ଓଡ଼ିଆ ସିନେଜଗତର ମିନା କୁମାରୀ - ଝରଣା ଦାସ

ଷାଠିଏ ଦଶକରେ ଓଡ଼ିଆ ସିନେମାରେ ଅଭିନୟ କରି ଅନ୍ୟମାନଙ୍କ ପାଇଁ ସେ ପାଲଟି ଥିଲେ ଉଦାହରଣ । ଶ୍ୟାମଳ ସୁନ୍ଦରୀ ଝରଣାଙ୍କର ଅନନ୍ୟ ପରିଚୟ ଥିଲା ତାଙ୍କ ସ୍ୱର । ତାଙ୍କ ଅଭିନୀତ ଚରିତ୍ରମାନେ ଆଜି ବି ସତେଜ ଆଉ ଜୀବନ୍ତ ।


ଫଟାେ - ୟୁଟ୍ଯୁବ୍

ଓଡ଼ିଆ ସିନେ ଜଗତରେ ଅଭିନେତ୍ରୀ ଝରଣା ଦାସ ଜଣେ ସଫଳ ଅଭିନେତ୍ରୀ ଭାବେ ଇତିହାସ ସୃଷ୍ଟି କରିଥିଲେ । ଷାଠିଏ ଦଶକରେ ଓଡ଼ିଆ ସିନେମାରେ ଅଭିନୟ କରି ଅନ୍ୟମାନଙ୍କ ପାଇଁ ସେ ପାଲଟି ଥିଲେ ଉଦାହରଣ । ଅଭିନୟର ପ୍ରଥମ ପର୍ଯ୍ୟାୟରେ ସେ ନାୟିକା ଭାବରେ ପାଞ୍ଚୋଟି ସିନେମାରେ ଅବତୀର୍ଣ୍ଣ ହୋଇ ନିଜ ଦକ୍ଷତାର ପରିଚୟ ଦେଇଥିଲେ । ଶ୍ୟାମଳ ସୁନ୍ଦରୀ ଝରଣାଙ୍କର ଅନନ୍ୟ ପରିଚୟ ଥିଲା ତାଙ୍କ ସ୍ୱର । ତାଙ୍କ ଅଭିନୀତ ଚରିତ୍ରମାନେ ଆଜି ବି ସତେଜ ଆଉ ଜୀବନ୍ତ ।

ଝରଣା ଦାସ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଝର ଝର ହୋଇ ନିଜ ନିଆରା ଅଭିନୟରେ ତଲ୍ଲୀନ କରିଥିବା ଝରଣା ଦାସ ସବୁଦିନ ପାଇଁ ଝରି ଯାଇଛନ୍ତି । ଗୁରୁବାର ଦିନ ଓଡ଼ିଆ ଜଗତରେ ଏହି ମହାନ କଳାକାରଙ୍କର ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ।

ଓଡ଼ିଆ ସିନେ ଜଗତରେ ଝୁମୁ ଅପା ଭାବେ ପରିଚିତ ଝରଣା ଦାସଙ୍କ ଜନ୍ମ ୧୯୪୫ ମସିହା କଟକ ସହରର ଚାନ୍ଦିନୀ ଚୌକଠାରେ । ଏକ ଖ୍ରୀଷ୍ଟିଆନ ଯୌଥ ପରିବାରରେ ଜନ୍ମଗ୍ରହଣ କରିଥିବା ଝରଣା ଦାସଙ୍କ ଭାଇଭଉଣୀ ଦଶ ଜଣ ରହିଥିଲେ । ଏକ କଳାପ୍ରେମୀଙ୍କ ପରିବାରରେ ଜନ୍ମ ହେବା ଯୋଗୁଁ ବୋଧେ ଅତି ସାନବେଳୁ ସେ ଅଭିନୟର ପ୍ରେମରେ ପଡ଼ିଥିଲେ । ଯେତେବେଳେ ରକ୍ଷଣଶୀଳ ପରିବାରରେ ସିନେମାରେ ଅଭିନୟ କରିବା ପାଇଁ ଅନୁମତି ନଥିଲା । ସେହି ସମୟରେ ଝରଣା ଦାସ ଅଭିନେତ୍ରୀ ଭାବେ ନିଜକୁ ପ୍ରତିଷ୍ଠା କରିଥିଲେ । ସେ ହେଉଛନ୍ତି ସ୍ନାତକ ଶିକ୍ଷାପ୍ରାପ୍ତ କରିଥିବା ପ୍ରଥମ ଓଡ଼ିଆ ଅଭିନେତ୍ରୀ । ଶୈଳବାଳା କଲେଜର ପଢୁଥିବା ସମୟରେ ବେତାର ନାଟକ କରିବା ଆରମ୍ଭ କରିଥିଲେ । ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମ କରି ନାୟିକା ଭାବେ ଅଭିନୟ କରିଥିଲେ ଝରଣା ।

ବିନା ତାଲିମରେ ସେ ସ୍କୁଲରେ ପଢ଼ୁଥିବା ସମୟରେ ଆକାଶବାଣୀ କଟକର ‘ଶିଶୁ ସଂସାର’ରେ ଅଭିନୟ କରିଥିଲେ । ଗ୍ଲାମର କଣ ଜାଣିନଥିବା ସରଳ ଝିଅଟି ଯେତେବେଳେ ୧୯୬୪ ମସିହାରେ ବାବୁଲାଲ ଯୋଶୀଙ୍କ ଉପନ୍ୟାସଭିତ୍ତିକ ସିନେମା ‘ଅମଡ଼ା ବାଟ’ରେ ନାୟିକା ମାୟା ରୂପେ ରୂପେଲି ପରଦାରେ ଦେଖାଦେଲେ ସେତେବେଳେ ଓଡ଼ିଆ ସିନେ ଜଗତରେ ଏକ ନୂତନ ଧାରା ଆରମ୍ଭ ହେଲା । ସୁନ୍ଦର କଣ୍ଠ ସ୍ୱର, ଅତି ସୁନ୍ଦର ଅଭିନୟ ଆଉ ସାଧାରଣ ଚେହେରାର ଭିଡ଼ ଭିତରେ ଝରଣା ଦାସ ବାରି ହୋଇପଡିଲେ । ବାଟରେ ଘାଟରେ ଏହି ସିନେମାର ଚର୍ଚ୍ଚା ପରେ ଆଉ ଏକ ଉପନ୍ୟାସଭିତ୍ତିକ ସିନେମା “ମଲାଜହ୍ନ”ରେ ସତୀ ଭୂମିକାରେ ଅବତୀର୍ଣ୍ଣ ହୋଇ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଆଉ ଏକ ସୋପାନକୁ ନେଇଗଲେ । ଏହି ସିନେମାଟି ରାଷ୍ଟ୍ରପତି ପୁରସ୍କାର ପାଇବାରେ ସଫଳ ହୋଇଥିଲା । ଏହାପରେ ଆଉ ଝରଣା ଦାସ ପଛକୁ ଫେରି ନଥିଲେ । ତାଙ୍କ ଅଭିନୀତ ‘ଅଭିନେତ୍ରୀ’ ଓଡ଼ିଆ କଥାଚିତ୍ରରେ ସେ ଦ୍ୱୈତ ଭୂମିକା ମାୟା ଓ ଛାୟା ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ । ହରେକୃଷ୍ଣ ମହତାବଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ରରେ ସେ ନିର୍ଦ୍ଦେଶନା ଦେଇଥିଲେ । ସେ ଜଣେ ସ୍ୱୀକୃତିପ୍ରାପ୍ତ ଓଡ଼ିଶୀ ନୃତ୍ୟାଙ୍ଗନା ଥିଲେ । ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ।

ସେ ଅଭିନୟ କରିଥିବା ଓଡ଼ିଆ ସିନେମାଗୁଡିକ ମଧ୍ୟରେ ରହିଛି - ନାରୀ (୧୯୬୩), ଅମଡ଼ା ବାଟ (୧୯୬୪), ନବଜନ୍ମ (୧୯୬୫), ଅଭିନେତ୍ରୀ (୧୯୬୫), ମଲାଜହ୍ନ (୧୯୬୫), କା (୧୯୬୬), ମାର୍ଗ (୧୯୬୯), ଅଦିନ ମେଘ (୧୯୭୦), ଶ୍ରୀ ଜଗନ୍ନାଥ (୧୯୭୯), ଟିକେ ହସ ଟିକେ ଲୁହ (୧୯୮୧), ହିସାବ ନିକାଶ (୧୯୮୨), ଜ୍ଵାଇଁ ପୁଅ (୧୯୮୨), ମହାସତୀ ସାବିତ୍ରୀ (୧୯୮୩) ଆଶାର ଆକାଶ (୧୯୮୩), ନିନାଦ (୧୯୮୪), ହୀରାନୀଳା (୧୯୮୪), ପୂଜାଫୁଲ (୧୯୮୫), ସମୟ ବଡ଼ ବଳବାନ (୧୯୮୫) କସ୍ତୁରୀ (୧୯୮୭) ଲାଲ ପାନ ବିବି (୧୯୮୮), ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା (୧୯୮୯), ସୁନା ଭାଉଜ (୧୯୯୪), ଭାଗ୍ୟ ଚକ୍ର (୨୦୦୮), ଆ ଜହ୍ନରେ ଲେଖିବା ନାଁ (୨୦୦୯) । ଚଳଚ୍ଚିତ୍ର ବ୍ୟତୀତ ସେ “ଘର ଭଡ଼ା ଦିଆ ଯିବ” ଓ “ମଣିଷ” ଆଦି ଟେଲି କାର୍ଯ୍ୟକ୍ରମରେ ମଧ୍ୟ ନିଖୁଣ ଅଭିନୟ କରିଥିଲେ ।

କେବଳ ଅଭିନୟ ନୁହେଁ ସେ ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ଥିଲେ । ଆକାଶବାଣୀ କଟକ କେନ୍ଦ୍ରର ନାଟକ ବିଭାଗର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ହେଉଛନ୍ତି ଝରଣା ଦାସ । କୋକିଳକଣ୍ଠି ଝରଣାଙ୍କ ଯାଦୁସ୍ୱରରେ ଦର୍ଶକ ଆଉ ଶ୍ରୋତା ତାଙ୍କ ଅଭିନୟ ଭିତରେ ତଲ୍ଲୀନ ହେଉଯାଉଥିଲେ । ତାଙ୍କ କଣ୍ଠସ୍ୱର ହିଁ ଥିଲା ତାଙ୍କର ଅନନ୍ୟ ପରିଚୟ । ସେ ପରିଣତି ବୟସରେ ବି ବେତାର ନାଟକରେ ନାୟିକା ରୂପେ ଅଭିନୟ କରି ନିଜ ଅଭିନୟର ପରାକାଷ୍ଠା ଦେଖାଇଥିଲେ ।

ନିଜର ନିଆରା ଅଭିନୟ ପାଇଁ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ‘ଜୟଦେବ ସମ୍ମାନ’ରେ ସମ୍ମାନିତ ହୋଇଥିଲେ । ଏହା ସହିତ ସେ ଓଡିଶା ଲିଭିଂ ଲିଜେଣ୍ଡ ଆୱାର୍ଡ, ଓଡିଶା ସୋସାଇଟି ଅଫ ଆମେରିକା ଆୱାର୍ଡ, ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଆଦିରେ ସମ୍ମାନିତ ହୋଇଥିଲେ ।

କହିବାକୁ ଗଲେ ଝରଣା ଦାସ ଥିଲେ ଓଡ଼ିଆ ସିନେଜଗତରେ ମିନା କୁମାରୀ । ଅଭିନୟରେ ସେ ସବୁବେଳେ ସଜ୍ଜଳ ଆଉ ଛଳଛଳ । ସେଇ ଛଳଛଳ ଝରଣା ଯଦିଓ ଆଜି ସ୍ଥିର ହୋଇଯାଇଛି, କିନ୍ତୁ ତାର ଝରଝର ପ୍ରବାହ ଆମକୁ ଆଜୀବନ ତଲ୍ଲୀନ କରି ରଖିବ ନିଶ୍ଚୟ ।

Report an Error