ସ୍ନାନ ପୂର୍ଣ୍ଣିମା

ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ ।


ଜଗତର ନାଥ ଜଗନ୍ନାଥ । ତାଙ୍କର ଆବିର୍ଭାବ ରହସ୍ୟମୟ ଓ ଲୀଳା ଅଭେଦ୍ୟ । ସାଧାରଣ ମଣିଷ ପରି ମହାପ୍ରଭୁଙ୍କ ଦିନଚର୍ଯ୍ଯା ଆରମ୍ଭ ହୋଇଥାଏ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ହେଉଛି ସ୍ନାନ ଯାତ୍ରା ବେଶ୍ ଗୁରୁତ୍ୱପୂର୍ଣ୍ଣ । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟ ଦୁଇଟି ଯାତ୍ରା ବେଶ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଦୁଇ ଯାତ୍ରାରେ ସ୍ୱୟଂ ମହାପ୍ରଭୁ ରତ୍ନ ସିଂହାସନରୁ ଅବତରଣ କରିଥାନ୍ତି । ଏହି ଯାତ୍ରାଦ୍ବୟ ହେଉଛି ସ୍ନାନ ଯାତ୍ରା ଓ ଗୁଣ୍ଡିଚା ଯାତ୍ରା । ଅନ୍ୟ ଯାତ୍ରାମାନଙ୍କରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବିଜେ ହୁଅନ୍ତି । ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୁଏ । ଏହି ଦିନ ମହାସ୍ନାନ କରନ୍ତି ଶ୍ରୀଜୀଉ । ଭାବର ଠାକୁର ସେ, ଭକ୍ତଙ୍କ ଗହଳରେ ସ୍ନାନ କରି ଭକ୍ତର ମନୋବାଞ୍ଛା ପୂରଣ କରନ୍ତି । ଏହିଦିନ ୧୦୮ କଳସ ଜଳରେ ମହାସ୍ନାନ କରନ୍ତି ଚତୁର୍ଦ୍ଧାମୂର୍ତ୍ତି ।

ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ । ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନ ପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଥିବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହନ ସିଂହଙ୍କ ମଧ୍ୟରେ ଅବସ୍ଥିତ । କୂଅର ବ୍ୟବହାର ବର୍ଷସାରା ନଥବାରୁ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବାବେଳେ ଏଥିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ - ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ଏହା ପରେ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ ।

ସ୍ନାନ ମଣ୍ଡପକୁ ଶ୍ରୀଜୀଉମାନେ ଧାଡି ପହଣ୍ଡିରେ ବିଜେ ହୁଅନ୍ତି । ଶ୍ରୀମନ୍ଦିରର ବାହାର ବେଢାରେ ପୂର୍ବ ଦିଗରେ ସ୍ନାନ ମଣ୍ଡପ ଅବସ୍ଥିତ । ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ମା ସୁଭଦ୍ରା ଓ ଜଗନ୍ନାଥଙ୍କ ପହଣ୍ଡି ହାେଇଥାଏ । ଶେଷରେ ମଦନମୋହନ ସ୍ନାନ ମଣ୍ଡପକୁ ଆସିଥାନ୍ତି । ଶ୍ରୀଜୀଉଙ୍କ ସେବାରେ ଓଡ଼ିଆ ମଠମାନଙ୍କର ଭୂମିକା ଅଧିକ ରହିଥାଏ । ଦୈନନ୍ଦିନ ପୂଜା ହେଉ ଅଥବା ବିଶେଷ ପୂଜା ସବୁ ଦିନମାନଙ୍କରେ ମଠମାନଙ୍କ ଦ୍ୱାରା ବିଶେଷ ସେବା କରାଯାଇଥାଏ । ଏହି କ୍ରମରେ ସ୍ନାନ ପୂର୍ଣ୍ଣିମା ଦିନ ରାଘବ ଦାସ ମଠରୁ ଶ୍ରୀଜୀଉଙ୍କୁ ଟାହିଆ ଓ ଚୁଳ ଲାଗି କରାଯିବା ସହ ଘଷା ଲାଗି କରାଯାଏ । ଏହି ଦିନ ମହାପ୍ରଭୁଙ୍କ ଗଜବେଶ ପାଇଁ ରାଘବ ଦାସ ମଠ ଓ ଗୋପାଳତୀର୍ଥ ମଠ ପକ୍ଷରୁ ସମସ୍ତ ସାମଗ୍ରୀ ଯାେଗାଇଦିଆଯାଏ । ସ୍ନାନ ମଣ୍ଡପରେ ଶ୍ରୀଜୀଉ ବିଜେ ହେବା ପରେ ସେଠାରେ ଅଙ୍ଗପୋଛା ଓ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥାଏ । ଏହାପରେ ଜଗନ୍ନାଥଙ୍କୁ ୩୫ ଗରା ଜଳରେ, ବଳଭଦ୍ରଙ୍କୁ ୩୩ ଗରା ଜଳରେ, ସୁଭଦ୍ରାଙ୍କୁ ୨୨ ଗରା ଜଳରେ ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରାଯାଏ ।

ସ୍ନାନ କରିସାରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଗଜବେଶରେ ସଜ୍ଜିତ ହୁଅନ୍ତି । ତେବେ ଏହି ବେଶ ହେବା ପଛରେ ରହିଛି ଏକ କିମ୍ବଦନ୍ତୀ । ଏକଦା ମହାରାଷ୍ଟ୍ରର ଗଣପତି ଭଟ୍ଟ ନାମ୍ନୀ ଜଣେ ବ୍ରାହ୍ମଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ । ସେ ଭଗବାନ ଶ୍ରୀଗଣେଶଙ୍କର ଭକ୍ତ ଥିଲେ । ସେ ପୁରୀରେ ଦାରୁଦିଅଁଙ୍କ ଦର୍ଶନ କରି ମଧ୍ୟ ଗଜ ରୂପ ନଦେଖି କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ଏହା ପରେ ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ଏହି ଦିନ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପରେ ଗଣପତି ଭଟ୍ଟଙ୍କୁ ଦର୍ଶନ ଦେଇଥିଲେ । ମହାପ୍ରଭୁଙ୍କର ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୁଲ ବୁଝିପାରିଲେ । ସେଇଦିନଠାରୁ ମହାପ୍ରଭୁ ପ୍ରତିବର୍ଷ ଏହି ଦିନରେ ଗଜବେଶ ଧାରଣ କରିଥାନ୍ତି । ଏହି ଗଜବେଶ ଅବସରରେ ପଙ୍କ୍ତି ଭୋଗ ସେବା ଯାେଗାଇଥାଏ ଗୋପାଳତୀର୍ଥ ମଠ ।

ଗଜାନନ ବେଶ ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ମାତ୍ର ଠାକୁରମାନେ ରତ୍ନ ସିଂହାସନରେ ବିଜେ ନ କରି ଅଣସର ପିଣ୍ଡିରେ ବିଜେ ହୁଅନ୍ତି । ମହାସ୍ନାନ ପରେ ଠାକୁରମାନେ ଜ୍ଵରରେ ପଡ଼ନ୍ତି । ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି । ଏହାକୁ ଅଣସର କୁହାଯାଏ । ଏହି ସମୟରେ ଭକ୍ତମାନେ ପଟି ଦିଅଁଙ୍କୁ ଦର୍ଶନ କରନ୍ତି । ସ୍ନାନଯାତ୍ରା ହେଉଛି ପ୍ରତି ଓଡିଆଙ୍କ ଲାଗି ଏକ ପବିତ୍ର ଦିବସ । ଏହି ଦିନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମହପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ପତିତଜନଙ୍କୁ ଉଦ୍ଧରିବା ଲାଗି ବିଶ୍ୱନାୟକଙ୍କ ଏହି ଦିବ୍ୟ ଲୀଳା ସତରେ ଅନନ୍ଯ ।