ଅନେକ ଗଭୀରତାର ସେ ମଧୁର ସ୍ଵର: ଭୂପିନ୍ଦର ସିଂ

ଭାରତୀୟ ସିନେମା ଓ ଗଜଲ ଗାୟିକୀରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରିଥିବା ବିଶିଷ୍ଟ ସଙ୍ଗୀତଜ୍ଞ ଭୂପିନ୍ଦର ସିଂଙ୍କର ଗତକାଲି ବିୟୋଗ ଘଟିଛି । ସତୁରୀ ଏବଂ ଅଶୀ ଦଶକରେ ନିଜର ସ୍ଵତନ୍ତ୍ର ଗମ୍ଭୀର ସ୍ଵର ଲାଗି ପରିଚିତ ଭୂପିନ୍ଦରଙ୍କ ସହିତ ଭାରତୀୟ ସଙ୍ଗୀତରେ ଗୋଟେ ଯୁଗର ଅବସାନ ଘଟିଲା ।


ଫଟାେ - ୱିକିପିଡିଆ

ଆରପାରିରେ ଜଣାଶୁଣା ଗଜଲ ଗାୟକ ଭୂପିନ୍ଦର ସିଂ । ଗତକାଲି ରାତ୍ରିରେ ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଭୂପିନ୍ଦର । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ଭାରତୀୟ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

ବଲିଉଡରେ ଗଜଲ ଟ୍ରେଣ୍ଡ ଆରମ୍ଭ କରିଥିବା ଭୂପିନ୍ଦର ସିଂଙ୍କ ଜନ୍ମ ୧୯୪୦ ମସିହା, ଫେବୃଆରୀ ୬, ପଞ୍ଜାବର ଅମୃତସରଠାରେ । ତାଙ୍କ ପିତା ପ୍ରଫେସର ନାଥ ସିଂ ଜଣେ ପ୍ରସିଦ୍ଧ ସଂଗୀତକାର ଥିଲେ । ଏକ ସଂଗୀତମୟ ପରିବେଶରେ ଜନ୍ମ ହୋଇଥିବା ଭୂପିନ୍ଦରଙ୍କ ସଙ୍ଗୀତମୟ ଜୀବନର ଆରମ୍ଭ ଦିଲ୍ଲୀ ଅଲ ଇଣ୍ଡିଆ ରେଡ଼ିଓରୁ ହିଁ ହୋଇଥିଲା । ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ମଦନ ମୋହନ ତାଙ୍କୁ ସିନେ ଦୁନିଆ ସହ ପରିଚୟ କରାଇଥିଲେ ସିନେମା ‘ହକିକତ’ ଜରିଆରେ । ଏହି ସିନେମାରେ ଥିବା 'ହୋକେ ମଜବୁର ମୁଝେ ଉସନେ ବୁଲାୟା ହୋଗା' ...ଗୀତରେ ଭୂପିନ୍ଦର କଣ୍ଠଦାନ କରିଥିଲେ । ଏହି ଗୀତରେ ମହମ୍ମଦ ରଫି, ତଲତ ମହମ୍ମୁଦ, ମନ୍ନା ଦେଙ୍କ ସହ ଭୂପିନ୍ଦର କଣ୍ଠଦାନ କରିଥିଲେ । କିନ୍ତୁ ୧୯୭୮ରେ ଗୁଲଜ଼ାରଙ୍କ ରଚିତ ଗୀତ ‘ୱ ଜୋ ସହର ଥା’ରେ ତାଙ୍କୁ ପ୍ରସିଦ୍ଧି ମିଳିଥିଲା ।

ତାଙ୍କ ସଂଗୀତ ଜୀବନର ପାଞ୍ଚ ଦଶନ୍ଧି ମଧ୍ୟରେ ସେ ମଦନ ମୋହନ, ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ନୌସାଦ, ରାହୁଲ ଦେବ ବର୍ମନ, ଖୟାମ, ଜୟଦେବ, ଵାପ୍ପି ଲାହିରୀ ଓ ଵିଶାଲ ଭରଦ୍ୱାଜଙ୍କ ପରି ବହୁ ଲୋକପ୍ରିୟ ସଂଗୀତକାର ତଥା ମହମ୍ମଦ ରଫି, ମନ୍ନା ଦେ, ଆଶା ଭୋସଲେ, କିଶୋର କୁମାର, ଲତା ମଙ୍ଗେଶକରଙ୍କ ପରି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସହ ମିଶି କାମ କରିଛନ୍ତି । ସେ ଗାଇଥିବା ସିନେ ସଂଗୀତ ମଧ୍ୟରେ ରହିଛି - 'ଆନେ ସେ ଉସକେ ଆୟେ ବାହାର' (ଜୀନେ କି ରାହ - ୧୯୬୯), ସଂଗୀତ - ଲକ୍ଷ୍ମୀକାନ୍ତ ପ୍ୟାରେଲାଲ । ଏହି ଗୀତରେ ଭୂପିନ୍ଦରଙ୍କ ସହ ମହମ୍ମଦ ରଫି ମଧ୍ୟ କଣ୍ଠଦାନ କରିଥିଲେ । ସେହିପରି 'ବିତି ନା ବିତାଇ ରୈନା'… (ପରିଚୟ - ୧୯୭୨), ସଂଗୀତ - ରାହୁଲ ଦେବ ବର୍ମନ, 'ଦିଲ ଢୁଁଢତା ହୈ'… (ମୌସମ - ୧୯୭୫) ସଂଗୀତ - ମଦନ ମୋହନ, 'ନାମ ଗୁମ ଜାୟେଗା' (କିନାରା - ୧୯୭୭) ସଂଗୀତ - ରାହୁଲ ଦେବ ବର୍ମନ, 'ଏକ ଅକେଲା ଇସ ସହର ମେଁ'…. (ଘରୋଂଦା) ସଂଗୀତ - ଜୟଦେବ, 'ହୁଜୁର ଇସ କଦର ଭି ନା ଇତରାକେ ଚାଲିଏ' … (ମାସୁମ), ସଂଗୀତ - ରାହୁଲ ଦେବ ବର୍ମନ, 'ଜୀନ୍ଦଗି ଜୀନ୍ଦଗି ମେରେ ଘର ଆନା' … (ଦୂରିୟାଁ - ୧୯୭୯), 'ଥୋଡି ସି ଜମୀନ ଥୋଡା ଆସମାନ'…. (ସିତାରା - ୧୯୮୦), ସଂଗୀତ - ରାହୁଲ ଦେବ ବର୍ମନ, ସହ ଗାୟିକା - ଲତା ମଙ୍ଗେଶକର, 'କଭି କିସି କୋ ମୁକମ୍ମଲ ଜହାଁ ନହିଁ ମିଲତା' …. (ଆହିସ୍ତା ଆହିସ୍ତା - ୧୯୮୧), ସଂଗୀତ - ଖୟାମ, 'ରୁତ ଜୱାନ ଜୱାନ'….. (ଆଖିରି ଖତ୍), 'କୋରୋଗେ ୟାଦ ତୋ ହର ବାତ ଆୟେଗି' (ବାଜାର - ୧୯୮୨), ସଂଗୀତ - ଖୟାମ, 'ଦୁନିଆ ଛୁଟେ ୟାର ନା ଛୁଟେ' (ଧର୍ମକାଣ୍ଟା - ୧୯୮୨), ସଂଗୀତ - ନୌସାଦ, ସହ ଗାୟକ - ମହମ୍ମଦ ରଫି, 'କିସି ନଜର କୋ ତେରା ଇନ୍ତେଜାର ଆଜ ଭି ହୈ' …. (ଏତବାର - ୧୯୮୫) ସଂଗୀତ - ବାପ୍ପି ଲାହିରୀ, ସହ ଗାୟିକା - ଆଶା ଭୋସଲେ , 'ଆୱାଜ଼ ଦି ହୈ ଆଜ ଏକ ନଜର ନେ' …. (ଏତବାର - ୧୯୮୫) ସଂଗୀତ - ବାପ୍ପି ଲାହିରୀ, ସହ ଗାୟିକା - ଆଶା ଭୋସଲେ, 'ଗୁଲାବ ଜିସମ କା'…. (ଆଞ୍ଜୁମାନ- ୧୯୮୬), ସଂଗୀତ - ଖୟାମ, 'ବାଦଲୋ ସେ କାଟ କାଟ କେ' …. (ସତ୍ୟା - ୧୯୮୮) - ସଂଗୀତ - ବିଶାଲ ଭରଦ୍ୱାଜ । ପ୍ରମୁଖ ଗୀତରେ ତାଙ୍କର ସ୍ଵତନ୍ତ୍ର ଗମ୍ଭୀର ସ୍ଵର ବେଶ୍ ଲୋକପ୍ରିୟ ।

ତେବେ ତାଙ୍କର ପ୍ରଥମ ସୋଲୋ ଆଲବମ ୧୯୬୮ରେ ଆସିଥିଲା । ଏଥିରେ ପ୍ରଥମଥର ପାଇଁ ସେ ସ୍ପାନିଶ ଗିଟାର, ଗଜଲ ଶୈଳୀର ବାଦ୍ୟ ପ୍ରୟୋଗ କରିଥିଲେ । ୧୯୮୦ରେ ସେ ବାଙ୍ଗଲାଦେଶୀ ଗାୟିକା ମିତାଲି ମୁଖାର୍ଜୀଙ୍କୁ ବିବାହ କରିବା ପରେ ଉଭୟ ମିଳିତ ଭାବେ ଅନେକ ଆଲବମ୍, ଗଜଲ ଓ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ । ଆରଜୁ, ଚାନ୍ଦିନୀ ରାତ, ଗୁଲମୋହର, ଗଜଲ କେ ଫୁଲ, ଏକ ଆରଜୁ, ସୁରମୟୀ ରାତ, ୟାଦ - ଏ - ମେହେବୁବ, ମେରୀ ଆୱାଜ ହିଁ ପହଚାନ ହୈ ପ୍ରମୁଖରେ ତାଙ୍କ ଗଜଲ ଗାୟିକୀ ବେଶ ଆକର୍ଷଣୀୟ । ସେ ଗୀତ ଗାଇବା ସହ ଗିଟାର ବାଦନରେ ମଧ୍ୟ ପ୍ରସିଦ୍ଧି ଅର୍ଜନ କରିଥିଲେ ।

ସେ ଦମ ମାରୋ ଦମ, ଏକ ହିଁ ଖ୍ବାବ, ୱଦିୟାଁ ମେରେ ଦାମନ, ଚୁରା ଲିୟା ହୈ, ଚିଂଗାରୀ କୋଈ ଭଡକେ, ଚଲତେ ଚଲତେ, ମେହେବୁବା ମେହେବୁବା, ତୁମ ଜୋ ମିଲ୍ ଗୟୀ ହୋ ଆଦି ଗୀତରେ ସେ ଗିଟାର ବାଦକ ଭାବେ ସଂଗୀତକ୍ଷେତ୍ରରେ ଆଉ ଏକ ପରିଚୟ ପ୍ରଦାନ କରିଛନ୍ତି । କେବଳ ହିନ୍ଦୀ ଗୀତ କି ଗଜଲ ନୁହେଁ ଭୂପିନ୍ଦର ସିଂ ଓଡ଼ିଆ ଗୀତକୁ ମଧ୍ୟ ରୁଦ୍ଧିମନ୍ତ କରିଛନ୍ତି । ସେ ଅନୁରାଗ, ଉଲକା ପରି ସିନେମାରେ ଗୀତ ଗାଇଛନ୍ତି । କେବଳ ସିନେମା ଗୀତ ନୁହେଁ ଓଡିଶାରେ ସେ ଲାଇଭ ସାେ ବି କରିଛନ୍ତି । ନିଜର ସ୍ବତନ୍ତ୍ର ଗାୟିକୀରେ ସମସ୍ତଙ୍କୁ ଅଭିଭୂତ କରି ସେ ଅନେକ ଜାତୀୟ ପୁରସ୍କାରରେ ସମ୍ମାନିତ ହାେଇଛନ୍ତି । ବିଶିଷ୍ଟ ସଙ୍ଗୀତଜ୍ଞ ଭୂପିନ୍ଦର ସିଂଙ୍କ ନିଧନରେ ଭାରତୀୟ ସଙ୍ଗୀତରେ ଗୋଟେ ଯୁଗର ଅବସାନ ଘଟିଛି ବାେଲି କହିଲେ ଅତ୍ଯୁକ୍ତି ହେବ ନାହିଁ । ନିଜର ସ୍ଵତନ୍ତ୍ର ଗମ୍ଭୀର ସ୍ଵର ଲାଗି ପରିଚିତ ଭୂପିନ୍ଦରଙ୍କ ବିୟୋଗରେ ଆମ ବାଟାେଇ ପରିବାରର ଗଭୀର ଶ୍ରଦ୍ଧାଞ୍ଜଳି ।

Report an Error