ରଜ ପର୍ବକୁ ନେଇ କିଛି କଥା

ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଉଥିଲେ ବି ରଜ ପର୍ବ ବେଶ ନିଆରା । ବିଶେଷ କରି ପୂର୍ବ ଓଡ଼ିଶାରେ ରଜ ପର୍ବ ଗଣ ପର୍ବ ରୂପେ ପାଳିତ ହୋଇଥାଏ । ମାଟି ଓ ମୌସୁମୀର ମିଳନର ପର୍ବ ହେଉଛି ରଜ ପର୍ବ ।


ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଉଥିଲେ ବି ରଜ ପର୍ବ ବେଶ ନିଆରା । ବିଶେଷ କରି ପୂର୍ବ ଓଡ଼ିଶାରେ ରଜ ପର୍ବ ଗଣ ପର୍ବ ରୂପେ ପାଳିତ ହୋଇଥାଏ । ମାଟି ଓ ମୌସୁମୀର ମିଳନର ପର୍ବ ହେଉଛି ରଜ ପର୍ବ । କୃଷିକୁ ଭିତ୍ତି କରି ଆମ ଓଡ଼ିଆ ସଂସ୍କୃତି ପରିପୃଷ୍ଟ । ଏହି କୃଷିଭିତ୍ତିକ ରଜ ପର୍ବ ସୃଷ୍ଟି ଓ ସର୍ଜନାର ସଂକେତ ବହନ କରିଥାଏ ।

ଓଡ଼ିଶାରେ ପାଳିତ ହେଉଥିବା ସମସ୍ତ ପର୍ବ ମଧ୍ୟରେ ରଜ ପର୍ବର ଆକର୍ଷଣ ଭିନ୍ନ । ଏହା ଏକ ଅବସରର ପର୍ବ । ଏହି ପର୍ବରେ ନ ଥାଏ କିଛି ପୂଜାପଦ୍ଧତି ନ ଥାଏ କିଛି କଟକଣା । ମଉଜ ମଜଲିସର ପର୍ବ ହେଉଛି ରଜ ପର୍ବ । ଏହା ଗ୍ରୀଷ୍ମଋତୁର ଶେଷରେ ଓ ବର୍ଷାଋତୁର ପ୍ରାରମ୍ଭରେ ପଡ଼େ । ଏହି ପର୍ବ ଓଡ଼ିଶାର ଏକ ଅନ୍ୟତମ ଶ୍ରେଷ୍ଠ ପର୍ବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଆ ପରମ୍ପରାରେ ପାଳିତ ହେଉଥିବା ସମସ୍ତ ପର୍ବ ଆମ ଜୀବନଚର୍ଯ୍ୟାର ଏକ ଅଂଶବିଶେଷ ରୂପେ ପ୍ରକଟିତ । ଏହି ପର୍ବ ମାଟି ଓ ନାରୀଙ୍କୁ ସମ୍ମାନ ଦିଏ । ଆଜିକାଲି ସମୟରେ ମହିଳାଙ୍କ ମାସିକ ଋତୁଚକ୍ରକୁ ନେଇ ଅନେକ କାର୍ଯ୍ୟକ୍ରମ ଓ ସଚେତନତା କରାଯାଉଥିବାବେଳେ ଓଡ଼ିଶାର ଏହି ପର୍ବ ମହିଳାଙ୍କ ମାସିକ ଋତୁଚକ୍ରକୁ ନେଇ ସକାରତ୍ମକ ବାର୍ତ୍ତା ଦେଇଥାଏ । ଏହି ପର୍ବଟି ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ତଥା ନୂତନ ଶକ୍ତି ଜାଗ୍ରତ କରିଥାଏ । ମାଟି ଓ ନାରୀକୁ ଏଠି ଏକ ବୋଲି ବିବେଚନା କରାଯାଏ । ଯେମିତି ଆଦ୍ୟ ଯୌବନରେ କିଶୋରୀ ଜଣକ ରଜସ୍ୱଳା ହେଲେ, ତାକୁ ବିଶ୍ରାମ ଦିଆଯାଏ, ଠିକ ସେମିତି ଆମେ ଏହି ରଜରେ ରଜସ୍ୱଳା ଧରିତ୍ରୀ ମା'କୁ ବିଶ୍ରାମ ଦେଇଥାଉ ।

ତିନିଦିନିଆ ରଜ ପର୍ବର ପ୍ରଥମ ଦିନଟି ହେଉଛି ପହିଲି ରଜ । କିନ୍ତୁ ପହିଲି ରଜ ପୂର୍ବରୁ ଆସେ ସଜବାଜ । ଏହି ଦିନ ରଜ ତିନି ଦିନ ପାଇଁ ସବୁ ପ୍ରସ୍ତୁତି ବା ସଜଡା ହୋଇ ରଖାଯାଏ । ଜ୍ୟେଷ୍ଠ ମାସର ଶେଷଦିନକୁ ପହିଲି ରଜ କୁହାଯାଏ । ଆଉ ଆଷାଢ ମାସର ପ୍ରଥମ ଦିନକୁ ରଜ ସଙ୍କ୍ରାନ୍ତି ଓ ତା'ପର ଦିନକୁ ଶେଷ ରଜ ବା ଭୂମିଦହନ କୁହାଯାଏ । ରଜ ତିନି ଦିନ ପରେ ଚତୁର୍ଥ ଦିନକୁ ବସୁମତୀ ସ୍ନାନ କୁହାଯାଏ । ଏହି ଦିନ ସକାଳୁ କାଠ ପିଢା ଉପରେ ଲଙ୍ଗଳ ଲୁହା ଓ ବିଭିନ୍ନ ଉପକରଣ ରଖି ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ କଳସରେ ଆମ୍ବଡାଳ ରଖି ହଳଦୀ ପାଣିରେ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ତିନିଦିନ ରଜସ୍ୱଳା ହୋଇ ଧରିତ୍ରୀ ମାତା ଅଶୁଦ୍ଧ ରହିବା ପରେ ଚତୁର୍ଥ ଦିନ ତାଙ୍କୁ ସ୍ନାନ କରାଯାଇ ଶୁଦ୍ଧ କରାଯାଏ । ଏହାକୁ ବସୁମତୀ ସ୍ନାନ ବୋଲି କୁହାଯାଏ । ଏହାପରେ କୃଷକ ଚାଷ କାମ କରିବାକୁ ତତ୍ପର ହାେଇଥାଏ ।

ପଲ୍ଲୀଠୁ ସହର ସବୁଠି ଚାଲେ ରଜ ମଉଜ । ଘରେ ଘରେ ପିଠା ଆଉ ମିଠାର ମହକ ଭାସି ଆସେ । ରଜ ପର୍ବର ମୁଖ୍ୟ ଆକର୍ଷଣ ହେଲା ରଜ ଦୋଳି ଆଉ ରଜ ପାନ । "ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ....” ତ ପୁଣି କେତେବେଳେ "ରଜ ଦୋଳି କଟ କଟ, ମୋ ଭାଇ ମଥାରେ ସୁନା - ମୁକୁଟ" ପରି ରଜ ଗୀତରେ ଗାଁ ଦାଣ୍ଡ ଉଛୁଳି ପଡେ । ଯଦିଓ ଏବେ ଆଉ ରଜ ଦୋଳି ଗୀତର ଲହରା ସ୍ୱର ଶୁଭୁନି, କିନ୍ତୁ ଗାଁ ଗହଳରେ ଆଜି ବି ଦୋଳି ଖେଳ ହେଉଛି । ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧନିଆ, ନଡିଆ ଖଣ୍ଡ, ଚେରି, ଲବଙ୍ଗ, ଚୁଆ, ପାନମହୁରି, ସୁବାସିତ ଜାଫ୍ରାନ କେଶର, ଖଇର, ଶୁଖିଲା ଗୋଲାପ ପାଖୁଡା ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହାର ହୋଇଥାଏ । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗୀ, ଚଉଭଙ୍ଗୀ ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଭଙ୍ଗାଯାଇଥାଏ । ସେହିପରି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ । ରଜ ପୋଡ଼ ପିଠା ମଧ୍ୟ ଏହି ପର୍ବର ଆଉ ଏକ ଆକର୍ଷଣ । ଆଜି ବି ପୋଡ଼ ପିଠା ଓ ରଜ ପାନର ବାସ୍ନା ମହକି ଉଠୁଛି । କେବଳ ପିଠା ଆଉ ପାନରେ ରଜ ସରେ ନାହିଁ । ରଜରେ ଲୁଡୁ ଖେଳ, ତାସ ଖେଳର ଆସର ବି ବେଶ ନିଆରା । ଆଧୁନିକ ଜୀବନଧାରାର ବ୍ଯସ୍ତ ଜୀବନରେ ପର୍ବପର୍ବାଣି ଖୁସିର ଫୁଆର ଆଣେ । ଏହି କ୍ରମରେ ଓଡ଼ିଶାର ରଜ ପର୍ବ ତାର ମହତ୍ତ୍ଵ ଓ ମହକକୁ ଆଜି ବି ବଜାୟ ରଖିଛି ।