ଯା ଦେବୀ ସର୍ବଭୂତେଷୁ

ଦୁର୍ଗା ପୂଜା କେବଳ ଶକ୍ତିର ଉଦବୋଧନ ନୁହେଁ, ନିଜ ଭିତରେ ନିହିତ ଥିବା ପରମ ଶକ୍ତିର ଆବାହନ । ଶାରଦୀୟ ଦୁର୍ଗାପୂଜା ଆମ ସଂସ୍କୃତିର ପ୍ରାଣ, ଭକ୍ତି ଓ ଶକ୍ତିର ଅପୂର୍ବ ଐକ୍ଯତାନ ।


ଭାରତୀୟ ଧର୍ମରେ ଶକ୍ତିପୂଜା ବହୁ ପ୍ରାଚୀନ । ଭାରତୀୟ ଦର୍ଶନରେ ଆଦ୍ୟାଶକ୍ତି ପ୍ରକୃତି ରୂପିଣୀ । ଆଦ୍ୟାଶକ୍ତି ହିଁ ସବୁ ଶକ୍ତିର ଆଧାର । ଭାରତୀୟ ସଂସ୍କୃତିରେ ଶକ୍ତି ତିନି ଗୁଣ ଯଥା ସତ୍ବ, ରଜ ଓ ତମ । ରଜ ଗୁଣରେ ସୃଷ୍ଟି କରନ୍ତି, ସତ୍ବ ଗୁଣରେ ସ୍ଥିତି କରନ୍ତି, ତମଗୁଣରେ ସଂହାର କରନ୍ତି । ଭାରତୀୟ ସଂସ୍କୃତିରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏ ତିନି ଦେବତା ଯଥାକ୍ରମେ ତିନିଶକ୍ତିର ବୀଜ ସ୍ୱରୂପ । ତେଣୁ ଶକ୍ତି କହିଲେ ଏହି ତ୍ରିଶକ୍ତିଙ୍କ ସମ୍ମିଳିତ ରୂପ ଦୁର୍ଗାଙ୍କୁ ହିଁ ବୁଝାଏ । ଦୁର୍ଗା ଏକାଧାରରେ ବ୍ରାହ୍ମଣୀ, ବୈଷ୍ଣବୀ ଓ ଶୈବୀ । ତେଣୁ ଦୁର୍ଗା ଉପାସନା ସାର୍ବଜନୀନ । ସେ ସର୍ବତ୍ର ଶକ୍ତି ରୂପରେ ଅଧିଷ୍ଠିତ ଓ ପୂଜିତ । ସେ ସର୍ବବ୍ୟାପୀ। ସେଥିପାଇଁ କୁହାଯାଇଛି-

ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ରୂପେଣ ସଂସ୍ଥିତା।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।

ପୁରାଣ, ବେଦ, ଉପନିଷଦମାନଙ୍କରେ ଏହି ମହାଶକ୍ତିଙ୍କ ଆବିର୍ଭାବ ଭିନ୍ନ ଭିନ୍ନ ରୂପରେ ହାେଇଥାଏ । ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ରାଜବଂଶର ରାଜା ସୁରଥ ଦୁର୍ଗାପୂଜା ଆରମ୍ଭ କରିଥିଲେ ।

ସେହିପରି ଲଙ୍କାଧିପତି ତ୍ରିଭୁବନ ବିଜୟୀ ମହାପ୍ରତାପୀ ରାବଣକୁ ବଧ କରିବା ପାଇଁ ଶ୍ରୀରାମଚନ୍ଦ୍ର ଶରତକାଳରେ ଦେବୀ ଦୁର୍ଗାଙ୍କ ପୂଜା ଉତ୍ସବର ଆୟୋଜନ କରିଥିଲେ ବୋଲି ପୌରାଣିକ ଆଖ୍ୟାନ ରହିଛି । ରାମଚନ୍ଦ୍ର କନକ ଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ଯାତ୍ରା କରିଥିବାରୁ ଏହି ବିଧିକୁ ବିଜୟା ଦଶମୀ ବୋଲି କୁହାଯାଏ । ଠିକ ସେହିପରି ଅର୍ଜୁନ ପ୍ରତିପକ୍ଷ କୌରଵଙ୍କୁ ପରାସ୍ତ କରିବା ପାଇଁ ଦେବୀ ଦୁର୍ଗାଙ୍କ ପ୍ରାର୍ଥନା କରିଥିଲେ ।

ଦୁର୍ଗା ପୂଜା କେବଳ ଶକ୍ତିର ଉଦବୋଧନ ନୁହେଁ, ନିଜ ଭିତରେ ନିହିତ ଥିବା ପରମ ଶକ୍ତିର ଆବାହନ । ଉପାସନାର ପ୍ରକୃତ ଅର୍ଥ ଅନ୍ତର୍ଚେତନାକୁ ବିକଶିତ କରିବା । ମା’ ଯୁଗେ ଯୁଗେ ହସ୍ତରେ ଚକ୍ର, ଗଦା, ଖଡଗ, ଢ଼ାଲ, ବାଣ ଓ ଧନୁ ଇତ୍ୟାଦି ଅସ୍ତ୍ର ଏବଂ ମୁକୁଟରେ ଚନ୍ଦ୍ରମାକୁ ଧାରଣ କରି ମଣିଷର ପାଶବିକତାକୁ ଦମନ କରି ଦିବ୍ୟ ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଦେବୀଙ୍କ ଆବିର୍ଭାବ ଯୋଗୁଁ ଦୁଷ୍ଟଜନମାନେ ବିନାଶ ହେବା ସହ ସନ୍ଥଜନମାନେ ସୃଷ୍ଟିରେ ବିହରଣ କରିବାକୁ ସମର୍ଥ ହୋଇଥାନ୍ତି । ହିନ୍ଦୁଧର୍ମରେ ଶକ୍ତି ପୂଜାର ଆରାଧନା, ଉପାସନା ସଂସ୍କୃତିର ପ୍ରାରମ୍ଭରୁ ପ୍ରଚଳିତ। ଶାରଦୀୟ ଦୁର୍ଗାପୂଜା ଆମ ସଂସ୍କୃତିର ପ୍ରାଣ, ଭକ୍ତି ଓ ଶକ୍ତିର ଅପୂର୍ବ ଐକ୍ଯତାନ ।

ଦୈତ୍ୟମାନଙ୍କ ବିନାଶ ପାଇଁ ଜଗତଜନନୀ ମା ଦୁର୍ଗା ଆର୍ବିଭୂତା ହୋଇଥିଲେ । ଦୈତ୍ୟ ମହିଷାସୁରର ପ୍ରକୋପରେ ଥରହର ତ୍ରିଲୋକକୁ ବଂଚାଇବା ପାଇଁ ମାତା ପାର୍ବତୀ ନେଇଥିଲେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗା ରୂପ । ଦୁର୍ଗାପୂଜା ବା ଦଶହରା ହେଉଛି ଓଡ଼ିଶାର ଏକ ଅନନ୍ୟ ଓ ପ୍ରମୁଖ ପର୍ବ । ଆଶ୍ଵିନ ମାସ ଶୁକ୍ଲପକ୍ଷ ସପ୍ତମୀ, ଅଷ୍ଟମୀ, ନବମୀ ଏବଂ ଦଶମୀ ଦିନକୁ ବିଶେଷ ଭାବରେ ପାଳନ କରାଯାଏ । ଶୁକ୍ଲପକ୍ଷ ଦଶମୀକୁ ବିଜୟା ଦଶମୀ ବୋଲି କୁହାଯାଏ । ଅସତ୍ଯ ଉପରେ ସତ୍ଯର ବିଜୟ ଓ ଅଧର୍ମ ଉପରେ ଧର୍ମର ବିଜୟ ପାଇଁ ବିଜୟା ଦଶମୀ ପାଳନ କରାଯାଏ । ପବିତ୍ର ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହୁଏ । ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ଆଉ ଏହି ବେଶରେ କିରିଟି, ଚୂଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଶ୍ରୀଭୂଜ, ଶ୍ରୀପୟର, ଘାଗଡା ମାଳି ଆଦି ସ୍ୱର୍ଣ୍ଣ ଅଳଙ୍କାରରେ ସଜେଇ ହୁଅନ୍ତି ମହାବାହୁ । ବିଜୟା ଦଶମୀରେ ମହାପ୍ରଭୁଙ୍କର ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ଲୋକ ବିଶ୍ୱାସ ରହିଛି ।

ପବିତ୍ର ଦଶହରା ତଥା ବିଜୟା ଦଶମୀ ଅବସରରେ ବାଟାେଇ ପରିବାର ତରଫରୁ ଓଡିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

Report an Error