ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ - ରକ୍ଷା ବନ୍ଧନ

ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଆହୁରି ଗାଢ଼ କରେ ଆମ ଭାରତୀୟ ପର୍ବପର୍ବାଣି । ଶ୍ରାବଣ ମାସରେ ପଡୁଥିବା ରାକ୍ଷୀ ପୂର୍ଣ୍ଣିମାକୁ ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା ରୂପେ ପାଳନ କରାଯାଏ ।


ପବିତ୍ର ସମ୍ପର୍କ ହେଉଛି ଭାଇ - ଭଉଣୀଙ୍କର । ବଡ ଭାଇ ସବୁବେଳେ ସାହସ ଆଉ ଭରସା ଦେଉଥିବାବେଳେ ସାନ ଭାଇଟି ଭଉଣୀର ସବୁବେଳେ ପ୍ରିୟ ହୋଇ ରହିଛି । ସବୁ ଭାଇମାନଙ୍କର ଅଲିଅଳି ହୋଇଥାଏ ଭଉଣୀଟିଏ । ରକ୍ତର ଏଇ ସମ୍ପର୍କରେ ରାଗ ରୁଷା, ମାନ ଅଭିମାନ, ପ୍ରେମ, ଭଲପାଇବା ସବୁ ରହିଥାଏ । ଭାଇ ସାନ ହେଉ କି ବଡ, ଭଉଣୀ ପାଇଁ ସେ ସବୁବେଳେ ସାହସ । ଭାଇଟିଏ ପାଇଁ ବି ଭଉଣୀଟି ସବୁବେଳେ ଦାୟିତ୍ୱ ରୂପେ ରହିଥାଏ । ଏଇ ଭାଇ ଭଉଣୀଙ୍କ ସମ୍ପର୍କକୁ ଅଧିକ ଦୃଢ କରିଥାଏ ରାକ୍ଷୀ । ରେଶମର ଡୋରୀଟିଏ ଭାଇ ଭଉଣୀ ମଧ୍ୟରେ ବନ୍ଧନକୁ ଆହୁରି ଶକ୍ତ କରିଥାଏ । ରାକ୍ଷୀଟିଏ ବାନ୍ଧି ଭଉଣୀ ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଜୀବନର ପ୍ରତିଟି ପାହାଚରେ ଏଇ ଭାଇ ଭଉଣୀଙ୍କ ସମ୍ପର୍କ ଅଧିକ ଦୃଢ ଓ ମାର୍ଜିତ ହୋଇଯାଇଥାଏ । ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣମୀ ଭାଇ ଓ ଭଉଣୀର ଅତୁଟ ପ୍ରେମ ଓ ଅନାବିଳ ସ୍ନେହର ଏକ ପବିତ୍ର ବନ୍ଧନ । ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନ, ସ୍ନେହ ବିଶ୍ବାସର ପ୍ରତୀକ ହେଉଛି ରକ୍ଷା ବନ୍ଧନ ।

ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଆହୁରି ଗାଢ଼ କରେ ଆମ ଭାରତୀୟ ପର୍ବପର୍ବାଣି । ଶ୍ରାବଣ ମାସରେ ପଡୁଥିବା ରାକ୍ଷୀ ପୂର୍ଣ୍ଣିମାକୁ ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା ରୂପେ ପାଳନ କରାଯାଏ । ବିଶେଷ କରି ଓଡ଼ିଆ ଘରେ ଏହି ପର୍ବ ପାଳନରେ ଟିକେ ନିଆରା ପ୍ରସ୍ତୁତି ଦେଖିବାକୁ ମିଳେ । ଘରେ ଘରେ ପିଠାପଣା ହୋଇଥାଏ । ନୂଆ ବାହା ହୋଇ ଆସିଥିବା ଝିଅର ବାପଘରୁ ଶାଶୁଘରକୁ ଏଇ ଅବସରରେ ଭାର ଆସିଥାଏ । ଏହିଦିନଟି ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ସହ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ସେହିପରି ଏହି ଦିନ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ଦେଖିବାକୁ ମିଳେ । ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଦେବୀ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବାୟତ ରାକ୍ଷୀ ତିଆରି କରି ଯୋଗାଇ ଦେଇଥାନ୍ତି ଶ୍ରୀମନ୍ଦିରକୁ । ବାସୁଙ୍ଗା ପାଟରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରାକ୍ଷୀକୁ ଚିତାଲାଗି ଅମାବାସ୍ୟା ପରଠାରୁ ପ୍ରସ୍ତୁତ କରିଥାନ୍ତି ପାଟରା ସେବାୟତ । ଏହାବ୍ୟତୀତ ଶ୍ରୀଜୀଉମାନେ ଏହି ଦିନ ଦୁଇଟି ଲେଖାଏଁ ଗୁଆମାଳ ମଧ୍ୟ ପରିଧାନ କରିଥାନ୍ତି । ନାଲି, ସବୁଜ, ହଳଦିଆ ଓ ନୀଳ ରଙ୍ଗର ଏହି ଗୁଆମାଳକୁ ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥାଏ ।

ରାକ୍ଷୀ ପୂର୍ଣ୍ଣମୀକୁ ଛାଡିଦେଲେ ମଧ୍ୟ ଆହୁରି ଅନେକ ଭାରତୀୟ ପର୍ବ ରହିଛି, ଯାହା ଭାଇ - ଭଉଣୀଙ୍କ ସମ୍ପର୍କର ସୁରକ୍ଷା ଓ ଦୃଢ଼ତା ପାଇଁ ପାଳନ କରାଯାଏ । ଏହି କ୍ରମରେ ଅଶ୍ବିନୀ ମାସରେ ଓଡ଼ିଶାରେ ପାଳନ କରାଯାଉଥିବା ଭାଇ ଜିଉଁନ୍ତିଆ ଅନ୍ୟତମ । ଏହା ପଶ୍ଚିମ ଓଡ଼ିଶାର ଏକ ଲୋକପ୍ରିୟ ପର୍ବ । ଏହି ପର୍ବରେ ନିଜ ଭାଇର ଦୀର୍ଘ ଜୀବନ କାମନା କରି ଭଉଣୀମାନେ ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହି ଓଷା ଆଶ୍ୱିନ ମାସର ଶୁକ୍ଳାଷ୍ଟମୀରେ ହୁଏ । ସେହିପରି ଦୀପାବଳି ପର୍ବର ଦୁଇଦିନ ପରେ ଭାଇଦୁଜ ପର୍ବଟି ଭାଇମାନଙ୍କ ଲମ୍ବା ଆୟୁଷ ପାଇଁ ଭଉଣୀମାନେ ପାଳନ କରିଥାନ୍ତି । ସେମାନେ ଭାଇକୁ ତିଳକ ଲଗାଇ ପୂଜା କରି ଭାଇର ଦୀର୍ଘ ଆୟୁଷ ମନାସିଥାନ୍ତି ।

ତେବେ ଭାରତବର୍ଷରେ ରାକ୍ଷୀପୂର୍ଣ୍ଣିମା କିନ୍ତୁ ବେଶ ନିଆରା ପର୍ବ ରୂପେ ପାଳିତ ହୁଏ । ଅନ୍ୟ ରାଜ୍ୟମାନଙ୍କରେ ଏହି ରାକ୍ଷୀ ପୂର୍ଣ୍ଣିମା ବା ଶ୍ରାବଣ ପୂର୍ଣ୍ଣିମାକୁ ଭିନ୍ନ ରୀତିରେ ପାଳନ କରାଯାଏ । କେଉଁଠି କେଉଁଠି ଭାଇମାନଙ୍କ ସହ ଭାଉଜଙ୍କ ହାତରେ ମଧ୍ୟ ଏକ ସ୍ନେହରେ ଡୋରୀ ବନ୍ଧାଯାଇଥାଏ ଏହି ଦିନ । ଭାଇ - ଭାଉଜଙ୍କ ସହ ଭଉଣୀର ସମ୍ପର୍କ ସବୁବେଳେ ସ୍ୱଚ୍ଛ ଓ ପବିତ୍ର ହୋଇ ରହିବା ନେଇ ଏହି ପର୍ବରେ ଭାଇ - ଭାଉଜଙ୍କୁ ବନ୍ଦାପନା କରିଥାଏ ଭଉଣୀଟି । ଭାଇ ଭଉଣୀଙ୍କର ଏଇ ପବିତ୍ର ବନ୍ଧନର ପର୍ବ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତ ଭାଇ - ଭଉଣୀଙ୍କୁ ଅନେକ ଅନେକ ଅଭିନନ୍ଦନ ।

Report an Error