ମଧୁଝରା ଜହ୍ନର ମାଧୁରୀ ଗାୟିକା ନିର୍ମଳା ମିଶ୍ର

ଓଡ଼ିଆ ସିନେଜଗତରେ ଗାୟିକା ନିର୍ମଳା ମିଶ୍ର ଏକ ପରିଚିତ ନାମ । ଷାଠିଏ ସତୁରି ଦଶକରେ ନିଜର ନିଆରା ଗାୟିକୀରେ ମନ୍ତ୍ରମୁଗ୍ଧ କରିଥିବା ଗାୟିକା ହେଉଛନ୍ତି ନିର୍ମଳା ମିଶ୍ର ।


ଫଟାେ - ୱିକିପିଡିଆ

ଓଡ଼ିଆ ସିନେଜଗତରେ ଗାୟିକା ନିର୍ମଳା ମିଶ୍ର ଏକ ପରିଚିତ ନାମ । ଷାଠିଏ ସତୁରି ଦଶକରେ ନିଜର ନିଆରା ଗାୟିକୀରେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଗାୟିକା ହେଉଛନ୍ତି ନିର୍ମଳା ମିଶ୍ର । ବଙ୍ଗାଳି ହେଲେ ବି ତାଙ୍କ ଓଡ଼ିଆ ଉଚ୍ଚାରଣ ଓ ଆବେଗ ଏତେ ସ୍ପଷ୍ଟ ଓ ମଧୁର ଯେ କେହି ତାଙ୍କୁ ଅଣ ଓଡ଼ିଆ ବୋଲି ଭାବିପାରନ୍ତିନି । ନିର୍ମଳା ମିଶ୍ରଙ୍କୁ ସୁନାମଧନ୍ୟ ସଂଗୀତକାର ବାଳକୃଷ୍ଣ ଦାଶ ଓଡ଼ିଆ ସିନେମା ‘ଶ୍ରୀ ଲୋକନାଥ’ରେ ପ୍ରଥମେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ । ପରେ ସେ ତାଙ୍କ ଗାୟିକୀରେ ଓଡିଆ ସିନେ ସଂଗୀତରେ କୁହୁ କୁହୁ ମୁର୍ଚ୍ଛନା ପାଲଟିଥିଲେ । ତାଙ୍କୁ ଓଡ଼ିଆ ସଂଗୀତ ଜଗତର ଲତା ମଙ୍ଗେଶକର ବାେଲି ମଧ୍ୟ କୁହାଯାଉଥିଲା ।

ଓଡ଼ିଆର ନାନାବାୟା ଗୀତ ହେଉ କି ରୋମାଣ୍ଟିକ ଗୀତ ସବୁଥିରେ ତାଙ୍କର ସ୍ୱର ବେଶ ଅଭୁଲା । ଷାଠିଏ ଓ ସତୁରି ଦଶକରେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରର ଗୀତରେ କଣ୍ଠଦାନ କରି ଓଡ଼ିଆ ସିନେଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ।

ସୋଲୋ ହେଉ କି ଯୁଗଳବନ୍ଦୀ ସବୁଥିରେ ତାଙ୍କ ଗୀତଗୁଡିକ ବେଶ ମନଛୁଆଁ । ତାଙ୍କର ଓଡ଼ିଆ ଶବ୍ଦର ସ୍ପଷ୍ଟ ଉଚ୍ଚାରଣ ଗୀତକୁ ଅମର କରିଦିଏ । ସିକନ୍ଦର ଆଲାମଙ୍କ ସହ ଲୋକପ୍ରିୟ ରୋମାଣ୍ଟିକ ଗୀତ ‘ମାୟାବିନୀ ବନ ଜୋଛନା….’ ହେଉ କି 'ନିଦ ଭରା ରାତି…' କି 'ଜୀବନ ଯମୁନାରେ ଜୁଆର ଉଠେରେ… ଆଦି ସବୁ ଗୀତରେ ତାଙ୍କ ସ୍ୱରର ରୋମାଣ୍ଟିକପଣକୁ ବହୁତ ପାଖରୁ ଅନୁଭବ କରିହୁଏ ।

ସେ ଓଡ଼ିଆର ବହୁ ସୁନାମଧନ୍ୟ ସଂଗୀତକାରଙ୍କ ସହ କାମ କରିଛନ୍ତି । ସେ ଭୁବନେଶ୍ବର ମିଶ୍ର, ବାଳକୃଷ୍ଣ ଦାସ, ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି ଓ ଶାନ୍ତନୁ ମହାପାତ୍ରଙ୍କ ପରି ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ କାମ କରିଥିବାବେଳେ ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ, ତାନସେନ୍ ସିଂଙ୍କ ପରି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସହ ଗୀତ ଗାଇଛନ୍ତି ।

ସେ ଗାଇଥିବା ଓଡ଼ିଆ ଗୀତଗୁଡିକ ମଧ୍ୟରେ ରହିଛି - 'ମିଛ ଏ ବନ୍ଧନ ଚାହେଁନା …', 'ଆକାଶେ କି ରଙ୍ଗ ଲାଗିଲା…' (ଶ୍ରୀ ଲୋକନାଥ - ୧୯୬୦), 'ଧାେରେ ବାଇଆ ଧାେ …' (ପରିଣାମ - ୧୯୬୦), 'ମାୟାଘେରା ମଧୁବନେ…' (ଦସ୍ୟୁ ରତ୍ନାକର - ୧୯୬୨), 'ସେଇ ନୀଳପରୀ ଦେଶେ...' (ସୂର୍ଯ୍ୟମୁଖୀ - ୧୯୬୨), 'ପୀରତି ପୀରତି …', 'ମୋ ମନବୀଣାର ତାରେ…', 'ଦୂରେ ତୁମେ ଦୂରେ …'(ମାଣିକଯୋଡି - ୧୯୬୩), 'ବାରି ଝରେ….', 'ଆରେ ବସନ୍ତ ମଧୁମାସିଆ…', 'ଭୁଲି ଯା ମହୁଆ ଦିନ …' (ନାରୀ - ୧୯୬୩), 'ଜୀବନ ଯମୁନା …' (ଅମଡ଼ା ବାଟ - ୧୯୬୪), 'ଏକା ଏକା ଭଲ ଲାଗେନା...' (ନବଜନ୍ମ - ୧୯୬୫), 'ଅନେକ ଦିନ ପରେ…', 'କଇଁଚି କାକୁଡି ନଳିତା ପିତା ...' (ଅଭିନେତ୍ରୀ - ୧୯୬୫), 'ତୁମେ ଜାଣନା ଜାଣନା …', 'ମଧୁର ଏ ଚାନ୍ଦ ରାତି…' (କା - ୧୯୬୬), 'ସ୍ତ୍ରୀ ମୁଁ ସର୍ବଂସହା …', 'ତୁମେ ଯଦି ସାଥି ମୋର…', 'ସଂଜ ସକାଳେ…', 'ଗଙ୍ଗା ଯେ ଦେଶେ ବହେ…' 'ତୁମ ବିନା ଏଇ ରାତି …' (ସ୍ତ୍ରୀ - ୧୯୬୯), 'ନୀଳ ଆଖି ନୀଳଜଳେ…', 'ଆ ଜହ୍ନ ମାମୁଁ ଶରଦ ଶଶୀ …' (ବନ୍ଧନ - ୧୯୬୯), 'ମାୟାବିନୀ ବନ ଜୋଛନା…' (ଘରବାହୁଡା - ୧୯୭୩), 'ଢେଉଢେଉ କା ପାହାଡ଼ ତଳେ …' (ସଂସାର - ୧୯୭୫), 'ମୁଁ ତୁମକୁ ଭଲପାଏ ଲୁଚିଲୁଚିକା ...', 'ନିଦ ଭରା ରାତି...' (ଅନୁତାପ), ସପନ ବିଳାସୀ… (ଘର ସଂସାର) ପରି ବହୁ ଲୋକପ୍ରିୟ ଗୀତ ଗାଇଛନ୍ତି । ସେ ପ୍ରାୟ ୨୦ଟି ଓଡ଼ିଆ ସିନେମାରେ ଗୀତ ଗାଇ ଓଡ଼ିଆ ସିନେଜଗତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ପଶ୍ଚିମବଙ୍ଗର ଏକ ସଂଗୀତମୟ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ନିର୍ମଳା । ତାଙ୍କ ପିତା ପଣ୍ଡିତ ମୋହିନୀମୋହନ ମିଶ୍ର ଓ ବଡ଼ ଭାଇ ମୁରାରୀମୋହନ ମିଶ୍ର ଉଭୟ ପ୍ରଖ୍ୟାତ ଗାୟକ ଥିଲେ । ଅତି ସାନବେଳୁ ସେ ସଂଗୀତ ପ୍ରତି ଆକୃଷ୍ଟ ହାେଇଥିଲେ । ସେ ଉଭୟ ବଙ୍ଗଳା, ଓଡ଼ିଆ ଓ ଆସାମୀ ଭାଷାରେ ଗୀତ ଗାଇଛନ୍ତି । ଓଡ଼ିଆ ସଂଗୀତଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ସଂଗୀତ ସୁଧାକର ବାଳକୃଷ୍ଣ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି ।

ଓଡ଼ିଆ ସଂଗୀତ ଜଗତର କୁହୁ କୁହୁ ମୂର୍ଚ୍ଛନା ନିର୍ମଳା ମିଶ୍ର ଆଜି ଆଉ ଆମ ଗହଣରେ ନାହାନ୍ତି । ସେ ଗତ ଜୁଲାଇ ୩୧ ତାରିଖରେ ୮୪ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି । ମାତ୍ର ତାଙ୍କ ଆବର୍ତ୍ତମାନରେ ତାଙ୍କ ଗୀତଗୁଡିକ ତାଙ୍କୁ ସର୍ଵଦା ଚିର ସ୍ମରଣୀୟ କରି ରଖିବ ।

Report an Error