ସାଇକେଲ: ପୁରୁଣା ଦିନ, ଆଜିର ଦିନ ଓ ଆଗାମୀ ଦିନ

ସାଇକେଲ ପୂର୍ବରୁ ବି ଥିଲା, ଏବେ ବି ଅଛି, ଆଗକୁ ବି ରହିବ । ସମୟର ସୁଅରେ ଆମେ ବ୍ୟବହାର କରୁଥିବା ଅନେକ ଜିନିଷ ବଦଳିଯାଇଛି, ମାତ୍ର ସାଇକେଲ ସେମିତି ରହିଛି, ଯଦିଓ ପୁରୁଣା ପେଡାଲ ସାଇକେଲ ଏବେ ଗିଅରଦିଆ ବା ବ୍ୟାଟେରୀ ଚାଳିତ ସାଇକେଲରେ ପହଂଚିଛି ।


ଆଜି ହେଉଛି ବିଶ୍ୱ ସାଇକେଲ ଦିବସ । ସାଇକେଲକୁ କିଏ ନ ଜାଣେ । ଛୋଟ ବଡ଼ ସମସ୍ତଙ୍କର ପ୍ରିୟ ସାଇକେଲ । ସମୟ ବଦଳିଚାଲିଛି, ସମୟର ସୁଅରେ ଆମେ ବ୍ୟବହାର କରୁଥିବା ଅନେକ ଜିନିଷ ବଦଳିଯାଇଛି, ବା ତା ବଦଳରେ ଆଉ ଅନ୍ୟ କିଛି ଜିନିଷ ଆସିଯାଇଛି, ମାତ୍ର ସାଇକେଲ ସେମିତି ରହିଛି, ଯଦିଓ ପୁରୁଣା ପେଡାଲ ଦିଆ ସାଇକେଲ ଏବେ ଗିଅରଦିଆ ବା ବ୍ୟାଟେରୀ ଚଳିତ ସାଇକେଲରେ ପହଂଚିଛି ।

ସାଇକେଲ ପୂର୍ବରୁ ବି ଥିଲା, ଏବେ ବି ଅଛି, ଆଗକୁ ବି ରହିବ । ପିଲାଦିନର ସ୍ମୃତିରେ ସାଇକେଲ ସବୁବେଳେ ସଜଳ । ସାଇକେଲରୁ ପଡି କିଏ ଗୋଡ ହାତ ଛିଣ୍ଡେଇନି । ଯେତେ ଅତ୍ୟାଧୁନିକ ସାଇକେଲ ଆସିଲେ ବି ପିଲାବେଳର ବାପା ଦାଦା କି ମାମୁଁଙ୍କର ବାଇଶି ଇଂଚିଆ ସାଇକେଲକୁ ଗୋଡ ଗଳେଇ ଚଲାଇବାର ମଜା କିନ୍ତୁ ନିଆରା । ସାଇକେଲକୁ ନେଇ ସମସ୍ତଙ୍କର କିଛି ନା କିଛି ଅନୁଭୂତି ତ ନିଶ୍ଚୟ ଥିବ । ସାନବେଳେ ସାଇକେଲରୁ ପଡି ଗୋଡ ହାତ ଖଣ୍ଡିଆ କରିଥିବେ ତ ନିଶ୍ଚୟ । ପୁଣି ସାନବେଳେ ସାଇକେଲ ପାଇଁ ଜିଦ୍ଦି କରି କେତେଥର ମାଡ଼ ତ ନିଶ୍ଚୟ କେହି ଖାଇଥିବେ । ପୁଣି ବଡମାନଙ୍କ ସାଇକେଲ ଆଗରେ ବସି ଚକାରେ ଗୋଡ଼ ତ ନିଶ୍ଚୟ କେହି ପୂରାଇଥିବେ । ସାଇକେଲକୁ ନେଇ ଆମ ସମସ୍ତଙ୍କର ଅନଭୂତି ଭିନ୍ନ ଆଉ ଅନନ୍ୟ ।

ସାଇକେଲର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଔପଚାରିକ ଭାବେ ସାଇକେଲ ଦିବସ ପ୍ରଥମଥର ପାଇଁ ଜୁନ ୩ ତାରିଖରେ ପାଳନ କରାଯାଇଥିଲା । ପରିବହନ କ୍ଷେତ୍ରରେ ଏକ ସହଜ, ସରଳ ଓ ନିର୍ଭରଯୋଗ୍ୟର ମାଧ୍ୟମ ହେବା ସହ ପରିବେଶର ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି । ସାଇକେଲର ସ୍ଵତନ୍ତ୍ରତା, ଦୀର୍ଘତା ଏବଂ ବହୁମୁଖୀତା ଯୋଗୁଁ ଏହା ଦୁଇ ଶତାବ୍ଦୀ ଧରି ବ୍ୟବହୃତ ହୋଇଆସୁଛି ।

ମଣିଷର ପ୍ରଗତି ଏବଂ ଅଗ୍ରଗତିର ପ୍ରତୀକ ଭାବରେ ସାଇକେଲ ସହନଶୀଳତା, ପାରସ୍ପରିକ ବୁଝାମଣା ଏବଂ ସମ୍ମାନକୁ ପ୍ରୋତ୍ସାହିତ କରେ ଏବଂ ସାମାଜିକ ଅନ୍ତର୍ଭୂକ୍ତିକୁ ତଥା ଶାନ୍ତିର ସଂସ୍କୃତିକୁ ସୁଗମ କରିଥାଏ । ନିରନ୍ତର ପରିବହନର ପ୍ରତୀକ ଏବଂ ସ୍ଥାୟୀ ବ୍ୟବହାର ଓ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଏକ ସକରାତ୍ମକ ବାର୍ତ୍ତା ଦେଇଥାଏ ସାଇକେଲ ଏବଂ ଜଳବାୟୁ ଉପରେ ଏହାର ସକରାତ୍ମକ ପ୍ରଭାବ ପଡିଥାଏ ।

ସାଇକଲକୁ ଓଡ଼ିଆରେ ଆଗରୁ "ଶୂନଗାଡ଼ି" କୁହାଯାଉଥିଲା । ଏହି ଶୂନଗାଡ଼ି ବା ସାଇକେଲ ଆଜି ବି ନିଜର ସ୍ଥାନ ବଜାୟ ରଖିଛି । ଯଦିଓ ବଜାରରେ ଦ୍ରୁତଗାମୀ ଗାଡି ମାନ ଆସିବା ପରେ ଏହାର ବ୍ୟବହାର କମିଛି, କିନ୍ତୁ ସାଇକେଲ ରହିଛି । ବ୍ୟାୟାମ ପାଇଁ ହେଉ କିମ୍ବା ଷ୍ଟାଇଲ ପାଇଁ ହେଉ ଅଥବା ଆବଶ୍ୟକତା ପାଇଁ ସାଇକେଲର ପ୍ରଚଳନ ରହିଛି ଓ ଆଗକୁ ମଧ୍ୟ ରହିବ । ତେବେ ସାଇକେଲ ସୃଷ୍ଟିକୁ ନେଇ ମନରେ ବହୁତ ପ୍ରଶ୍ନ ଆସେ । ତେବେ ପ୍ରଥମେ ଯେତେବେଳେ ସାଇକେଲଟି ନିର୍ମିତ ହେଲା ତାହା ଦେଖିବାକୁ ବର୍ତ୍ତମାନର ଏକ ସ୍କେଟବୋର୍ଡ଼ ପରି ଥିଲା । ସମୟକ୍ରମେ ସାଇକେଲକୁ ନେଇ ଅନେକ ପରୀକ୍ଷା ନିରୀକ୍ଷା ହୋଇ ଶେଷରେ ୧୮୮୦ ମସିହାର ମଧ୍ୟ ଭାଗରେ ବ୍ରିଟିଶ୍ ସାଇକେଲ ନିର୍ମାତା ଜେମ୍ସ ଷ୍ଟେରଲୀ ଏକ ସାଇକେଲ ବିକଶିତ କରିଥିଲେ, ଯାହାର ନାମ ସେ ଦେଇଥିଲେ ‘ସୁରକ୍ଷିତ ବାଇସାଇକେଲ’ । ଅତ୍ୟାଧୁନିକ ସାଇକେଲ ପରି ଏହାର ଆଗ ଓ ପଛ ଚକା ସମାନ ଆକାରର ହୋଇଥିବାବେଳେ ଦୁଇଚକର ମଝିରେ ରହିଥିଲା ପେଡାଲ । ଏହି ସାଇକେଲଟି ପୂର୍ବ ସାଇକେଲ ତୁଳନାରେ ଯଦିଓ ହାଲୁକା ଥିଲା କିନ୍ତୁ ଏହାର ଚକାରେ କେବଳ ରବର ଲାଗୁଥିଲା । ପରେ ପରେ ବାୟୁଚାଳିତ ଟାୟାର ଆସିଲା ।

୧୮୯୦ ମସିହା ପରବର୍ତ୍ତୀ ସମୟରେ ସାଇକେଲରେ ବ୍ରେକ, ଗିୟର, ହାତରେ ନିୟନ୍ତ୍ରଣ କରିବା ଲାଗି ବ୍ରେକ କେବୁଲ ଆଦି ନିର୍ମିତ ହୋଇଥିଲା । ଶେଷରେ ସାଇକେଲ ସମାଜରେ ଦ୍ରୁତ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲା । ସମୟ ସହ ତାଳ ଦେଇ ସାଇକେଲରେ ଅନେକ ପରିବର୍ତ୍ତନ ଆସିଛି । ଏବେ ବଜାରରେ ଆସୁଥିବା ରେସିଂ ସାଇକେଲର ସ୍ପିଡ୍ କୌଣସି ଇନ୍ଧନ ଚାଳିତ ଗାଡିଠାରୁ କମ୍ ନୁହେଁ ।

ତେବେ ଭାରତରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ସାଇକେଲର ବ୍ୟବହାର ଅଧିକ ବୃଦ୍ଧି ପାଇଥିଲା । ପରିବହନ କ୍ଷେତ୍ରରେ ସାଇକେଲ ହିଁ ଥିଲା ଏକମାତ୍ର ବାହନ । ଆଜିବି ସାଇକେଲ ରହିଛି । ସାଇକେଲ କେବଳ ଆମର ନିତିଦିନିଆ ବ୍ୟବହାର ସାମଗ୍ରୀ ହୋଇ ରହିନାହିଁ, ଏହା ପୁଣି ପାଲଟିଛି ରାଜନୀତିର ଚିହ୍ନ । ପୁଣି ସାଇକେଲକୁ ନେଇ ହୋଇଛି କେତେ ରାଜନୀତି ।

ସିନେମାରେ ମଧ୍ୟ ସାଇକେଲ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । କିଛି କିଛି ସିନେମାରେ ସାଇକେଲ ମୂଳ ପ୍ରସଙ୍ଗ ମଧ୍ୟ ପାଲଟିଛି । ସାଇକେଲ ରେସକୁ ନେଇ ହିନ୍ଦୀ ସିନେମା ‘ଜୋ ଜିତା ୱହି ସିକନ୍ଦର’ ଗତିଶୀଳ ହୋଇଥିବାବେଳେ ପ୍ରାୟ ସବୁ ଫିଲ୍ମରେ ଗୀତ ଓ ଆକ୍ସନ ଦୃଶ୍ୟରେ ସାଇକେଲ ରହିଛି । ପ୍ରେମ ହେଉ କିମ୍ବା ନ୍ୟାୟ ଅଥବା ଷଡଯନ୍ତ୍ର ସବୁଥିରେ ସାଇକେଲକୁ ବେଶ ନିଖୁଣ ଭାବରେ ଆମ ଭାରତୀୟ ସିନେମାରେ ଉପଯୋଗ କରାଯାଇଛି । ସେହିପରି ସାଇକେଲ ଆମ ସାହିତ୍ୟରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଗପ, ଗୀତ, କବିତା ସବୁଥିରେ ସାଇକେଲ ନିଜର ପତିଆରା ଆଜି ବି ଜାରି ରଖିଛି । ଅତୀତରୁ ବର୍ତ୍ତମାନ ଓ ଭବିଷ୍ୟତରେ ମଧ୍ୟ ସାଇକେଲ ନିଜର ସ୍ଥାନ ବଜାୟ ରଖିବ ।

ଆଜିକାଲିର ମହଙ୍ଗା ସମୟରେ ସାଇକେଲ ପୁଣିଥରେ ମଣିଷର ବାହନ ସାଜୁଛି । ପୁଣି ପରିବେଶ ପାଇଁ ସାଇକେଲ ଏବେ ଏକ ବଡ଼ ଆବଶ୍ୟକତା ହୋଇପଡିଛି । କିଛି କିଛି ଦେଶରେ ସପ୍ତାହର କିଛି ଦିବସରେ ସାଇକେଲ ଚଳାଇବାର ନିୟମ କରାଯାଇଛି । ଆମ ଓଡ଼ିଶାରେ ମଧ୍ୟ ଏପରି ନିୟମ ହୋଇଥିଲା । ସାଇକେଲ ଚଳାଇବା ପାଇଁ ମୋ ସାଇକେଲ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଥିଲା, ମାତ୍ର ତାହା କେବଳ କାଗଜ କଲମରେ ରହିଯାଇଛି । ସମ୍ପ୍ରତି ବିଶ୍ୱରେ ପ୍ରଦୂଷଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ସମୟରେ ଆମେ ଯାନବାହନର ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ରହିଛି । ପୁଣି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସାଇକେଲ ବେଶ ଉପକାରୀ । ଆଜିକାଲିର ବ୍ୟସ୍ତ ଜୀବନଶୈଳୀରେ ସାଇକେଲ ଚଳାଇବା ଏକ ମୁଖ୍ୟ ଶାରୀରିକ ବ୍ୟାୟାମ ଭାବେ ଉଭା ହୋଇଛି । ଦୈନିକ ଅଧଘଣ୍ଟା ସାଇକେଲ ଚଳାଇବା ଦ୍ୱାରା ଆମେ ଫିଟ ରହିଥାଉ । ସାଇକେଲ ଚଲାଇବା ଦ୍ୱାରା ଆମେ ଫୂର୍ତ୍ତି ରହିବା ସହ ଏହା ଆମକୁ ମାନସିକ ଶାନ୍ତି ପ୍ରଦାନ କରିଥାଏ । ପୁଣି ଏହା ଦ୍ୱାରା ଓଜନ ନିୟନ୍ତ୍ରଣ ରହିଥାଏ । ହାଡ଼ ସୁସ୍ଥ ରହିଥାଏ । ତେଣୁ ଦୈନନ୍ଦିନ ଜୀବନରେ ଆମେ ସାଇକେଲକୁ ବ୍ୟବହାର କରିବା ଆଜିର ସମୟ ପାଇଁ ଯଥେଷ୍ଟ ଆବଶ୍ୟକ ହୋଇପଡିଛି ।