ଆଜି ହେରା ପଞ୍ଚମୀ

ଆଜି ହେରା ପଞ୍ଚମୀ । ପରମ୍ପରା ଅନୁଯାୟୀ, ଆଜି ସଂଧ୍ୟାରେ ମହାଲକ୍ଷ୍ମୀ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯିବେ । ସେଠାରେ ପରମ୍ପରା ମୁତାବକ ରଥ ଭାଙ୍ଗି ପୁଣି ଶ୍ରୀମନ୍ଦିର ଫେରିବେ ।


ଜଗନ୍ନାଥ ସଂସ୍କୃତିରେ ମାତା ଲକ୍ଷ୍ମୀ ଏକ ଗୌରବାବହ ଭୂମିକା ଗ୍ରହଣ କରନ୍ତି । ମହାଲକ୍ଷ୍ମୀ ହିଁ ଏହି ଅନନ୍ୟ ସଂସ୍କୃତିର ପ୍ରେରଣାଦାତ୍ରୀ ଅଟନ୍ତି । ଶ୍ରୀଜଗନ୍ନାଥଙ୍କ ଏହି ମାନବୀୟ ଲୀଳାରେ ଆମ ସାମାଜିକ ଚଳଣି ଦେଖିବାକୁ ମିଳେ । ତାଙ୍କ ନିତ୍ୟ ପୂଜା ପଦ୍ଧତି ହେଉ ଅଥବା ଅନ୍ୟ କିଛି ବିଶେଷ ଦିନ ସବୁଥିରେ ଆମ ପରମ୍ପରାର ପ୍ରତିଛବି ଦେଖିବାକୁ ମିଳେ । ଠିକ ସେମିତି ହେରା ପଞ୍ଚମୀ ଆମ ସଂସ୍କୃତିରେ ଆଉ ଏକ ପ୍ରତିଛବି । ଏଥିରେ ଆମ ସମାଜରେ ଥିବା ମଧୁର ଦାମ୍ପତ୍ୟର ଏକ ଭିନ୍ନ ଝଲକ ଦେଖିବାକୁ ମିଳେ । ମହାପ୍ରଭୁ ଭାଇ ଓ ଭଉଣୀଙ୍କୁ ଧରି ବୁଲିବାକୁ ଯାନ୍ତି ମାତ୍ର ସାଙ୍ଗରେ ପ୍ରାଣପ୍ରିୟା ଲକ୍ଷ୍ମୀଙ୍କୁ ନିଅନ୍ତି ନାହିଁ । ଏହା ଦେଖି ମହାଲକ୍ଷ୍ମୀ ରୋଷ କରନ୍ତି । ହେରା ପଞ୍ଚମୀ ଦିନ ମହାଲକ୍ଷ୍ମୀ ଜଗନ୍ନାଥଙ୍କ ଉପରେ ରାଗ ଶୁଝାନ୍ତି । ପରମ୍ପରା ମୁତାବକ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିଜେ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘାେଷକୁ ଭାଙ୍ଗି ରାଗ ଶୁଝାନ୍ତି ।

ଆଜି ହେରା ପଞ୍ଚମୀ । ପରମ୍ପରା ଅନୁଯାୟୀ, ଆଜି ସଂଧ୍ୟାରେ ମହାଲକ୍ଷ୍ମୀ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯିବେ। ଘଣ୍ଟଘଣ୍ଟା, କାହାଳୀ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବେ। ସେଠାରେ ପରମ୍ପରା ମୁତାବକ ରଥ ଭାଙ୍ଗି ପୁଣି ଶ୍ରୀମନ୍ଦିର ଫେରିବେ । ହେରାପଞ୍ଚମୀ ନୀତିପରେ ବୁଧବାରଠାରୁ ବାହୁଡାଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ । ହେରା ପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନି ଜଣ ପାଳିଆ ପୂଜା ପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହାଳୀ ସହ ତିନି ରଥକୁ ଉକ୍ତ ଆଜ୍ଞାମାଳ ପ୍ରଦାନ କରିଥାନ୍ତି । ଏହା ପରେ ତିନି ରଥର ଦକ୍ଷିଣ ମୋଡ଼ ହୋଇଥାଏ ।

ତେବେ ହେରା” ଶବ୍ଦର ଅର୍ଥ ଦର୍ଶନ ଏବଂ “ପଞ୍ଚମୀ” ଶବ୍ଦର ଅର୍ଥ ପଞ୍ଚମ ଦିନ । ପୌରାଣିକ ଆଖ୍ୟାନ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରାର ଏକ ଦିନ ପରେ ମାଉସୀ ମାଙ୍କ ଘରୁ ଶ୍ରୀମନ୍ଦିରକୁ ଫେରି ଆସିବେ ବାେଲି ମା ଲକ୍ଷ୍ମୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ମହାପ୍ରଭୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଯେତେବେଳେ ନ ଫେରନ୍ତି ମା ଲକ୍ଷ୍ମୀ ଅତ୍ୟନ୍ତ କ୍ରୋଧ କରନ୍ତି । ହେରା ପଞ୍ଚମୀ ଦିନ ମା ଲକ୍ଷ୍ମୀ ଅନ୍ଧାର ରାତିରେ ଏକ ପାଲିଙ୍କିରେ ବସି ମାଉସୀ ମା ମନ୍ଦିରକୁ ଆସନ୍ତି । ମହାପ୍ରଭୁଙ୍କୁ ଗୋପନୀୟ ଭାବେ ଦର୍ଶନ କରିବା ପରେ ମହାପ୍ରଭୁଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ରାଗରେ ନନ୍ଦିଘୋଷ ରଥର କାଠଭାଙ୍ଗି ଦିଅନ୍ତି । ଏହାପରେ ଅଭିମାନିନୀ ମହାଲକ୍ଷ୍ମୀ ବଡ଼ଦାଣ୍ଡ ବାଟରେ ନଫେରି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରନ୍ତି । ପୁଣି ଆଜି ଦିନରେ ବିପତ୍ତିହାରିଣୀ ବ୍ରତ ମଧ୍ୟ ପାଳନ କରାଯାଏ । ସ୍ୱାମୀଙ୍କର ମଙ୍ଗଳ ମନାସି ସଧବା ସ୍ତ୍ରୀମାନେ ଏହି ବ୍ରତ ପାଳନ କରିଥାନ୍ତି ।

ସେହିପରି ନୀଳାଦ୍ରି ବିଜୟ ଦିନ ଯେତେବେଳେ ମହାପ୍ରଭୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଉପକ୍ରମ କରନ୍ତି ସେଠାରେ ମହାଲକ୍ଷ୍ମୀ କବାଟ କିଳନ୍ତି । ଶେଷରେ ପ୍ରଭୁ ମାତାଙ୍କ ପାଖରେ ହାର ମାନି ତାଙ୍କୁ ବୁଝେଇବା ପାଇଁ ରସଗୋଲା ଉପହାର ଭାବେ ଦିଅନ୍ତି । ଶେଷରେ ମା ଲକ୍ଷ୍ମୀଙ୍କ ମାନଭଂଜନ ହୋଇଥାଏ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଏହି ପର୍ବମାନଙ୍କରେ ସ୍ୱାମୀ - ସ୍ତ୍ରୀଙ୍କର ପବିତ୍ର ସମ୍ପର୍କରେ ଥିବା ସ୍ନେହ, ପ୍ରେମ, ରାଗରୁଷା ପ୍ରତିଫଳିତ ହୋଇଥାଏ ।

Report an Error