ଐତିହ୍ୟର ଜୟଯାତ୍ରା - ରଥଯାତ୍ରା

ଶ୍ରୀକ୍ଷେତ୍ରରେ ପାଳନ କରାଯାଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ଶ୍ରୀଗୁଣ୍ଡିଚା ଯାତ୍ରା ସର୍ବଶ୍ରେଷ୍ଠ । କୁହାଯାଏ - ଏହି ମହୋତ୍ସବକୁ ଦର୍ଶନ କରିବା ଦ୍ୱାରା ସାତକୋଟି ପାପରାଶି ନଷ୍ଟ ହୁଏ । ସେହିପରି ରଥାରୂଢ ଚତୁର୍ଦ୍ଧା ମୂରତିକୁ ଦେଖିଲେ ଜନ୍ମ ଜନ୍ମ ପାପରୁ ମୁକ୍ତି ମିଳିଥାଏ ।


ସର୍ବ ରହସ୍ୟଂ ପୁରୁଷୋତ୍ତମସ୍ୟ
ଦେବାଃ ନ ଜାନାନ୍ତି କୁତଃ ମନୁଷ୍ୟ ।

ଦାରୁ ଦେହରେ ମାନବୀୟ ଲୀଳାରେ ସେ ଧୁରନ୍ଧର । ସେ ହେଉଛନ୍ତି ବିଶ୍ୱଦେବତା । ନାହିଁ ତାଙ୍କ ପାଖେ ଜାତି ଅଜାତି, ଛୁଆଁ ଅଛୁଆଁ, ନାହିଁ ଭେଦାଭେଦ, ସେଥିପାଇଁ ତ ସିଏ ଜଗତର ନାଥ ଜଗନ୍ନାଥ । ତାଙ୍କ ପାଖେ ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତେ ଏକ ଓ ଅଭିନ୍ନ ମାତ୍ର ରତ୍ନବେଦୀରେ ତାଙ୍କୁ ସବୁ ସମ୍ପ୍ରଦାୟର ଭକ୍ତଗଣ ଦର୍ଶନ କରିବା ସମ୍ଭବ ହୋଇନଥାଏ । ସେଥିପାଇଁ ପ୍ରଭୁ ତାଙ୍କ ସମସ୍ତ ଭକ୍ତଙ୍କ ଲାଗି ରତ୍ନ ସିଂହାସନ ଛାଡ଼ି ଓହ୍ଲାଇ ଆସନ୍ତି ଭକ୍ତମେଳକୁ । ଆଷାଢ଼ ମାସ, ପୁଷ୍ୟା ନକ୍ଷତ୍ରଯୁକ୍ତ ଶୁକ୍ଳ ଦ୍ବିତୀୟା ଦିନ ପ୍ରଭୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କରନ୍ତି, ଯାହାକୁ ଶ୍ରୀଗୁଣ୍ଡିଚା ବୋଲି କୁହାଯାଏ । ଏହି ଯାତ୍ରାକୁ ମଧ୍ୟ ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣରେ କୁହାଯାଇଛି । ଶ୍ରୀକ୍ଷେତ୍ରରେ ପାଳନ କରାଯାଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ଶ୍ରୀଗୁଣ୍ଡିଚା ଯାତ୍ରା ସର୍ବଶ୍ରେଷ୍ଠ । କୁହାଯାଏ - ଏହି ମହୋତ୍ସବକୁ ଦର୍ଶନ କରିବା ଦ୍ୱାରା ସାତକୋଟି ପାପରାଶି ନଷ୍ଟ ହୁଏ । ସେହିପରି ରଥାରୂଢ ଚତୁର୍ଦ୍ଧା ମୂରତିକୁ ଦେଖିଲେ ଜନ୍ମ ଜନ୍ମ ପାପରୁ ମୁକ୍ତି ମିଳିଥାଏ ।

ଓଡ଼ିଶାରେ ବର୍ଷକୁ ଚାରୋଟି ରଥଯାତ୍ରାର ଆୟୋଜନ ହୋଇଥାଏ । ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନବଦିନାତ୍ମକ ଶ୍ରୀଗୁଣ୍ଡିଚା ରଥଯାତ୍ରା । ସେହିପରି ମାଘ ସପ୍ତମୀ ତିଥିରେ ଅର୍କ କ୍ଷେତ୍ର କୋଣାର୍କରେ ସୌର ରଥଯାତ୍ରା ପାଳିତ ହୁଏ । ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଓ ଆଶ୍ୱିନ ମାସ ଶୁକ୍ଲ ପକ୍ଷ ପ୍ରତିପଦାଠାରୁ ମହାନଦୀ ପର୍ଯ୍ୟନ୍ତ ବିରଜା ଦେବୀଙ୍କର ନବଦିନାତ୍ମକ ସିଂହଧ୍ୱଜ ବା ବିଜୟା ରଥଯାତ୍ରା ପାଳିତ ହୁଏ । ସେହିପରି ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ ଆନ୍ଧ୍ରପ୍ରଦେଶର ରାମାସ୍ୱାମୀ ମନ୍ଦିରରେ ରାମନବମୀ ଠାରୁ ନବଦିନ ବ୍ୟାପି ଏକ ଅନନ୍ୟ ରଥଯାତ୍ରା ପାଳିତ ହୁଏ, ଯାହାକୁ ବ୍ରହ୍ମୋତ୍ସବ ବୋଲି କୁହାଯାଏ ।

ତେବେ ଶ୍ରୀକ୍ଷେତ୍ର ରଥଯାତ୍ରା ଏକ ସାଂସ୍କୃତିକ ଅଭିବ୍ୟକ୍ତି । ମହାଭାରତରେ ଘୋଷଯାତ୍ରାର ବର୍ଣ୍ଣନା ଥିବାରୁ ଭାରତବର୍ଷରେ ଏହା ଏକ ଆଧ୍ୟାତ୍ମିକ ପରମ୍ପରା ଭାବେ ବିଚାର୍ଯ୍ୟ । କହିବାକୁ ଗଲେ ଶରୀର ହେଉଛି ଏକ ରଥ, ଏଥିରେ ଆତ୍ମାକୁ ରଥି, ବୁଦ୍ଧିକୁ ସାରଥୀ ଓ ମନକୁ ଅଶ୍ୱ ରୂପେ ବିବେଚନା କରାଯାଇଛି । ରଥ ଓ ରଥଯାତ୍ରା ଉଭୟ ଭାରତୀୟ ସଂସ୍କୃତିରେ ଏକ ପ୍ରମୁଖ ଭୂମିକା ନେଇଛି ।

ଚତୁର୍ଦ୍ଧା ମୂରତି ତିନିଗୋଟି ରଥରେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ସପ୍ତାହକାଳ ଅବସ୍ଥାନ କରି ବଡ଼ଦେଉଳକୁ ଫେରିଆସିଥାନ୍ତି । ତାଙ୍କର ଏହି ନବଦିନାତ୍ମକ ଯାତ୍ରାରେ ରହିଥାଏ ମଣିଷ ସମାଜ ପ୍ରତି ବାର୍ତ୍ତା । ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଏହି ପର୍ବରେ ଅଷ୍ଟାଙ୍ଗ ବିଧି ରହିଥାଏ । ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି ହୋଇଥାଏ । ପୁଣି ବିଧି ମୁତାବକ ପହଣ୍ଡି ଓ ଛେରାପହଁରା ଆଦି ସମ୍ପନ୍ନ ହୋଇଥାଏ ।

ପରମ୍ପରା ଅନୁସାରେ ଘୋଷଯାତ୍ରାର ଆଗେ ଆଗେ ବଡ଼ଭାଇ ବଳଭଦ୍ରଙ୍କ ରଥ ‘ତାଳଧ୍ଵଜ’, ତାଙ୍କ ପଛେ ପଛେ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ଓ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି । ନଅଦିନର ଯାତ୍ରା ଶେଷ କରି ପୁଣି ସେ ରତ୍ନ ସିଂହାସନକୁ ଫେରନ୍ତି । ପ୍ରଭୁଙ୍କର ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ପତିତ ଉଦ୍ଧାର । ଶତାବ୍ଦୀ ଶତାବ୍ଦୀ ଧରି ଏହି ଯାତ୍ରା ଐତିହ୍ୟର ଜୟଯାତ୍ରା ଭାବରେ ପରିଗଣିତ ହୋଇଛି ।

Report an Error