ଗ୍ୟାଙ୍ଗସ୍ ଅଫ ପୁରୀ: ଏକ ଆକଳନ

ପ୍ରଥମ ଥର ପାଇଁ ଓଡ଼ିଆରେ ପ୍ରସ୍ତୁତ ୱେବ୍ ସିରିଜ୍ ‘ଗ୍ୟାଙ୍ଗସ୍ ଅଫ ପୁରୀ’କୁ ନେଇ ଏକ ନୂଆ ଆଶା ସୃଷ୍ଟି ହୋଇଛି । ଆସନ୍ତୁ ଏହି ୱେବ୍ ସିରିଜ୍ କୁ ନେଇ କିଛି ଆଲୋଚନା କରିବା ।


ଫଟାେ - ଆଇଏମଡିବି

ଓଟିଟି ପ୍ଲାଟଫର୍ମ “କଞ୍ଚା ଲଙ୍କା”ରେ ମୁକ୍ତିଲାଭ କରିଥିବା କ୍ରାଇମ ଓ ଆକ୍ସନ ଭରା ୱେବ୍ ସିରିଜ୍ ‘ଗ୍ୟାଙ୍ଗସ୍ ଅଫ ପୁରୀ’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଲାଗିରହିଛି । ପ୍ରଥମ ଥର ପାଇଁ ଓଡ଼ିଆରେ ପ୍ରସ୍ତୁତ ୱେବ୍ ସିରିଜ୍କୁ ନେଇ ଏକ ନୂଆ ଆଶା ସୃଷ୍ଟି ହୋଇଛି । ଏହି ୱେବ୍ ସିରିଜ୍ ସମ୍ପର୍କରେ କିଛି କଥା।

ସେମାନଙ୍କ ଆଚରଣ ଓ ଉଚ୍ଚାରଣ ଅଜବ, ହେଲେ ସେମାନେ ବାସ୍ତବ ଜୀବନର ଚରିତ୍ର । ସେମାନେ ସବୁ ରକ୍ତ ଓ ମାଂସର ମଣିଷ । ସେମାନେ ଓଡିଶାର ଏକ ପ୍ରାଚୀନ ସହରର ଅନ୍ଧକାର ଗଳି ଉପଗଳିରେ ନିଜ ପଛ ପକେଟରେ ଦେଶୀ ବନ୍ଧୁକ ଧରି ବେପରୁଆ ଭାବରେ ଚଲାବୁଲା କରନ୍ତି । ସେମାନେ ଅତି ସହଜରେ ଓ ଏକା ସାଙ୍ଗରେ ପ୍ରାର୍ଥନା କରନ୍ତି ଓ ହତ୍ୟା ମଧ୍ୟ କରିପାରନ୍ତି । ସେମାନଙ୍କ ପାଇଁ କାହାକୁ ଉଡେଇଦେବା ଗୋଟେ ଚୁଟକି ଭଳି କାମ । ସେମାନେ ଏକସମୟରେ ସେବାୟତ ଓ ଶିକାରୀ । ସେମାନେ ସମାନ ଢଙ୍ଗରେ ଶ୍ଳୋକ ବୋଲିପାରନ୍ତି ଓ ଅଶାଳୀନ ଭାଷାର ପ୍ରୟୋଗ ବି କରିପାରନ୍ତି । ସେମାନେ ଛୋଟ ଏକ ମନ୍ଦିର ସହରର କୁନି କୁନି ମାଫିଆ । ଏକ ଛୋଟ ତୀର୍ଥ କେନ୍ଦ୍ରରେ ସେମାନଙ୍କର ବି ଏକ ବିଶାଳ ଅପରାଧର ଦୁନିଆ ଅଛି ।

ଏହା ହେଉଛି ଅନେକ ନାଟକୀୟ ଘଟଣାକୁ ଚଳମାନ କରୁଥିବା ଏକ ଅନ୍ଧକାର କାହାଣୀ । ଏକ ମେଟା - ଷ୍ଟୋରୀ ମଧ୍ୟରେ ବହୁ ସ୍ତରୀୟ ଏବଂ ସ୍ପଷ୍ଟ ଭାବରେ ରହିଥିବା ଆହୁରି ଅନେକ କାହାଣୀ ହେଉଛି "ଗ୍ୟାଙ୍ଗସ୍ ଅଫ୍ ପୁରୀ” । ଓଟିଟି ପ୍ଲାଟଫର୍ମ “କଞ୍ଚା ଲଙ୍କା”ରେ ମୁକ୍ତିଲାଭ କରିଥିବା ଓଡିଆ ୱେବ୍ ସିରିଜ୍ ହେଉଛି ମାର୍ଟିନ୍ ସ୍କୋର୍ସେସୀଙ୍କ ଫିଲ୍ମ “ଗ୍ୟାଙ୍ଗସ୍ ଅଫ୍ ନ୍ୟୁୟର୍କ” କିମ୍ବା ଅନୁରାଗ କଶ୍ୟପଙ୍କ ବଲିଉଡ କ୍ରାଇମ ଥ୍ରୀଲର“ ଗ୍ୟାଙ୍ଗସ୍ ଅଫ୍ ୱାସେପୁର”ର ଦେଶୀ ସଂସ୍କରଣ । ଏଥିରେ ରହିଛି ରକ୍ତପାତ ଓ ସଂଘର୍ଷ, ଲୋଭ ଓ ବିଶ୍ୱାସଘାତକତା, ସତ୍ତା ଓ ହତ୍ୟାର ଚରମ ଖେଳ, ପୁଣି ଏଠି ରହିଛି ଷଡଯନ୍ତ୍ର, ରାଜନୀତି ଓ ଯୌନଶୋଷଣ । ଏଥିରେ ସଂସ୍କୃତିର ସହର ପୁରୀର ଏକ ଅଣଦେଖା ଜୀବନକୁ ଅତି ସରଳ ଓ ସୁନ୍ଦର ଢଙ୍ଗରେ ପ୍ରସ୍ତୁତ କରି ଦର୍ଶକଙ୍କ ପାଖରେ ପଂହଚାଯାଇଛି । ନିଚ୍ଛକ ଓଡିଆ କାହାଣୀ ଉପରେ ଆଧାରିତ ଏହି ସିରିଜରେ କମେଡି ଓ ରୋମାନ୍ସର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । "ଗ୍ୟାଙ୍ଗସ୍ ଅଫ୍ ପୁରୀ"ରେ ପୁରୀର ସାହି ଗଳିରେ ଜନ୍ମ ନେଉଥିବା ଗ୍ୟାଙ୍ଗଷ୍ଟରଙ୍କ ଜୀବନଯାତ୍ରାକୁ ଅତି ନିଖୁଣ ଭାବେ ଦେଖାଯାଇଛି ।

“ଗ୍ୟାଙ୍ଗସ୍ ଅଫ୍ ପୁରୀ”, “ଗ୍ୟାଙ୍ଗସ୍ ଅଫ୍ ନ୍ୟୁୟର୍କ” ପରି ବ୍ୟାପକ ଐତିହାସିକ କାହାଣୀ ନୁହେଁ କିମ୍ବା “ଗ୍ୟାଙ୍ଗସ୍ ଅଫ୍ ୱାସେପୁର” ପରି ଏହାର ପୃଷ୍ଠଭୂମି ସେତେଟା ବ୍ୟାପକ ମଧ୍ୟ ନୁହେଁ । ଏହି ସିରିଜ୍ ଟି ଆଭିମୁଖ୍ୟ, ମନୋଭାବ ଏବଂ ଭାଷାକୁ ନେଇ ବେଶ ପରିପୃଷ୍ଟ । ଦୀର୍ଘଦିନ ପରେ, ଏହି ସିରିଜ୍ ଜରିଆରେ ଆମେ ଚିତ୍ରନାଟ୍ୟର ଏପରି ଏକ ପ୍ରବାହକୁ ଦେଖିପାରିବା ଯାହା ନିଜର ପରିଚିତ ସମାଜ, ଭାଷା ଏବଂ ସଂସ୍କୃତି ଉପରେ ନିର୍ଭର କରୁଛି । ଏହି କ୍ରମରେ ପୁରୀ ବୋଲିର ବ୍ୟବହାର (ଓଡ଼ିଶାର ପୁରୀର ଲୋକମାନେ ସାଧାରଣରେ ବ୍ୟବହାର କରୁଥିବା ବକ୍ତବ୍ୟ ଏବଂ ବାକ୍ୟ ଶୈଳୀ) ଏହି ସିରିଜ୍ ର ଅନ୍ୟ ଏକ କଳାତ୍ମକ ଶ୍ରେଷ୍ଠତାକୁ ପ୍ରତିପାଦନ କରୁଛି । ତେବେ ଏହି ୱେବ୍ ସିରିଜ୍ ରେ ବ୍ୟବହୃତ ହେଉଥିବା ଭାଷା ରକ୍ଷଣଶୀଳଙ୍କୁ କିଛି ମାତ୍ରାରେ ବିବ୍ରତ କରିପାରେ କାରଣ ଏଥିରେ କିଛି ଅପଶବ୍ଦ ବା ଚାରି ଅକ୍ଷରୀ ଶବ୍ଦ ବ୍ୟବହାର ହୋଇଛି (ଯାହାକୁ ଆମେ ଓଡିଆରେ ଦୋ ଅକ୍ଷରୀ ବୋଲି କହିଥାଉ) । କିଛିକାଂଶରେ ଏହା ହେଉଛି ଆମର ଦୈନନ୍ଦିନ ପ୍ରୟାେଗ ଭାଷାର ଏକ ଅଂଶ ଏବଂ ଏହାର ବ୍ୟବହାରକୁ ଅଣଦେଖା କରିହେବ ନାହିଁ । ପୁରୀର ସାଂସ୍କୃତିକ ଜୀବନର ତିନୋଟି ପ୍ରମୁଖ ଉପାଦାନ ହେଉଛି ସାଙ୍ଗ (ବନ୍ଧୁତା), ଭାଙ୍ଗ ଏବଂ ପଙ୍ଗତ (ଭୋଜି) ।

“ଗ୍ୟାଙ୍ଗସ୍ ଅଫ୍ ପୁରୀ”ର ଚିତ୍ରାୟନ ବେଶ ସହଜ ଆଉ ସୁନ୍ଦର । ଏହି ସିରିଜର ସୌନ୍ଦର୍ଯ୍ଯ - ଲୋଭ, ହିଂସା ଏବଂ ବର୍ବରତା ମଧ୍ୟରେ ରହିଛି । ଏକ ଛୋଟ ସହରର ଅନ୍ଧକାରର ଚିତ୍ର ଏବଂ ସେହି ସମସ୍ତ ଛୋଟ ବଡ ଅପରାଧୀଙ୍କୁ ଏକ ସାଙ୍ଗରେ ଚିତ୍ରଣରେ ଏହି ସିରିଜର ଚିତ୍ରନାଟ୍ୟର ସୂକ୍ଷ୍ମ କାମକୁ ଦେଖିହୋଇଛି । ଏହି ସିରିଜ୍ ଓଡିଆ ଚିତ୍ରନାଟ୍ୟ ଇତିହାସରେ ଏକ ମୂଳ ସ୍କ୍ରିନ୍ ଚିତ୍ର ଭାବରେ ନିଶ୍ଚୟ ପ୍ରଭାବ ପକାଇବ । ଯଦିଓ ଏହା ଏକ ଚଳଚ୍ଚିତ୍ର ନୁହେଁ, କିନ୍ତୁ ଏକ ୱେବ୍ ସିରିଜ୍ ଭାବରେ, ଏହା ପ୍ରକୃତ ଏବଂ ପ୍ରାମାଣିକ ଓଡିଆ ସ୍ୱାଦ ଭାବେ ସିନେପ୍ରେମୀଙ୍କ ଭୋକ ମେଣ୍ଟାଇବ ।

ଅପରପକ୍ଷରେ ଏହି ସିରିଜର ନିର୍ଦ୍ଦେଶକ ଯୋଡି ଅନୁପମ ପଟ୍ଟନାୟକ ଏବଂ ଜଗଦୀଶ ମିଶ୍ର ଓଡିଆ ସିନେମା ଜଗତରେ ନିଜର ଉପସ୍ଥିତିକୁ ଦୃଢ଼ତାର ସହ ଜାହିର କରିଛନ୍ତି । ସେମାନେ ଓଡିଆ ଜୀବନ, ​​ରାଜନୀତି, ସମାଜ ଏବଂ ଭାଷାର ମହତ୍ତ୍ୱକୁ ବହୁତ ଭଲରେ ବୁଝିଛନ୍ତି । ପୁରୀରେ ରହିଥିବା ଅପରାଧର ଅନ୍ଧକାର ଇତିହାସ ସମସ୍ତେ ଜାଣନ୍ତି । ଓଡ଼ିଆ ଚିତ୍ରନାଟ୍ୟ ଯେଉଁଠି ମେଲୋଡ୍ରାମା ଏବଂ କପି - ପେଷ୍ଟ ସ୍କ୍ରିପ୍ଟଗୁଡ଼ିକ ଉପରେ ପ୍ରାଧାନ୍ୟ ଦେଇଥାଏ, ସେଠାରେ “ଗ୍ୟାଙ୍ଗସ୍ ଅଫ୍ ପୁରୀ” ଏକ ବ୍ୟତିକ୍ରମ ଭାବେ ଠିଆ ହୋଇ ଚିତ୍ରନାଟ୍ୟ କ୍ଷେତ୍ରରେ ଉଜ୍ଵଳ ଆଶା ସଂଚାର କରିଛି ।

ତେବେ ଏହି ସିରିଜର କିଛିଟା ଶ୍ରେୟ ଓଡ଼ିଆ ଓଟିଟି ଫ୍ଲାଟଫର୍ମ “କଞ୍ଚା ଲଙ୍କା” ଓ ଅକ୍ଷୟ ପରିଜାଙ୍କୁ ମଧ୍ୟ ଯିବ, ଯିଏ ପ୍ରଥମ କରି ଏମିତି ଏକ ଭିନ୍ନ ସ୍ୱାଦର ଓଡ଼ିଆ ସିରିଜ୍ ପ୍ରସାରଣର ସୁଯୋଗ ତିଆରି କରିଛନ୍ତି । ସମ୍ପ୍ରତି ଓଡ଼ିଆ ସିନେମାର ଦୋଦୁଲ୍ୟମାନ ସ୍ଥିତିରେ ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ ସମସ୍ତଙ୍କ ପାଇଁ ଏକ ସୁନ୍ଦର ସମ୍ଭାବନା ନିଶ୍ଚୟ ।

(କେଦାର ମିଶ୍ରଙ୍କ ଇଂରାଜୀ ଆଲେଖ୍ୟ Gangs of Puri: Anatomy of a Desi Gang War ଆଧାରରେ)

Report an Error