ଜଳତରଙ୍ଗର ସନ୍ତୁର ଓ ପଣ୍ଡିତ ଶିବକୁମାର ଶର୍ମା

ଭାରତୀୟ ସଂଗୀତ ଜଗତରେ ସନ୍ତୁର ସମ୍ରାଟ ପଣ୍ଡିତ ଶିବକୁମାର ଶର୍ମା ଏକ ପରିଚିତ ନାମ । ତାଙ୍କ ସନ୍ତୁରର ସହସ୍ର ତାରରୁ ସୃଷ୍ଟି ବୀଣାଜିଣା ମଧୁର ସ୍ବରରେ ଆମ ଭାରତୀୟ ସଂଗୀତ ସଦା ଉତଫୁଲ୍ଲିତ । ଭାରତୀୟ ସଂଗୀତ ଜଗତର ଏହି କିମ୍ବଦନ୍ତୀ ବାଦକଙ୍କୁ ଆମର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।


ପ୍ରଖ୍ୟାତ ସନ୍ତୁର ବାଦକ ତଥା ସଂଗୀତ ନିର୍ଦ୍ଦେଶକ ପଣ୍ଡିତ ଶିବକୁମାର ଶର୍ମାଙ୍କର ମଙ୍ଗଳବାର ଦିନ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ତାଙ୍କର ହୃଦ୍‌ଘାତ ଜନିତ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଭାରତୀୟ ସଂଗୀତ ଜଗତରେ ସନ୍ତୁର ସମ୍ରାଟ ପଣ୍ଡିତ ଶିବକୁମାର ଶର୍ମା ଏକ ପରିଚିତ ନାମ । ତାଙ୍କ ସନ୍ତୁରର ସହସ୍ର ତାରରୁ ସୃଷ୍ଟି ବୀଣାଜିଣା ମଧୁର ସ୍ବରରେ ଆମ ଭାରତୀୟ ସଂଗୀତ ସଦା ଉତଫୁଲ୍ଲିତ । ଜମ୍ମୁର ଏକ ଛୋଟ ଅଂଚଳରୁ ଆସିଥିବା ଶିବକୁମାର ସନ୍ତୁରକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରାଇ ପରିଚିତି କରାଇଛନ୍ତି । କେବଳ ଶାସ୍ତ୍ରୀୟ ସଂଗୀତ ନୁହେଁ, ଲୋକ ସଂଗୀତ ଓ ସିନେ ସଂଗୀତ ପ୍ରତି ତାଙ୍କ ଅବଦାନ କିଛି କମ ନୁହେଁ । ତାଙ୍କ ମୃତ୍ୟୁରେ ଭାରତୀୟ ସଂଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଶିବକୁମାର ୧୯୩୮ ମସିହା ଜାନୁଆରୀ ୧୩ ତାରିଖରେ ଜମ୍ମୁର ଏକ ସଂଗୀତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ମାତ୍ର ପାଞ୍ଚ ବର୍ଷ ବୟସରୁ ତବ୍‌ଲା ଶିଖିବା ଆରମ୍ଭ କରିଥିବାବେଳେ ୧୩ ବର୍ଷ ବୟସରେ ସନ୍ତୁର ଶିଖିବା ଆରମ୍ଭ କରିଥିଲେ । ୧୯୫୫ ମସିହାରେ ସେ ପ୍ରଥମଥର ପାଇଁ ସନ୍ତୁର ସହ ମଞ୍ଚରେ ପରିବେଷଣ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି ।

ସେ ପ୍ରଥମଥର ପାଇଁ ଶାନ୍ତାରାମଙ୍କ ସିନେମା ‘ଝନକ ଝନକ ପାୟଲ ବାଜେ’ (୧୯୫୬)ରେ ଵ୍ୟାକଗ୍ରାଉଣ୍ଡ ସଂଗୀତର ନିର୍ଦ୍ଦେଶନା ଦେଇଥିଲେ । ତେବେ ୧୯୬୦ରେ ତାଙ୍କର ପ୍ରଥମ ସୋଲାେ ଆଲବମ ଆସିଥିଲା । ୧୯୬୭ରେ ଲୋକପ୍ରିୟ ବଂଶୀ ବାଦକ ହରିପ୍ରସାଦ ଚୌରାସିଆ, ଗୀତାର ବାଦକ ବ୍ରିଜ ଭୂଷଣ କାବ୍ରାଙ୍କ ସହ ‘କଲ୍ ଅଫ ଦ ଭ୍ୟାଲି’ ଆଲବମରେ ତାଙ୍କର ଶୈଳୀ ଦେଖିବାକୁ ମିଳିଥିଲା । ଅନ୍ୟତମ ତବଲା ବାଦକ ଜାକିର ହୁସେନଙ୍କ ସହ ତାଙ୍କ ଯୁଗଳବନ୍ଦୀ ସଂଗୀତ ଜଗତ ପାଇଁ ଏକ ଉପହାର । ଏହା ପରେ ପରେ ପଣ୍ଡିତ ଶିବକୁମାର ଶର୍ମା ବଂଶୀ ବାଦକ ହରିପ୍ରସାଦ ଚୌରାସିଆଙ୍କ ସହ ମିଶି ଭାରତୀୟ ସଂଗୀତରେ ସୃଷ୍ଟି କରିଛନ୍ତି ଅନେକ ଇତିହାସ । ଦୁହିଁଙ୍କ ଯୁଗଳବନ୍ଦୀରେ ଆମ ସଂଗୀତ ରୁଦ୍ଧିମନ୍ତ ହୋଇଛି । ହରିପ୍ରସାଦ ଓ ତାଙ୍କ ଯୋଡି ପ୍ରସିଦ୍ଧ ଶିବ - ହରି ନାମରେ ଲୋକପ୍ରିୟତା ପାଇଛି । ଏହି ଯୋଡି କେବଳ ଶାସ୍ତ୍ରୀୟ ସଂଗୀତ ନୁହେଁ, ସିନେ ସଂଗୀତ କ୍ଷେତ୍ରରେ ମଧ୍ୟ କମାଲ ଦେଖାଇଛି । ହରିପ୍ରସାଦ ଚୌରାସିଆଙ୍କ ସହ ସେ ‘ସିଲ୍‌ସିଲା’, 'ଫାସଲେ', 'ବିଜୟ', ‘ଲମ୍‌ହେ’, 'ପରମ୍ପରା', ‘ଚାନ୍ଦିନୀ’ ଓ ‘ଡର୍’ ପରି ବହୁ ଲୋକପ୍ରିୟ ଚଳଚ୍ଚିତ୍ରରେ ଚମତ୍କାର ସଂଗୀତ ପ୍ରସ୍ତୁତ କରିଛନ୍ତି ।

ପଣ୍ଡିତ ଶିବକୁମାର ଶର୍ମାଙ୍କ ସଂଗୀତରେ ଜମ୍ମୁକାଶ୍ମୀରର ଉତ୍ତୁଙ୍ଗ ବରଫାବୃତ୍ତ ଶିଖରର ଝଙ୍କାରକୁ ଅନୁଭବ କରିହୁଏ ପୁଣି କେତେବେଳେ ଶାନ୍ତସରଳ ନିର୍ଝରିଣୀର ମୃଦୁ କମ୍ପନ । ତାଙ୍କ ସନ୍ତୁର ବାଦନରେ ପାହାଡ଼, ପର୍ବତ, ଝରଣା ଆଦି ପ୍ରକୃତିକୁ ଅତି ପାଖରୁ ଅନୁଭବୀ ହୁଏ । ତାଙ୍କ ସଂଗୀତ ଚାପ ଓ ଚିନ୍ତାରୁ ମୁକ୍ତି ଦେଇଥାଏ । ଭାରତୀୟ ସଂଗୀତର ରାଗକୁ ନେଇ ତାଙ୍କର ପରୀକ୍ଷା ସବୁବେଳେ ଭିନ୍ନ ଆଉ ସ୍ୱତନ୍ତ୍ର । ତାଙ୍କ ସଂଗୀତର ସୃଜନୀ ପସରାରେ ଥିବା ଗ୍ଲୋରୀ ଅଫ ଷ୍ଟ୍ରିଙ୍ଗସ, ରାଗ ଭୋପାଲି (ଭଲ୍ୟୁମ - ୧), ରାଗ କେଦାରୀ ( ଭଲ୍ୟୁମ -୨ ), ବର୍ଷା, ସାଉଣ୍ଡ ସ୍କେପସ - ମ୍ୟୁଜିକ ଅଫ ମାଉଣ୍ଟେନସ, ହଣ୍ଡ୍ରେଡ଼ ଷ୍ଟ୍ରିଙ୍ଗସ ଅଫ ସନ୍ତୁର, ରାଗ ବିଲଖନୀ ତୋଡ଼ି, ସଂଗୀତ ସତରାଜ, ସମ୍ପ୍ରଦାୟ, ଚାରୁକେଶୀ, କିରବାନି ଓ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ସହ ପଣ୍ଡିତ ଶର୍ମାଙ୍କର କଲ୍ ଅଫ ଦି ଭ୍ୟାଲି, ଭ୍ୟାଲି ରିକଲସ, ରସଧାରା ଏବଂ ଉସ୍ତାଦ ଜାକିର ହୁସେନଙ୍କ ସହ ତାଙ୍କର ରାଗ ମଧୁୱତୀ ଓ ରାଗମିଶ୍ରା ତିଲଙ୍ଗ, ରାଗ ପୂରୟା କଲ୍ୟାଣ ଆଦି ଭାରତୀୟ ସଂଗୀତ ପାଇଁ ଅମୂଲ୍ଯ ଉପହାର ।

ଭାରତୀୟ ସଂଗୀତ ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ୧୯୮୬ ମସିହାରେ ତାଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ସହ ସେ ପଦ୍ମଶ୍ରୀ (୧୯୯୧) ପଦ୍ମଭୂଷଣ ( ୨୦୦୧)ରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

ଏକ ସଂଗୀତ ପରିବାରରେ ଜନ୍ମ ହୋଇ ସଂଗୀତ ପ୍ରତି ନିଜର କର୍ତ୍ତବ୍ୟରେ ସେ କେବେ ଅବହେଳା କରିନାହାନ୍ତି । ତାଙ୍କ ପୁତ୍ର ରାହୁଲ ମଧ୍ୟ ପିିତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି । ଶିବକୁମାର ତାଙ୍କ ପୁତ୍ର ରାହୁଲଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିଛନ୍ତି । ଭାରତୀୟ ସଂଗୀତ ଜଗତରେ ବାପ - ପୁଅ ଯୋଡି ବେଶ ବିରଳ । ଆଜି ଏହି ଯୋଡିରୁ ଜଣେ ଚାଲିଯାଇଛନ୍ତି ସତ, ମାତ୍ର ତାଙ୍କର ଅନବଦ୍ଯ ସୃଷ୍ଟି ସର୍ବଦା ଅମର । ଭାରତୀୟ ସଂଗୀତ ଜଗତର ଏହି କିମ୍ବଦନ୍ତୀ ବାଦକଙ୍କୁ ଆମର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

Report an Error