ଦେବୀଙ୍କ ନବମ ସ୍ବରୂପ - ସିଦ୍ଧିଦାତ୍ରୀ

ଶାରଦୀୟ ନବରାତ୍ରୀର ଆଜି ନବମ ଦିନ । ଏହି ଦିନ ମା' ଦୁର୍ଗାଙ୍କ ନବମ ସ୍ଵରୂପକୁ ପୂଜା କରାଯାଏ । ସିଦ୍ଧିଦାତ୍ରୀ ରୂପରେ ଆଜି ପୂଜା ପାଉଛନ୍ତି ମା' ଦୁର୍ଗା ।


ଯା ଦେବୀ ସର୍ବଭୂତେଷୁ ମା' ସିଦ୍ଧିଦାତ୍ରୀ ରୂପେଣ ସଂସ୍ଥିତା।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।

ଶାରଦୀୟ ନବରାତ୍ରୀର ଆଜି ନବମ ଦିନ । ଏହି ଦିନ ମା' ଦୁର୍ଗାଙ୍କ ନବମ ସ୍ଵରୂପକୁ ପୂଜା କରାଯାଏ । ନବରାତ୍ରୀର ଅନ୍ତିମ ଦିନରେ ସିଦ୍ଧିଦାତ୍ରୀ ରୂପରେ ପୂଜା ପାଆନ୍ତି ଦେବୀ । ସିଦ୍ଧିର ଅର୍ଥ ହେଉଛି ସିଦ୍ଧତା ଏବଂ ଦାତ୍ରୀର ଅର୍ଥ ହେଉଛି ଦାତା । ଯାହାର ଅର୍ଥ ହେଉଛି ସଫଳତାର ଦେବୀ । ଅଷ୍ଟସିଦ୍ଧିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ସିଦ୍ଧିଦାତ୍ରୀ । ପଦ୍ମାସନରେ ଅଧିଷ୍ଠାତ୍ରୀ ଜଗଦ୍ଧାତ୍ରୀ, ହାସ୍ୟବଦନା, ସିଦ୍ଧିଦାତ୍ରୀ ଓ ଦୁଃଖ ମୋଚନକାରିଣୀ ଅଟନ୍ତି ।

ପୁରାଣରେ ବର୍ଣ୍ଣିତ ଭଗବାନ ଶିବ କଠିନ ତପସ୍ୟା କରି ମା' ସିଦ୍ଧିଦାତ୍ରୀଙ୍କ ଠାରୁ ସିଦ୍ଧି ପ୍ରାପ୍ତ କରିଥିଲେ । ଏହା ସହ ମା' ସିଦ୍ଧିଦାତ୍ରୀଙ୍କ କୃପାରୁ ମହାଦେବଙ୍କ ଅଧା ଶରୀର ଦେବୀଙ୍କ ସ୍ଵରୂପ ହୋଇଯାଇଥିଲା । ମହାଦେବ ଅର୍ଦ୍ଧନାରୀଶ୍ଵର ରୂପରେ ପୂଜା ପାଇଥିଲେ । ନବରାତ୍ରୀର ନବମ ଦିନରେ ସିଦ୍ଧିଦାତ୍ରୀଙ୍କ ପୂଜାରେ ନବାନ୍ନ ପ୍ରସାଦ ଏବଂ ନଅ ପ୍ରକାରର ଫଳ ଫୁଲ ଆଦି ଅର୍ପଣ କରି ସମାପନ କରାଯାଏ । ମହାନବମୀ ଅବସରରେ ମହାମାୟାଙ୍କ ନିକଟରେ କନ୍ୟା ପୂଜନର ପରମ୍ପରା ରହିଛି । ନବମୀ ଦିନ କୁଆଁରୀ କନ୍ୟା ପୂଜନ କଲେ ମା’ ଦୁର୍ଗା ପ୍ରସନ୍ନ ହୁଅନ୍ତି । କୁଆଁରୀ କନ୍ୟାଙ୍କୁ ମାତାଙ୍କ ପ୍ରତୀକ ଭାବେ ପୂଜା କରାଯାଏ ।

ନବରାତ୍ରୀଙ୍କ ଅନ୍ତିମ ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ଦିନରେ ମହିଷାସୁରର ବଧ କରିଥିଲେ ମା' ଦୁର୍ଗା । ମା' ଲକ୍ଷ୍ମୀଙ୍କ ଭଳି ମା' ସିଦ୍ଧିଦାତ୍ରୀ କମଳ ଉପରେ ବିରାଜମାନ କରନ୍ତି । ଚତୁର୍ଭୁଜା ମା' ହସ୍ତରେ ଗଦା, କମଳ, ଶଙ୍ଖ, ଫୁଲ ଧାରଣ କରିଥାନ୍ତି । ସିଦ୍ଧିଦାତ୍ରୀ ହେଉଛନ୍ତି ଦେବୀ ତପସ୍ଵୀର ସ୍ଵରୂପ । ଆଜିର ଦିନରେ ବିଶେଷ ମନ୍ତ୍ରରେ ମା'ଙ୍କୁ ଷୋଡଶ ଉପଚାର ବିଧାନରେ ବିଲ୍ଵପତ୍ର ଓ ପୁଷ୍ପ ଅର୍ପଣ କରିବାର ବିଧାନ ରହିଛି । ଏହାଦ୍ୱାରା ଦେବୀ ପ୍ରସନ୍ନତା ଲାଭ କରିଥାନ୍ତି । ମା'ଙ୍କର ଏହି ସ୍ୱରୂପକୁ ପୂଜା କଲେ ମନୋସ୍କାମନା ପୂରଣ ହୁଏ । ମା'ସିଦ୍ଧିଦାତ୍ରୀଙ୍କ ଉପାସନା କଲା ପରେ ମାତା ପୂର୍ଣ୍ଣ ଉପାସନାର ସକଳ ସିଦ୍ଧି ପ୍ରଦାନ କରିଥାନ୍ତି । ସକଳ କାମନା ପୂର୍ଣ୍ଣ ହୋଇଥାଏ । ପୂଜା ମଣ୍ଡପଗୁଡିକରେ ଭକ୍ତିମୟ ପରିବେଶ ମଧ୍ୟରେ ଜଗତଜନନୀ ମା’ ଦୁର୍ଗାଙ୍କର ମହାନବମୀ ପୂଜା ଅନୁଷ୍ଠିତ ହେଉଛି । ଶ୍ଳାେକ ଓ ଚଣ୍ଡୀପାଠରେ କମ୍ପୁଛି ବିଭିନ୍ନ ପୂଜାମଣ୍ଡପ । ମହାନବମୀରେ ମହାମାୟାଙ୍କ ପୂଜାର୍ଚ୍ଚନା ଲାଗି ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି ।

Report an Error