ରଘୁନାଥ ପାଣିଗ୍ରାହୀ: ଭାବ ଓ ରାଗର ମହାସାଗର

ପଣ୍ଡିତ ରଘୁନାଥ ପାଣିଗ୍ରାହୀ, ଭାରତୀୟ ସଙ୍ଗୀତର, ବିଶେଷ କରି ଓଡିଶୀ ସଙ୍ଗୀତର ଅନନ୍ୟ କିମଦନ୍ତୀ ପୁରୁଷ । ଭାରତୀୟ ସଙ୍ଗୀତର ଶାସ୍ତ୍ରୀୟ ଏବଂ ଲୋକପ୍ରିୟ ଧାରାରେ ଏକ ବିକଳ୍ପ ଇତିହାସର ନିର୍ମାତା ପଣ୍ଡିତ ସୁରମଣି ରଘୁନାଥ ପାଣିଗ୍ରାହୀଙ୍କୁ ଆମର ଗଭୀର ଶ୍ରଦ୍ଧାଞ୍ଜଳି ।


ଫଟୋ - ୱିକିପିଡିଆ

ଯେଉଁମାନେ ମଞ୍ଚରେ ରଘୁନାଥ ପାଣିଗ୍ରାହୀଙ୍କ ଗୀତ ଶୁଣି ନାହାଁନ୍ତି, ସେମାନେ ନିଶ୍ଚିତ ଭାବରେ ତାଙ୍କ ଜୀବନରେ ଗୋଟେ ଦିବ୍ୟ ଅନୁଭବକୁ ହରାଇଛନ୍ତି । ସେ ଯେଉଁଭଳି ଭାବରେ ହରମୋନିୟମ ବଜାଇ ଗୀତ ଗାଇଥାନ୍ତି, ତାହା ଅବର୍ଣ୍ଣନୀୟ । ତାଙ୍କୁ ଭଲ ପାଉଥିବା ସଙ୍ଗୀତପ୍ରେମୀଙ୍କ ପାଇଁ ରଘୁନାଥ ପାଣିଗ୍ରାହୀ କେବେ ଗୀତ ଗାଉନଥିଲେ ବରଂ ସେ ଏକ ଗୀତ ଗାଉ ଗାଉ ସ୍ଵୟଂ ଗୀତରେ ରୂପାନ୍ତରିତ ହେଇଯାଉଥିଲେ । ସେ ଗୀତ ଗାଇଲାବେଳେ ନିଜକୁ ସଙ୍ଗୀତରେ ତଲ୍ଲୀନ କରିଦିଅନ୍ତି । ତାଙ୍କର ସୁମଧୁର ସ୍ୱର, ଗାୟନ ଶୈଳୀ ତାଙ୍କର ପ୍ରତିଟି ସଙ୍ଗୀତଙ୍କୁ ଜୀବନ୍ତ କରିଦିଏ । ଏହାହିଁ ହେଉଛି ରଘୁନାଥ ପାଣିଗ୍ରାହୀଙ୍କ ସ୍ଵାତନ୍ତ୍ର୍ୟ । ସେ ଓଡ଼ିଶୀ ସଙ୍ଗୀତର ବିଶାରଦ ହେଲେ ମଧ୍ୟ ଭାରତୀୟ ସଙ୍ଗୀତର ପ୍ରତିଟି ବର୍ଗରେ ନିଜର ନିପୁଣତା ପ୍ରତିପାଦିତ କରିପାରିଥିଲେ । ସେ ଓଡିଶୀ ସଙ୍ଗୀତର ଏକ ଶକ୍ତିଶାଳୀ ସ୍ୱର ଥିଲେ । ସେ ପ୍ରଚ୍ଛଦପଟ ଗାୟକ ଭାବେ ଓଡିଆ, ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ନିଜର ଅସାମାନ୍ୟ ପ୍ରତିଭା ପ୍ରଦର୍ଶନ କରି ସେ ସମୟରେ ସଙ୍ଗୀତ ଜଗତର ଜଣେ ସୁପରଷ୍ଟାର ରୂପେ ପରିଚିତି ପାଇଥିଲେ । ତାଙ୍କ କଣ୍ଠରେ ଗୀତଗୋବିନ୍ଦର ସଂରଚନା ଓ ଗାୟନର ସ୍ଵତନ୍ତ୍ର ଶୈଳୀ ତାଙ୍କୁ ଅନ୍ୟ ଏକ ପରିଚୟ ପ୍ରଦାନ କରିଥିଲା ।

ସଙ୍ଗୀତର ଶୈଶବ

ରଘୁନାଥ ପାଣିଗ୍ରାହୀ ଅଗଷ୍ଟ ୧୦, ୧୯୩୨ରେ ଦକ୍ଷିଣ ଓଡିଶାର ରାୟଗଡାର ଗୁଣୁପୁର ନାମକ ଏକ ଛୋଟ ସହରରେ ଜନ୍ମଗ୍ରହଣ କରିଥିଲେ । ସେ ଏକ ଯୌଥ ପରିବାରରେ ଜନ୍ମଗ୍ରହଣ କରିଥିଲେ ଯେଉଁଠାରେ ସଙ୍ଗୀତର ପରିବେଶ ରହିଥିଲା । ସେ ତାଙ୍କ ପିତାଙ୍କଠାରୁ ବହୁ ଅଳ୍ପ ବୟସରୁ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ ଏବଂ ଖୁବ୍ କମ୍ ବୟସରେ ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ସେ ଓଡ଼ିଶୀର ଦକ୍ଷିଣୀ ଶୈଳୀରେ ବା ଦକ୍ଷିଣୀ ଓଡିଶୀ ଗାୟନରେ ସିଦ୍ଧହସ୍ତ ଥିଲେ । ଅପନ୍ନା ପାଣିଗ୍ରାହୀ ଏବଂ ତାରିଣି ପାତ୍ରଙ୍କ ପରେ ପଣ୍ଡିତ ପାଣିଗ୍ରାହୀ ସେହି ବିରଳ ଦକ୍ଷିଣ ଶୈଳୀ ଓଡିଶୀର ଉତ୍ତରଦାୟାଦ ଥିଲେ । ପାଣିଗ୍ରାହୀଙ୍କ ସହିତ ଦକ୍ଷିଣୀ ଓଡିଶୀର ଏକ ଯୁଗ ଶେଷ ହୋଇ ଯାଇଛି । ସେ ଗୁଣୁପୁର ସହରରୁ ପୁରୀ ଆସିଲେ ଏବଂ ପରେ କର୍ଣ୍ଣାଟକୀ ସଙ୍ଗୀତ ଶିଖିବା ପାଇଁ ମାଡ୍ରାସ ବା ଚେନ୍ନାଇକୁ ଯାଇଥିଲେ । ତାଙ୍କର ସ୍ପଷ୍ଟ ଓ ମାଧୁର୍ଯ୍ୟ ଗାୟନ ଶୈଳୀ ଦକ୍ଷିଣ ଭାରତରେ ଅନେକ ଲୋକପ୍ରିୟତା ଆଣିଦେଇଥିଲା । ମାତ୍ର କୋଡିଏ ବର୍ଷ ବୟସରେ ଦକ୍ଷିଣ ଭାରତୀୟ ସିନେମାର ଲବ୍ଧ ପ୍ରତିଷ୍ଠିତ ପ୍ରଚ୍ଛଦ ଗାୟକ ଭାବେ ସେ ନିଜର ଯାଦୁ ଦେଖାଇ ସାରିଥିଲେ । ପରେ ସେ ଓଡିଆ ଚଳଚ୍ଚିତ୍ର ଜଗତରେ ପ୍ରଚ୍ଛଦ କଣ୍ଠଶିଳ୍ପୀ ଭାବେ ଯୋଗ ଦେଇ ଓଡ଼ିଆ ସଙ୍ଗୀତ ଜଗତକୁ ରୁଦ୍ଧିମନ୍ତ କରିଥିଲେ । ତାଙ୍କ କଣ୍ଠରେ "ସୁଷମା ଗୋ ତୁମ ଅଙ୍ଗେ ଭରା ମଧୁ ଜୋଛନା"... ଏବଂ "ନ ଯା ରାଧିକା ଏକା ଏକା..." ପରି ଲୋକପ୍ରିୟ ଗୀତଗୁଡିକ ଆଜିବି ଶ୍ରୋତାଙ୍କୁ ମୋହାଚ୍ଛନ୍ନ କରେ । ଅଲ ଇଣ୍ଡିଆ ରେଡିଓ ଏବଂ ଗ୍ରାମୋଫୋନ ରେକର୍ଡର ସୁବର୍ଣ୍ଣ ଯୁଗରେ, ତାଙ୍କର ଅନେକ ଗୀତ କାଳଜୟୀ ଗୀତର ମାନ୍ୟତା ପାଇଛି । ଏକ ଛୋଟ ସହରର ଯୁବକଟି ମାଡ୍ରାସର ଜଣେ ସୁପରଷ୍ଟାର ଗାୟକ ହୋଇଯାନ୍ତି ଏବଂ ସେହି ସହର ହୋଇଯାଏ ରଘୁନାଥଙ୍କ ଦ୍ୱିତୀୟ ଘର । ସେଠାରେ ସେ ତାଙ୍କର ଜୀବନସାଥୀ ସଂଯୁକ୍ତା ପାଣିଗ୍ରାହୀଙ୍କୁ ଭେଟିଥିଲେ, ଯିଏକି ଓଡ଼ିଶୀ ନୃତ୍ୟର ବ୍ରାଣ୍ଡ ଆମ୍ବାସାଡର ଏବଂ ନିଜର ପ୍ରତିଭା ଓ ଯୋଗ୍ୟତା ବଳରେ ଓଡିଶୀ ନୃତ୍ୟର କିମ୍ବଦନ୍ତୀ ନାୟିକା ପାଲଟିଥିଲେ । ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଥିଲେ । ଏବଂ ଶେଷରେ ନୃତ୍ୟ ଓ ସଙ୍ଗୀତର ପରିଣୟ ଘଟିଥିଲା ।

ଓଡିଶୀର ରଘୁନାଥୀୟ ଶୈଳୀ

ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ଗାୟିକୀ ଥିଲା ବହୁମୁଖୀ ଓ ବହୁ ଧାରାର ସମନ୍ଵୟ । ସେ ଭକ୍ତି ସଙ୍ଗୀତଠାରୁ ଆରମ୍ଭ କରି ରୋମାଣ୍ଟିକ୍, ଚଳଚ୍ଚିତ୍ର ପାଇଁ ପ୍ରଚ୍ଛଦ ସଙ୍ଗୀତ ଓ ଓଡ଼ିଶୀ ସଙ୍ଗୀତଠାରୁ ଆଧୁନିକ, ଶାସ୍ତ୍ରୀୟତାଠାରୁ ଲୋକଗୀତର ମୁକ୍ତ ଗାୟନରେ ସେ ପ୍ରବୀଣ ଥିଲେ । ସେ ଭାରତୀୟ ସଙ୍ଗୀତର ବିଭିନ୍ନ ରୂପ ଏବଂ ଶୈଳୀରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ । ତାଙ୍କର ଭଜନ ଏବଂ ଓଡ଼ିଶୀ ଗୀତ ଶୈଳୀ ମଧ୍ୟ ଭିନ୍ନ ଓ ସ୍ୱତନ୍ତ୍ର । ଯଦିଓ ସେ ତାଲିମ ଏବଂ ଉପସ୍ଥାପନାରେ ପାରମ୍ପରିକ ଥିଲେ, କିନ୍ତୁ ସେ ମୁକ୍ତ ଭାବରେ ସଙ୍ଗୀତରେ ସମସ୍ତ ପ୍ରକାରର ପରୀକ୍ଷା ନିରୀକ୍ଷା କରୁଥିଲେ । ସେ ତାଙ୍କ ସଙ୍ଗୀତରେ କମନୀୟ ଶାସ୍ତ୍ରୀୟ ସଙ୍ଗୀତକୁ ସୂକ୍ଷ୍ମ ରୂପେ ମିଶ୍ରଣ କରି ନିଜର ଏକ ସ୍ଵତନ୍ତ୍ର ସଙ୍ଗୀତ ଧାରା ସୃଷ୍ଟି କରିଥିଲେ ।

ଯେତେବେଳେ ସେ ଭକ୍ତ ସାଲବେଗଙ୍କ ଦ୍ୱାରା ଲିଖିତ ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଆନ୍ତି, ସେତେବେଳେ କବିତାର ସାମାଜିକ - ସାଂସ୍କୃତିକ ପୃଷ୍ଠଭୂମିକୁ ଜୀବନ୍ତ କରିବା ଉଦ୍ଦେଶ୍ୟରେ ଭିନ୍ନ ଶୈଳୀକୁ ବ୍ୟବହାର କରନ୍ତି । ସେହିଭଳି, ଗଙ୍ଗାଧର ମେହେର, ମଧୁସୂଦନ ରାଓ ଏବଂ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପରି ଆଧୁନିକ କବିମାନଙ୍କ ପାଇଁ ଗାଇଲାବେଳେ ସେ ସମସାମୟିକ ଶୈଳୀ ବ୍ୟବହାର କରନ୍ତି । ସେହିପରି ଭୀମ ଭୋଇଙ୍କ ଭଜନ "ରୂପରେଖ ନାହିଁ ହେ ଶୂନ୍ୟଦେହୀ" ପଣ୍ଡିତଜୀଙ୍କର ଏକ ବିରଳ ସଙ୍ଗୀତ, ଯେଉଁଥିରେ ଲୋକସଙ୍ଗୀତ ଓ ଶାସ୍ତ୍ରୀୟର ଅଦ୍ଭୁତ ମିଶ୍ରଣ ରହିଛି । ଚନ୍ଦନ ହଜୁରୀଙ୍କ ପ୍ରସିଦ୍ଧ ଗୀତ "ଚକା ନୟନକୁ ପତିତ କେହି"ରେ... ସମର୍ପଣ ଓ ଆଧ୍ୟାତ୍ମିକ ଅନୁଭବର ମିଶ୍ରଣ ଉପଯୋଗକୁ ଅନୁଭବ କରିହୁଏ । ଯେତେବେଳେ ସେ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ "ସବୁଥିରୁ ବଞ୍ଚିତ କରି" ଗାନ କରନ୍ତି, ସେତେବେଳେ ତାହା ହୃଦୟର ଗଭୀରତାକୁ ବିଦ୍ଧ କରି ସମବେଦନା ଏବଂ ଆଧ୍ୟାତ୍ମିକତା ସୃଷ୍ଟି କରେ । ତେବେ ପ୍ରସିଦ୍ଧ ରଘୁନାଥୀୟ ଶୈଳୀର ଉଲ୍ଲେଖନୀୟ ସଙ୍ଗୀତ ମଧ୍ୟରେ "ଶ୍ରୀ ପୁରୁଷୋତ୍ତମ ଯିବା ମନ"... ଏବଂ "କାଳିଆ ତୋ ଲାଗି ଯାଉ ଏଇ ଜୀବନ" …. ପ୍ରମୁଖ ।

ଓଡ଼ିଶୀ ଏବଂ ଗୀତଗୋବିନ୍ଦ

ସେ ଗୀତଗୋବିନ୍ଦ ପାଣିଗ୍ରାହୀ ରୂପେ ମଧ୍ୟ ବେଶ ଜଣାଶୁଣା । ଲୋକପ୍ରିୟ କିମ୍ବଦନ୍ତୀ ଅଭିନେତା ପୃଥ୍ୱୀରାଜ କପୁର ତାଙ୍କୁ ଏହି ନାମରେ ସମ୍ବୋଧନ କରୁଥିଲେ । ରଘୁନାଥ ପ୍ରଚ୍ଛଦପଟ୍ଟ ଗାୟକ ହେବାର ମୋହ ତ୍ୟାଗ କରି ଓଡ଼ିଶୀ ଏବଂ ଗୀତଗୋବିନ୍ଦ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସଙ୍ଗୀତପ୍ରେମୀ ଭାରତୀୟମାନଙ୍କ ପାଇଁ, ପାଣିଗ୍ରାହୀଙ୍କ ଗୀତଗୋବିନ୍ଦ ଥିଲା ପ୍ରତ୍ୟେହ ସକାଳର ଈଶ୍ୱରଙ୍କ ନୈଵେଦ୍ୟ ସଦୃଶ । ତାଙ୍କ ସ୍ଵରର ଗୀତଗୋବିନ୍ଦ ସମସ୍ତଙ୍କୁ ମୁଗ୍ଧ କରେ । ଜୟଦେବଙ୍କ ରଚିତ କବିତାର ଭାବ ଏବଂ କୁହୁକ ପାଣିଗ୍ରାହୀଙ୍କ ସ୍ୱରରେ ସମସ୍ତଙ୍କୁ ମୋହାଚ୍ଛନ୍ନ କରିଥାଏ ।

ଯୁଗଳବନ୍ଦୀ

ରଘୁନାଥ ପାଣିଗ୍ରାହୀ - ସଂଯୁକ୍ତା ପାଣିଗ୍ରାହୀ ସଫଳ ଦମ୍ପତି ହେବା ସହ ଓଡିଶୀ ନୃତ୍ୟର କାଳଜୟୀ ଯୁଗଳମୂର୍ତ୍ତି ଭାବେ ବେଶ ପରିଚିତ । ଦୁହିଁଙ୍କ ଯୁଗଳବନ୍ଦୀ ଓଡିଶୀ ସଙ୍ଗୀତରେ ସୃଷ୍ଟି କରିଛି ଅନେକ ଇତିହାସ । ପଣ୍ଡିତଜୀଙ୍କ ରଚନା ବିନା କୌଣସି ଓଡ଼ିଶୀ ନୃତ୍ୟ ସମ୍ପୂର୍ଣ୍ଣ ନୁହେଁ । ପ୍ରାରମ୍ଭରେ, ରଘୁନାଥ ପତ୍ନୀ ସଂଯୁକ୍ତା ଏବଂ ଗୁରୁ କେଳୁଚରଣ ମହାପାତ୍ରଙ୍କ ନିମନ୍ତେ ଗୀତଗୋବିନ୍ଦର ଅଷ୍ଟପଦୀଗୁଡିକ ପାଇଁ ସଙ୍ଗୀତ ରଚନା କରିଥିଲେ । ତେବେ ତାଙ୍କର ଅମର ରଚନା "ଆହେ ନୀଳ ଶଇଳ…. ଓଡ଼ିଶୀ ନୃତ୍ୟର ଏକ ପ୍ରତୀକ ଭାବେ ପ୍ରତିଷ୍ଠା ପାଇଛି ଏବଂ ପ୍ରାୟ ପ୍ରତ୍ୟେକ ନୃତ୍ୟଶିଳ୍ପୀ ତାଙ୍କ ଜୀବନରେ ଅତି କମରେ ଥରେ ଏହି ସଙ୍ଗୀତରେ ନୃତ୍ୟ କରିବାକୁ ଭଲ ପାଆନ୍ତି ।

"ଅର୍ଦ୍ଧନାରୀଶ୍ଵର" ତାଙ୍କର ଅନ୍ୟତମ ରଚନା ଥିଲା, ଯାହା ସଂଯୁକ୍ତାଙ୍କ ଚମତ୍କାର ନୃତ୍ୟଶୈଳୀରେ ଅମର ହୋଇ ରହିଛି । ପରେ ପାଣିଗ୍ରାହୀଙ୍କ ରଚନାକୁ ପରିବର୍ତ୍ତନ ନକରି ବେଙ୍ଗାଲୁରୁର "ନୃତ୍ୟଗ୍ରାମ" ଏହାର ନୂଆ ବିନ୍ୟାସ ପ୍ରସ୍ତୁତ କରିଥିଲେ । ଏହି ମହାନ ଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କଠାରୁ ବିଜୟିନୀ ଶତପଥିଙ୍କ ପର୍ଯ୍ୟନ୍ତ ବିଭିନ୍ନ ପିଢ଼ିର ନୃତ୍ୟା଼ଙ୍ଗନାଙ୍କ ପାଇଁ ଶହ ଶହ ସଙ୍ଗୀତ ରଚନା କରିଥିଲେ । ରଘୁନାଥ, ସଂଯୁକ୍ତା ଏବଂ ଗୁରୁ କେଳୁଚରଣ ମହାପାତ୍ର - ଏହି ସ୍ଵର୍ଣ୍ଣ ତ୍ରିଭୁଜ ଓଡିଶୀ ନୃତ୍ଯ ଓ ସଙ୍ଗୀତରେ ସୁବର୍ଣ୍ଣ ଯୁଗ ସୃଷ୍ଟି କରିଥିଲେ ।

ଆଜି ସୁରମଣି ରଘୁନାଥ ପାଣିଗ୍ରାହୀଙ୍କ ୯୦ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଭକ୍ତିପୂତ ପ୍ରଣାମି ।

(କେଦାର ମିଶ୍ରଙ୍କ ଇଂରାଜୀ ଆଲେଖ୍ୟ Raghunath Panigrahi: His Music & His Magic ଆଧାରରେ)

Report an Error