ସଂଗୀତ ନାଟକ ଅକାଦେମି ପୁରସ୍କାର: ଜାଣନ୍ତୁ ଓଡିଶାରୁ କେତେଜଣଙ୍କୁ ମିଳିବ ଏହି ପୁରସ୍କାର

୨୦୧୯, ୨୦୨୦ ଓ ୨୦୨୧ ବର୍ଷ ପାଇଁ କେନ୍ଦ୍ର ସଂଗୀତ ନାଟକ ଅକାଦେମି ପୁରସ୍କାର ଘୋଷଣା କରିଛି । ଏହି ପୁରସ୍କାର ପାଇଁ ଓଡ଼ିଶାର ବହୁ କଳାକାରମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।


ଫଟାେ - ସଂଗୀତ ନାଟକ ଅକାଦେମି

୨୦୧୯, ୨୦୨୦ ଓ ୨୦୨୧ ବର୍ଷ ପାଇଁ କେନ୍ଦ୍ର ସଂଗୀତ ନାଟକ ଅକାଦେମି ପୁରସ୍କାର ଘୋଷଣା କରାଯାଇଛି । ବିଶେଷ କରି ସଂଗୀତ, ନୃତ୍ୟ ଓ ନାଟକ କ୍ଷେତ୍ରରେ କଳାକାରମାନଙ୍କୁ ନିଜ ଉତ୍କର୍ଷ ପ୍ରଦର୍ଶନ ପାଇଁ କେନ୍ଦ୍ର ସଂଗୀତ ନାଟକ ଅକାଦେମି ଏହି ପୁରସ୍କାର ଘୋଷଣା କରିଥାଏ ।

ଏହି ପୁରସ୍କାର ପାଇଁ ଓଡ଼ିଶାର ବହୁ କଳାକାରମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି । ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ପ୍ରଥମଥର ପାଇଁ ସଂଗୀତ ନାଟକ ଅକାଦେମି ଅମୃତ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି । ଏହି ଆଧାରରେ ୮୬ଜଣ କଳାକାରଙ୍କୁ ସମ୍ମାନିତ କରାଯିବ । ଏହି କ୍ରମରେ ଓଡିଶାରୁ ଥିଏଟର ପାଇଁ ଅନନ୍ତ ମହାପାତ୍ର, ଛଉ ପାଇଁ ଶିବ ପ୍ରସାଦ ଦାସ, ସମ୍ବଲପୁରୀ ଲୋକ ସଂଗୀତ ପାଇଁ ଆନନ୍ଦ ବାଗ, ଗୋଟିପୁଅ ପାଇଁ ଗୋବିନ୍ଦ ଚନ୍ଦ୍ର ଓ ଓଡ଼ିଶୀ ନୃତ୍ୟ ପାଇଁ ଦିଲ୍ଲୀର କୁମକୁମ ଲାଲ ପ୍ରମୁଖଙ୍କ ନାମ ଚୟନ କରାଯାଇଛି ।

ସଙ୍ଗୀତ, ନୃତ୍ୟ ଓ ନାଟକ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବାରୁ ୫ ଓଡିଆ କେନ୍ଦ୍ର ସଙ୍ଗୀତ ନାଟକ ଅକାଦେମି ପୁରସ୍କାର ପାଇବେ । ଛଉ ପାଇଁ ବ୍ରଜେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶୀ ନୃତ୍ୟ ପାଇଁ ରବୀନ୍ଦ୍ର ଅତିବୁଦ୍ଧି ଓ ଛଉ ନୃତ୍ୟ ପାଇଁ ତ୍ରିଲୋଚନ ମହାନ୍ତି ଏବଂ ସୁଗମ ସଙ୍ଗୀତ କ୍ଷେତ୍ରରେ ସୁସ୍ମିତା ଦାସ, ନୃତ୍ୟ ସଂଗୀତରେ ବିଜୟ କୁମାର ଜେନା ଓ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ମନୋଜ ପଟ୍ଟନାୟକଙ୍କ ନାମ ଅକାଦେମି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ତେବେ ଉଭୟ ଅମୃତ ପୁରସ୍କାର ଓ ଅକାଦେମି ପୁରସ୍କାର ବାବଦକୁ ଯାେଗ୍ଯ ପ୍ରତିଭାଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି, ତାମ୍ର ଫଳକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯିବ ।

ସେହିଭଳି କଳା କ୍ଷେତ୍ରକୁ ବିଶେଷ ଅବଦାନ ପାଇଁ ଦେଶରୁ ୧୦୨ଜଣଙ୍କୁ ‘ଉସ୍ତାଦ୍‌ ବିସ୍‌ମିଲା ଖାନ୍‌’ ଯୁବ ପୁରସ୍କାର ପ୍ରଦାନ କରାଯିବ । ତେବେ ଓଡିଶାରୁ ମଧ୍ୟ ପାଞ୍ଚ ଜଣ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓଡିଶୀ ନୃତ୍ୟ ପାଇଁ ପ୍ରଭାତ କୁମାର ସ୍ୱାଇଁ, ଓଡିଶୀ ସଂଗୀତ ପାଇଁ ରୂପକ କୁମାର ପରିଡା, ଆଲୋକସଜ୍ଜା ପାଇଁ ମନୋଜ କୁମାର ମିଶ୍ର, ଛଉ ନୃତ୍ୟ ପାଇଁ ବିଶ୍ବନାଥ କୁମ୍ଭକାର, ପ୍ରହଲାଦ ନାଟକ ପାଇଁ ସନ୍ତୋଷ ରଣା, କୁଚିପୁଡ଼ି ନୃତ୍ୟ ପାଇଁ ଅଭିଜିତ୍‌ ଦାସ ପ୍ରମୁଖ ମନୋନୀତ ହୋଇଥିବାବେଳେ ଓଡିଶୀ ନୃତ୍ୟ ପାଇଁ ମୁମ୍ବାଇରୁ ସ୍ଵପ୍ନକଳ୍ପ ଦାସଗୁପ୍ତା ଓ ଦିଲ୍ଲୀରୁ ବିନୋଦ କେବିନ ବଚ୍ଚନ ପ୍ରମୁଖ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉସ୍ତାଦ୍‌ ବିସ୍‌ମିଲା ଖାନ୍‌’ ଯୁବ ପୁରସ୍କାର ବାବଦକୁ ସେମାନଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ସେହିପରି ଅକାଦେମି ପକ୍ଷରୁ ବିଭିନ୍ନ ରାଜ୍ୟର ୧୦ଜଣ ବ୍ୟକ୍ତିବିଶେଷଙ୍କୁ ଫେଲୋସିପ୍‌ ପ୍ରଦାନ କରାଯାଇଥିବାବେଳେ ଓଡ଼ିଶା‌ରୁ କୌଣସି ବ୍ୟକ୍ତିବିଶେଷ ଏଥିରେ ସ୍ଥାନ ପାଇନାହାନ୍ତି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଏହି ସମସ୍ତ ପୁରସ୍କାର ପ୍ରଦାନ କରିବେ ବୋଲି ଜଣାପଡିଛି ।

Report an Error