ବିଶ୍ବାସ ଓ ଭରସାର ପ୍ରତୀକ: ବାପା

ବାପା ଏକ ଶବ୍ଦ ନୁହେଁ, ଏହା ହେଉଛି ବିଶ୍ବାସ ଆଉ ଦମ୍ଭର ପ୍ରତୀକ ପୁଣି ସ୍ନେହ, ଶ୍ରଦ୍ଧା ଓ ଅନୁଶାସନର ଏକ ସୁନ୍ଦର ଉଦାହରଣ ।


'ପିତା ଧର୍ମ ପିତା ସ୍ଵର୍ଗ ପିତା ହିଁ ପରମ ତପ ପିତରି ପ୍ରୀତିମା ପର୍ଣ୍ଣେ ପ୍ରିୟନ୍ତେ ସର୍ବ ଦେବତା' । ଭାରତୀୟ ସଂସ୍କୃତିରେ ପିତାଙ୍କ ସ୍ଥାନ ବହୁ ଉର୍ଦ୍ଧ୍ବରେ । ପିତା ବା ବାପା ହେଉଛନ୍ତି ପରିବାରର ମେରୁଦଣ୍ଡ । ଯାହାର ଛତ୍ରଛାୟା ତଳେ ପରିବାର ସୁରକ୍ଷିତ ରହେ ସେ ହେଉଛନ୍ତି ବାପା ବା ପିତା । ପ୍ରତ୍ୟେକ ସନ୍ତାନର ପ୍ରଥମ ହିରୋ ହେଉଛନ୍ତି ତା ବାପା । ବାପା ଏକ ଶବ୍ଦ ନୁହେଁ, ଏହା ହେଉଛି ବିଶ୍ବାସ ଆଉ ଦମ୍ଭର ପ୍ରତୀକ ପୁଣି ସ୍ନେହ, ଶ୍ରଦ୍ଧା ଓ ଅନୁଶାସନର ଏକ ସୁନ୍ଦର ଉଦାହରଣ । ଯାହାଙ୍କ ପ୍ରତି ଗାଳିରେ ଥାଏ ସନ୍ତାନ ପ୍ରତି ସ୍ନେହାଶ୍ରୀବାଦ । ଯିଏ ଉପରକୁ ଯେତେ କଠୋର ଲାଗୁଥିଲେ ବି ତାଙ୍କ ହୃଦୟରେ ଲୁଚି ରହିଥାଏ ସନ୍ତାନ ପ୍ରତି ଅମାପ ସ୍ନେହ ।

ଆମ ପୁରାଣରେ ପିତା ପୁତ୍ରର ସମ୍ପର୍କକୁ ନେଇ ବେଶ ବର୍ଣ୍ଣନା ରହିଛି । ପିତୃ ସତ୍ୟ ପାଇଁ ପ୍ରଭୁ ରାମଚନ୍ଦ୍ର ଚଉଦ ବର୍ଷର ବନବାସ କରିଛନ୍ତି ପୁଣି ପିତାଙ୍କ ଆଦେଶ ପାଳନ କରି ମାତୃ ହତ୍ୟା କରିଛନ୍ତି ପର୍ଶୁରାମ । ଯୁଗେ ଯୁଗେ ପିତା ଆଉ ପୁତ୍ରର ସମ୍ପର୍କ ଖୁବ ନିବିଡ଼ ଆଉ ଗଭୀର । ଭାରତୀୟ ସଂସ୍କୃତିରେ ପିତାଙ୍କୁ ଧର୍ମ, ସ୍ୱର୍ଗ ଏପରିକି ସବୁ ଦେବତାଙ୍କଠାରୁ ଅଧିକ ବୋଲି କୁହାଯାଇଛି । ପିତା ହେଉଛନ୍ତି ପରମ ଗୁରୁ । ଭାରତୀୟ ଶାସ୍ତ୍ରରେ ପିତାଙ୍କୁ ଇଷ୍ଟଗୁରୁ, ଜ୍ଞାନ ଗୁରୁ ଓ ଦୀକ୍ଷା ଗୁରୁ ବୋଲି କୁହାଯାଇଛି । ପିତାଙ୍କୁ ସ୍ନେହ, ଭକ୍ତି ଓ ଯର୍ଥାଥ ସମ୍ମାନ ଦେବା ଦ୍ୱାରା ଭଗବାନ ଖୁବ ସନ୍ତୁଷ୍ଟ ହୋଇଥାଆନ୍ତି ।

ସନ୍ତାନ ଆଉ ପିତାର ସମ୍ପର୍କ ଅନନ୍ୟ । ଗର୍ଭ ବେଦନା ସହି ମା ସନ୍ତାନକୁ ଜନ୍ମ ଦିଏ ସତ କିନ୍ତୁ ପିତାଟି ସେଇ ସନ୍ତାନକୁ ମଣିଷ କରିବା ପାଇଁ ସାରା ଜୀବନ ଯନ୍ତ୍ରଣା ସହିଥାଏ । ପିତା ଓ ସନ୍ତାନଙ୍କ ସମ୍ପର୍କ ସବୁଠୁ ପବିତ୍ର । ପିତା ହେଉଛି ବିଶ୍ବାସ ଓ ଭରସାର ପ୍ରତୀକ ।

ପିତାଙ୍କୁ ସମ୍ମାନ ଦେବା ପାଇଁ ତଥା ପିତାଙ୍କ ଉଦ୍ଦେଶ୍ୟରେ ଆଜି ଭାରତ ସମେତ ସାରା ବିଶ୍ୱରେ ପାଳିତ ହେଉଛି ଅନ୍ତର୍ଜାତୀୟ ପିତୃ ଦିବସ । ପ୍ରତି ବର୍ଷ ଜୁନ ମାସ ତୃତୀୟ ରବିବାରକୁ ପିତୃ ଦିବସ ଭାବେ ପାଳନ କରାଯାଏ । ତେବେ ଏହି ଦିବସ ସର୍ବ ପ୍ରଥମେ ୧୯ ଜୁନ୍‍, ୧୯୧୦ରେ ୱାଶିଂଟନରେ ପାଳନ କରାଯାଇଥିଲା। ସୋନେରା ସ୍ମାର୍ଟ ଡୋଡ଼୍‍ ନାମକ ମହିଳା ଏହି ଦିବସ ପ୍ରଥମେ ପାଳନ କରିଥିଲେ। ସୋନେରା ତାଙ୍କ ପିତାଙ୍କୁ ବହୁତ ଭଲପାଉଥିଲେ । ଅତି ସାନବେଳୁ ସୋନେରା ନିଜ ମାଙ୍କୁ ହରାଇଥିଲେ । ତାଙ୍କ ପିତା ୱିଲିୟମ୍‍ ସ୍ମାର୍ଟ ଏକୁଟିଆ ସୋନେରାଙ୍କ ସମେତ ତାଙ୍କ ପାଞ୍ଚ ଭାଇ ଭଉଣୀଙ୍କ ଦେଖାଶୁଣା କରି ସେମାନଙ୍କୁ ବଡ଼ କରିଥିଲେ । ତାଙ୍କ ପିତା ଉଭୟ ମାତା ଆଉ ପିତାର ସ୍ନେହ ଦେଇଥିଲେ । ପିତାଙ୍କ ତ୍ୟାଗ ଆଉ ଭଲପାଇବା ଦେଖି ସେ ଫାଦର୍ସ ଡେ’ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ସୋନେରାଙ୍କ ପିତା ୱିଲିୟମ୍‍ ସ୍ମାର୍ଟଙ୍କ ଜନ୍ମଦିନ ଜୁନ ମାସରେ ପଡ଼େ, ତେଣୁ ସେ ଫାଦର୍ସ ଡେ ଜୁନ୍‍ ମାସରେ ପାଳନ କରିବାକୁ ନିଷ୍ପତ୍ତି ନେଲେ । ମାତ୍ର ୧୯୭୨ ମସିହାରେ ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା । ସେବେଠାରୁ ଜୁନ୍‍ ମାସର ତୃତୀୟ ରବିବାରକୁ ସାରା ବିଶ୍ୱରେ ଫାଦର୍ସ ଡେ’ ଭାବେ ପାଳନ କରାଗଲା ।

ଗୁଗୁଲ ମଧ୍ୟ ଆଜି ଏହି ଦିବସ ନିଆରା ଢଙ୍ଗରେ ପାଳନ କରୁଛି । ଗୁଗୁଲ କିଛି ଆନିମେଟେଡ ଡୁଡୁଲ କରି ପିତୃ ଦିବସ ସେଲିବ୍ରେଟ କରୁଛି । ଗୁଗୁଲରେ ଜଣେ ଛୋଟ ପିଲା ଏବଂ ତା'ର ବାପାଙ୍କ ହାତର ଡୁଡୁଲ ରହିଛି । ଏହା ଉପରେ କ୍ଲିକ୍ କଲେ, କେତେବେଳେ ପିଲାଟି ବାପାଙ୍କ ହାତ ଧରି ଚାଲୁଥିବାର ଦେଖାଯାଉଛି ତ ପୁଣି କେତେବେଳେ ଏକ ବୃଦ୍ଧ ବାପାଙ୍କ ହାତ ଉପରେ ପୁଅ ନିଜ ହାତ ରଖିଥିବାର ଦେଖିବାକୁ ମିଳୁଛି । ସମୟକ୍ରମେ ସନ୍ତାନ ଆଉ ପିତାର ସମ୍ପର୍କ କେମିତି ବଦଳି ଥାଏ ତାହା ଏହି ଡୁଡୁଲରେ ଦେଖାଯାଇଛି । ଶିଶୁ ଥିବାବେଳେ ପିତା ଶିଶୁର ହାତ ଧରି ବାଟ କଢ଼ାଉଥିବାବେଳେ ପିତା ଯେତେବେଳେ ବୃଦ୍ଧ ହୋଇଯାନ୍ତି ସେତେବେଳେ ସେଇ ସନ୍ତାନ ବୃଦ୍ଧ ପିତାର ଆଶା ଆଉ ଭରସା ପାଲଟେ ।

କେବଳ ପିତୃ ଦିବସ ପାଳନ କରିଦେଲେ ହେବନାହିଁ । ପିତାଙ୍କ ପାଇଁ ମନରେ ଭଲପାଇବା ଆଉ ସମ୍ମାନ ରଖିବାର ଆବଶ୍ୟକତା ରହିଛି । ପିତାଙ୍କ ତ୍ୟାଗ ଆଉ ବଳିଦାନର ଋଣ କେହି ବି ଶୁଝି ପାରିବେନି କିନ୍ତୁ ପିତାଙ୍କୁ ଆମେ ସମ୍ମାନ ଓ ଭଲ ପାଇବାର ଉପହାର ତ ଦେଇପାରିବା । ଆଜିର ଏହି ଦିବସରେ ସଂସାରର ସବୁ ବାପାଙ୍କ ମୁହଁରେ ହସ ଭରିଦେବା ହିଁ ସବୁ ସନ୍ତାନମାନଙ୍କର ଜୀବନର ଲକ୍ଷ୍ୟ ହେଉ । ଆଜି ପିତୃ ଦିବସ ଅବସରରେ ବାଟୋଇ ପରିବାର ତରଫରୁ ସମସ୍ତ ପିତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।