ଫଳ ରାଜା ଆମ୍ବକୁ ନେଇ କିଛି କଥା

ଆଜି ହେଉଛି ଜାତୀୟ ଆମ୍ବ ଦିବସ, ଆମ୍ବ ହେଉଛି ଆମର ଜାତୀୟ ଫଳ, ଆଜିର ଏହି ବିଶେଷ ଦିବସରେ ଆମ୍ବକୁ ନେଇ କିଛି କଥା ।


ଫଳ ରାଜା ଆମ୍ବକୁ କିଏ ବା ନ ଜାଣେ । ଭାରତର ଜାତୀୟ ଫଳ ଆମ୍ବ ପ୍ରାୟ ସମସ୍ତଙ୍କର ବେଶ ପ୍ରିୟ । କେବଳ ଖାଇବାକୁ ସୁଆଦିଆ ତା ନୁହେଁ, ଏହା ଆମ ଭାରତୀୟ ସଂସ୍କୃତି ସହ ଓତୋପ୍ରୋତ ଭାବରେ ଜଡ଼ିତ । ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ବ ପତ୍ରକୁ ଖୋଜା ପଡ଼ିଥାଏ । ବିଶେଷ କରି କଳସର ମୁଖ୍ୟ ସାମଗ୍ରୀ ହେଉଛି ଆମ୍ବ ଡାଳ । କେବଳ କଳସ ପାଇଁ ନୁହେଁ ହୋମ ନିମନ୍ତେ ଆମ୍ବ କାଠର ଦରକାର ହେବା ସହ ଅନେକ ଶୁଭ କାର୍ଯ୍ୟରେ ତୋରଣ ବାନ୍ଧିବା ପାଇଁ ମଧ୍ୟ ଆମ୍ବ ପତ୍ରର ବ୍ୟବହାର ହୋଇଥାଏ । କେବଳ ହିନ୍ଦୁ ଧର୍ମ ନୁହେଁ ବୁଦ୍ଧ ଧର୍ମରେ ମଧ୍ୟ ଆମ୍ବ ବୃକ୍ଷକୁ ଏକ ପବିତ୍ର ବୃକ୍ଷ ବୋଲି ବିବେଚନା କରାଯାଏ ।

ଇତିହାସର ପୃଷ୍ଠା ଲେଉଟାଇଲେ ଜଣାପଡେ ଯେ ଆମ୍ବ ସହ ଭାରତୀୟମାନଙ୍କର ସମ୍ପର୍କ ବହୁ ପୁରୁଣା । ପ୍ରାୟ ୫୦୦୦ ବର୍ଷ ପୂର୍ବେ ଭାରତରେ ଆମ୍ବ ପ୍ରଥମେ ଚାଷ କରାଯାଇଥିଲା ବୋଲି ଜଣାଯାଏ । ଇଂରାଜୀରେ ଏହାକୁ “ମ୍ୟାଙ୍ଗାେ” କୁହାଯାଏ ଏବଂ ଏହି ନାମ ମାଲାୟା ଶବ୍ଦ “ମାନ୍ନା” ରୁ ଉତ୍ପନ୍ନ ହୋଇଥିଲା ବୋଲି ଜଣାଯାଏ । ମାତ୍ର ୧୪୯୦ ଦଶକରେ ଯେତେବେଳେ ପର୍ତ୍ତୁଗୀଜମାନେ ମସଲା ବ୍ୟବସାୟ ପାଇଁ କେରଳରେ ପହଞ୍ଚିଲେ ସେତେବେଳେ ଏହି ଫଳର ନାଁ “ମାଙ୍ଗା”ରେ ପରିବର୍ତ୍ତନ ହୋଇଥିଲା । ପର୍ତ୍ତୁଗୀଜମାନେ ଆମ୍ବକୁ ଭାରତରୁ ନେଇ ୟୁରୋପରେ ପରିଚିତ କରାଇଥିଲେ । ଭାରତ ସହ ପାକିସ୍ତାନ ଏବଂ ଫିଲିପାଇନ୍ସର ମଧ୍ୟ ଜାତୀୟ ଫଳ ଆମ୍ବ ଏବଂ ବାଂଲାଦେଶରେ ଆମ୍ବ ଗଛ ହେଉଛି ଜାତୀୟ ବୃକ୍ଷ ।

ଆମ୍ବକୁ ନେଇ ବହୁ ଲୋକକାହାଣୀ, କିମ୍ୱଦନ୍ତୀ ଓ ଆଈମା କାହାଣୀ ଭରି ରହିଛି । କୁହାଯାଏ ଯେ ଆମ୍ବ ହେଉଛି ଏକ ଅଭିଶପ୍ତା ଅପ୍ସରୀ । ଇନ୍ଦ୍ରଙ୍କ ଅଭିଶାପରେ ମର୍ତ୍ତ୍ୟ ମଣ୍ଡଳରେ ଆମ୍ବ ରୂପେ ଜନ୍ମ ନେଉଛି । ପ୍ରାୟ ପୌରାଣିକ କଥାବସ୍ତୁରେ ଆମ୍ବ ଓ ଆମ୍ବ ବୃକ୍ଷର ଚିତ୍ରଣ ରହିଛି । କେବଳ କାହାଣୀରେ ନୁହେଁ, ଭାରତୀୟ ଚିତ୍ରକଳାରେ ମଧ୍ୟ ଆମ୍ବକଷି ବେଶ ଆଦୃତ । କାଶ୍ମୀର ଓ ପାରସ୍ୟ ଚିତ୍ରକଳାରେ ଆମ୍ବକଷିର ବେଶ ମହତ୍ତ୍ୱ ରହିଛି । ଆମ ଓଡ଼ିଆ ପରମ୍ପରାରେ ଆମ୍ବ ଓ ଆମ୍ବ ଗଛକୁ ସୁରକ୍ଷା ଦେବା ପାଇଁ ବଉଳ ଅମାବାସ୍ୟା ପାଳନ କରାଯାଏ । ପୁଣି ଆମ୍ବକୁ ପ୍ରଥମେ ଦେବତାଙ୍କୁ ଅର୍ପଣ କରାଯାଇଥାଏ । ଆମ୍ବ କେବଳ ଫଳ ଭାବେ ନୁହେଁ, ଏହାର ଆଚାରର ଚାହିଦା ମଧ୍ୟ ବେଶ ଅଧିକ । ପୁଣି ଆମ୍ବକୁ ନେଇ ଆମ ଭାରତୀୟ ବ୍ୟଞ୍ଜନ ମଧ୍ୟ ବେଶ ଲୋକପ୍ରିୟ । ଉଭୟ ପାଚିଲା ଓ କଂଚା ଆମ୍ବର ବେଶ ଆଦର ରହିଛି । ଆମ୍ବ ଚଟଣି ହେଉ କି ଆଇସକ୍ରିମ ଅବା ଆମ୍ବକୁ ନେଇ ସୁସ୍ୱାଦୁ ପାନୀୟ ଆମର ଭାରି ପ୍ରିୟ ।

ପୃଥିବୀରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ପ୍ରକାରର ଆମ୍ବ ଦେଖିବାକୁ ମିଳେ । ଏହି ସବୁ ଆମ୍ବର ଆକାର, ଆକୃତି, ରଙ୍ଗ, ମହକ ଓ ସ୍ୱାଦରେ ଭିନ୍ନତା ରହିଥାଏ । ତେବେ ବିଭିନ୍ନ କିସମ ଆମ୍ବ ଭିତରେ ଲୋକପ୍ରିୟ ଆମ୍ବ ହେଉଛି ଆଲଫାେନସୋ, ବାଇଗଣପଲ୍ଲୀ, ତୋତାପୁରୀ, ଆମ୍ରପଲି, ଆଖୁରସ, ନୀଲମ, ଦଶେରୀ, ଲଙ୍ଗଡା ଓ ସିନ୍ଦୁରମୁଣ୍ଡୀ ଆଦି । ତନ୍ମଧ୍ୟରୁ ଆଲଫାେନସୋ କିସମ ଆମ୍ବକୁ ଆମ୍ବ ଭିତରେ ଶ୍ରେଷ୍ଠ ବୋଲି କୁହାଯାଏ । ଆମ୍ବକୁ ମାଂସଳ, ରସାଳ ଓ ଆଚାର କିସମ ଦୃଷ୍ଟିରୁ ଭାଗ ଭାଗ କରାଯାଇଛି । ଆମ ରାଜ୍ୟରେ ବ୍ୟବସାୟିକ ଭିତ୍ତିରେ ପ୍ରାୟ ୨୦ଟି କିସମର ଆମ୍ବ ଚାଷ କରାଯାଏ । ସେଥିମଧ୍ୟରେ ବାଇଗଣପଲ୍ଲୀ, ନୀଲମ, ସୁବର୍ଣ୍ଣରେଖା, ଆଖୁରସ, ତୋତାପୁରୀ, ଲଙ୍ଗଡା, ଦଶେରୀ ପ୍ରଭୃତି ।

ପୁଣି ଭାରତରେ ଆମ୍ବକୁ ପ୍ରେମ ଓ ବନ୍ଧୁତ୍ୱର ଏକ ପ୍ରତୀକ ଭାବରେ ବିବେଚନା କରାଯାଏ । ଭାରତରେ ଏକ ଟୋକେଇ ଭର୍ତ୍ତି ଆମ୍ବକୁ ବନ୍ଧୁତ୍ବର ପ୍ରତୀକ ଭାବେ ବ୍ଯବହାର କରାଯାଏ । ଆମ୍ବ ଦେହ ପାଇଁ ମଧ୍ୟ ବେଶ ଲାଭଦାୟକ । ଏହା ଓଜନ ନିୟନ୍ତ୍ରଣ ଠାରୁ ଆରମ୍ବ କରି ହୃଦୟ ଓ ତ୍ବଚା ପାଇଁ ବେଶ ଉପକାରୀ । ପୁଣି ଶତ ପ୍ରତିଶତ ଭିଟାମିନ - ସି ଆମ୍ବରୁ ମିଳିଥାଏ । ଯଦିଓ ଏବେ ବଜାରରେ ବାରମାସୀ ଆମ୍ବ ଉପଲବ୍ଧ ମାତ୍ର ଗ୍ରୀଷ୍ମଦିନିଆ ଆମ୍ବର ସୁଆଦ ଆଉ ମହକ ବେଶ ନିଆରା । ଦେଶରେ ବିଭିନ୍ନ କିସମର ଆମ୍ବ ଚାଷ ହାେଇଥାଏ । ଆମ୍ବ ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୧୯୮୭ ମସିହାରୁ ପ୍ରତିବର୍ଷ ଜୁଲାଇ ୨୨ରେ ଜାତୀୟ ଆମ୍ବ ଦିବସ ପାଳନ କରାଯାଏ । ଏହିଦିନ ରାଜଧାନୀ ଦିଲ୍ଲୀରେ ଅନ୍ତର୍ଜାତୀୟ ଆମ୍ବ ମହୋତ୍ସବ ଆୟୋଜିତ ହୋଇଥାଏ । ଏଥିରେ ଆମ୍ବର ବିଭିନ୍ନ ପ୍ରକାରର କିସମ ସହିତ ଏହାର ଅନେକ ଦିଗକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ।

Report an Error