ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା

ଆଶ୍ଵିନ ମାସରେ ମାଆ ମହାମାୟାଙ୍କ ପୂଜା ହେଉଥିବାବେଳେ ଆଶ୍ଵିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀଙ୍କୁ ଆବାହନ କରାଯାଏ । ଓଡିଶାରେ ଏହା ବେଶ ସ୍ବତନ୍ତ୍ର କାରଣ ଏହିଦିନରେ ମାତା ଲକ୍ଷ୍ମୀଙ୍କ ପୂଜା ସହ ଘରେ ଘରେ କୁମାରୀମାନେ କୁମାର ପୂର୍ଣ୍ଣିମା ଓଷା ପାଳନ କରନ୍ତି ।


ଓଡ଼ିଶାରେ ବାରମାସରେ ତେର ପର୍ବ । ଆଶ୍ଵିନ ମାସରେ ମାଆ ମହାମାୟାଙ୍କ ପୂଜା ହେଉଥିବାବେଳେ ଆଶ୍ଵିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀଙ୍କୁ ଆବାହନ କରାଯାଏ । ବର୍ଷରେ ମୁଖ୍ୟତଃ ଲକ୍ଷ୍ମୀପୂଜା ତିନିଥର ହାେଇଥାଏ । ମାର୍ଗଶିର ମାସ ଗୁରୁବାରରେ, କାର୍ତ୍ତିକ ମାସ ଦୀପାବଳି ଅମାବାସ୍ଯା ଏବଂ ଆଶ୍ୱିନ ପୂର୍ଣ୍ଣିମାରେ ଲକ୍ଷ୍ମୀଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ । ଏହାବ୍ୟତୀତ କେତେକଙ୍କ ଘରେ ସୁଦଶା ବ୍ରତରେ, ଧନୁ ସଂକ୍ରାନ୍ତି ଓ ମକର ସଂକ୍ରାନ୍ତିରେ ମଧ୍ୟ ଲକ୍ଷ୍ମୀ ପୂଜା ହୋଇଥାଏ । ଏସବୁ ପୂଜା ଭିତରେ କୁମାର ପୂର୍ଣ୍ଣିମାରେ ହେଉଥିବା ଗଜଲକ୍ଷ୍ମୀ ପୂଜା ସ୍ଵତନ୍ତ୍ର । ଓଡିଶାରେ ଏହା ବେଶ ସ୍ବତନ୍ତ୍ର କାରଣ ଏହିଦିନରେ ମାତା ଲକ୍ଷ୍ମୀଙ୍କ ପୂଜା ସହ ଘରେ ଘରେ କୁମାରୀମାନେ କୁମାର ପୂର୍ଣ୍ଣିମା ଓଷା ପାଳନ କରନ୍ତି ।

ମହାଲକ୍ଷ୍ମୀଙ୍କର ପୂଜା ପରମ୍ପରା ଅତି ପ୍ରାଚୀନ । ବୈଦିକ ଯୁଗରୁ ଏ ପୂଜା ପ୍ରଥା ଚଳି ଆସିଛି ବୋଲି ପ୍ରମାଣ ରହିଛି । ଅଷ୍ଟାଦଶ ପୁରାଣର ରଚୟିତା ମହର୍ଷି ବ୍ୟାସଦେବ ପଦ୍ମପୁରାଣରେ ଅତିସୁନ୍ଦର ଭାବରେ ମହାଲକ୍ଷ୍ମୀଙ୍କର ମହିମା ଗାନ କରିଛନ୍ତି । ବିଷ୍ଣୁପୁରାଣ, ପଦ୍ମପୁରାଣ, ବ୍ରହ୍ମବୈବର୍ତ୍ତ ପୁରାଣ, ଭାଗବତ ଆଦି ପୁରାଣରେ ମାଆ ମହାଲକ୍ଷ୍ମୀଙ୍କର ବର୍ଣ୍ଣନା ରହିଛି ।

ଲକ୍ଷ୍ମୀପୁରାଣ ବର୍ଣ୍ଣିନା ଅନୁସାରେ ସତ୍ୟଯୁଗରେ ଦେବତା ଓ ଦାନବମାନେ ସମୁଦ୍ର ମନ୍ଥନ କରିଥିଲେ । ସମୁଦ୍ର ମନ୍ଥନରୁ ଅନେକ ଦୁର୍ମୂଲ୍ୟ ଦ୍ରବ୍ୟ ପ୍ରାପ୍ତ ହୋଇଥିଲା । ସେହି ମନ୍ଥନରୁ ଆଦ୍ୟାଶକ୍ତି ଜଗତଜନନୀ ଲକ୍ଷ୍ମୀ ଆବିର୍ଭୂତା ହୋଇଥିଲେ । ଗଜଲକ୍ଷ୍ମୀ ହେଉଛନ୍ତି ଜଳାଧିପତି ବରୁଣଙ୍କ କନ୍ୟା । ଭଗବାନ ବିଷ୍ଣୁଙ୍କର ପାଣିଗ୍ରହଣ ପରେ ଲକ୍ଷ୍ମୀ ତ୍ରିପୁରରେ ବିଜିତା ହେଲେ । ମାଆଙ୍କ ଉଭୟ ପାର୍ଶ୍ୱରେ ୨ଟି ଗଜହସ୍ତ ଜଳାଭିଷେକ ମୁଦ୍ରାରେ ଦଣ୍ଡାୟମାନ ରହିଥିବାରୁ ମାଆଙ୍କୁ ଗଜଲକ୍ଷ୍ମୀ ଭାବେ ଆରାଧନା କରାଯାଏ । କେବଳ ହିନ୍ଦୁ ଧର୍ମ ନୁହେଁ ବୌଦ୍ଧ ଧର୍ମରେ ମଧ୍ୟ ଗଜଲକ୍ଷ୍ମୀଙ୍କ ଉପାସନା ପ୍ରଚଳିତ ରହିଛି । ମା’ଲକ୍ଷ୍ମୀ ହେଉଛନ୍ତି ଧନଦା ଏବଂ ସୁଖଦା । ପୁଣି ସିଏ ସମଗ୍ର ଜଗତର ଅନ୍ନଦାତ୍ରୀ । ବୈଭବ ଓ ସମୃଦ୍ଧିର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ । ଆଜିର ଏ ପବିତ୍ର ଦିବସରେ ମାତା ଲକ୍ଷ୍ମୀଙ୍କ ସହ ଏହି ଦିନରେ ଚନ୍ଦ୍ର ମଧ୍ୟ ସମୁଦ୍ରରୁ ଆବିର୍ଭୂତ ହୋଇଥିବାରୁ ସ୍ଥାନେ ସ୍ଥାନେ ତାଙ୍କର ସ୍ୱତନ୍ତ୍ର ପୂଜା ଆୟୋଜିତ ହୋଇଥାଏ ।

ଓଡ଼ିଶାରେ ଆଶ୍ଵିନ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣମୀ ଭାବରେ ପାଳନ କରାଯାଏ । ଏହା ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ରୂପେ ବିବେଚନା କରାଯାଏ । କୁଆଁରୀମାନଙ୍କର ଏହି ପର୍ବଟି ହେଉଛି ସବୁଠୁ ବଡ଼ ପର୍ବ । ଏହି ଦିନ କୁମାରୀମାନେ ଚନ୍ଦ୍ର ପରି ସୁନ୍ଦର ଓ ଶୀତଳ ସ୍ବଭାବର ବର ପାଇବା ଉଦ୍ଦେଶ୍ୟରେ ଚନ୍ଦ୍ର ପୂଜା କରିଥାନ୍ତି ।

କୁମାର ପୂର୍ଣ୍ଣିମା ଦିନ ସୂର୍ଯ୍ୟ ଉଦୟ ହେବା ଆଗରୁ କୁଆଁରୀ ଝିଅମାନେ ଉଠି ଗାଧୋଇ ପାଧୋଇ ସୂର୍ଯ୍ୟକୁ ଆଞ୍ଜୁଳି ଟେକନ୍ତି । ଲିଆ ସହ ନଡ଼ିଆ, ଗୁଆ, କଦଳୀ, ଆଖୁ, କଷି କାକୁଡି, କଷି ଜହ୍ନି ପରି ସାତ ପ୍ରକାରର ଫଳ ସୂର୍ଯ୍ୟ ଦେବତାଙ୍କୁ ଟେକନ୍ତି । ତେବେ ଓଡ଼ିଶାର କେତେକ ଅଞ୍ଚଳରେ ଏହି ଆଞ୍ଜୁଳା ଟେକା ବିଧି ପାଳନ କରାଯାଏ ନାହିଁ । ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି । ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରା ପୂଜା କରିଥାନ୍ତି । ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବ‌ହୃତ ହୋଇଥାଏ ।

ଏହି ପୂଜାର ମୁଖ୍ଯ ଆକର୍ଷଣ ହେଉଛି ଚାନ୍ଦ ଚକଟା । ଏହି ଦିନ ସନ୍ଧ୍ଯାରେ ଚଉରା ମୂଳେ ଚାନ୍ଦ ପୂଜା କରାଯାଏ । ଏହି ପୂଜାରେ ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ଏହାକୁ ଏକ ଥାଳିରେ ଚାନ୍ଦ ଆକାରରେ ଆକୃତି ଦେଇ ସେଥିରେ ଫୁଲ ଦୁବ ଦେଇ ଚନ୍ଦ୍ରଦେବତାଙ୍କୁ ଟେକାଯାଏ । କୁହାଯାଏ ଯାହାର ଚାନ୍ଦ ଯେତେ ସୁନ୍ଦର ହେବ ତାକୁ ସେତେ ସୁନ୍ଦର ବର ମିଳିବ । ଏହି ପର୍ବରେ ପ୍ରାୟତଃ ମଣ୍ଡା ପିଠା କରାଯାଏ । ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନ‌ଙ୍କୁ ଶଙ୍ଖ ଓ ହୁଳହୁଳି ସ‌ହ ଦୀପରେ ବନ୍ଦାଇ ଦିଆଯାଏ । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ଉପବାସ ଭାଙ୍ଗିଥାନ୍ତି । ନବବିବାହିତା ଝିଅମାନେ ଶେଷଥର ପାଇଁ ଏହି ପୂଜା କରିଥାନ୍ତି । ଏଥିପାଇଁ ଝିଅମାନଙ୍କ ଶାଶୁଘରୁ ଭାର ସହ ନୂତନ ବସ୍ତ୍ର, ଅଳଙ୍କାର ଆଦି ଆସିଥାଏ । ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସୁଛନ୍ତି । ସେହିପରି ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଯେଉଁ କୁମାରୀ କନ୍ୟାମାନେ ଜହ୍ନି ଓଷା କରିଥାନ୍ତି, ସେମାନେ କୁମାର ପୂର୍ଣ୍ଣିମା ଦିନ ଜହ୍ନି ଓଷାକୁ ଉଦ୍‌ଯାପନ କରିଥାନ୍ତି ।

ଗାଁ ଗ‌ହଳିର ଝିଅମାନେ କୁଆଁର ପୁନେଇଁ ଗୀତ ଗାଇ ପୁଚି ଖେଳିଥାନ୍ତି । ପୁଅମାନେ ପଶା ଓ ତାସ୍ ଖେଳି ମନୋରଞ୍ଜନ କରିଥାନ୍ତି । କେଉଁଠି କେଉଁଠି ଏହି ଅବସରରେ କେତେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥାଏ । ଏହି ପର୍ବଟି କେବଳ ଓଡ଼ିଶାରେ ନୁହେଁ, ସାରା ଭାରତର ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ । ତେବେ ଏହି ଦିନଠାରୁ ପ୍ରାୟ ପନ୍ଦର ଦିନ ଧରି ଓଡ଼ିଶାର ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୁଏ । ଶରତର ସ୍ୱଚ୍ଛ ନିର୍ମଳ ଚନ୍ଦ୍ର କିରଣରେ ଆଶ୍ଵିନ ମାସକୁ ବିଦାୟ ଦେଇ ଧର୍ମ ମାସ କାର୍ତ୍ତିକକୁ ସ୍ୱାଗତ କରାଯାଏ । ଅର୍ଥାତ୍ ଏହି ପୂର୍ଣ୍ଣିମାଠାରୁ ଓଡିଶାରେ ଧର୍ମ ମାସ କାର୍ତ୍ତିକର ପାଳନ ହୁଏ ।

Report an Error