ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍, କେବେ ଓ କାହିଁକି

ଆମ ସମସ୍ତଙ୍କ ଜୀବନରେ ପିତାମାତାଙ୍କ ଅବଦାନ କଣ ତାହା କହିବାର ଆବଶ୍ୟକତା ନାହିଁ । ମାତ୍ର ଏଥିଲାଗି ଏକ ବିଶେଷ ଦିନର ଆବଶ୍ୟକତା କଣ, ଆସନ୍ତୁ ଜାଣିବା ସେ ସମ୍ପର୍କରେ ....


ଆମ ସମସ୍ତଙ୍କ ଜୀବନରେ ପିତାମାତାଙ୍କ ଅବଦାନ କଣ ତାହା କହିବାର ଆବଶ୍ୟକତା ନାହିଁ । ଶିଶୁର ଜୀବନର ମୂଳ ଉତ୍ସ ହେଉଛନ୍ତି ତାର ମାତାପିତା । ଯାହା ପାଇଁ ସେ ଏଇ ଦୁନିଆକୁ ଆସେ । ଦୁନିଆକୁ ଆସିବା ସହ ତାର ଏଇ ଦୁନିଆରେ ବଂଚିବା ଲାଗି ପିତାମାତାଙ୍କ ଭୂମିକା ଅନସ୍ବୀକାର୍ଯ୍ୟ ।

ଶିଶୁଟିର ସନ୍ତୁଳିତ ବିକାଶ ପାଇଁ ଏକ ସକରାତ୍ମକ ପାରିବାରିକ ପରିବେଶରେ ପ୍ରତିପୋଷଣ କରାଯିବା ଉଚିତ । ଏହାକୁ ଦୃଷ୍ଟିରେ ରଖି ଜାତିସଂଘ ଏକ ସଂକଳ୍ପ ପାରିତ କରି ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍ ବା ବିଶ୍ୱ ପିତୃମାତୃ ଦିବସର ଘୋଷଣା କରିଛି । ୨୦୧୨ ମସିହାରେ ଜାତିସଙ୍ଘର ସାଧାରଣ ପରିଷଦ ପିତାମାତାଙ୍କ ଲାଗି ଏକ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ଶିଶୁର ଜୀବନରେ ପିତାମାତାଙ୍କ ଭୂମିକାକୁ ସମ୍ମାନ ଜଣାଇ ଜାତିସଙ୍ଘର ସାଧାରଣ ପରିଷଦ ବିଶ୍ୱ ପିତୃମାତୃ ଦିବସ ପାଳନ ନେଇ ସ୍ୱୀକୃତି ଦେଇଥିଲା । ସେଥିପାଇଁ ପ୍ରତ୍ୟେକ ବର୍ଷ ଜୁନ ମାସ ୧ ତାରିଖରେ ପିଲାଙ୍କ ଜୀବନ ଗଢିବାରେ ମାତାପିତାଙ୍କ ଅବଦାନକୁ ସ୍ୱୀକୃତି ଦେବା ଲାଗି ଏହି ଦିବସ ପାଳନ କରାଯାଏ । ପ୍ରତ୍ୟେକ ବର୍ଷ ଏହି ଦିବସ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ପାଳିତ ହେଉଥିବାବେଳେ ଚଳିତ ବର୍ଷ ଏହି ଦିବସର ଥିମ ରହିଛି - ବିଶ୍ଵବ୍ୟାପୀ ସମସ୍ତ ମାତାପିତାଙ୍କ ପ୍ରତି କୃତଜ୍ଞ ରହିବା ।

ତେବେ ଦୁନିଆର ଅନେକ ଦେଶରେ ପିତୃମାତୃ ଦିବସ ଭିନ୍ନ ଭିନ୍ନ ଦିନରେ ପାଳନ କରାଯାଏ । ଯେମିତିକି ଯୁକ୍ତରାଷ୍ଟ୍ର ଆମେରିକାରେ ଜୁଲାଇର ଚତୁର୍ଥ ରବିବାର, ଦକ୍ଷିଣ କୋରିଆରେ ମେ ୮ ରେ ପାଳନ କରାଯାଏ । ପୁଣି ଆଉ କେଉଁଠି ଜୁଲାଇ ୨୪ । ତେବେ ଆମ ଜୀବନର ମୂଳ ଉତ୍ସ ଆମ ପିତାମାତାଙ୍କ ଲାଗି ଗୋଟିଏ ଦିନ ଯଥେଷ୍ଟ ନୁହେଁ ।

ସନ୍ତାନ ପାଇଁ ତା ମାତାପିତା ହେଉଛନ୍ତି ଚଳନ୍ତି ଈଶ୍ବର । ଜନ୍ମ ଦେବା ସହ ଲାଳନ ପାଳନ କରି ଦୁନିଆରେ ତାକୁ ମଣିଷ କରି ଗଢି ତୋଳିବା ପାଇଁ ମାତାପିତା ଯେ କେତେ କଷ୍ଟ କରନ୍ତି ତାହାର ତୁଳନା ନାହିଁ । ପ୍ରତ୍ୟେକ ସନ୍ତାନର ପିତାମାତାଙ୍କ ସହ ସମ୍ପର୍କ ନିଆରା । ମାତ୍ର ସମୟେ ସମୟେ ଏହି ସମ୍ପର୍କରେ ଭଟ୍ଟା ଦେଖିବାକୁ ମିଳୁଛି । ବୃଦ୍ଧ ମାତାପିତାମାନେ ସନ୍ତାନର ରୁକ୍ଷତାର ଶିକାର ହେଉଛନ୍ତି । ପେଟରେ ଓଦା କନା ଦେଇ ସନ୍ତାନକୁ ବଡ କରିଥିବା ମାତାପିତା ଆଜି ମୁଣ୍ଡ ଗୁଞ୍ଜିବାକୁ ଚାଳ ପାଉନାହାନ୍ତି । ଆଜିକାଲିର ଏକାନ୍ନବର୍ତ୍ତୀ ଚିନ୍ତାଧାରା ଯୋଗୁଁ ବୃଦ୍ଧ ପିତାମାତାମାନେ ଅସହାୟ ହୋଇ ପଡୁଛନ୍ତି । ଯୌଥ ପରିବାରର କଡ଼ା ଶୃଙ୍ଖଳରୁ ବାହାରି ଏବେ ସମସ୍ତେ ସ୍ୱାଧୀନ ଭାବେ ଏକୁଟିଆ ରହିବାକୁ ପସନ୍ଦ କରୁଛନ୍ତି, ଯାହାଫଳରେ ବାପମାମାନେ ଏବେ ଏକୁଟିଆ ହୋଇଯାଉଛନ୍ତି । ପୁଣି ଆଉ କେଉଁଠି ସ୍ୱାଧୀନତାର ଆଳ ଦେଖାଇ କେହି କେହି ସେମାନଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ ଅବହେଳା କରି ଚାଲୁଛନ୍ତି । ଗାଁ ହେଉ କି ସହର ସବୁଠି ଏଇ ଦୃଶ୍ୟ ଦେଖିବାକୁ ମିଳୁଛି । କିନ୍ତୁ ଆମେ ଭୁଲି ଯାଉଛେ ଯେ ଆମେ ଯେମିତି ବୁଣିବା ସେମିତି କାଟିବା ମଧ୍ୟ । ଅର୍ଥାତ ଆମର ଏପରି କର୍ମ ଆମ ଭବିଷ୍ୟତକୁ ମଧ୍ୟ ବିପନ୍ନ କରିବାର ସମ୍ଭାବନା ରଖୁଛି । ଆମେ ଯଦି ପରିବାରର ମୂଲ୍ୟବୋଧକୁ ବୁଝିପାରୁନେ, ତେବେ ଆମ ଉତ୍ତର ପିଢ଼ି ମଧ୍ୟ ଏହି ନ୍ୟାୟରେ ଚାଲିବ । ତେବେ ବେଳ ହୁଁ ସାବଧାନ ହେବା ଜରୁରୀ । ନିଜ ଜୀବନରେ ପିତାମାତାଙ୍କ ଅବଦାନକୁ କେବେହେଲେ ହେୟଜ୍ଞାନ କରିବା ଅନୁଚିତ । ଆମ ଜୀବନର ସେଇ ଚଳନ୍ତି ଈଶ୍ବରକୁ ଏବେ ପ୍ରାଧାନ୍ୟ ଦିଅନ୍ତୁ । ସେଥିପାଇଁ ପିତାମାତାଙ୍କ ମୁହଁରେ ହସ ଆଣିବା ପାଇଁ, ସେମାନଙ୍କ ସହ ସମୟ ବିତାନ୍ତୁ ଏବଂ ତାଙ୍କୁ ପ୍ରଚୁର ପ୍ରେମ ଓ ସମ୍ମାନ ଦିଅନ୍ତୁ । ସେମାନଙ୍କର ଉତ୍ତମ ବନ୍ଧୁ ଏବଂ ସାଥୀ ହୋଇ ବାଟ ଚାଲନ୍ତୁ ।