ବିଶ୍ୱ ପର୍ଯ୍ଯଟନ ଦିବସର ଅନୁଚିନ୍ତା

ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ । ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖରେ ଏହା ବିଶ୍ୱବ୍ଯାପୀ ପାଳିତ ହୁଏ । ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ଏହି ଦିବସ ପାଳନ କରାଯାଏ ।


ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ । ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖରେ ଏହା ବିଶ୍ୱବ୍ଯାପୀ ପାଳିତ ହୁଏ । ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ଏହି ଦିବସ ପାଳନ କରାଯାଏ । ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ବିଶ୍ୱ ସ୍ତରରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେଇ ପର୍ଯ୍ୟଟନ ମାଧ୍ୟମରେ ଦେଶର ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ସମୃଦ୍ଧିରେ ଭାଗିଦାରୀ ହେବା ତଥା ଏ ସଂପର୍କରେ ଗଣ ସଚେତନତା ସୃଷ୍ଟି କରିବା ।

ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ପର୍ଯ୍ୟଟନ ସଂଗଠନ ଦ୍ୱାରା ୧୯୮୦ ମସିହାରୁ ଏହା ପାଳିତ ହେଉଅଛି । ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ଏଇ ଏହି ଦିବସକୁ ପାଳନ କରାଯାଇଥାଏ । ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି - “ରି ଥିଙ୍କିଂ ଟୁରିଜିମ ବା ପର୍ଯ୍ୟଟନର ବିକାଶ ପାଇଁ ପୁଣିଥରେ ଚିନ୍ତା କରିବା” । ପର୍ଯ୍ୟଟନର ବିକାଶ ସହିତ ଏହା କିପରି ଆମର ଶିକ୍ଷା ଓ ଜୀବିକା ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ସେଇଦିଗରେ ପୁନର୍ବିଚାର କରିବା ।

ଯେକୌଣସି ଦେଶର ପର୍ଯ୍ୟଟନ ସେଦେଶର ଅର୍ଥନୀତିକୁ ସୁଦୃଢ଼ କରିଥାଏ । ଦେଶର ଅର୍ଥନୀତି ପାଇଁ ଭାରତର ପର୍ଯ୍ୟଟନ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦୁନିଆର ସର୍ବ ପୁରାତନ ସଭ୍ୟତା ମଧ୍ୟରୁ ଭାରତ ହେଉଛି ବହୁ ସଂସ୍କୃତିର ଏକ ନିଆରା ରଙ୍ଗୀନ ଅନୁଭୂତି । ଏକ ସମୃଦ୍ଧ ଐତିହ୍ୟ ଏବଂ ଅସୀମ ଆକର୍ଷଣ ସହିତ ଭାରତର ପର୍ଯ୍ୟଟନ ବିଶ୍ୱର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ସ୍ଥାନିତ । ଏଠାରେ ତୀକ୍ଷ୍ଣ ବରଫାବୃତ ଉତ୍ତୁଙ୍ଗ ଶିଖର ଥିବାବେଳେ ଆଦ୍ରଭୂମି, ସମୁଦ୍ର, ବିଶାଳ ଜଳରାଶି ରହିଛି । ଦୁନିଆର ସପ୍ତମ ବୃହତ୍ତମ ଦେଶ ଭାବରେ ଭାରତ ଏସିଆର ଅନ୍ୟ ଦେଶମାନଙ୍କଠାରୁ ସାଂସ୍କୃତିକ ଓ ପର୍ଯ୍ୟଟନ ଭିତ୍ତିରେ ବେଶ ଭିନ୍ନ ।

ସେହିପରି ଓଡିଶା ମଧ୍ୟ ପର୍ଯ୍ୟଟନ ଦୃଷ୍ଟିରେ ବେଶ ସମ୍ପନ୍ନ । ପ୍ରାକୃତିକ ସମ୍ପଦରେ ଭରପୂର ଓଡିଶାରେ ମଧ୍ୟ ପର୍ଯ୍ୟଟନକୁ ଏକ ଶିଳ୍ପ ରୂପେ ମାନ୍ୟତା ଦିଆଯାଇଛି । ବିଶ୍ୱର ଠାକୁର ପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ର ପୁରୀ, ନିହାଣ ମୁନରେ ଜୀବନ୍ତ ହୋଇଥିବା ଭାସ୍କର୍ଯ୍ୟର ଗନ୍ତାଘର କୋଣାର୍କ, ମନ୍ଦିର ମାଳିନୀ ସହର, ନିଳାମ୍ୱଭୁ ଚିଲିକା, ବିସ୍ତୀର୍ଣ୍ଣ ଝାଉଁ ବଣ, ସୁଦୀର୍ଘ ବାଲୁକା ରାଶି, ଉତ୍ତୁଙ୍ଗ ପର୍ଵତରାଜି, ଘନ ସବୁଜିମା ଆଦି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଓଡିଶାର ପ୍ରତ୍ୟେକ କୋଣରେ ରହିଛି ଅନେକ ମନ୍ଦିର, ପାହାଡ଼, ଝରଣା ତଥା ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟର ଵିଭଵ । ପୁଣି ଓଡ଼ିଶାର ଚାଲିଚଳଣୀରେ ରହିଛି ଭିନ୍ନ ଏକ ମହକ । ଏଠିକାର ଆଦିବାସୀ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଆକର୍ଷଣର କାରଣ ସାଜିଥାନ୍ତି ।

ବିଗତ ଦୁଇବର୍ଷ ଧରି କୋଭିଡର ପ୍ରଭାବରେ ଆମ ପର୍ଯ୍ୟଟନ ଶିଳ୍ପ ଯଦିଓ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି, ତେବେ ସମୟ ବଦଳିବା ସହ ଆମ ପର୍ଯ୍ୟଟନ ବିଭାଗ ଏ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରୁଛନ୍ତି । ସମ୍ପ୍ରତି ଓଡ଼ିଶାର ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ପର୍ଯ୍ୟଟନ ବିଭାଗ ବେଶ ତତ୍ପର ହୋଇଛି । ଲୋକଙ୍କ ଆଗ୍ରହ ଓ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରିବେଶ ପର୍ଯ୍ୟଟନସ୍ଥଳର ବିକାଶକୁ ଅଗ୍ରାଧିକାର ଦେଇଛନ୍ତି । ରାଜ୍ୟରେ ଇକୋ-ଟୁରିଜିମ ଆରମ୍ଭ ହେବା ପରେ ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶରୁ ପର୍ଯ୍ୟଟକମାନଙ୍କର ଆଗମନ ବଢିଛି । ଇକୋ-ଟୁରିଜିମ ଦ୍ୱାରା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଅଧିକ ସମୃଦ୍ଧ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଆଜିର ଏହି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆସନ୍ତୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡିଶାର ସ୍ଥାନକୁ ଅଧିକ ମଜଭୂତ କରିବା ପାଇଁ ସମସ୍ତେ ବଦ୍ଧ ପରିକର ହେବା ।

Report an Error