ପାର୍ବଣ

ବାର ମାସରେ ତେର ପର୍ବ ପାଳିତ ହେଉଥିବା ଓଡ଼ିଶାରେ କିନ୍ତୁ ପାର୍ବଣର ମଜା ବେଶ ଭିନ୍ନ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶ ଚତୁର୍ଥୀ ପରଠାରୁ ସାରା ଓଡ଼ିଶାରେ ପାର୍ବଣ ଆରମ୍ଭ ହୋଇଯାଏ ।


ଶରତ ଋତୁ ଆସିଗଲେ ଚାରିଆଡେ ପାର୍ବଣମୟ ହୋଇଯାଏ । ଶ୍ରୀଗଣେଶ ପୂଜାଠାରୁ ଓଡ଼ିଶାରେ ପାର୍ବଣ ଋତୁ ଆରମ୍ଭ ହୋଇଯାଏ । ଚାରିଆଡେ ଶୁଭ୍ର, ସ୍ୱଚ୍ଛ ନିର୍ମଳ ଆଉ କାଶତଣ୍ଡୀ ଫୁଲର ସମ୍ଭାର ନେଇ ପ୍ରକୃତି ରାଣୀ ସଜେଇ ହୋଇ ମା'ଙ୍କ ଆଗମନ ପାଇଁ ତତ୍ପର ହୋଇପଡେ । ସେଥିପାଇଁ ତ କବି କହନ୍ତି - “ଭାଦ୍ରଆଶ୍ୱିନ ଶରତରେ ନିର୍ମଳଶୋଭା ଜଗତରେ” । ଶରତ ଋତୁ ପ୍ରକୃତିରେ ନିର୍ମଳ ଓ ସ୍ୱଚ୍ଛତା ଭରିଦିଏ । ଏହି ସମୟରେ ଗଙ୍ଗଶିଉଳି ଓ ଜହ୍ନି ଫୁଲର ବାସ୍ନା ଚାରିଦିଗକୁ ମହକାଇ ଦିଏ । ପୁଣି ଏହି ଋତୁରେ କାଶତଣ୍ଡୀ ଫୁଲ ଆଉ ଏକ ଆକର୍ଷଣ । ଏହି କାଶତଣ୍ଡୀ ଫୁଲ ଶରତ ଋତୁର ଆବାହକ । ଏଇ କାଶତଣ୍ଡୀର ଅପରୂପ ଶୋଭା ପ୍ରାର୍ଚୁଯ୍ୟ ଭିତରେ ଆବିର୍ଭାବ ହୁଅନ୍ତି ମା ଦୁର୍ଗା । ଶାରଦୀୟ ପର୍ବରେ ଓଡିଶା ସମେତ ଭାରତବର୍ଷ ମୁଖରିତ ହୋଇଉଠେ ।

ଉତ୍କଳୀୟ ପର୍ବପର୍ବାଣି ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ । ଏହାର ପାଳନରେ ମଧ୍ୟ ଭିନ୍ନତା ଦେଖିବାକୁ ମିଳେ । ବାର ମାସରେ ତେର ପର୍ବ ପାଳିତ ହେଉଥିବା ଓଡ଼ିଶାରେ କିନ୍ତୁ ପାର୍ବଣର ମଜା ବେଶ ଭିନ୍ନ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଅର୍ଥାତ୍ ଗଣେଶ ଚତୁର୍ଥୀ ପରଠାରୁ ସାରା ଓଡ଼ିଶାରେ ପାର୍ବଣ ଆରମ୍ଭ ହୋଇଯାଏ । ଏହା ପରେ ପରେ ଅର୍ଥାତ ଏହାର ଠିକ ପରଦିନ ଋଷି ପଞ୍ଚମୀ ଦିନ ଓଡିଶାରେ ନୂଆଖାଇ ବା ନବାନ୍ନ ପାଳିତ ହୁଏ । ଏହାପରେ ଷଷ୍ଠୀ ଓଷା, ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ, ବାମନ ଜନ୍ମ, ଅନନ୍ତ ବ୍ରତ, ଇନ୍ଦୁ ପୂର୍ଣ୍ଣିମା ଆଦି ପାଳିତ ହୁଏ । ଇନ୍ଦୁ ପୂର୍ଣ୍ଣିମା ପରଠାରୁ ଆଶ୍ବିନ ମାସ ଆରମ୍ଭ ହୁଏ । ଏହି ମାସର ଆରମ୍ଭରୁ ହିଁ ପିତୃ ପକ୍ଷ ଆରମ୍ଭ ହୋଇଯାଏ । ଏହା ପନ୍ଦର ଦିନ ଯାଏଁ ପାଳନ କରାଯାଇଥାଏ ଓ ଅମାବାସ୍ୟା ଦିନ ମହାଳୟା ଶ୍ରାଦ୍ଧ ଦିଆଯାଇ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରାଯାଏ । ପୁଣି କନ୍ୟା ସଂକ୍ରାନ୍ତି ବା ବିଶ୍ୱକର୍ମା ପୂଜା, ଫୁଲେରୀ ଓଷା ଏହି ମାସରେ ପଡେ । ଏହି ମାସରେ ଆରମ୍ଭ ହୁଏ ମା' ଜଗଜ୍ଜନନୀଙ୍କ ନବଦିନାତ୍ମକ ନବରାତ୍ରି ବା ଶାରଦୀୟ ଦଶହରା । ଆଶ୍ୱିନ ମାସର ମୂଳାଷ୍ଟମୀ ତିଥିଠାରୁ ମା'ଙ୍କର ଷୋଳ ପୂଜା ଅନୁଷ୍ଠିତ ହୁଏ । ଦୁର୍ଗା ପୂଜା ହେଉଛି ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦଠାରୁ ନବମୀ ଯାଏ ବିଶେଷ ଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଏ । ଦଶହରା ପରେ ଭସାଣି ଉତ୍ସବ । କିନ୍ତୁ ଶ୍ୟାମାକାଳୀ ପୂଜା ବା ଦୀପାବଳି ଯାଏଁ ପାର୍ବଣ ଋତୁର ଚମକ ରହିଥାଏ । ଦଶହରା ପରେ ଆସେ କୁଆଁରୀ କନ୍ୟାଙ୍କ ପର୍ବ କୁମାର ପୂର୍ଣ୍ଣମୀ । କୁମାର ପୂର୍ଣ୍ଣମୀ ପରଠାରୁ ଓଡ଼ିଶାରେ ଆରଂଭ ହୁଏ ଧର୍ମ ମାସ କାର୍ତ୍ତିକ । ଏହି ମାସରେ ପୁଣି ମା' ଗଜଲକ୍ଷ୍ମୀଙ୍କ ପୂଜା ପଡେ, ଶ୍ୟାମାକାଳୀ ପୂଜା, ଦୀପାବଳି, ଧନତେରସ, ନରକ ଚତୁର୍ଦ୍ଦଶୀ, ଭାଇ ଦୁଜ, ପଞ୍ଚୁକ ଯାତ୍ରା ଓ ରାସ ପୂର୍ଣ୍ଣିମା ପରି ଅନେକ ପର୍ବମାନ ପାଳିତ ହୁଏ । ରାସ ପୂର୍ଣ୍ଣମୀ ଦିନ ସକାଳୁ ନଦୀ ବା ପୁଷ୍କରଣୀରେ କଦଳୀ ପାଟୁକାରେ ଡଙ୍ଗା କରି ଭସାଇ ଦେଇ ମହା କାର୍ତ୍ତିକକୁ ବିଦାୟ ଦିଆଯାଇ ମାର୍ଗଶିର ମାସକୁ ନିମଂତ୍ରଣ କରାଯାଏ ।

ଓଡ଼ିଶାରେ ପାର୍ବଣର ମାହୋଲ ବେଶ ଭିନ୍ନ । ଓଡିଶାରେ ପାର୍ବଣ କେବଳ ପୂଜା, ଆନନ୍ଦ ଓ ଉଲ୍ଲାସ ଭିତରେ ସୀମିତ ରହେ ନାହିଁ, ଓଡ଼ିଶାରେ ପାର୍ବଣ ସୃଜନ ପାଇଁ ମଧ୍ୟ ଏକ ନୂଆ ଆଶା ଆଉ ସମ୍ଭାବନା ନେଇ ଆସେ । ଏହି ପାର୍ବଣ ଋତୁରେ ଓଡ଼ିଶାରେ ବିଭିନ୍ନ ପତ୍ରପତ୍ରିକାମାନଙ୍କର ନବକଳେବର ଦେଖିବାକୁ ମିଳେ । ଓଡ଼ିଆ ପତ୍ରପତ୍ରିକାଗୁଡିକର ପୂଜାସଂଖ୍ୟା ଆମ ପାର୍ବଣକୁ ଆହୁରି ରୁଦ୍ଧିମନ୍ତ କରେ । ତେବେ ଓଡ଼ିଶାରେ ପାର୍ବଣ ଏକ ଭିନ୍ନ ଅନୁଭବ, ଆସନ୍ତୁ ଏହି ପାର୍ବଣର ମହକରେ ମହକିତ ହାେଇଯିବା ।

Report an Error