ଡଙ୍ଗାଭସା ପର୍ବ ଓ ବାଲିଯାତ୍ରା

କାର୍ତ୍ତିକ ପୂର୍ଣ୍ଣମୀ ହିନ୍ଦୁମାନଙ୍କ ପାଇଁ ଗୋଟିଏ ପବିତ୍ର ଦିବସ । ଏହିଦିନ ଉପକୂଳବର୍ତ୍ତୀ ଓଡ଼ିଶାରେ ବୋଇତ ବନ୍ଦାଣ କରାଯାଏ । ସାଧବପୁଅର ବୋଇତ ଯାତ୍ରାର ସ୍ମରଣ ଉଦ୍ଦେଶ୍ୟରେ ପାଳିତ ହୁଏ ଡଙ୍ଗାଭସା ପର୍ବ ।


ଧର୍ମୀୟ ବିଶ୍ୱାସ ଓ ପୌରାଣିକ ପ୍ରାସଂଗିକତା ସହିତ କାର୍ତ୍ତିକ ପୂର୍ଣ୍ଣମୀର ଐତିହାସିକ ତାତ୍ପର୍ଯ୍ୟ ମଧ୍ୟ ଓଡ଼ିଶାର ସାଂସ୍କୃତିକ ଜୀବନକ୍ଷେତ୍ରରେ ଦୀର୍ଘକାଳରୁ ଉପଲବ୍ଧ । ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଆମକୁ ସ୍ମରଣ କରାଇଦିଏ ପ୍ରାଚୀନ ଉତ୍କଳର ସମୃଦ୍ଧ ସାଧବ ସଂସ୍କୃତି ଓ ବର୍ଣ୍ଣାଢ଼୍ୟ ବୋଇତ ବନ୍ଦାଣ ପରମ୍ପରାର ଦୃଢ଼ ଗୌରବଗାଥା । କାର୍ତ୍ତିକ ପୂର୍ଣ୍ଣମୀ ଓଡ଼ିଆ ଜାତିର ଏକ ଶ୍ରେଷ୍ଠ ପର୍ବ ।

ଓଡ଼ିଆ ପରମ୍ପରାରେ ‘ଆ, କା, ମା, ବୈ’ ଚାରିମାସକୁ ଧର୍ମମାସ ବୋଲି ମନେ କରାଯାଏ । କାର୍ତ୍ତିକ ମାସଯାକର ବ୍ରତ ପାଳନ ପରେ ଏହି ଦିନ ‘ଆ, କା, ମା, ବୈ’ - ପାନଗୁଆ ଥୋଇ - ପାନଗୁଆ ତୋର - ମାସକ ଧରମ ମୋର ଶବ୍ଦରେ ମୁଖରିତ ହୋଇଉଠେ ତୁଠଘାଟ । ବଡିଭାେରରୁ ସ୍ନାନ ସାରି ପାନଗୁଆ ବଦଳରେ ମାସକ ଯାକର ପୁଣ୍ୟ ଆଶା କରେ ଓଡ଼ିଆ । ଏଇ ତ ହେଉଛି ଓଡ଼ିଆ ପରମ୍ପରାର ନିଆରାପଣ । ଓଡ଼ିଶାର ଇତିହାସ ପ୍ରାଚୀନ ଓ ଗୌରବମୟ । କଳା, ସାହିତ୍ୟ, ସଂସ୍କୃତି, ଦର୍ଶନ ଓ ବାଣିଜ୍ୟରେ ଏହା ଦିନେ ସମଗ୍ର ପୃଥିବୀରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା । ସେଥିପାଇଁ ତ କୁହାଯାଏ - “ଉତ୍କଳସ୍ୟ ସମଦେଶ ଦେଶନାସ୍ତି ମହୀତଳେ’’ । ତତ୍‌କାଳୀନ ଓଡ଼ିଆ ଜାତିର ପ୍ରାଣ ଥିଲା ବାଣିଜ୍ୟ ବୋଇତ । ସେଥିପାଇଁ ସାଧବପୁଅର ବୋଇତ ଯାତ୍ରାର ସ୍ମରଣ ଉଦ୍ଦେଶ୍ୟରେ ପାଳିତ ହୁଏ ଡଙ୍ଗାଭସା ପର୍ବ ।

କାର୍ତ୍ତିକ ପୂର୍ଣ୍ଣମୀ ହିନ୍ଦୁମାନଙ୍କ ପାଇଁ ଗୋଟିଏ ପବିତ୍ର ଦିବସ ହୋଇଥିବାରୁ ଏବଂ ଏହାପରଠାରୁ ପାଲଟଣା ଜାହାଜରେ ଯାତ୍ରା କରିବା ପାଇଁ ମୌସୁମୀ ବାୟୁ ସହାୟକ ହେଉଥିବାରୁ, ସାଧବମାନେ ଏହିଦିନ ନୌଯାତ୍ରା ଆରମ୍ଭ କରୁଥିଲେ । ସାଧବ ପୁଅମାନେ ବୋଇତରେ ନାନାବିଧ ସାମଗ୍ରୀ ବୋଝେଇ କରି ଜାଭା, ବୋର୍ଣ୍ଣିଓ, ସୁମାତ୍ରା ଆଦି ଦ୍ୱୀପପୁଞ୍ଜକୁ ବାଣିଜ୍ୟ କରିବାକୁ ଯାତ୍ରା ଆରମ୍ଭ କରୁଥିଲେ । ଏହାର ସ୍ମୃତିରେ ଆମେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ବାଲିଯାତ୍ରା ଉତ୍ସବ, ବାେଇତ ବନ୍ଦାଣ ଉତ୍ସବ ଆଦି ପାଳନ କରିଆସୁଛେ ।

କେହି କେହି କୁହନ୍ତି ଯେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରୀଚୈତନ୍ୟ କଟକରେ ବିରାଜମାନ କରି ଉଦ୍ଦଣ୍ଡ କୀର୍ତ୍ତନ ପୂର୍ବକ ବିଭୁ ପ୍ରେମରେ ଆତ୍ମ ବିସ୍ମୃତ ହୋଇ ପୁଣ୍ୟତାେୟା ମହାନଦୀର ବାଲିଘାଟରେ ଗଡ଼ି ଗଡ଼ି ଲୋଟି ଯାଇଥିଲେ । ସେଇଦିନଠାରୁ ଏ ପବିତ୍ର ଘାଟ ଗଡ଼ଗଡ଼ିଆ ଘାଟ ରୂପେ ବିଦିତ ଏବଂ ସେଇ ଅବିସ୍ମରଣୀୟ ସ୍ମୃତିକୁ ସାଉଁଟି ରଖିବାକୁ ଯେଉଁ ଉତ୍ସବର ଆୟୋଜନ କରାଯାଇଥିଲା, ତାହା ହେଉଛି ବାଲିଯାତ୍ରା । ତେବେ ଓଡ଼ିଶାର ନୌବାଣିଜ୍ୟର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।

ବିଶେଷକରି ଉପକୂଳବର୍ତ୍ତୀ ଓଡ଼ିଶାରେ ଏହି ଦିନ ବୋଇତ ବନ୍ଦାଣ କରାଯାଏ । ଏହି ପରମ୍ପରା ହେଉଛି ଅତି ପ୍ରାଚୀନ । ସାରଳା ମହାଭାରତ (ପଞ୍ଚଦଶ ଶତାବ୍ଦୀ)ର ଆଦିପର୍ବରେ ଏ ସମ୍ପର୍କରେ ଲେଖାଅଛି । ସେହିପରି କାର୍ତ୍ତିକ ମାସର ପୂର୍ଣ୍ଣମୀ ଦିନରେ ଜାହାଜକୁ ପୂଜା କରି ବନ୍ଦରରୁ ବିଦାୟ ଦେବା ପରମ୍ପରା ଊନବିଂଶ ଶତାବ୍ଦୀରେ ମଧ୍ୟ ପ୍ରଚଳିତ ଥିବା ଫକୀରମୋହନ ସେନାପତିଙ୍କ ‘କମଳାପ୍ରସାଦ ଗୋରାପ’ ଗଳ୍ପରୁ ଜଣାପଡ଼େ । ଆହୁରି ମଧ୍ୟ ଉପେନ୍ଦ୍ର ଭଞ୍ଜଙ୍କ ‘ଲାବଣ୍ୟବତୀ’ରେ ମଧ୍ୟ ନୌବାଣିଜ୍ୟର ବର୍ଣ୍ଣନା ରହିଛି । ଓଡ଼ିଆ କଥା ସାହିତ୍ୟ ତଥା ଲୋକପ୍ରିୟ ତଅପୋଇ କିମ୍ବଦନ୍ତୀ ହେଉଛି ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟର ଏକ ପ୍ରମାଣ । ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ଓଡ଼ିଶାକୁ ଧନଶାଳୀ ଓ ସମୃଦ୍ଧ କରିବା ସହିତ ଓଡ଼ିଶାର ସଂସ୍କୃତିକୁ ଦୂର ଦୂରାନ୍ତର ଦେଶରେ ପ୍ରସାର କରିଥିଲା । ଏହାଦ୍ୱାରା ଆଫ୍ରିକା, ରୋମ୍‌ ଓ ଏସିଆ ମହାଦେଶର ଅନେକ ଦେଶରେ ଓଡ଼ିଆ ସଂସ୍କୃତିର ପ୍ରସାର ଘଟିଥିଲା । କର୍ପୂର ଉଡିଯାଇଥିଲେ ସୁଦ୍ଧା କନା ଅଛି । ଆମର ପ୍ରାଚୀନ ନୌବାଣିଜ୍ୟର ସ୍ମୃତି ହେଉଛି ଆଜିର ବାଲିଯାତ୍ରା ଓ ଖୁଦୁରୁକୁଣୀ ଓଷା । ତେବେ ସେକାଳ ଓ ଏକାଳର ବାଲିଯାତ୍ରା ମଧ୍ୟରେ ବହୁତ ଫରକ୍‌ । ସେତେବେଳେ ହାଣ୍ଡି ମାଠିଆ, ଝାଡ଼ୁ, ବିଞ୍ଚଣା, କାଠ, ବେତବୁଣା, ଘରକରଣା, ମନାେହରୀ ଆଉ କିଛି ଖାଇବା ଦୋକାନ ବସୁ ଥିଲା । ଏବେ ଆନ୍ତଃରାଜ୍ୟ ବିପଣୀରେ ଭରି ଯାଉଛି କୋଡ଼ିଏ ଏକରରୁ ଅଧିକ ଯାତ୍ରାସ୍ଥଳ ।

ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ ବାଲିଯାତ୍ରା । କଟକ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର । ପୂର୍ବେ ଏହା ଓଡ଼ିଶାର ରାଜଧାନୀ ଥିଲା ଏବଂ ଏହାକୁ ଓଡ଼ିଶାର ଏକ ମୁଖ୍ୟ ବାଣିଜ୍ଯ କେନ୍ଦ୍ର ଭାବେ ପରିଗଣିତ କରାଯାଏ । ଏହି ଯାତ୍ରା କେବଳ ପ୍ରଦର୍ଶନୀର ଏକ କ୍ଷେତ୍ର ନୁହେଁ ଏହା ଆମ ରାଜ୍ୟର ଶିଳ୍ପ, କଳା, ଭାସ୍କର୍ଯ୍ୟ, ବିଭିନ୍ନ ବାଣିଜ୍ୟିକ ବିଭବ ତଥା ହସ୍ତଶିଳ୍ପ ଓ କୁଟୀର ଶିଳ୍ପର ଏକ ଭରପୂର ଗନ୍ତାଘର । ତେବେ ଏ ବାଲିଯାତ୍ରା କେବେଠାରୁ ଅନୁଷ୍ଠିତ ହେଉଛି ତାର କୌଣସି ଐତିହାସିକ ପ୍ରମାଣ ନଥିବାବେଳେ ବାଲିଯାତ୍ରା ଓଡ଼ିଶାର ଏକ ଜାତୀୟ ପର୍ବ ଭାବରେ ସୁପ୍ରତିଷ୍ଠିତ ।

Report an Error