ବିଶ୍ୱ ଫଟୋଗ୍ରାଫି ଦିବସ - ଫଟୋ ବି ଅନେକ କଥା କୁହେ

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ । ଫଟୋ ଉଠେଇବାକୁ କାହାକୁ ଭଲ ନ ଲାଗେ । କିଏ ଅନ୍ୟର ଫଟୋ ଉଠାଇ ଖୁସି ହୁଏତ କିଏ ନିଜେ ନିଜର ଫଟୋ ଉଠାଇ ଖୁସି ହୁଏ । ଗୋଟିଏ ଫଟୋ ଗୋଟିଏ ମୁହୂର୍ତ୍ତକୁ ଏକ ଅବିସ୍ମରଣୀୟ ସ୍ମୃତିରେ ପରିଣତ କରିପାରିବାର ସାମର୍ଥ୍ୟ ରଖିଥାଏ ।


ଆଜି ବିଶ୍ୱ ଫଟୋଗ୍ରାଫି ଦିବସ । ଫଟୋ ଉଠେଇବାକୁ କାହାକୁ ବା ଭଲ ନ ଲାଗେ । କିଏ ଅନ୍ୟର ଫଟୋ ଉଠାଇ ଖୁସି ହୁଏତ କିଏ ନିଜର ନିଜେ ଉଠାଇ ଖୁସି ହୁଏ । ଫଟୋ ଅନେକ କଥା ମଧ୍ୟ କହିଥାଏ । ଆଜିର ସମୟରେ ଫଟୋ ଜରିଆରେ ଆମେ ନିଜ ଜୀବନର ସୁନ୍ଦର ସମୟକୁ କ୍ୟାମେରାରେ ବାନ୍ଧି ରଖିଥାଉ । ୧୮୩୯ ମସିହା ଆଜିର ଦିନରେ ଫ୍ରାନ୍ସ ସରକାର ଫଟୋଗ୍ରାଫି ଉଦ୍ଭାବନ ବିଷୟରେ ଆନୁଷ୍ଠାନିକ ଭାବେ ଜଣାଇବା ସହ ଏହା ମାନବ ଜାତି ପାଇଁ ଫ୍ରାନ୍ସର ଅବଦାନ ବୋଲି ଦର୍ଶାଇଥିଲେ । ସେଥିପାଇଁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୯ ତାରିଖକୁ ବିଶ୍ୱ ଫଟୋଗ୍ରାଫି ଦିବସ ରୂପେ ପାଳନ କରାଯାଏ ।

ଶହେ ଶବ୍ଦ ଅପେକ୍ଷା ଗୋଟିଏ ଫଟୋ ଅଧିକ ତଥ୍ୟ ଦେଇଥାଏ । ଏମିତିକି ଖବର ପଛର ଖବର ଜଣାଇବାରେ ଫଟୋଟି ଅଧିକ ସମର୍ଥ । ଗୋଟିଏ ଫଟୋ ହଜାର କଥା କହିଥାଏ । କିଛି ସମୟକୁ ଧରି ରଖିବାର ଇଏ ତ ଗୋଟିଏ ସରଳ ପ୍ରକ୍ରିୟା । ଯାହା ଖାଲି ଆଖିକୁ ନଜର ଆସି ନଥାଏ, ତାହା କ୍ୟାମେରାରେ ବନ୍ଧା ହୋଇଯାଏ । ଫଟୋ କେବଳ ଗୋଟିଏ ଚିତ୍ର ନୁହେଁ, ଏହା ହେଉଛି ଏକ ଭାବାବେଗ । ଗୋଟିଏ ଫଟୋ ଗୋଟିଏ ମୁହୂର୍ତ୍ତକୁ ଏକ ଅବିସ୍ମରଣୀୟ ସ୍ମୃତିରେ ପରିଣତ କରିପାରିବାର ସାମର୍ଥ୍ୟ ରଖିଥାଏ ।

ଫଟୋଗ୍ରାଫିର ଇତିହାସ:

ଫଟୋଗ୍ରାଫି ଶବ୍ଦର ଉତ୍ପତ୍ତି ଗ୍ରୀକ ଶବ୍ଦ ‘ଫଟୋଜ’ (ପ୍ରକାଶ) ଓ ଗ୍ରାଫିନ (ଖିଂଚନ) ଶବ୍ଦରୁ ସୃଷ୍ଟି ହୋଇଛି । ତେବେ ଫଟୋଗ୍ରାଫି ଶବ୍ଦର ଅର୍ଥ ହେଉଛି "ଆଲୋକ ସହିତ ଚିତ୍ର"। ୧୮୩୯ ମସିହା ଜାନୁଆରୀ ୯ ତାରିଖରେ ଡାଗୁରେଟାଇପ୍ (Daguerreotype) ପ୍ରକ୍ରିୟା ଦ୍ୱାରା ପ୍ରଥମ ଫଟୋ ଉତ୍ତୋଳନ ହୋଇଥିଲା । ଏହା ଦ୍ୱାରା ଦୃଶ୍ୟ ଏବଂ ଚେହେରାକୁ ପ୍ରତିନିଧିତ୍ବ କରିବାର ଏକ ଅପେକ୍ଷାକୃତ ଶସ୍ତା ଏବଂ ସଠିକ୍ ଉପାୟ ଆସିଲା, ଯାହା ପୂର୍ବରୁ ହାତରେ ଟାଣିବାକୁ କିମ୍ବା ଚିତ୍ର କରିବାକୁ ପଡୁଥିଲା । ଫରାସୀ ଲୁଇସ୍ ଡାଗୁରେ ଏବଂ ଜୋସେଫ୍ ନିକେଫୋର ନିପ୍ସଙ୍କ ଦ୍ୱାରା ବିକଶିତ ହୋଇଥିବା ଏହି ଫଟୋଗ୍ରାଫିକ୍ ପ୍ରକ୍ରିୟାଟି ପୂର୍ବାପେକ୍ଷା ସହଜ ଥିଲା । ୧୮୩୯ ଅଗଷ୍ଟ ୧୯ ତାରିଖରେ ଫ୍ରାନ୍ସ ସରକାର ଏହି ଫଟୋ ଉତ୍ତୋଳନ ପ୍ରକ୍ରିୟାକୁ ସାର୍ବଜନୀନ କରିବା ସହ ସାରା ବିଶ୍ୱ ପାଇଁ ମୁକ୍ତ ଘୋଷଣା କରିଥିଲେ । ସେହିଦିନଠାରୁ ଏହି ଦିନକୁ ଫଟୋଗ୍ରାଫି ଦିବସ ରୂପେ ପାଳନ କରାଯାଉଛି । ଜୋସେଫ ନିସଫର ନାଇପ୍ସଙ୍କ ଦ୍ୱାରା ନିର୍ମିତ ଫଟୋଗ୍ରାଫି କ୍ୟାମେରାର ଉଦ୍ଭାବନ ପରଠାରୁ ଏପର୍ଯ୍ୟନ୍ତ ଅନେକ ପ୍ରକାରର ଫଟୋଗ୍ରାଫି ବିକଶିତ ହୋଇ ଉତ୍ତମ ଗୁଣବତ୍ତାଯୁକ୍ତ ମୋବାଇଲ୍ ଫୋନ୍ କ୍ୟାମେରାରେ ପହଞ୍ଚିଛି । ଆଜିକାଲି କ୍ୟାମେରାବାଲା ମୋବାଇଲ୍ ପ୍ରାୟ ପ୍ରତ୍ୟେକ ହାତରେ, ପ୍ରତ୍ୟେକ ଘରେ ପହଞ୍ଚିଛି ।

ଫଟୋଗ୍ରାଫି ଦିବସ ଫଟୋଗ୍ରାଫିର କଳା, ଶିଳ୍ପ ଏବଂ ବିଜ୍ଞାନ ଉପରେ ଧ୍ୟାନ ଦେଇଥାଏ । ଏହାର ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ବିଶ୍ବର ବିଭିନ୍ନ ସ୍ଥାନରୁ ଫଟୋଗ୍ରାଫରମାନଙ୍କୁ ଉତ୍ସାହିତ କରିବା । ଫଟୋଗ୍ରାଫିର ଇତିହାସ, ଏହାର କଳା, ହସ୍ତଶିଳ୍ପ ଓ ବିଜ୍ଞାନର ଇତିହାସକୁ ଦର୍ଶାଇବାର ଏହା ଏକ ବାର୍ଷିକ ବିଶ୍ୱସ୍ତରୀୟ ଉତ୍ସବ । ଏବେ ହେଉଛି ସୋସିଆଲ ମିଡ଼ିଆର ଯୁଗ । ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ, ସୋସିଆଲ ମିଡ଼ିଆରେ ଅନେକ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଅତୀତ ହେଉ କି ବର୍ତ୍ତମାନ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଭବିଷ୍ୟତ ପାଇଁ ସାଇତି କରି ରଖିଥାଏ ଫଟୋଗ୍ରାଫି । ଯୁଦ୍ଧର ଭୟାବହତା ହେଉ କି ଦାଦନର ଦୁଃଖ ବା ସଂସ୍କୃତି ପରମ୍ପରାର ଚିତ୍ର ଅବା ପ୍ରକୃତିର ଅପରୂପ ଛବି ସବୁକୁ ନିଜ କ୍ୟାମେରାରେ ସାଇତି ରଖେ ଫଟୋଗ୍ରାଫର । ଯେଉଁ ଫଟୋଗ୍ରାଫର୍‌ମାନେ ସୃଷ୍ଟିର ସୁନ୍ଦର ଚିତ୍ର ହେଉ ଅଥବା ସେଇ ବିରଳ ସମୟକୁ ଫଟୋଗ୍ରାଫି ଜରିଆରେ କଏଦ୍ କରିଛନ୍ତି, ଆଜିର ଦିନଟି ସେହିମାନଙ୍କୁ ସମର୍ପିତ ହୋଇଛି ।

କ୍ୟାମେରାର ମ୍ୟାଜିକ ଓ ଫଟୋଗ୍ରାଫିର ଉତ୍ସବକୁ ପାଳନ ପାଇଁ ୨୦୦୯ ମସିହାରେ ଅଷ୍ଟ୍ରେଲୀୟ ଫଟୋଗ୍ରାଫର କୋର୍ସକ ଆର ‘ବିଶ୍ବ ଫଟୋଗ୍ରାଫି ଡେ’ ପାଳନ ପାଇଁ ପ୍ରଚେଷ୍ଟା କରିଥିଲେ । ୨୦୧୦, ଅଗଷ୍ଟ ୧୯ରେ ସେ ପ୍ରଥମଥର ପାଇଁ ଗ୍ଲୋବାଲ ଅନଲାଇନ ଗ୍ୟାଲେରୀର ଆୟୋଜନ କରିଥିଲେ । ଏଥିରେ ଦୁନିଆର ୨୫୦ରୁ ଉର୍ଦ୍ଧ୍ବ ଫଟୋଗ୍ରାଫର ଅଂଶଗ୍ରହଣ କରି ଫଟୋ ପଠେଇଥିଲେ । ୧୦୦ରୁ ଉର୍ଦ୍ଧ୍ବ ଦେଶ ଏହି ଗ୍ୟାଲେରୀକୁ ଦେଖିଥିଲେ । ଊନବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଫଟୋଗ୍ରାଫି ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି । ଏହି ଦିବସ ପାଳନ ପଛରେ ରହିଛି ଲୋକଙ୍କ ମଧ୍ୟରେ ଫାଟୋଗ୍ରାଫିକୁ ନେଇ ସଚେତନତା ସୃଷ୍ଟି କରିବା ସହ ସାରା ବିଶ୍ୱର ଫଟୋଗ୍ରାଫରଙ୍କୁ ଏକଜୁଟ କରିବାର ଉଦ୍ଦେଶ୍ୟ । ଏହି କ୍ଷେତ୍ରରେ ଜଡିତ ରହିଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କରିବା ସହ ଫଟୋଗ୍ରାଫି କୌଶଳ ମାଧ୍ୟମରେ ସେମାନଙ୍କର ଭାବନା ଏବଂ ସାମାଜିକ ଚିନ୍ତାଧାରା ପ୍ରକାଶ କରିବାକୁ ଉତ୍ସାହିତ କରିବା ମଧ୍ୟ ଏହି ଦିବସର ଲକ୍ଷ୍ୟ । ଆମେରିକାର ଫଟୋ ପ୍ରେମୀ ରବର୍ଟ କର୍ଣ୍ଣିଲିୟସ୍ ଦୁନିଆର ପ୍ରଥମ ସେଲଫି କ୍ଲିକକାରୀ ଭାବରେ ପରିଗଣିତ । ସେ ୧୮୩୯ ମସିହାରେ ଏହି ସେଲଫି ଉଠାଯାଇଥିଲା ।

କଥାରେ ଅଛି ଫଟୋ ଅନେକ କଥା କୁହେ । ଗୋଟିଏ ଫଟୋ ଅନେକ କଥା, ବ୍ଯଥା ଓ ଖୁସିକୁ ଖୁବ ସହଜରେ ଓ ନିଖୁଣ ଭାବେ ବର୍ଣ୍ଣନା କରିପାରେ । ସମୟ ସିନା ବଦଳି ଯାଏ, କିନ୍ତୁ ଫଟୋ ସେଇ ସମୟକୁ ବାନ୍ଧି ରଖେ, ଯାହା ଆମର ସ୍ମୃତି ରୂପେ ସାଇତି ରହେ । ଆମ ପାଖରେ ଏମିତି ଅନେକ ଫଟୋ ଅଛି, ଯାହା ଅନେକ କଥା କହିଥାଏ । କେତେବେଳେ ଫଟୋଟିଏ ଦୁଃଖ ବଖାଣି ଥାଏ ତ କେତେବେଳେ ସୁଖର ସ୍ୱର୍ଣ୍ଣିମ ସମୟ କଥା କହିଥାଏ । ସଂଘର୍ଷ ହେଉ କି ବୀରତ୍ୱ ହେଉ ଅଥବା ବିଜୟର ଗାଥା ସବୁ କଥାକୁ ବଖାଣି ଥାଏ ଫଟୋ । ଅତୀତର ସ୍ମୃତିରୁ ବର୍ତ୍ତମାନ ଓ ଭବିଷ୍ୟ ପାଇଁ ବାଟ ବି ଦେଖାଏ ଫଟୋ । ସମୟ, ଭାବାବେଗ, ଇତିହାସକୁ ସବୁଦିନ ପାଇଁ ସାଇତି ରଖିବାର ସୁନ୍ଦର ମାଧ୍ୟମ ହେଉଛି ଫଟୋଗ୍ରାଫି । ଆମ ସମସ୍ତଙ୍କ ମଧ୍ୟରେ ଜଣେ ଫଟୋଗ୍ରାଫର ଲୁକ୍କାୟିତ ଅବସ୍ଥାରେ ରହିଛି, ବେଳେବେଳେ ପ୍ରକୃତିର ସୁନ୍ଦର ଚିତ୍ର ଉଠାଇବାବେଳେ ହେଉ କି ମନଲୋଭା ଖାଦ୍ୟର ଫଟୋ ହେଉ ନିଜକୁ ଟିକେ ଅଲଗା ଦେଖାଇବାକୁ ଯାଇ ସେଲ୍ଫି ଉଠେଇଲାବେଳେ ଏହା ବାରିହାେଇପଡ଼ିଥାଏ । ତେଣୁ ଆସନ୍ତୁ ଆଜି ବିଶ୍ୱ ଫଟୋଗ୍ରାଫି ଦିବସରେ ଫଟୋ ଉଠାଇ ଓ ସ୍ମୃତି ସାଉଁଟିବା ।

Report an Error