ଦୁନିଆର ଦ୍ରୁତତମ ସମ୍ପ୍ରସାରିତ ଭାଷା - ଇମୋଜି

ସାଧାରଣ ଭାଷାରେ କହିବାକୁ ଗଲେ ଇମୋଜି ହେଉଛି - ବିନା ଭାଷାରେ ମନର ଭାବନାକୁ ପ୍ରକାଶ କରିବାର ଏକ ମାଧ୍ୟମ । ଏବେ ଏହା ଦୁନିଆର ଦ୍ରୁତତମ ସମ୍ପ୍ରସାରିତ ଭାଷା ଭାବେ ଲୋକପ୍ରିୟତା ପାଇଛି ।


ଆଜି ହେଉଛି ବିଶ୍ବ ଇମୋଜି ଦିବସ । ଇମୋଜି ସହ ଆମେ ସମସ୍ତେ ପରିଚିତ । ସ୍ମାର୍ଟ ଫୋନ ଯୁଗରେ ଇମୋଜିକୁ କିଏ ବା ନ ଜାଣେ । ଇମୋଜି ହେଉଛି ଶବ୍ଦର ବିକଳ୍ପ ଚିତ୍ର ବା ଡିଜିଟାଲ ରୂପ । ଆଜିକାଲି ଆମେ ଲମ୍ବା ବାର୍ତ୍ତା ଲେଖିବା ପରିବର୍ତ୍ତେ ବିଭିନ୍ନ ଭାବର ପ୍ରତୀକକୁ ବ୍ୟବହାର କରୁଛେ, ଯାହାକୁ ଇମୋଜି କୁହାଯାଉଛି । ସାଧାରଣ ଭାଷାରେ କହିବାକୁ ଗଲେ ଇମୋଜି ହେଉଛି - ବିନା ଭାଷାରେ ମନର ଭାବନାକୁ ପ୍ରକାଶ କରିବାର ଏକ ମାଧ୍ୟମ । ଏହି ଇମୋଜି କମ୍ ସମୟରେ ଅଧିକ କଥାର ଆଦାନପ୍ରଦାନ ଏବଂ ବିଭିନ୍ନ କାର୍ଯ୍ୟକଳାପକୁ ବିଭିନ୍ନ ସୋସିଆଲ୍ ପ୍ଲାର୍ଟଫର୍ମରେ ପଠାଇବା ଆଜିକାର ଟ୍ରେଣ୍ଡ୍ ପାଲଟିଛି । ଇମୋଜି ଶବ୍ଦଟି ଜାପାନରୁ ସୃଷ୍ଟି ଯାହାର ଅର୍ଥ ହେଉଛି - ଇ (ଚିତ୍ର) ଏବଂ ମୋଜି (ଚରିତ୍ର) ।

ତେବେ କେବଳ ଏହା ଏବେ ମେସେଜ ବା ଡିଜିଟାଲ ରୂପରେ ସୀମିତ ହୋଇ ରହିନାହିଁ, ଏହାର ଚାହିଦା ବଢିଚାଲିଛି । ବଜାରରେ ବିଭିନ୍ନ ଇମୋଜିର ବିଭିନ୍ନ ପ୍ରକାରର ବସ୍ତୁ ଉପଲବ୍ଧ ହେଲାଣି । ସାଧାରତଃ ଭିଜ୍ୟୁଆଲ୍ ଏକ୍ସପ୍ରେସନ୍ ର ମୂଳଦୁଆ ଉପରେ ଛିଡା ହୋଇଥିଵା ଇମୋଜିଗୁଡିକ ଭାବପ୍ରଵଣତା ଚିହ୍ନ ସହିତ ସାମ୍ପ୍ରତିକ ସଂପର୍କର ଟିକିନିଖି ସ୍ଥିତିର ବାର୍ତ୍ତାଵହ ପାଲଟିଛି ।

ଜୀବନର ଅନେକ କଥାକୁ ଖୁବ ସହଜରେ କହିପାରୁଥିବା ଇମୋଜିର ସୃଷ୍ଟି ହେଉଛି ୧୯୯୯ ମସିହା । ଜାପାନର ମୋବାଇଲ ଅପରେଟିଂ କମ୍ପାନୀର ଶିଗେଟାକା କୁରିଟା ନାମକ ଜଣେ ଇଂଜିନିୟର ପ୍ରଥମେ ଏକ ଇମୋଜି ପ୍ରସ୍ତୁତ କରିଥିଲେ । ସେ ମୋବାଇଲ ଇଣ୍ଟିଗ଼୍ରେଟ୍ ସର୍ଭିସରେ ଆଇ ମୋଡ ଜାରି କରିବା ପାଇଁ ୧୭୬ଟି ଇମୋଜି ପ୍ରସ୍ତୁତ କରିଥିଲେ । ପରେ ୨୦୧୦ରେ ୟୁନିକୋଡ ଇମୋଜିର ବ୍ୟବହାରକୁ ମାନ୍ୟତା ଦେଇଥିଲା । ଏହାପରେ ଗୁଗୁଲ୍, ମାଇକ୍ରାେସପ୍ଟ, ଫେସବୁକ୍ ଓ ଟୁଇଟର୍ ପରି ବିଭିନ୍ନ ଗ୍ଲୋବାଲ ବ୍ରାଣ୍ଡ ନିଜ ନିଜର ଇମୋଜି ନିର୍ମାଣ କରିଛନ୍ତି । ଏବେ ଏହି ସଂଖ୍ୟା ୩୬୦୦ରୁ ଉର୍ଦ୍ଧ୍ଵରେ ପହଂଚିଛି । ଇମୋଜିର ବହୁଳ ପ୍ରଚଳନ ଦେଖି ୨୦୧୩ରେ ଅକ୍ସଫୋର୍ଡ ଡିକ୍ସନାରୀ ଇମୋଜି ଶବ୍ଦକୁ ଗ୍ରହଣ କରିଥିଲା । ସର୍ବପ୍ରଥମେ ଆପଲ ଆଇଫୋନ ତା କିବୋର୍ଡରେ ଇମୋଜିକୁ ସାମିଲ କରିଥିଲା । ଇମୋଜିର ବହୁଳ ଲୋକପ୍ରିୟତା ପରେ ୨୦୧୪ରେ ଇମୋଜିପିଡିୟାର ପ୍ରତିଷ୍ଠାତା ଜେରେମୀ ବର୍ଜ କ୍ୟାଲେଣ୍ଡର ଇମୋଜି ପ୍ରଦର୍ଶିତ କରିବା ପାଇଁ ‘ବିଶ୍ୱ ଇମୋଜି ଦିବସ’ ପାଳନର ତାରିଖ ଧାର୍ଯ୍ୟ କରିଥିଲେ । ସେହିଦିନଠାରୁ ଜୁଲାଇ ୧୭ ତାରିଖକୁ ବିଶ୍ୱ ଇମୋଜି ଦିବସ ଭାବେ ପାଳନ କରାଯାଉଛି । ପ୍ରତ୍ଯେକ ବର୍ଷ ଏହିଦିନ ୟୁନିକୋଡ ନୂଆ ନୂଆ ଇମାେଜିର ପ୍ରଚଳନ ମଧ୍ୟ କରାଇଥାଏ । ତେବେ ସମସ୍ତ ଇମୋଜି ମଧ୍ୟରେ ହସି ହସି କାନ୍ଦୁଥିବା ଇମୋଜିଟି ବହୁଳ ଭାବରେ ବ୍ୟବହାର ହୋଇଥାଏ । ଭାରତୀୟମାନେ ବିଶେଷକରି ରେଡ ହାର୍ଟ, ସ୍ମାଇଲିଂ ଫେସ, ହସି ହସି କାନ୍ଦୁଥିବା ମୁହଁ, ଥମସ ଅପ, ଯୋଡହସ୍ତ, କାନ୍ଦୁଥିବା ମୁହଁ, ପ୍ରେମପୂର୍ଣ୍ଣ ମୁହଁ ଇମୋଜିର ବହୁଳ ପ୍ରଚଳନ କରିଥାନ୍ତି ।

ଦୁନିଆର ଦ୍ରୁତତମ ସମ୍ପ୍ରସାରିତ ଭାଷା ଭାବେ ଲୋକପ୍ରିୟତା ପାଇଥିବା ଇମୋଜିରେ ପ୍ରଥମ ଇମୋଜି ରେଡ ହାର୍ଟ ହିଁ ଥିଲା । ଆଜିର ସମୟରେ ସଂପର୍କର ପ୍ରତିଟି ଅଭିବ୍ୟକ୍ତିକୁ ଅତି ସହଜରେ ଜଣକ ପାଖରୁ ଆଉ ଜଣଙ୍କ ପାଖକୁ ପହଞ୍ଚାଇ ଇମୋଜିଗୁଡିକ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏବେ ଇମୋଜିର ବ୍ୟବହାର ଏତେ ସାଧାରଣ ହୋଇଗଲାଣି ଯେ ଦିନକୁ ଦିନ ଏହାକୁ ବ୍ୟବହାର ନକରିବା କଳ୍ପନା କରିବା କଷ୍ଟକର ।

Report an Error