ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ

ଭାରତୀୟ ସଂସ୍କୃତିରେ ଗୋଟିଏ କଥା ଅଛି - ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ । ପାରମ୍ପରିକ ପ୍ରଥା ଅନୁସାରେ, ପ୍ରଥମାଷ୍ଟମୀ ଦିନ ଘରର ବଡ଼ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ସମ୍ମାନ ଦିଆଯାଇ ପୂଜା କରାଯାଏ ।


ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଅନନ୍ୟ । ଏଠାରେ ବାର ମାସରେ ତେର ପର୍ବ । ଏଠି ପାଳିତ ହେଉଥିବା ପର୍ବଗୁଡିକରେ ଆଧ୍ୟାତ୍ମିକ ଦୃଷ୍ଟିକୋଣ ଯେତିକି ବ୍ୟାପ୍ତ ଥାଏ, ସେତିକି ଥାଏ ଶ୍ରଦ୍ଧା ଓ ସ୍ନେହ । ଏଠାରେ ପାଳିତ ହେଉଥିବା ପ୍ରଥମାଷ୍ଟମୀ ଏକ ଅନନ୍ୟ ତଥା ଓଡ଼ିଶାର ନିଜସ୍ୱ ଓ ଖାଣ୍ଟି ଓଡ଼ିଆ ପର୍ବ । ଅର୍ଥାତ ଓଡ଼ିଶା କିମ୍ବା ଓଡ଼ିଆ ଘର ବ୍ୟତୀତ ଅନ୍ୟ କେଉଁଠାରେ ଏ ପର୍ବ ଏହିଭଳି ଭାବରେ ପାଳିତ ହେବାର ପ୍ରାୟତଃ ଦେଖାଯାଏ ନାହିଁ । ଅନ୍ୟ ଅଷ୍ଟମୀ ତିଥିରେ ବିଭିନ୍ନ ଦେବାଦେବୀଙ୍କର ଜନ୍ମତିଥି ହୋଇଥିଲାବେଳେ ପ୍ରଥମାଷ୍ଟମୀ କୌଣସି ଦେବତାଙ୍କର ଜନ୍ମତିଥି ନୁହେଁ ବରଂ ଜ୍ୟେଷ୍ଠ ସନ୍ତାନକୁ ମର୍ଯ୍ୟାଦା ଦେବାର ଏକ ସ୍ୱତନ୍ତ୍ର ଓ ପାରମ୍ପରିକ ପାରିବାରିକ ପର୍ବ ।

ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ଅର୍ଥାତ୍‌ ପ୍ରଥମ ଅଷ୍ଟମୀରେ ଏହି ପର୍ବ ପାଳିତ ହୁଏ । ମାର୍ଗଶିର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇଥାଏ । ଅତୀତରେ ଏହି ମାସରୁ ବର୍ଷର ଆରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି । ଭାରତୀୟ ସଂସ୍କୃତିରେ ଗୋଟିଏ କଥା ଅଛି - ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ । ପାରମ୍ପରିକ ପ୍ରଥା ଅନୁସାରେ, ପ୍ରଥମାଷ୍ଟମୀ ଦିନ ଘରର ବଡ଼ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ସମ୍ମାନ ଦିଆଯାଇ ପୂଜା କରାଯାଏ । ଏହି ଜ୍ୟେଷ୍ଠ ସନ୍ତାନର ବିଚାରରେ, ପୁତ୍ର ବା କନ୍ୟା ମଧ୍ୟରେ ପାର୍ଥକ୍ୟ ନଥାଏ । ବାସ୍ତବରେ ଏହିଦିନ ପରିବାରରେ ଜ୍ୟେଷ୍ଠ ସନ୍ତାନର ମଙ୍ଗଳ କାମନା ପୂର୍ବକ ସୁଖସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ନିଷ୍ଠାର ସହ ପାଳନ କରାଯାଇଥାଏ । ସାଧାରଣତଃ ସ୍ନାନ ପରେ ନବବସ୍ତ୍ର ପରିଧାନ କଲାପରେ ଜ୍ୟେଷ୍ଠ ସନ୍ତାନମାନଙ୍କୁ ମା’ମାନେ ବନ୍ଦାପନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସରେ କଳସ ପୂଜା ଓ ବରୁଣ ପୂଜା ହୋଇଥାଏ ।

ଏହି ପର୍ବର ଅନ୍ଯତମ ଆକର୍ଷଣ ହେଉଛି - ଏଣ୍ଡୁରି ପିଠା । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ହଳଦୀପତ୍ର ପିଠା କରାଯାଏ । ସାଧାରଣତଃ ହଳଦୀ ଆମ ଶରୀର ପାଇଁ ବେଶ୍ ଉପଯୋଗୀ । ଏହି ପତ୍ରରେ ପ୍ରସ୍ତୁତ ପିଠା ସୁଆଦିଆ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । ଏହି ବିଶେଷ ପର୍ବରେ ହଳଦୀପିଠାର ମହମହ ବାସ୍ନାରେ ପୂରପଲ୍ଲୀ ବାସ୍ନାୟିତ ହାେଇଉଠେ । ଏହି ଦିନ ଘରେ ଏଣ୍ଡୁରି ପିଠା ଓ ଖିରି ଆଦି ପ୍ରସ୍ତୁତ କରାଯାଇ ଷଷ୍ଠୀଦେବୀଙ୍କୁ ସମର୍ପଣ କରାଯାଏ ଏବଂ ଜ୍ୟେଷ୍ଠ ସନ୍ତାନକୁ ଖାଇବାକୁ ଦିଆଯାଏ ।

ଏହି ପ୍ରଥମାଷ୍ଟମୀ ପରମ୍ପରାକୁ ନେଇ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସଂସ୍କୃତି ମଧ୍ୟ ଗଢ଼ି ଉଠିଛି । ସାଧାରଣତଃ ମାମୁଁ ଘର ପକ୍ଷରୁ ପ୍ରଥମାଷ୍ଟମୀ ଦିନ ବଡ଼ ଭଣଜା ବା ବଡ଼ ଭାଣିଜୀକୁ ନୂତନ ବସ୍ତ୍ର ଦିଆଯାଇଥାଏ । ମାମୁଁ ଘର ତରଫରୁ ବଡ଼ ଭଣଜା ଭାଣିଜୀମାନଙ୍କୁ ଶ୍ରଦ୍ଧାର ସହ ପୋରୁହାଁ କରାଯାଇଥାଏ । ସେଥିପାଇଁ ମାମୁଁ ଘରକୁ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ ।

ଏହିଦିନ ଓଡ଼ିଶାର ପ୍ରମୁଖ ଦେବଦେବୀ ମଧ୍ୟ ‘ପୋରୁହାଁ’ ହେବାର ବିଧି ଅଛି । ଏହି କ୍ରମରେ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ରୀତି ନୀତି ପାଳିତ ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ମାମୁଁ ଘର ଭାବେ ପରିଚିତ ନିଆଳିସ୍ଥିତ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ଏହି ଅବସରରେ ଅର୍ଥାତ ପ୍ରଥମାଷ୍ଟମୀ ପୂର୍ବ ଦିନ ପୋଢ଼ୁଆଁ ଭାର ଆସିଥାଏ । ଶ୍ରୀମନ୍ଦିରରେ ଏହିଦିନ ବଡ଼ଠାକୁର ବଳଭଦ୍ର ଏବଂ ଅନ୍ୟ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି । ସେହିପରି ଜ୍ୟେଷ୍ଠା କନ୍ୟା ଭାବରେ ‘ଭାର୍ଗବୀ’ ବା ମହାଲକ୍ଷ୍ମୀ ମଧ୍ୟ ଏହିଦିନ ପୋରୁହାଁ ହୁଅନ୍ତି ଏବଂ ଏହାପରର ଗୁରୁବାରରେ ମାଣ ବସାଯାଇ ତାଙ୍କର ପୂଜା କରାଯାଇ ଥାଏ ।

ପୁଣି ଏହି ଦିନ ପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ମାମୁଁ ଘର ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ତିଥିରେ ମହାପ୍ରଭୁ ଲିଙ୍ଗରାଜ ତାଙ୍କ ମାମୁଁ ଘର ରୂପେ ପରିଚିତ ଲିଙ୍ଗରାଜ ମନ୍ଦିର ସଂଲଗ୍ନ କପାଳିମଠକୁ ପୋରୁହାଁ ହେବା ପାଇଁ ଯାଇଥାନ୍ତି । ଏହି ମଠର ଆରାଧ୍ୟ ଦେବତା ହେଉଛନ୍ତି ‘ବରୁଣେଶ୍ୱର’ ଓ ‘ବନଦେବୀ’ । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁ-ମାଇଁ ରୂପେ ପ୍ରଖାତ ।

ପ୍ରଥମାଷ୍ଟମୀ ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ - ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ପୂର୍ବରୁ ଏହି ତିଥିରେ କାଳ ଭୈରବଙ୍କର ବ୍ରତ ଓ ପୂଜାର ପ୍ରଚଳନ ଥିଲା । ଏବେ ଏହି ପୂଜା ଲୁପ୍ତ । ତନ୍ତ୍ର ପରମ୍ପରାରେ ପ୍ରଥମାଷ୍ଟମୀର ରାତ୍ରିକୁ ‘ଘୋରରାତ୍ର’ କୁହାଯାଏ । ନବଦୁର୍ଗାଙ୍କ ମଧ୍ୟରୁ କାଳରାତ୍ରି ଅନ୍ୟତମା । ଆଦ୍ୟାଶକ୍ତି କାଳରାତ୍ରି ରୂପେ ଅବତୀର୍ଣ୍ଣା ହୋଇଥିଲେ । ‘ସ୍କନ୍ଦପୁରାଣ’ର ‘କୋଶୀଖଣ୍ଡ’ରେ ଉଲ୍ଲେଖ ଅଛି ଯେ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳ ଭୈରବଙ୍କ ନିକଟରେ ବ୍ରତ, ଉପବାସ ଓ ଜାଗରଣ ଆଦି ସମ୍ପାଦନ କଲେ ପ୍ରାଣୀମାନେ ସର୍ବପାପରୁ ମୁକ୍ତ ହୁଅନ୍ତି । କୁହାଯାଏ ଯେ ଏହି ଦିନ କପାଳିମଠ ପରିସରରେ ଥିବା ପାପନାଶିନୀ ପୁଷ୍କରଣୀର ଜଳ ପାନ କଲେ ପାପକ୍ଷୟ ହେବା ସହ ବନ୍ଧ୍ୟାନାରୀ ସନ୍ତାନବତୀ ହୋଇଥାନ୍ତି । ଓଡିଆ ସଂସ୍କୃତି ଓ ପରମ୍ପରାରେ ପ୍ରଥମାଷ୍ଟମୀ ଏକ ବିରଳ ପର୍ବ ।

Report an Error