ପବିତ୍ର ସାବିତ୍ରୀ ବ୍ରତ

ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହେଉଥିବାବେଳେ ସାବିତ୍ରୀ ବ୍ରତ ଅନ୍ୟତମ । ସ୍ୱାମୀମାନଙ୍କର ମଙ୍ଗଳ ତଥା ଦୀର୍ଘ ଆୟୁଷ ପାଇଁ ଏଇ ବ୍ରତ ପାଳନ କରାଯାଏ ।


ହିନ୍ଦୁ ଧର୍ମରେ ବିଭିନ୍ନ ପ୍ରକାରର ବ୍ରତ ଓ ଓଷା ପାଳିତ ହୋଇଥାଏ । ଭାରତର ବିଭିନ୍ନ ଅଂଚଳରେ ବିଭିନ୍ନ ପ୍ରକାରର ଓଷା ବା ବ୍ରତ ରହିଛି, ତାହା ସହିତ ସେଇ ଭାଷାରେ ବ୍ରତ କଥାମାନ ମଧ୍ୟ ରହିଛି । ତେବେ ବ୍ରତର ଅର୍ଥ ହେଉଛି ବରଣ କରିବା ବା ପ୍ରାର୍ଥନା କରିବା । କାମନା ପୂରଣ ଉଦ୍ଦେଶ୍ୟରେ ଆଚରଣ ଓ ଖାଦ୍ୟପେୟରେ ଶୁଦ୍ଧ ଏବଂ ସଂଯତ ରହି ନିର୍ଦ୍ଦିଷ୍ଟ ତିଥି, ବାର, ଯୋଗରେ ବିଭିନ୍ନ ବ୍ରତ ସବୁ ପାଳନ କରାଯାଇଥାଏ ।

ଓଡିଶାରେ ଯେଉଁ କେତେଟି ବ୍ରତ ନିଷ୍ଠାର ସହ ପାଳନ କରାଯାଇଥାଏ । ତନ୍ମଧ୍ୟରେ ସାବିତ୍ରୀ ବ୍ରତ ହେଉଛି ଏକ ପ୍ରଧାନ ବ୍ରତ । ସ୍ୱାମୀମାନଙ୍କର ମଙ୍ଗଳ ତଥା ଦୀର୍ଘ ଆୟୁଷ ପାଇଁ ଏଇ ବ୍ରତ ପାଳନ କରାଯାଏ । ସ୍ୱାମୀ ହେଉଛନ୍ତି ସ୍ତ୍ରୀର ଇହ କାଳର ଦେବତା । ହିନ୍ଦୁ ଧର୍ମରେ ସ୍ୱାମୀ - ସ୍ତ୍ରୀଙ୍କ ସମ୍ପର୍କ ଗୋଟିଏ ଜନ୍ମର ନୁହେଁ ବରଂ ସାତ ଜନ୍ମର ବୋଲି ବର୍ଣ୍ଣନା କରାଯାଇଛି । ହିନ୍ଦୁ ଧର୍ମରେ ବିବାହକୁ ଏକ ସଂସ୍କାର ରୂପେ ବିବେଚନା କରାଯାଏ । ଭାରତୀୟ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ବିଭିନ୍ନ ପ୍ରକାରର ବ୍ରତ ପାଳନ କରିଥାନ୍ତି । ଏହି କ୍ରମରେ ସାବିତ୍ରୀ ବ୍ରତ ଅନ୍ୟତମ ।

ମାତା ସାବିତ୍ରୀଙ୍କ ନାମାନୁସାରେ ନାମିତ ଏହି ବ୍ରତଟିକୁ ହିନ୍ଦୁ ନାରୀମାନେ ସ୍ୱାମୀଙ୍କର ଦୀର୍ଘାୟୁ ପାଇଁ ଏହି ବିଶେଷ ପୂଜା କରିଥାନ୍ତି । ଏହି ବ୍ରତ ପାଳନ କରିଲେ ନାରୀମାନେ ବୈଧବ୍ଯ ଯନ୍ତ୍ରଣା ଭୋଗନ୍ତି ନାହିଁ ବୋଲି କଥିତ ଅଛି । ମହାଭାରତର ବନ ପର୍ବରେ ସାବିତ୍ରୀ ଓ ସତ୍ୟବାନ ଉପାଖ୍ୟାନ ରହିଛି । ବିବାହିତା ନାରୀମାନେ କେବଳ ଏହାକୁ ପାଳନ କରିଥାନ୍ତି ।

କିମ୍ବଦନ୍ତୀ ଅନୁସାରେ - ମାତା ସାବିତ୍ରୀଙ୍କ ସ୍ୱାମୀ ସତ୍ୟବାନ ସ୍ଵଳ୍ପାୟୁ ଥିଲେ । ଏହା ଜାଣିବା ସତ୍ତ୍ଵେ ମଧ୍ୟ ସାବିତ୍ରୀ ତାଙ୍କୁ ବିବାହ କରିଥିଲେ । ସତୀତ୍ଵ ଓ ପତିବ୍ରତା ବଳରେ ମାତା ସାବିତ୍ରୀ ଯମରାଜଙ୍କ ଠାରୁ ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରେଇ ଆଣିଥିଲେ । ଯମରାଜଙ୍କୁ ସାବିତ୍ରୀ ନିଜ ଯୁକ୍ତି ବଳରେ ସନ୍ତୁଷ୍ଟ କରି ସତ୍ୟବାନଙ୍କୁ ପୁନର୍ଜନ୍ମ ଦେଇଥିଲେ । ଏଥିପାଇଁ ସଧବା ନାରୀମାନେ ଏହି ବ୍ରତକୁ ନିଷ୍ଠାର ସହ ପାଳନ କରି ନିଜ ସ୍ଵାମୀଙ୍କ ମଙ୍ଗଳ କାମନା କରିଥାନ୍ତି ।

ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି । ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଫଳାହାର କରନ୍ତି । ତେବେ ଭାରତର ଅନ୍ୟପ୍ରାନ୍ତରେ ଏହି ଦିନ ବଟ ସାବିତ୍ରୀ ପୂଜା କରାଯାଏ । ଅଖଣ୍ଡ ସୌଭାଗ୍ୟ ପାଇଁ ଏହି ଦିନ ବରଗଛକୁ ପୂଜା କରାଯାଇଥାଏ । ମହିଳାମାନେ ନିଷ୍ଠାର ସହ ଏଇ ବ୍ରତ ପାଳନ କରିଥାନ୍ତି ।

ଓଡ଼ିଶାରେ ପରମ୍ପରା ଓ ବିଧିବିଧାନର ସହ ସଧବା ନାରୀମାନେ ଏହି ବ୍ରତ ପାଳନ କରିଥାନ୍ତି । ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୂର, ନାଲି ବ୍ରତ ଓ ବିଭିନ୍ନ ପ୍ରକାରର ଫଳମୂଳ ସହ ଏହି ଦିନ ପୂଜା କରାଯାଏ । ଚଉଁରା ମୂଳେ ଏହି ବ୍ରତୋତ୍ସବ ପାଳନବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ପୂଜା ହୋଇଥିବା ଶାଢ଼ୀ, ଚୁଡ଼ି ଓ ସିନ୍ଦୂର ପିନ୍ଧି ବୃନ୍ଦାବତୀଙ୍କୁ ବନ୍ଦାପନା କରି ସ୍ୱାମୀଙ୍କୁ ପ୍ରଣାମ ହୋଇ ସଧବା ନାରୀମାନେ ଜଳ ଗ୍ରହଣ କରନ୍ତି । ଏହି ବ୍ରତରେ ଦେବୀ ସାବିତ୍ରୀ, ଯମଦେବତା ଓ ସତ୍ୟବାନଙ୍କୁ ପୂଜା କରାଯାଏ । ଓଡ଼ିଶାର ମା ବିରଜାଙ୍କଠାରେ ମଧ୍ୟ ଏକ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ । ଏହି ଦିନ ମା ବିରଜା ସ୍ବତନ୍ତ୍ର ବେଶରେ ଦର୍ଶନ ଦେଇଥାନ୍ତି । ଚଳିତ ବର୍ଷ କରୋନା କଟକଣା ହଟିଯାଇଥିବାରୁ ଓଡ଼ିଶାରେ ଏହି ପର୍ବ ପାଳନ ନେଇ ବେଶ ଉତ୍ସାହ ଦେଖାଯାଇଛି । ପ୍ରାୟ ସବୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।