ନବରାତ୍ରିର ପ୍ରଥମ ଦିବସ ଓ ବିରଜାଙ୍କ ବିଜୟା ରଥଯାତ୍ରା

ଆଜି ହେଉଛି ଶାରଦୀୟ ନବରାତ୍ରିର ପ୍ରଥମ ଦିବସ । ପୁଣି ଆଜିଠାରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଅନନ୍ୟ ରଥଯାତ୍ରା ପାଳିତ ହେଉଛି । ସେ ସମ୍ପର୍କରେ କିଛି ....


ଫଟୋ - ୱିକିପିଡିଆ

ଆଜି ହେଉଛି ଶାରଦୀୟ ନବରାତ୍ରିର ପ୍ରଥମ ଦିବସ । ଅର୍ଥାତ ନବଦିନାତ୍ମକ ପୂଜାର ପ୍ରଥମ ଦିନ । ନବରାତ୍ରର ପ୍ରଥମ ଦିବସରେ ମା ଦୁର୍ଗାଙ୍କର ପ୍ରଥମ ସ୍ବରୂପ ଶୈଳପୁତ୍ରୀଙ୍କର ଉପାସନା କରାଯାଇଥାଏ । ଦେବୀ ଶୈଳପୁତ୍ରୀ ହେଉଛନ୍ତି ଗିରିରାଜ ହିମାଳୟଙ୍କ ପୁତ୍ରୀ । ଧଳା ଏବଂ ଦିବ୍ୟ ସ୍ବରୂପ ସଦୃଶ ଦେବୀ ବୃଷଭ ଉପରେ ବିଦ୍ୟମାନ ହୋଇଥାନ୍ତି । ବୃଷଭ ହେଉଛନ୍ତି ଧର୍ମର ପ୍ରତୀକ । ଦେବୀ ଶୈଳପୁତ୍ରୀଙ୍କ ଡାହାଣ ହାତରେ ତ୍ରିଶୂଳ ଏବଂ ବାମ ହାତରେ ପଦ୍ମ ଫୁଲ ସୁଶୋଭିତ ଥାଏ । ମାଆଙ୍କର ଏହି ଦିବ୍ୟ ସ୍ବରୂପର ଧ୍ୟାନ କରିବା ଦ୍ବାରା ମନ ପରିମାର୍ଜିତ ହୁଏ ।

ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ ରହିଛି । ତେବେ ସାଧାରଣତଃ ମୌସୁମୀ ପରବର୍ତ୍ତୀ ଶାରଦୀୟ ନବରାତ୍ରୀ ପ୍ରଧାନ । ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବରେ ଏହାକୁ ପାଳନ କରାଯାଇଥାଏ ।

ଶକ୍ତି ଉପାସନାର ପ୍ରମୁଖ କେନ୍ଦ୍ର ଭାବେ ଓଡ଼ିଶା ସାରା ଭାରତବର୍ଷରେ ବେଶ ପରିଚିତ । ଓଡ଼ିଶାର ଏହି ପୁଣ୍ୟତୋୟା ଭୂଇଁରେ ଦେବୀଙ୍କର ଶକ୍ତିକୁ ଅଚିରେ ଅନୁଭବ କରିହୁଏ । ଓଡ଼ିଶାର ପ୍ରତି ଗ୍ରାମ ବା ଅଂଚଳକୁ ଗଲେ ଶକ୍ତି ଓ ମହାଶକ୍ତିର ଆସ୍ଥା ଓ ଅବସ୍ଥିତି ଆମକୁ ବିମୋହିତ କରେ ।

ଶାରଦୀୟ ନବରାତ୍ରିରେ ଓଡ଼ିଶାର ଶକ୍ତିପୀଠଗୁଡିକ ଚଳଚଞ୍ଚଳ ହୋଇପଡିଛି । ଆଜିଠାରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଅନନ୍ୟ ରଥଯାତ୍ରା ପାଳିତ ହେଉଛି । ଭାରତରେ ପ୍ରସିଦ୍ଧ ଲଭିଥିବା ଶକ୍ତି ପୀଠମାନଙ୍କ ମଧ୍ୟରେ ମା’ ବିରଜା ଅନ୍ୟତମ । ମା’ ବିରଜା ଆବହମାନ କାଳରୁ ଆଦିଶକ୍ତି, ଶକ୍ତି ସ୍ୱରୂପିଣୀ, ଆଦିମାତା, ସୃଷ୍ଟି ଦେବୀ ଆଦି ବିଭିନ୍ନ ନାମରେ ନାମିତ ହୋଇ ପୂଜା ହୋଇ ଆସୁଛନ୍ତି । ଏଠାରେ ମାତୃ ଶକ୍ତି, ତନ୍ତ୍ର ଶକ୍ତି, ବୈଷ୍ଣବ ଶକ୍ତି ସହିତ ଶୈବଶକ୍ତି ଏବଂ ସମସ୍ତ ଧର୍ମଶକ୍ତିର ସମନ୍ୱୟ ଘଟିଛି । ମା’ ବିରଜା ନାମରେ ସାରା ବିଶ୍ୱରେ ପରିଚିତ ହୋଇଥିବା ମା’ ହେଉଛନ୍ତି ବାସ୍ତବରେ ଶକ୍ତି ସ୍ୱରୂପିଣୀ ମା’ଦୁର୍ଗା । ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାନ୍ତି । ଏହି ଦେବୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଳ ଶୋଭାପାଏ ।

ନବରାତ୍ରର ପ୍ରଥମ ଦିନ ବା ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ମହାନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ମା ବିରଜାଙ୍କର ସିଂହଧ୍ବଜ ରଥଯାତ୍ରା । ୯ ଦିନ ଧରି ରଥରେ ଚଢି ମନ୍ଦିର ପରିକ୍ରମା କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଆଶିଷ ପ୍ରଦାନ କରନ୍ତି ମା’ ଜଗତ ଜନନୀ । ସୁନିଆଁ ଦିନଠାରୁ ଦେବୀଙ୍କର ରଥ ନିର୍ମାଣାର୍ଥେ ବେଲବରଣ ଉତ୍ସବ ପାଳନ କରାଯାଏ । ମୂଳାଷ୍ଟମୀ ବା ଦ୍ୱିତୀୟା ଓଷା ଦିନ ଅର୍ଥାତ୍ ଆଶ୍ୱିନ କୃଷ୍ଣ ଅଷ୍ଟମୀ ସାୟଂ କାଳରେ ମା’ ବିରଜାଙ୍କର ଘଟସ୍ଥାପନ, ମହାସ୍ନାନ ଓ ଷୋଡଶ ଦିବସୀୟ ଷୋଡଶୋପଚାର ପୂଜାରମ୍ଭ ହୁଏ । ମହାଳୟା ଅମାବାସ୍ୟା (ଆଶ୍ୱିନ ଅମାବାସ୍ୟା) ଦିନ ମାଆଙ୍କର ରଥାଧିବାସ ହୋଇଥାଏ । ଏହା ପରଦିନ ଅର୍ଥାତ୍‌ ପ୍ରତିପଦ ଦିନ ଦେବୀଙ୍କର ରଥ ପ୍ରତିଷ୍ଠା ଓ ନବଦିବସ ପାଇଁ ଦେବୀଙ୍କ ଚଳନ୍ତି ପ୍ରତିମାର ରଥାରୋହଣ ଅନୁଷ୍ଠିତ ହୋଇଥାଏ । ଏହି ଦିବ୍ୟ ରଥରେ ରଥାରୁଢ଼ା ହୋଇ ମା ବେଢ଼ା ପରିକ୍ରମଣ କରନ୍ତି । ଆଦିଶକ୍ତି ବିରଜା ଦେବୀଙ୍କର ରଥଯାତ୍ରା ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ମହାନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ଏହି ଦିବ୍ୟ ରଥର ନାମ ‘ସିଂହଧ୍ୱଜ’। ଏହି ରଥକୁ ମଧ୍ୟ ବିଜୟା ରଥ କୁହାଯାଏ । ଦେବୀ ବିରଜାଙ୍କର ଏହି ସିଂହଧ୍ୱଜ ରଥର ଉଚ୍ଚତା ୪୫ ହାତ ୧୨ ଆଙ୍ଗୁଳି । ଏହାର ଚକ ସଂଖ୍ୟା ୧୨ । ରଥର ସାରଥି ସ୍ବୟଂ ବ୍ରହ୍ମା ଓ ରଥ ରକ୍ଷିକା ମହାମାୟା ଓ ରଥଶକ୍ତି ବ୍ରହ୍ମଚାରିଣୀ । ରଥରେ ଦୁଇଟି ଏଥିରେ ଦୁଇଟି ଅଶ୍ୱ ଧାବମାନ ମୁଦ୍ରାରେ ସୁସଜ୍ଜିତ ହୋଇଥାଏ ଏବଂ ସ୍ୱର୍ଣ୍ଣଚୂଡ଼ ଓ ଶଙ୍ଖଚୂଡ଼ ନାମକ ଦୁଇଟି ରଥରଜ୍ଜୁ ଲାଗିଥାନ୍ତି । ଅପରାହ୍‌ଣରେ ମା’ ବିରଜାଙ୍କ ବିଜେ ପ୍ରତିମା ‘ଆଶାଦଣ୍ଡ’, ରଥରେ ବିରାଜମାନ କରନ୍ତି ଏବଂ ରଥ ମନ୍ଦିର ପରିକ୍ରମା କରେ । ଏହିପରି ମହାନବମୀ ପର୍ଯ୍ୟନ୍ତ ନଅ ଦିନରେ ନଅଥର ମନ୍ଦିର ପରିକ୍ରମା କରି ମଧ୍ୟରାତ୍ରିରେ ବିଜେ ପ୍ରତିମା ରଥରୁ ଓହ୍ଲାଇ ଲାଖବିନ୍ଧା ବିଧି ସମାପନ ପରେ ମନ୍ଦିରରେ ଅବସ୍ଥାନ କରନ୍ତି ।

Report an Error