଏକ ଯୁଗର ଅବସାନ ଘଟିଛି ।

ପ୍ରଫୁଲ୍ଲ କର । ଆମ ଓଡ଼ିଆ ସଂଗୀତ ଜଗତରେ ଏକ ସୁପରିଚିତ ନାଁ । ପ୍ରଫୁଲ୍ଲ କର ଏକାଧାରରେ ଜଣେ ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ, କବି, କଥାକାର, ସ୍ତମ୍ଭକାର । ପ୍ରଫୁଲ୍ଲ କର ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ପିତା ବୈଦ୍ୟନାଥ କର ଓ ମାତା ସୁଶିଳା କରଙ୍କ କୋଳମଣ୍ଡନ କରିଥିଲେ । ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ଉପାଧି ଲାଭ କରିଥିଲେ ।

ପରେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ, ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ସଙ୍ଗୀତ ବିଶାରଦ ଉପାଧି ପାଇଥିଲେ । ଷାଠିଏ ଦଶକରେ ସଙ୍ଗୀତଜୀବନ ଆରମ୍ଭ କରିଥିଲେ ପ୍ରଫୁଲ୍ଲ କର । ଆକାଶବାଣୀର ଗ୍ରେଡ୍‌ -ଏ ଆର୍ଟିଷ୍ଟରୁ ଓଡ଼ିଆ ସଂଗୀତ ଜଗତର ସୁନାମଧନ୍ୟ ସଂଗୀତଜ୍ଞର ଯାତ୍ରାରେ ସେ ସୃଷ୍ଟି କରିଛନ୍ତି ଅନେକ ଇତିହାସ । ଲଘୁ ସଂଗୀତ, ଭକ୍ତି ସଂଗୀତ, ଓଡ଼ିଶୀ ସଂଗୀତ ଓ ଚଳଚ୍ଚିତ୍ର ସଂଗୀତରେ ତାଙ୍କର ଅନନ୍ୟ ପାରଦର୍ଶିତା ଥିଲା । ଓଡ଼ିଆ ପାରମ୍ପରିକ ସଂଗୀତକୁ ଆଧୁନିକ ଛନ୍ଦରେ ବାନ୍ଧିରଖିବାର ସାହସ କରିପାରିବାଠାରୁ ଓଡିଶୀ ଶାସ୍ତ୍ରୀୟ ସ୍ୱରକୁ ଓଡ଼ିଆ ସିନେମା ସଂଗୀତରେ ଧରି ରଖିବାର କଳାରେ ମାହିର ଥିଲେ ସେ ।

୧୯୬୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀ ଶ୍ରୀ ପତିତପାବନ’ର ଅଲିଭା ଲିପି କାହାଣୀରେ…. ଗୀତରେ ପ୍ରଥମ ଥର ପ୍ରଫୁଲ୍ଲ କର କଣ୍ଠଦାନ କରିଥିଲେ । ପରେ ପରେ ୧୯୭୫ ମସିହାରେ ମୁକ୍ତିଲାଭ କରିଥିବା ‘ମମତା’ ସିନେମାରେ ସେ ପ୍ରଥମଥର ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ସେଇ ସିନେମାରେ ଥିବା ‘ରେ ଆତ୍ମନ ନିଦ୍ରା ପରିହରି …. ଗୀତଟି ତାଙ୍କ ପାଇଁ ଉଲ୍ଲେଖନୀୟ ସଫଳତା ଆଣି ଦେଇଥିଲା । ଭକ୍ତକବି ମଧୁସୂଦନ ରାଓ ରଚନାର ଏଇ ଗୀତରେ କଣ୍ଠଦାନ କରିଥିଲେ ପ୍ରଣବ ପଟ୍ଟନାୟକ । ସେହିପରି ତାଙ୍କ ନିର୍ଦ୍ଦେଶିତ ଗୀତଗୁଡିକ ମଧ୍ୟରେ ‘ଆହେ ଦୟାମୟ ବିଶ୍ୱ ବିହାରୀ…’, ‘କି ସୁନ୍ଦର ଆହା…’, ଢାଳିଦିଅ ସାରା ଧରଣୀରେ ଆଜି…’, ‘ମୋ ପ୍ରିୟାଠାରୁ ….., ସୀମାହୀନ ଦରିଆ …., ବହିଯାଏ ରେ ଗଙ୍ଗା…., ନେଇ ଯା’ରେ ମେଘ ମତେ…. 'ମେଘ ବରଷିଲା ଟୁପୁରୁ .... ଆଦି ଉଲ୍ଲେଖନୀୟ ।

ଓଡ଼ିଆ ସିନେମାରେ କିଛି ନୂଆ କରି ଦେଖେଇବାରେ ସେ ଥିଲେ ସିଦ୍ଧହସ୍ତ । ପ୍ରଥମ ଥର ପାଇଁ ଓଡ଼ିଆ ସିନେମାରେ କୱାଲିର ପ୍ରଚଳନ କରିଥିଲେ ପ୍ରଫୁଲ୍ଲ କର । ସିନ୍ଦୁର ବିନ୍ଦୁ ସିନେମାରେ ‘ଲାଗିବନି ଗୋରୀ ଲାଗିବନି …..’ ଏକ ସଫଳ ପ୍ରୟାସ ଥିଲା । ଏହି ଗୀତରେ ବାଣୀ ଜୟରାମ, ଚିତ୍ତ ଜେନା ଓ ପ୍ରଫୁଲ୍ଲ କର କଣ୍ଠଦାନ କରିଥିଲେ । ସେହିପରି ଜ୍ୱାଇଁ ପୁଅ ସିନେମାର ନାରୀ ନୁହେଁ ବଡ଼….ଗୀତଟି ଉଲ୍ଲେଖନୀୟ । ଶାସ୍ତ୍ରୀୟ ସଂଗୀତ ସହ ଓଡ଼ିଆ ସିନେମା ଗୀତର ଚମତ୍କାର ଫ୍ୟୁଜନ ତାଙ୍କ ଗୀତ ଗୁଡିକରେ ଦେଖିବାକୁ ମିଳେ । ସେ ଅନେକ ଜଗନ୍ନାଥ ଭଜନ ମଧ୍ୟ ସୃଷ୍ଟି କରିଛନ୍ତି । ସେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଓଡ଼ିଆ ସିନେମା ଓ ୪ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ସଂଗୀତ ନିର୍ଦ୍ଦେଶନାର ସିନେମାଗୁଡିକ ମଧ୍ୟରେ ରହିଛି - ଏମିତି ଭାଇ ଜଗତେ ନାହିଁ , ନାଗଜ୍ୟୋତି, ପାଚେରୀ ଉଠିଲା ମଝି ଦୁଆରୁ (୧୯୯୪), ଆଶା (୧୯୯୩), ନାଗ ପଞ୍ଚମୀ (୧୯୯୨), ପ୍ରୀତିର ଇତି (୧୯୯୨), ବସ୍ତ୍ର ହରଣ (୧୯୯୧), ଭୂଲି ହୁଏନା (୧୯୮୭), ତୁଣ୍ଡ ବାଇଦ (୧୯୮୭), ଛ ମାଣ ଆଠ ଗୁଣ୍ଠ (୧୯୮୬), ସଂସାର (୧୯୮୬), ପୂଜାଫୁଲ (୧୯୮୫), ସମୟ ବଡ଼ ବଳବାନ (୧୯୮୫), ସ୍କୁଲ ମାଷ୍ଟର (୧୯୮୫), ଜନନୀ (୧୯୮୪), ପ୍ରତିଧ୍ୱନି (୧୯୮୪), ରାମ ରହିମ (୧୯୮୩), ହିସାବ ନିକାଶ (୧୯୮୨), ଜ୍ୱାଇଁ ପୁଅ (୧୯୮୨), ମୁଁ ତୁମେ ଓ ସେ (୧୯୮୨), ବିଶ୍ୱ ମଙ୍ଗଳ (୧୯୮୨), ମାନସୀ (୧୯୮୨),ପୂଜା (୧୯୮୨), ମା ଓ ମମତା (୧୯୮୨), ରାମାୟଣ (୧୯୮୦), ରାମ ବଳରାମ (୧୯୮୦), ଗୌରୀ (୧୯୮୦), ମଥୁରା ବିଜୟ (୧୯୭୯), ସୁଜାତା (୧୯୭୮), ବତୀଘର (୧୯୭୬), ବଳିଦାନ (୧୯୭୮), ସିନ୍ଦୂର ବିନ୍ଦୁ (୧୯୭୬), ଗୃହଲକ୍ଷ୍ମୀ (୧୯୮୫), ଦେବଜାନୀ (୧୯୮୨), ସୀତା ଲବ କୁଶ (୧୯୮୦), ତପସ୍ୟା (୧୯୮୦), ସତୀ ଅନସୂୟା (୧୯୭୮), ବନ୍ଧୁ ମହାନ୍ତି (୧୯୭୭), ମୁକ୍ତି (୧୯୭୭),ଶେଷ ଶ୍ରାବଣ (୧୯୭୬), ମମତା (୧୯୭୫) ପ୍ରମୁଖ ।

ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ସଂଗୀତରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପରିକ ଓଡ଼ିଶୀ ଲୋକଗୀତର ବହୁଳ ବ୍ୟବହାର ଦେଖିବାକୁ ମିଳେ । ସେ ବହୁ ଓଡ଼ିଆ ଓ ଅଣଓଡ଼ିଆ କଣ୍ଠଶିଳ୍ପୀଙ୍କୁ ସୁଯୋଗ ଦେଇ ଲୋକପ୍ରିୟ ସଂଗୀତ ସୃଷ୍ଟି କରିଛନ୍ତି । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ୮ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି । ସେ ବିଭିନ୍ନ ଓଡ଼ିଶୀ ନୃତ୍ୟ ଗୁରୁମାନଙ୍କ ସହ ମିଶି, ବହୁ ଓଡ଼ିଶୀ ନୃତ୍ୟନାଟିକାରେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

ଓଡ଼ିଆ ସଂଗୀତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଭାରତର ଚତୁର୍ଥ ବେସାମରିକ ସମ୍ମାନ ପଦ୍ମଶ୍ରୀ, ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏତଦ ବ୍ୟତୀତ ସେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ସମ୍ମାନ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଓଡିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ, ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପରି ବହୁ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି । ସେ କେବଳ ସଂଗୀତ ଜଗତ ସହିତ ଜଡିତ ଥିଲେ ତାହା ନୁହେଁ ସେ ସମ୍ଭକାର ରୂପେ ମଧ୍ୟ ବେଶ ଲୋକପ୍ରିୟତା ପାଇଥିଲେ । ଧରିତ୍ରୀ ସମ୍ବାଦପତ୍ରରେ ପ୍ରକାଶିତ ହେଉଥିବା ତାଙ୍କ ସ୍ତମ୍ଭଗୁଡିକ ‘ସାଉଁଟା କାହାଣୀ’ ପୁସ୍ତକ ଆକାରରେ ପ୍ରକାଶିତ ହୋଇଛି ।

କମଳ ଦେଶର ରାଜକୁମାର ମୁଁ…. ଗୀତଟି ତାଙ୍କୁ କମଳ ଦେଶର ରାଜକୁମାର ନାଁରେ ପରିଚିତି ଆଣିଦେଇଥିଲା । ସତରେ ସେ ଥିଲେ ଲକ୍ଷେ ରାଜାଙ୍କ ମଉଡ ମଣି । ଆଜି ସେ ଚାଲିଯାଇଛନ୍ତି ସତ, କିନ୍ତୁ ଓଡ଼ିଆ ସଂଗୀତ ଜଗତ ପ୍ରତି ରହିଥିବା ତାଙ୍କ ଅବଦାନ ତାଙ୍କୁ ସର୍ବଦା ଅମର କରି ରଖିବ । ଓଡ଼ିଆ ସିନେଜଗତର ବେତାଜ ବାଦଶାହ ପ୍ରଫୁଲ୍ଲ କରଙ୍କୁ ଆମ ବାଟୋଇ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

Report an Error