ଆସ ଚା’ ପିଇବା

ଚା’ କୁ ନେଇ ସମସ୍ତଙ୍କ ମତ ଭିନ୍ନ । କାହା ପାଇଁ ଚା' ମୁଣ୍ଡବିନ୍ଧାର ଉପଶମ ତ ପୁଣି କାହାର ଦୈନନ୍ଦିନ ଅଭ୍ୟାସ । ଚା’କୁ ନେଇ ଭାରତୀୟମାନେ ବେଶ ଭାବପ୍ରବଣ ଓ ସ୍ପର୍ଶକାତର । ବିନା ଚା'ରେ ଭାରତର କଳ୍ପନା ଇ ସମ୍ଭବ ନୁହେଁ ।


ପାନୀୟ ଜଳ ପରେ ବିଶ୍ବର ସବୁଠୁ ଅଧିକ ପସନ୍ଦ କରାଯାଉଥିବା ପାନୀୟ ହେଉଛି ‘ଚା’ । ଉଭୟ ଦେଶୀ ଓ ବିଦେଶୀ ଚଳଣିରେ ଚା’ ସବୁଠି ଲୋକପ୍ରିୟ । ଗାଁ ହେଉ କି ସହର ସବୁଠି ସକାଳ ଆରମ୍ଭ ହୁଏ ଚା’ କପରୁ । ସକାଳୁ ସକାଳୁ ଖବରକାଗଜ ସହ ଚା’ ନ ରହିଲେ ଆମ ଭାରତୀୟଙ୍କ ଦିନ ଆରମ୍ଭ ହୁଏନି । ଏମିତିକି ଭାରତରେ ଲୋକମାନେ କପେ ଚା’କୁ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ବୋଲି ଭାବନ୍ତି । ଅତୀତରୁ ଆଜିଯାଏଁ ଚା’ ନିଜର ଲୋକପ୍ରିୟତା ବଜାୟ ରଖିଚି । ଯଦିଓ ଏବେ ବଜାରରେ ବିଭିନ୍ନ ପ୍ରକାରର ପାନୀୟ ଉପଲବ୍ଧ, ତଥାପି ଚା’ର ସ୍ଥାନ ଯେଉଁଠି ଥିଲା ସେଇଠି ରହିଛି ।

ଚା’ କୁ ନେଇ ସମସ୍ତଙ୍କ ମତ ଭିନ୍ନ । କାହାର ମୁଣ୍ଡବିନ୍ଧାର ଉପଶମ ତ ପୁଣି କାହାର ଦୈନନ୍ଦିନ ଅଭ୍ୟାସ । ଚା’କୁ ନେଇ ଭାରତୀୟମାନେ ବେଶ ସମ୍ଵେଦନଶୀଳ । ଚା’ ପ୍ରତି ରହିଛି ସମସ୍ତଙ୍କର ଏକ ଅଲଗା ଅନୁରାଗ । ଏଠି ଚା’କୁ ନେଇ ଖଟି, ପୁଣି ରାଜନୀତି । ପୁଣି ଏଠି ବିଭିନ୍ନ ପ୍ରକାରର ଚା’ ପିଆଯାଏ । କ୍ଷୀର ଚା’, ନାଲି ଚା’, ଲେମ୍ବୁ ଚା', ଥଣ୍ଡା ଚା', ଗ୍ରୀନ ଟି, ହର୍ବାଲ ଟି ପରି ଆହୁରି କେତେ କଣ । ମସଲା ପକା ଚା’, ତନ୍ଦୁରି ଚା’ ପୁଣି କଟିଙ୍ଗ ଚା । ଆମ ଦେଶରେ ଯେମିତି ବିଭିନ୍ନ ପ୍ରକାରର ଆଂଚଳିକ ଭାଷା ରହିଛି, ଠିକ ସେମିତି ବିଭନ୍ନ ପ୍ରକାରର ଚା’ ରହିଛି । ପୁଣି ଚା' ପିଇବାର ବାଗ ବି ପୂରା ଭିନ୍ନ । ଚା’ର ବିବିଧତା ଆମ ଦେଶରେ ବହୁଳ ଦେଖାଯାଏ । ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଚା’ ମଧ୍ୟ ବେଶ ଉପାଦେୟ । ଆଜିକାଲି ଲୋକମାନେ ସ୍ୱାସ୍ଥ୍ୟ ସଚେତନତା ଦୃଷ୍ଟିରୁ ବିଭିନ୍ନ ପ୍ରକାରର ଚା’ ପିଉଛନ୍ତି ।

ଆଜି ହେଉଛି ଅନ୍ତର୍ଜାତୀୟ ଚା' ଦିବସ । ଚା’ର ଲୋକପ୍ରିୟତା ଦେଖି ବିଶ୍ବ ଖାଦ୍ୟ ଓ କୃଷି ସଂଘ ହିଁ ପ୍ରଥମେ ‘ଅନ୍ତର୍ଜାତୀୟ ଚା’ ଦିବସ’ ପାଳନର ନିଷ୍ପତ୍ତି ନେଇଥିଲା । ୨୦୦୫ ଡିସେମ୍ବର ୧୫ରେ ଦିଲ୍ଲୀଠାରେ ପ୍ରଥମେ ଚା’ ଦିବସ ପାଳିତ ହୋଇଥିଲା । ମେ‘ ୨୧କୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ପାଳନ କରାଯାଉ ବୋଲି ଭାରତ ଜାତିସଂଘରେ ପ୍ରସ୍ତାବ ରଖିଥିଲା । ୨୦୧୯ ମସିହାରୁ ଏହାକୁ ମେ‘ ୨୧ ତାରିଖରେ ପାଳନ କରିବା ପାଇଁ ଜାତିସଂଘର FAO ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଗ୍ରାମାଞ୍ଚଳର ବିକାଶ, ଦାରିଦ୍ର୍ୟ ହ୍ରାସ ଏବଂ ରପ୍ତାନି ତଥା ବିକାଶଶୀଳ ଦେଶମାନଙ୍କରେ ଖାଦ୍ୟ ନିରାପତ୍ତା ପାଇଁ ଚା’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଯାହା ଲକ୍ଷ ଲକ୍ଷ କ୍ଷୁଦ୍ର ଉତ୍ପାଦକଙ୍କ ପାଇଁ ଜୀବିକାର ଏକ ମୁଖ୍ୟ ଉତ୍ସ ଅଟେ । ମିଳିତ ଜାତିସଂଘ ଚା ’ଶିଳ୍ପକୁ ସମଗ୍ର ବିଶ୍ୱରେ ପାଳନ କରିବା ପାଇଁ ମେ‘ ୨୧କୁ ଅନ୍ତର୍ଜାତୀୟ ଚା ଦିବସ ଭାବରେ ମନୋନୀତ କରିଛି । ଗ୍ରାମାଞ୍ଚଳର ବିକାଶ, ନିରନ୍ତର ଜୀବିକା ନିର୍ବାହ ତଥା ଖାଦ୍ୟ ନିରାପତ୍ତା ତଥା ନିରନ୍ତର ବିକାଶ ଲକ୍ଷ୍ୟ ପାଇଁ ଚା’ର ମହତ୍ତ୍ବ ବିଷୟରେ ଜନସଚେତନତା ସୃଷ୍ଟି କରିବାକୁ ଏହି ଦିନଟି ଉଦ୍ଦିଷ୍ଟ । ଚଳିତ ବର୍ଷ ଏହି ଦିବସର ଥିମ ରହିଛି - ଟି ଆଣ୍ଡ ଫେୟାର ଟ୍ରେଡ଼ । ଏହି ଥିମର ମୌଳିକ ଉଦ୍ଦେଶ୍ୟ ହେଉଛି ଚା’ର ଅର୍ଥନୈତିକ ଦିଗ ପ୍ରତି ଅଧିକ ଦୃଷ୍ଟି ଦେବା ।

ଚା’ କେବଳ ଆମର ଲୋକପ୍ରିୟ ପାନୀୟ ଭାବେ ରହିଛି ତାହା ନୁହେଁ, ଆମ ଭାରତୀୟ ସିନେମା ଓ ସାହିତ୍ୟରେ ମଧ୍ୟ ଚା’ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଚା’ କୁ ନେଇ ରାଶି ରାଶି କବିତା ଆଉ ଗପ ଆମ ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିଛି । ଚା’ କପଟିଏ ଏଠି ଅନେକ ଗୀତ ଓ କାହାଣୀକୁ ଜନ୍ମ ଦିଏ । ପୁଣି ଏହି ଚା’ ସିନେମାର କାହାଣୀ ପାଲଟି ଯାଏ । ଆମ ସିନେମାରେ ଚା’ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି କ୍ରମରେ ଚା’କୁ ନେଇ ଲୋକପ୍ରିୟ ଗୀତ ସମ୍ପର୍କରେ ଆଲୋଚନା କରିବା ।

୧୯୬୧ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ ସିନେମା ‘ଜମାନା ବଦଲ ଗୟା’ରେ ଚା’ କୁ ନେଇ ଏକ ଲୋକପ୍ରିୟ ଗୀତ ରହିଥିଲା । ଏହି ଗୀତକୁ ଗାଇଥିଲେ ମହମ୍ମଦ ରଫି । ଏକ ଏକ ଏକ ଏକ ଚାଇ କି ପ୍ୟାଲି… ଶୀର୍ଷକର ଏହି ଗୀତକୁ ରଚନା କରିଥିଲେ ଏଚ ଏ ରହବାର ଓ ଏହାକୁ ସଂଗୀତରେ ସ୍ଵରବଦ୍ଧ କରିଥିଲେ ଇକବାଲ କ୍ୟୁରେସି । ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ରହିଥିଲା ଜୟନ୍ତ ଦେଶାଇଙ୍କ ହାତରେ ।

ସେହିପରି ୧୯୮୩ରେ ମୁକ୍ତିଲାଭ କରିଥିବା ସିନେମା ‘ସୌତନ’ରେ ଚା’କୁ ନେଇ ରହିଥିବା ଗୀତଟି ଆଜି ବି ସମସ୍ତଙ୍କର ବେଶ ପ୍ରିୟ । ଏହି ସିନେମାରେ ଥିବା ଗୀତଟି ହେଉଛି ‘ସାୟେଦ ମେରୀ ଶାଦୀ କା ଖୟାଲ ଦିଲ ମେଁ ଆୟା ହୈ, ଇସଲିୟେ ମମି ନେ ମେରି ତୁମ୍ହେ ଚାଏ ପେ ବୁଲାୟା ହୈ…. । ଏହି ଗୀତରେ ଲୋକପ୍ରିୟ ଯୋଡି କିଶୋର କୁମାର ଓ ଲତା ମଙ୍ଗେସକର କଣ୍ଠଦାନ କରିଥିବାବେଳେ ରାଜେଶ ଖାନ୍ନା ଓ ଟିନା ମୁନୀମ ଅଭିନୟ କରିଥିଲେ ।

୧୯୯୭ ମସିହାରେ ରିଲିଜ ହୋଇଥିବା 'ଘୁଂଘଟ' ସିନେମାରେ ମଧ୍ୟ ସକାଳର ଚା’କୁ ନେଇ ଏକ ମଜାଦାର ଗୀତ ରହିଥିଲା । ‘ଜାଗୋ ଜାଗୋ ସୁବହ ହୋ ଗୟି …ଜଲଦି ସେ ଲେ ଲୋ ଚାଇ ଥଣ୍ଡୀ ହୋ ଗୟି … । ଏହି ଗୀତରେ ଆଦିତ୍ୟ ନାରାୟଣ, ଅରୁଣ ଆହୁଜା, ମିନା, ମୋଉ ମୁଖାର୍ଜୀ ଓ ନୀଲେଶ ପ୍ରମୁଖ କଣ୍ଠଦାନ କରିଥିବାବେଳେ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଆନ୍ଦନ ରାଜ ଆନନ୍ଦ । ସିନେମାରେ ଅଭିନୟ କରିଥିଲେ ଇନ୍ଦର କୁମାର ଓ ଆୟେଶା ଜୁଲୁଖା ।

୨୦୦୦ ମସିହାରେ ଆସିଥିବା ସଲମାନ ଖାନ, ରାଣୀ ମୁଖାର୍ଜୀ ଓ ପ୍ରୀତି ଜିଣ୍ଟାଙ୍କ ଅଭିନୀତ ‘ହର୍ ଦିଲ୍ ଯାେ ପ୍ଯାର୍ କରେଗା ସିନେମାରେ ଚା’ କୁ ନେଇ ଏକ ଲୋକପ୍ରିୟ ଗୀତ ରହିଥଲା । ଏକ ଗରମ ଚାଏ କି ପ୍ୟାଲି ହୋ ….. କୋଈ ଉସକୋ ପିଲାନେ ୱାଲି ହୋ ……. ଶୀର୍ଷକରେ ଗୀତଟିରେ ଅଭିନୟ କରିଥିଲେ ସଲମନ ଖାନ । ଏହି ଗୀତରେ କଣ୍ଠଦାନ କରିଥିଲେ ଅନନୁ ମଲିିକ୍ ଓ ସିନେମାର ଗୀତ ଲେଖିଥିଲେ ସମୀର ଓ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଅନନୁ ମଲିକ । ଆଜି ବି ଏଇ ଗୀତଟିର କ୍ରେଜ ରହିଛି ।

ସେହିପରି ୨୦୦୭ ମସିହାରେ ରିଲିଜ ହୋଇଥିବା ଚିନି କମ ସିନେମାର ଟାଇଟଲ ଗୀତଟି ମଧ୍ୟ ଏକ ଚା' ଗୀତ ଭାବେ ଲୋକପ୍ରିୟତା ପାଇଛି । ଏହି ସିନେମାରେ ଅମିତାଭ ବଚ୍ଚନ ଓ ତବୁ ଅଭିନୟ କରିଥିଲେ ।

ସେହିପରି ଓଡ଼ିଆ ସିନେମାରେ ଚା’କୁ ଅନେକ ଆଲବମ ସଂଗୀତ ରହିଛି । ଆସନ୍ତୁ ନା ଆଜିର ଏହି ବିଶେଷ ଦିନରେ ଚା’ ସହ ଏଇ ସବୁ ଗୀତକୁ ଟିକେ ଉପଭୋଗ କରିବା ।