ଆରପାରିରେ ସିନେ ଜଗତର ଚର୍ଚ୍ଚିତ ଖଳନାୟକ ରାଇମୋହନ

ଆଉ ଶୁଭିବନି ହେଇ ଅନାନି, ନୀଳ ମାଷ୍ଟ୍ରାଣୀ କି ଆଉ ପରଦା କି ମଞ୍ଚରେ ଦେଖିବାକୁ ମିଳିବନି ଖଳନାୟକ ରାଇମୋହନଙ୍କୁ ।


ଫଟାେ - ୱିକିପିଡିଆ

ଆଉ ଶୁଭିବନି ହେଇ ଅନାନି, ନୀଳ ମାଷ୍ଟ୍ରାଣୀ କି ଆଉ ପରଦା କି ମଞ୍ଚରେ ଦେଖିବାକୁ ମିଳିବନି ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନଙ୍କୁ । ଆଉ ନାହାଁନ୍ତି ଓଡ଼ିଆ ସିନେ ଜଗତର ଚର୍ଚ୍ଚିତ ଖଳନାୟକ ରାଇମୋହନ । ମାତ୍ର ୫୮ ବର୍ଷ ବୟସରେ ସେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଆଜି ପ୍ରାଚୀ ବିହାର ବାସଭବନରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପାରିବାରିକ କଳହରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ବାେଲି କୁହାଯାଉଥିବାବେଳେ ପ୍ରକୃତ ସତ୍ଯ ଅନୁସନ୍ଧାନ ପରେ ଜଣାପଡିବ ।

ଓଡ଼ିଆ ସିନେମାର ଜଣେ ଦୁର୍ଦ୍ଧୁଷ ଖଳନାୟକ ଭାବେ ରାଇମୋହନ ପରିଡା ପରିଚିତ । ୧୯୬୩ ମସିହାରେ କେଉଁଝରର ଉଦୟପୁର ଗାଁରେ ଜନ୍ମ ହୋଇଥିବା ରାଇମୋହନ କେବଳ ଓଡ଼ିଆ ସିନେମା ନୁହେଁ, ଯାତ୍ରାରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି । ମଞ୍ଚ ନାଟକରୁ ରାଇମୋହନ ନିଜ ଅଭିନୟ ଜୀବନୀ ଆରମ୍ଭ କରି ଓଲିଉଡ଼ ଓ ଯଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିଥିଲେ ।

ସିନେମାରେ ନାୟକ ଆଉ ଖଳନାୟକ ଉଭୟ ବେଶ ଗୁରୁତ୍ୱପୂର୍ଣ୍ଣ । ଖଳନାୟକ ନଥିଲେ ନାୟକର ଭୂମିକାକୁ ବୁଝିହୁଏନି । ଓଡ଼ିଆ ସିନେମା ହେଉ କି ଯାତ୍ରା ହେଉ ଖଳନାୟକ ଭୂମିକାରେ ରାଇମୋହନଙ୍କ ଛାପ ବେଶ ସ୍ପଷ୍ଟ । ତାଙ୍କ ଲୋକପ୍ରିୟ ଡାଇଲଗ ମଧ୍ୟରେ ରହିଛି ହେଇ ଅନାନି, ନୀଳ ମାଷ୍ଟ୍ରାଣୀ ଓ ମୁଁ ନାଗିନା ଇତ୍ୟାଦି ।

ରାଇମୋହନ ସାଗର ସିନେମାରେ ଅଭିନୟ କରିଥିଲେ ବି ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ପକାକମ୍ବଳ ପୋତ ଛତା’ ଜରିଆରେ ସେ ପରିଚିତି ପାଇଥିଲେ । ଏହା ପରଠାରୁ ସେ ଆଉ ପଛକୁ ଫେରିନାହାନ୍ତି । ଗାେଟିଏ ପରେ ଗାେଟିଏ ସିନେମାରେ ରାଇମୋହନ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରି ନିଜ ଅଭିନୟର ଏକ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି । ତାଙ୍କ ଅଭିନୀତ ସିନେମାଗୁଡିକ ମଧ୍ୟରେ ରହିଛି - କୋଟିଏ ମଣିଷ ଗୋଟିଏ ଜଗା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ସୁନା ସଂସାର, ସ୍ତ୍ରୀ, ରଣଭୂମି, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ଅର୍ଜୁନ, ଲକ୍ଷ୍ମୀ ପ୍ରତିମା, ମେଣ୍ଟାଲ୍, ତୁ ମୋ’ ସୁନାଚଢେଇ, ବନ୍ଧନ, ଆସିବୁ କେବେ ସାଜି ମୋ ରାଣୀ, ନେଇଯା’ରେ ମେଘ ମତେ, ଛାତି ଚିରି ଦେଲେ ତୁ, କାଳିଶଙ୍କର, ତୋ ବିନା ମୋ କାହାଣୀ ଅଧା, ତୋ ପାଇଁ ନେବି ମୁଁ ଶହେ ଜନମ, ଦେ ମା ଶକ୍ତି ଦେ, ରକତେ ଲେଖିଛି ନାଁ, ମୋ ମନ ଖାଲି ତୁମରି ପାଇଁ, ଉଦଣ୍ଡୀ ସୀତା ଏବଂ ମିଷ୍ଟର ମଜନୁ ପରି ପ୍ରାୟ ଶହେଟି ଓଡ଼ିଆ ସିନେମା । କେବଳ ସିନେମା ନୁହେଁ ଓଡ଼ିଆ ଧାରାବାହିକରେ ମଧ୍ୟ ନିଜର ଯାଦୁ ଦେଖାଇଛନ୍ତି । କେବଳ ଅଭିନୟ ନୁହେଁ ବହୁ ଯାତ୍ରାରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ସେ । ଓଡ଼ିଆ ସିନେ ଓ ଯାତ୍ରା ଜଗତର ଆଗଧାଡ଼ିର କଳାକାର ରୂପେ ସେ ଯେତିକି ପରିଚିତ ଥିଲେ, ଜଣେ ଭଲ ମଣିଷ ଭାବେ ବି ସେ ସେତିକି ପରିଚିତି ପାଇଥିଲେ ।

ବହୁ ସଂଘର୍ଷ ଓ କଠିନ ଅଧ୍ୟବସାୟ କରି ସେ ଅଭିନୟ ଜଗତରେ ସଫଳତା ପାଇ ଓଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନିଜ ଅଭିନୟରେ ଅନ୍ୟକୁ ଅନୁପ୍ରାଣିତ କରିଥିବା ଅଭିନେତା ଜଣକଙ୍କ ଆତ୍ମହତ୍ୟା ପରି ଏକ ଚରମ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରି ହେଉନଥିବାବେଳେ ସତ୍ୟକୁ ସ୍ୱୀକାର କରିବାକୁ ପଡୁଛି । ତାଙ୍କର ଏପରି ନିଷ୍ପତ୍ତି ଓଲିଉଡ଼ ତଥା ସମସ୍ତ ସିନେପ୍ରେମୀଙ୍କୁ ସ୍ତବ୍ଧ କରିଦେଇଥିବାବେଳେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

Report an Error