ହାତୀ ପାଇଁ ଦିନଟିଏ

ଆଜି ହେଉଛି ବିଶ୍ବ ହସ୍ତୀ ଦିବସ । ହାତୀ ପାଇଁ ଦିନଟିଏ । ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ହାତୀଙ୍କୁ ବଞ୍ଚାଇବା । ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ ପାଳନ କରାଯାଇ ଆସୁଅଛି ।


ଆଜି ହେଉଛି ବିଶ୍ବ ହସ୍ତୀ ଦିବସ । ହାତୀ ପାଇଁ ଦିନଟିଏ । ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ହାତୀଙ୍କୁ ବଞ୍ଚାଇବା । ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ ପାଳନ କରାଯାଇ ଆସୁଅଛି । ପ୍ରଥମ ବିଶ୍ୱ ହସ୍ତୀ ଦିବସ ୨୦୧୨ ମସିହା ଅଗଷ୍ଟ ୧୨ରେ ଆରମ୍ଭ ହୋଇଥିଲା । ହାତୀ ବଂଶକୁ ସୁରକ୍ଷା ଦେବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଉଛି ।

ହାତୀକୁ ନେଇ ସମସ୍ତଙ୍କ ମନରେ ଥାଏ ଏକ ସକରାତ୍ମକ ଭାବନା । ସାନ ପିଲା ହେଉ କି ବଡ ଲୋକ ସମସ୍ତେ ହାତୀକୁ ବହୁତ ପସନ୍ଦ କରନ୍ତି । ହାତୀ ହେଉଛି ମାତା ଲକ୍ଷ୍ମୀଙ୍କ ବାହନ । ପୁଣି ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ମସ୍ତକ ହସ୍ତୀର ମସ୍ତକ ହୋଇଥିବାରୁ ହାତୀ ଆମ ଧର୍ମୀୟ ବିଶ୍ୱାସରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ।

ଛୋଟ ଛୁଆଟିର ମନୋରଞ୍ଜନ ପାଇଁ ମା’ମାନେ ହାତୀ ଗୀତ ଶୁଣେଇ କୁହନ୍ତି - ଝୁଲରେ ହାତୀ ଝୁଲୁ, ବାଆ ପାଣି ଖାଇ ଫୁଲୁ । ପୁଣି ଆମର ପୌରାଣିକ କାହାଣୀ ହେଉ କି ଐତିହାସିକ କାହାଣୀ ସବୁଠି ହାତୀଙ୍କର ପ୍ରାବଲ୍ୟ ରହିଥାଏ । କଳା, ଲୋକକଥା, ଧର୍ମ, ସାହିତ୍ୟ ଓ ଲୋକପ୍ରିୟ ସଂସ୍କୃତିରେ ହାତୀଙ୍କ ଉପସ୍ଥିତି ଦେଖିବାକୁ ମିଳେ । ହାତୀକୁ ନେଇ ଅନେକ ସଫଳ ସିନେମା ମଧ୍ୟ ତିଆରି ହୋଇଛି । ରାଜେଶ ଖାନ୍ନାଙ୍କ ଅଭିନୀତ ‘ହାତୀ ମେରା ସାଥି’ ସିନେମାଟି ଏକ ସଫଳ ସିନେମା ରୂପେ ହାତୀ ଓ ମଣିଷର ପ୍ରେମ ସମ୍ପର୍କକୁ ଦେଖାଇଛି । ଭାରତୀୟ ସିନେମାରେ ଏମିତି ଅନେକ ସିନେମାରେ ହାତୀ ଓ ମଣିଷର ସମ୍ପର୍କକୁ ଦେଖାଯାଇଛି ।

ହାତୀ ଓ ମଣିଷର ସମ୍ପର୍କ ବେଶ ଅନନ୍ୟ । କେତେବେଳେ ସେମାନେ ଉତ୍ତମ ବନ୍ଧୁ ପରି ରହିଥାନ୍ତି ତ କେତେବେଳେ ସେମାନଙ୍କ ମଧ୍ୟରେ ସଙ୍ଘର୍ଷ ଦେଖିବାକୁ ମିଳେ । ତେବେ ପୃଥିବୀର ସବୁଠୁ ବୃହତାକାର ସ୍ତନ୍ୟପାୟୀ ଓ ସ୍ଥଳଚର ପ୍ରାଣୀ ହେଉଛି ହାତୀ । ଜୀବବିଜ୍ଞାନ ଅନୁଯାୟୀ ହାତୀ ହେଉଛି ଏଲିଫେଣ୍ଟିଡାଏ ପରିବାରର । ତେବେ ହାତୀଙ୍କର ତିନୋଟି ଉପ - ପ୍ରଜାତି ରହିଛି । ସେଗୁଡିକ ମଧ୍ୟରେ - ଆଫ୍ରିକୀୟ ବୁଦା ହାତୀ, ଆଫ୍ରିକୀୟ ଜଙ୍ଗଲ ହାତୀ ଏବଂ ଏସୀୟ ହାତୀ ।

ହାତୀଙ୍କ ସୁରକ୍ଷା ପାଇଁ ଏହି ଦିବସ ପାଳନ କରାଯାଉଥିବାବେଳେ ହାତୀଙ୍କ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି । ଜଙ୍ଗଲ ହ୍ରାସ ପାଉଥିବାରୁ ଏବେ ହାତୀମାନେ ଜନବସତି ମୁହାଁ ହେଉଛନ୍ତି । ଗୋଟିଏ ହାତୀ ଦିନକୁ ଦୁଇ ଶହ ପଚାଶ ଲିଟର ପାଣି ପିଇଥାଏ । ଦେଢ କୁଇଣ୍ଟାଲ ଓଜନର ଡାଳ ପତ୍ର ଖାଇଥାଏ । ଦିନକୁ ଦିନ ଜଙ୍ଗଲ ଲୋପ ପାଉଥିବାରୁ ହାତୀମାନେ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଧାଉଁଛନ୍ତି । ଫଳରେ ସେ ମଣିଷ ସହ ମୁହାଁମୁହିଁ ହେଉଛନ୍ତି । ଆହୁରି ପୁଣି, ଜଙ୍ଗଲ ଭିତରେ ବିଦ୍ୟୁତ ତାର, ବେଆଇନ ବ୍ଲାଷ୍ଟିଂ, ଶିକାରୀଙ୍କ ପାଦ୍ରୁର୍ଭାବ, ଟ୍ରେନ୍‌ ଦୁର୍ଘଟଣା ଯୋଗୁଁ ହାତୀମାନେ ବିପଦରେ ପଡୁଛନ୍ତି । ପ୍ରତିବର୍ଷ ଯେତିକି ହାତୀ ଜନ୍ମ ନେଉଛନ୍ତି, ସେତିକି ହାତୀ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ଜଙ୍ଗଲପଥରେ ରାଜପଥ, ରେଳପଥ, ବିଦ୍ୟୁତସଂଯୋଗ କାରଣରୁ ଅନେକ ହାତୀ କେବେ ଦୁର୍ଘଟଣା ତ କେବେ ବିଦ୍ୟୁତ ଆଘାତରେ ପ୍ରାଣ ହରାଉଛନ୍ତି । ଜଙ୍ଗଲ ଅବକ୍ଷୟ ହାତୀ ମୃତ୍ୟୁର ଏକ ପ୍ରମୁଖ କାରଣ ।

ରାଜ୍ୟରେ ହାତୀଙ୍କ ସୁରକ୍ଷା ଲାଗି ଗଜବନ୍ଧୁ ଯୋଜନା ହୋଇଥିଲେ ମଧ୍ୟ ଏହା କେତେଦୂର ସଫଳ ତାହା ଯୁକ୍ତି ସାପେକ୍ଷ । ପ୍ରାୟ ପ୍ରତ୍ୟେକ ଦିନ ଟ୍ରେନ ଦୁର୍ଘଟଣା ହେଉ କି ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ଘଟଣାର ଖବର ଶୁଣିବାକୁ ମିଳୁଛି । କେବେ କେବେ ଶିକାରୀମାନେ ହାତୀ ଶିକାର ପାଇଁ ବିସ୍ପୋଟକ ଦ୍ରବ୍ଯ ଖୁଆଉଥିବାର ଘଟଣାମାନ ପଦାକୁ ଆସୁଛି । ତେବେ କେବଳ କାଗଜ କଲମରେ ହାତୀ ସୁରକ୍ଷା ବା ହାତୀ ବଞ୍ଚାଅ ଅଭିଯାନ କରିଦେଲେ ଚଳିବ ନାହିଁ । ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ସମସ୍ତଙ୍କୁ ଯତ୍ନବାନ ହେବା ଆବଶ୍ୟକ । ହାତୀଙ୍କ ପାଇଁ ଗ୍ରୀନ କରିଡର କରିବା ତଥା ସେମାନେ କିପରି ଜନବସତି ମୁହାଁ ନ ହୋଇ ଜଙ୍ଗଲ ମଧ୍ୟରେ ଉତ୍ତମ ପରିବେଶ ମଧ୍ୟରେ ରହିପାରିବେ ସେନେଇ ଚିନ୍ତା କରିବାର ବେଳ ଆସିଛି । ସରକାର ଓ ସାଧାରଣରେ ଯଦି ହାତୀ ବଞ୍ଚାଅ ନେଇ କୌଣସି ଠୋସ ପଦକ୍ଷେପ ନିଆଯିବ ନାହିଁ ତେବେ ସମୟ ଆସିବ ଈଶ୍ବରଙ୍କ ସୃଷ୍ଟିର ଏହି ବୃହତାକାର ଜୀବ ଆମର ସ୍ମୃତି ଓ ଇତିହାସର ନଥିପତ୍ରରେ ରହିଯିବ । ତେଣୁ ଆସନ୍ତୁ ଆଜି ବିଶ୍ୱ ହସ୍ତୀ ଦିବସ ଅବସରରେ ଆମେ ପ୍ରକୃତିର ଏଇ ସୁନ୍ଦର ଜୀବ ହାତୀର ବଂଶ ବୃଦ୍ଧି ତଥା ସୁରକ୍ଷା ପାଇଁ ଚେଷ୍ଟା କରିବା ।

Report an Error