ଆଜି ବିଶ୍ୱ ଟେଲିଭିଜନ ଦିବସ

୧୯୯୬ ମସିହାଠାରୁ ୨୧ ନଭେମ୍ବରକୁ ବିଶ୍ୱ ଟେଲିଭିଜନ ଦିବସ ରୂପେ ପାଳନ କରାଯାଉଛି । ଟିଭିର ଗୁରୁତ୍ୱ ତଥା ମହତ୍ତ୍ୱକୁ ଦୃଷ୍ଟିରେ ରଖି ସଂଯୁକ୍ତ ରାଷ୍ଟ୍ର ମହାସଭା ଏହିଦିନକୁ ବିଶ୍ୱ ଟେଲିଭିଜନ ଦିବସ ରୂପେ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା ।


ଆଜି ହେଉଛି ବିଶ୍ୱ ଟେଲିଭିଜନ ଦିବସ । ଆମ ପିଲାବେଳର ମନୋରଂଜନର ସବୁଠୁ ଉତ୍ତମ ମାଧ୍ୟମ ଥିଲା ଟିଭି ବା ଦୂରଦର୍ଶନ । ରେଡ଼ିଓ ପରେ ପ୍ରଥମଥର ପାଇଁ ଦୃଶ୍ୟ ଶ୍ରାବ୍ୟର ଯନ୍ତ୍ର ଭାବରେ ଟେଲିଭିଜନ ବେଶ ଖ୍ୟାତି ଅର୍ଜନ କରିଥିଲା । ୧୯୯୬ ମସିହାଠାରୁ ୨୧ ନଭେମ୍ବରକୁ ବିଶ୍ୱ ଟେଲିଭିଜନ ଦିବସ ରୂପେ ପାଳନ କରାଯାଉଛି । ଟିଭିର ଗୁରୁତ୍ୱ ତଥା ମହତ୍ତ୍ୱକୁ ଦୃଷ୍ଟିରେ ରଖି ସଂଯୁକ୍ତ ରାଷ୍ଟ୍ର ମହାସଭା ଏହିଦିନକୁ ବିଶ୍ୱ ଟେଲିଭିଜନ ଦିବସ ରୂପେ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା । ସଂଯୁକ୍ତ ରାଷ୍ଟ୍ର (ୟୁଏନ)ର ଘୋଷଣା ପରେ ପ୍ରତ୍ୟେକ ବର୍ଷ ୨୧ ନଭେମ୍ବରକୁ ବିଶ୍ୱ ଟେଲିଭିଜନ ବା ବିଶ୍ୱ ଦୂରଦର୍ଶନ ଦିବସ ରୂପେ ପାଳନ କରାଯାଉଛି ।

ଟେଲିଭିଜନ ଏକ ଲାେକପ୍ରିୟ ଜନ ମାଧ୍ୟମ, ଯାହା ମନୋରଞ୍ଜନ, ଶିକ୍ଷା, ସମାଚାର, ରାଜନୀତି, ସ୍ବାସ୍ଥ୍ଯ, କୃଷି ଆଦି ବିବିଧ କ୍ଷେତ୍ର ଉପରେ ସୂଚନା ତଥା ତଥ୍ଯ ପ୍ରଦାନ କରିଥାଏ । ଏହା ଧ୍ୱନି ସହ ଚଳଛବିକୁ ପ୍ରସାରିତ କରିବାର ଏକ ମାଧ୍ୟମ । ଶିକ୍ଷା ଏବଂ ମନୋରଞ୍ଜନ ଉଭୟର ଏହା ଏକ ପ୍ରମୁଖ ସ୍ରୋତ ବୋଲି ମଧ୍ୟ ଗଣାଯାଏ । ସୂଚନା ପହଞ୍ଚାଇବାରେ ଟେଲିଭିଜନ ସମାଜରେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇପାରିଛି ।

ଟେଲିଭିଜନର ଆବିଷ୍କାର ୧୯୨୪ରେ ହୋଇଥିଲା ତେବେ ଏହା ଭାରତକୁ ପ୍ରାୟ ୩୫ବର୍ଷ ପରେ ଆସିଥିଲା । ପ୍ରଥମ ଥର ପାଇଁ ୟୁନେସ୍କୋ ସହାୟତାରେ ସେପ୍ଟେମ୍ବର ୧୫, ୧୯୫୯ରେ ଭାରତର ନୂଆଦିଲ୍ଲୀରେ ଟେଲିଭିଜନ ସେବା ଆରମ୍ଭ ହୋଇଥିଲା । ଏହା ପ୍ରଥମେ ଅଲ ଇଣ୍ଡିଆ ରେଡ଼ିଓ ସହ ସଂଯୁକ୍ତ ହାେଇ ରହିଥିଲା । ଆକାଶବାଣୀ ଭବନରେ ଟିଭିର ପ୍ରଥମ ଅଡିଟୋରିଅମ ରହିଥିଲା, ଯାହାକୁ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଉଦ୍ଘାଟନ କରିଥିଲେ । ପରେ ଏହା ଆକାଶବାଣୀଠାରୁ ଅଲଗା ହାେଇଥିଲା । ୧୯୭୨ ମସିହାବେଳକୁ ଭାରତର ଅମୃତସର ଓ ମୁମ୍ବାଇରେ ଟେଲିଭିଜନ ସେବା ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଏହା ଟେଲିଭିଜନ ଇଣ୍ଡିଆ ନାମରେ ରହିଥିବାବେଳେ ୧୯୭୫ ମସିହାବେଳକୁ ଟେଲିଭିଜନର ଏକ ଚ୍ୟାନେଲର ନାମ ଦୂରଦର୍ଶନ ରଖାଗଲା ଏବଂ ଦେଶର ୭ଟି ସହରରେ ସମାଚାର ଓ କୃଷି ଦର୍ଶନ ଆଦି ପ୍ରସାରଣ କରାଯାଇଥିଲା । ସେହିପରି ୧୯୮୨ରେ ଦୂରଦର୍ଶନର ରାଷ୍ଟ୍ରୀୟ ପ୍ରସାରଣ ଆରମ୍ଭ ହେବା ସହ ରଙ୍ଗୀନ ଟେଲିଭିଜନର ଆରମ୍ଭ ହୋଇଥିଲା । ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ତୁଳନାରେ ବୟସ୍କ ଅଧିକ ସଂଖ୍ୟାରେ ଟିଭି ଦେଖୁଛନ୍ତି । ବୟସ୍କ ପୁରୁଷମାନେ ସମ୍ବାଦ ଦେଖିବାକୁ ପସନ୍ଦ କରୁଥିବାବେଳେ ମହିଳାମାନେ ଧାରାବାହିକ ଦେଖିବାକୁ ପସନ୍ଦ କରୁଛନ୍ତି । ବିଶ୍ବରେ ଆମେରିକୀୟମାନେ ସବୁଠୁ ଅଧିକ ସମୟ ଟିଭି ଦେଖୁଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି ।

ଦୂରଦର୍ଶନ ଜାତୀୟ, ଆଂଚଳିକ ଓ ସ୍ଥାନୀୟ ଆଦି ତିନୋଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ପ୍ରସାରଣ କରେ । ଭାରତରେ ଟେଲିଭିଜନର ଆଦ୍ୟ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ, ଯାତାୟାତ, ସଡକ ସୁରକ୍ଷା, ନାଗରିକଙ୍କ କର୍ତ୍ତବ୍ୟ ଓ ଅଧିକାର ଆଦି ବିଷୟ ସମ୍ପର୍କିତ ଏକଘଣ୍ଟିଆ କାର୍ଯ୍ୟକ୍ରମ ସପ୍ତାହକୁ ଦୁଇଦିନ ପ୍ରସାରଣ କରାଯାଉଥିଲା । ୮୦ଦଶକ ଶେଷବେଳକୁ ଭାରତରେ ଦୂରଦର୍ଶନ ମହାଭାରତ, ରାମାୟଣ, ହମ ଲୋଗ ପରି ଅନେକ ଶିକ୍ଷଣୀୟ ତଥା ଆଧ୍ୟାତ୍ମିକ ଧାରାବାହିକ ପ୍ରସାରଣ କରି ଭାରତୀୟଂକୁ ବାନ୍ଧି ରଖିପାରିଥିଲା ।

ପିଲାବେଳର ଆଣ୍ଟିନା ଟିଭିରୁ ଆଜିର ଡ଼ିସଟିଭି ଯାତ୍ରାରେ ଭାରତୀୟ ଦୂରଦର୍ଶନ ତଥା ଟିଭିର ଅନେକ ରୋଚକ କାହାଣୀ ରହିଛି । ଆଧୁନିକ ସମୟରେ ଟିପ ଆଗରେ ମନୋରଞ୍ଜନର ମାଧ୍ୟମ ରହିଥିବା ସତ୍ତ୍ୱେ ବି ଦୂରଦର୍ଶନ ବା ଟିଭି ତାର ଆକର୍ଷଣ ଆଜି ବି ବଜାୟ ରଖିଛି ।

Report an Error