ପରଲୋକରେ କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ

ଆଉ ନାହାନ୍ତି କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ । ମାତ୍ର ୫୮ ବର୍ଷ ବୟସରେ ଦିଲ୍ଲୀର ଏମ୍‌ସ୍‌ ଠାରେ ଆଜି ତାଙ୍କର ପରଲୋକ ହୋଇଛି ।


ଫଟାେ - ୱିକିପିଡିଆ

ଆଉ ନାହାନ୍ତି କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ । ଅତି ସାଧାରଣ କଥାରେ ହସୁଉଥିବା ଲୋକଟି ସତରେ ସମସ୍ତଙ୍କୁ କନ୍ଦେଇ ଚାଲିଗଲା । ରାଜୁ ଶ୍ରୀବାସ୍ତବ, ପରିଚୟ ହେଉଛି ତାଙ୍କ ନାଁ । ମାତ୍ର ୫୮ ବର୍ଷ ବୟସରେ ଦିଲ୍ଲୀର ଏମ୍‌ସ୍‌ ଠାରେ ଆଜି ତାଙ୍କର ପରଲୋକ ହୋଇଯାଇଛି । ମାସାଧିକ କାଳ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ତାଙ୍କର ପରଲୋକ ଘଟିଛି ।

ସୂଚନାଯୋଗ୍ୟ, ଅଗଷ୍ଟ ୧୦ ତାରିଖ ଦିନ ଜିମ୍‌ରେ କସରତ କରୁଥିବାବେଳେ ହୃଦ୍‌ଘାତର ଶିକାର ହୋଇ ରାଜୁ ଦିଲ୍ଲୀର ଏମ୍‌ସ୍‌ରେ ଭର୍ତ୍ତି ହୋଇଥିଲେ । ପ୍ରାୟ ୪୧ ଦିନ ଡାକ୍ତରଖାନାରେ ରହିବା ପରେ ଶେଷରେ ସେ ଆଖି ବୁଜିଛନ୍ତି ।

ରାଜୁ ଶ୍ରୀବାସ୍ତବ, ଜଣେ ହାସ୍ୟାଭିନେତା ଭାବେ ସେ ବେଶ ପ୍ରସିଦ୍ଧ ହାସଲ କରିଥିଲେ । ବିଶେଷ କରି ଷ୍ଟାଣ୍ଡଅପ କମେଡିଆନ ଭାବେ ରାଜୁ ବେଶ ପରିଚୟ ହାସଲ କରିଥିଲେ । ଅନେକ ବଲିଉଡ ସିନେମାରେ ଅଭିନୟ କରିଥିବା ରାଜୁଙ୍କ ଲୋକପ୍ରିୟ ରିଅଲିଟି କମେଡି ଶୋ ଥିଲା ‘ଦି ଗ୍ରେଟ୍‌ ଇଣ୍ଡିଆନ୍‌ ଲାଫଟର୍‌ ଚ୍ୟାଲେଞ୍ଜ’ । ଏହାପରେ ରାଜୁ ଆଉ ପଛକୁ ଫେରି ନଥିଲେ । ନିଜର ନିଆରା ହାସ୍ୟାଭିନୟ ଆଉ କଥା ଜରିଆରେ କମେଡି ଜଗତର କିଙ୍ଗ ପାଲଟି ଥିଲେ ।

ଉତ୍ତରପ୍ରଦେଶର କାନପୁରରେ ଜନ୍ମଗ୍ରହଣ କରିଥିବା ରାଜୁଙ୍କ ଜୀବନ ବେଶ ସଂଘର୍ଷମୟ ରହିଥିଲା । ତାଙ୍କ ପିତା ଜଣେ କବି ଥିବାବେଳେ ସେ ଅତି ସାନବେଳୁ ମିମିକ୍ରି କରିବାକୁ ବେଶ ପସନ୍ଦ କରୁଥିଲେ । ତାଙ୍କର ସେଇ ନିଶା ତାଙ୍କୁ କମେଡି ଦୁନିଆର ବାଦଶାହା ରୂପେ ପରିଚିତି ଦେଇଥିଲା, ତେବେ ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା । ସେ ତାଙ୍କର ସଙ୍ଘର୍ଷମୟ ଦିନଗୁଡିକରେ ମାତ୍ର ୫୦ ଟଙ୍କା ପାଇଁ ସେ ଅଭିନୟ କରୁଥିଲେ । ଏମିତିକି ସେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଅଟୋ ମଧ୍ୟ ଚଳାଇଥିଲେ । ରାଜୁ ଏକ ମଧ୍ୟବିତ୍ତ ପରିବାରରୁ ଆସି ସଫଳତାର ଶିଖରରେ ପହଞ୍ଚି ଏକ ନିଆରା ପରିଚୟ ସୃଷ୍ଟି କରିଥିଲେ । ମାତ୍ର ବିଧିର ବିଧାନ ଭିନ୍ନ ଥିଲା । ବ୍ୟାୟାମ କରୁ କରୁ ଅଚାନକ ହୃଦଘାତର ଶିକାର ହୋଇ ଜୀବନ ମୃତ୍ୟୁ ସହ ଦୀର୍ଘ ୪୧ ଦିନ ଧରି ଲଢେଇ କରି ଶେଷରେ ସେ ହାରିଗଲେ । କଥାରେ କଥାରେ ହସାଉଥିବା ଲୋକଟି ଶେଷରେ ସମସ୍ତଙ୍କୁ କନ୍ଦାଇ ଚାଲିଗଲା ।

ଗତକିଛି ଦିନ ହେବ ଅନେକ ଅଭିନେତା ବ୍ୟାୟାମ କରୁଥିବା ସମୟରେ ହୃଦଘାତର ଶିକାର ହୋଇଥବାର ଦେଖିବାକୁ ମିଳିଛି । ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳା, ତାମିଲ ଅଭିନେତା ରାଜକୁମାର ମଧ୍ୟ ବ୍ୟାୟାମ ସମୟରେ ହୃଦଘାତ ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଶରୀରକୁ ଫିଟ ରଖିବା ପାଇଁ ଆମେ ଜିମକୁ ଯାଇ ବ୍ୟାୟାମ କରୁଥିବାବେଳେ, ଏବେ ଏଇ ଜିମ ମୃତ୍ୟୁର କାରଣ ପାଲଟିଛି । ଏନେଇ ଏବେ ସଚେତନ ହେବାର ସମୟ ଆସଛି ।

ରାଜୁ ନିଜ ଜୀବନକାଳ ମଧ୍ୟରେ ପ୍ରାୟ ୨୮୦୦ ଲାଇଭ୍ ସୋ କରିଛନ୍ତି । ସେ ଭାରତ ବାହାରେ ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, କେନିଆ, ଫିଜି, ଦୁବାଇ, ବ୍ୟାଙ୍କକ୍ ଏବଂ ହଂକଂ ଭଳି ଦେଶରେ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସେ ନଚ ବଲିୟେ ଓ ବିଗବସ ସିଜିନ - ୩ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ । କେବଳ ଅଭିନୟ ନୁହେଁ, ସେ ରାଜନୀତିରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

କମେଡି କିଙ୍ଗ ରାଜୁ, ଅବେଳରେ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ସତ, କିନ୍ତୁ ତାଙ୍କର କମେଡିର ପସରା ସବୁଦିନ ପାଇଁ ତାଙ୍କୁ ଆମ ସମସ୍ତଙ୍କ ନିକଟରେ ଚିର ସ୍ମରଣୀୟ କରି ରଖିବ ନିଶ୍ଚୟ । ରାଜୁ ଶ୍ରୀବାସ୍ତବଙ୍କ ଅକାଳ ମୃତ୍ୟୁରେ ଆମ ବାଟୋଇ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

Report an Error