ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ: ପ୍ରକୃତି ପାଇଁ ଦିନଟିଏ

ପ୍ରକୃତି ପାଇଁ ଦିନଟିଏ । ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ । ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପ୍ରତିବର୍ଷ ଜୁଲାଇ ୨୮ରେ ପାଳନ କରାଯାଏ । ଏହି ଦିନ ପୃଥିବୀର ସୁରକ୍ଷା ପାଇଁ ପ୍ରକୃତି ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣର ମହତ୍ତ୍ୱ ବିଷୟରେ ସଚେତନତା ବୃଦ୍ଧି କରାଯାଏ ।


ପ୍ରକୃତି ପାଇଁ ଦିନଟିଏ । ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ । ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପ୍ରତିବର୍ଷ ଜୁଲାଇ ୨୮ରେ ପାଳନ କରାଯାଏ । ଏହି ଦିନ ପୃଥିବୀର ସୁରକ୍ଷା ପାଇଁ ପ୍ରକୃତି ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣର ମହତ୍ତ୍ୱ ବିଷୟରେ ସଚେତନତା ବୃଦ୍ଧି କରାଯାଏ । ଏହି ଦିନ ପାଳନ କରିବା ପଛରେ ମୁଖ୍ୟ ଲକ୍ଷ୍ୟ ହେଉଛି ପୃଥିବୀର ସୁରକ୍ଷା ପାଇଁ ପ୍ରକୃତିର ସଂରକ୍ଷଣ କରିବା । ଏଥିନିମନ୍ତେ ପ୍ରାକୃତିକ ସମ୍ପଦ ଯଥା ଜଳ, ବାୟୁ, ମାଟି, ଉଦ୍ଭିଦ, ଖଣିଜ ପଦାର୍ଥ ଏବଂ ପଶୁ ସମ୍ପଦର ସଂରକ୍ଷଣ କରିବା ।

ବିଶ୍ୱକୁ ସୁସ୍ଥ ରଖିବା ପାଇଁ ପରିବେଶ ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖି ଏହି ଦିବସରେ ଅନେକ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରାଯାଇଥାଏ । ସେହିପରି ବିଲୁପ୍ତପ୍ରାୟ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କୁ ସଂରକ୍ଷଣ କରିବା ହେଉଛି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ ।

ପ୍ରକୃତି ସୁରକ୍ଷା ପାଇଁ ମୃତ୍ତିକା ସଂରକ୍ଷଣ ଏକାନ୍ତ ଅପରିହାର୍ଯ୍ଯ । ମୃତ୍ତିକା ସଂରକ୍ଷିତ ହାେଇ ରହିଲେ ଉଦ୍ଭିଦ ଜଗତ ସୁରକ୍ଷିତ ରହିବେ ଏବଂ ଉଦ୍ଭିଦ ଜଗତ ସୁରକ୍ଷିତ ରହିଲେ ଏକ ସୁନ୍ଦର ପରିବେଶ ସୃଷ୍ଟି ହେବ । ପରିବେଶ ଭଲ ରହିଲେ ମନ ଓ ଶରୀର ମଧ୍ୟ ସୁସ୍ଥ ରହିବ । ତେଣୁ ପ୍ରକୃତି ବଞ୍ଚିରହିଲେ ମାନବ ସମାଜ ବଞ୍ଚି ରହିବ ବାେଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ମଣିଷ ତା'ର ସ୍ବାର୍ଥ ପାଇଁ ପ୍ରକୃତିର ବିନାଶ କରୁଛି । ଜଙ୍ଗଲ ନଷ୍ଟ କରି କଂକ୍ରିଟ ଜଙ୍ଗଲ ନିର୍ମାଣ କରୁଛି । ନିଜର ବିଳାସ ବ୍ୟସନ ପାଇଁ ପ୍ରକୃତିକୁ ସେ ନାନା ଉପାୟରେ ନଷ୍ଟ କରି ଚାଲିଛି । ଏକ ସୁସ୍ଥ ପରିବେଶ ଏକ ସ୍ଥିର ଏବଂ ସୁସ୍ଥ ସମାଜର ମୂଳଦୁଆ ଅଟେ । ଏହି କ୍ରମରେ ଆମେ ପରିବେଶକୁ ସୁସ୍ଥ ରଖିବା ପାଇଁ ପୃଥିବୀର ପ୍ରାକୃତିକ ସମ୍ପଦ ଯଥା ବାୟୁ, ଖଣିଜ ପଦାର୍ଥ, ଉଦ୍ଭିଦ, ମୃତ୍ତିକା, ଜଳ ଏବଂ ବନ୍ୟଜନ୍ତୁ ଆଦିର ସଂରକ୍ଷଣ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ତେଣୁ ପ୍ରାକୃତିକ ଉପାୟରେ ଖାଦ୍ୟ ଉତ୍ପାଦନ, ଯାନ୍ତ୍ରିକ ଜ୍ଞାନ କୌଶଳର ସୀମିତ ବ୍ୟବହାର ଦିଗରେ ସଜାଗ ହେବାକୁ ପଡିବ । ପ୍ରକୃତିର ରକ୍ଷଣା ବେକ୍ଷଣା ଏବଂ ସୁରକ୍ଷା ପାଇଁ ଠୋସ୍ ତଥା ଔଚିତ୍ଯ ପଦକ୍ଷେପମାନ ଗ୍ରହଣ କରିବାକୁ ପଡିବ । ଏଥିପାଇଁ ପ୍ରାକୃତିକ ସାମଗ୍ରୀର ଯଥା ସମ୍ଭବ ବ୍ୟବହାର ଏବଂ କୃତ୍ରିମ ସାମଗ୍ରୀର ବ୍ୟବହାରଠୁ ଦୂରେଇ ରହିବା ଆବଶ୍ୟକତା ପଡିଛି । ବିଶେଷକରି ପ୍ଲାଷ୍ଟିକ ବ୍ୟବହାର ପ୍ରତି ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ପ୍ରକୃତି ଆମର ଦୈନନ୍ଦିନ ଆବଶ୍ୟକତା ପାଇଁ ସମସ୍ତ ଆବଶ୍ୟକୀୟ ଜିନିଷ ଯୋଗାଇଥାଏ । ଜନସଂଖ୍ୟାର ଅହେତୁକ ବୃଦ୍ଧି ଏବଂ ଆମର ଅବହେଳା ତଥା ପ୍ରାକୃତିକ ସମ୍ବଳର ଅତ୍ୟଧିକ ବ୍ୟବହାର ଯୋଗୁଁ ଆମ ପ୍ରକୃତି ଏବେ ବିପଦରେ ପଡୁଛି । ଯଦି ଏପରି ଜାରି ରହେ, ତେବେ ଆମର ଭବିଷ୍ୟତ ପିଢ଼ି ପାଇଁ କୌଣସି ପ୍ରାକୃତିକ ସମ୍ବଳ ରହିବ ନାହିଁ । ଯେଉଁଥିପାଇଁ ଆମେ ବର୍ତ୍ତମାନଠାରୁ ପ୍ରକୃତି ସଂରକ୍ଷଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଯଦିଓ ଗତ କିଛି ବର୍ଷ ମଧ୍ୟରେ ପରିବେଶ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି ପାଇଛି, କିନ୍ତୁ ତାହାଠାରୁ ଅଧିକ ସଚେତନତା ସୃଷ୍ଟି କରିବାର ଆବଶ୍ୟକ ରହିଛି । ସାମ୍ପ୍ରତିକ ସମୟରେ ପରିବେଶ ତଥା ପ୍ରକୃତି ସଂରକ୍ଷଣର ଆବଶ୍ୟକତା ଅଧିକ ସ୍ପଷ୍ଟ ହୋଇଛି । ପ୍ରାକୃତିକ ସମ୍ବଳର ଅତ୍ୟଧିକ ବ୍ୟବହାର ଦ୍ୱାରା ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି । ପୁଣି ବନ୍ୟଜନ୍ତୁଙ୍କ ବାସସ୍ଥାନ ନଷ୍ଟ ହେବା ଯୋଗୁଁ ଅନେକ ପ୍ରଜାତିର ବିଲୁପ୍ତ ହେଉଛି ଯେଉଁଥିପାଇଁ ଜୈବ ବିବିଧତା ନଷ୍ଟ ହେଉଛି । ଏହି ସମସ୍ତ ବିଷୟକୁ ହୃଦୟଙ୍ଗମ କରି ଆମକୁ ପରିବେଶ ଓ ପ୍ରକୃତି ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆମେ ସମସ୍ତେ ନିଜ ପାଇଁ ଏବଂ ଆଗାମୀ ପିଢିର ସୁନ୍ଦର ଜୀବନ ଯାପନ ପାଇଁ ଦାୟିତ୍ବବାନ ହେବାର ସମୟ ଆସିଛି । ତେଣୁ ଆଜି ଏହି ପ୍ରକୃତି ସଂରକ୍ଷଣ ଦିବସରେ ଆମେ ସମସ୍ତେ ପ୍ରକୃତିର ସୁରକ୍ଷା ପାଇଁ ବଦ୍ଧପରିକର ହେବା ଉଚିତ ।

Report an Error