ଆଜିଠାରୁ ପଞ୍ଚୁକ ବ୍ରତ

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ଯାଏଁ ପଞ୍ଚୁକ ବା ପଞ୍ଚକ ରୂପେ ପାଳନ କରାଯାଏ । ଏହାକୁ ମହା ପଞ୍ଚକ, ବକ ପଞ୍ଚକ ବା ଭୀଷ୍ମ ପଞ୍ଚକ ବୋଲି ମଧ୍ୟ କୁହାଯାଏ ।


ଆଜିଠାରୁ ମହାକାର୍ତ୍ତିକର ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ଯାଏଁ ପଞ୍ଚୁକ ବା ପଞ୍ଚକ ରୂପେ ପାଳନ କରାଯାଏ । ଏହାକୁ ମହା ପଞ୍ଚକ, ବକ ପଞ୍ଚକ ବା ଭୀଷ୍ମ ପଞ୍ଚକ ବୋଲି ମଧ୍ୟ କୁହାଯାଏ । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସଠାରୁ ସାତଦିନ ହବିଷ୍ୟ କରନ୍ତି ।

କିମ୍ବଦନ୍ତୀ ଅନୁସାରେ ମହାଭାରତ ଯୁଦ୍ଧ ସମୟରେ ଶରଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । କାର୍ତ୍ତିକ ଏକାଦଶୀ ତିଥିରେ ଶରଶଯ୍ଯା ଉପରେ ରହି ସେ ଜଳ ଯାଚନା କରିଥିଲେ । ଅର୍ଜୁନ ବାଣ ସାହାଯ୍ୟରେ ଭୂମି କ୍ଷେପଣ କରି ଭୀଷ୍ମଙ୍କୁ ଜଳ ପ୍ରଦାନ କରିଥିଲେ । ସେଇ ସମୟରେ ଭଗବାନ ଶ୍ରୀକୃଷ୍ଣ ଭୀଷ୍ମଙ୍କୁ କହିଥିଲେ, “ଆପଣ ଧନ୍ୟ । ଆପଣ କାର୍ତ୍ତିକ ଏକାଦଶୀ ଦିନ ଜଳର ଯାଚନା କରିଛନ୍ତି । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘ୍ୟଦାନ କରିବେ - ସେମାନେ ମୋତେ ତୃପ୍ତ କରିବେ । ଅପରପକ୍ଷରେ ଭୀଷ୍ମ ଅପୁତ୍ରିକ ଥିବାରୁ ତାଙ୍କୁ ତର୍ପଣ ଓ ଅର୍ଘ୍ୟଦାନ କରିବାକୁ କେହି ନଥିଲେ । ସେଥିପାଇଁ ତାଙ୍କର ଭକ୍ତି ଓ ନିଷ୍ଠାରେ ସନ୍ତୁଷ୍ଟ ହୋଇ ଶ୍ରୀକୃଷ୍ଣ ତାଙ୍କୁ ବର ଦେଇଥିଲେ ଯେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚଦିନ ‘ଭୀଷ୍ମ ପଞ୍ଚକ’ ରୂପେ ଖ୍ୟାତ ହେବ । ତର୍ପଣ ଓ ଅର୍ଘ୍ୟଦାନ ସମୟରେ, ପଞ୍ଚକ ବ୍ରତଧାରୀ ତାଙ୍କର ନାମ ଉଚ୍ଚାରଣ କରି ତର୍ପଣ ଓ ଅର୍ଘ୍ୟଦାନ କରିବେ । ସେବେଠାରୁ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ ଭୀଷ୍ମ ପଞ୍ଚକ ଭାବେ ମଧ୍ୟ ପାଳନ କରାଯାଇଥାଏ । କାର୍ତ୍ତିକ ମାସରେ ଭୀଷ୍ମ ପଞ୍ଚକ ଉପବାସର ଧାର୍ମିକ ମହତ୍ତ୍ୱ ରହିଛି । ଏହି ଉପବାସ କେବଳ ପୂର୍ବରୁ କରାଯାଇଥିବା ପାପରୁ ମୁକ୍ତି ଦେଇନଥାଏ ବରଂ ଏହା ମଧ୍ୟ ଲାଭଦାୟକ । ଭୀଷ୍ମ ପଞ୍ଚକ ଉପବାସ ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ବୋଲି ବିବେଚନା କରାଯାଏ । ଯେ କୌଣସି ବ୍ୟକ୍ତି ଯଦି ଭକ୍ତି ସହିତ ଏହି ଉପବାସ ପାଳନ କରନ୍ତି, ସେ ମୃତ୍ୟୁ ପରେ ପରିତ୍ରାଣ ପ୍ରାପ୍ତ କରନ୍ତି । ଅନେକ ବ୍ୟକ୍ତି ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ମଧ୍ୟ ଏହି ବ୍ରତ ପାଳନ କରିଥାନ୍ତି । ବଗ ମଧ୍ୟ ଏହି ପାଞ୍ଚଦିନ ଆମିଷ ଭୋଜନରୁ ନିବୃତ୍ତ ରୁହେ ବୋଲି କଥିତ ଥିବାରୁ ଏହାକୁ "ବକ ପଞ୍ଚକ" ବାେଲି ମଧ୍ୟ କୁହାଯାଏ ।

ଏହି ଅବସରରେ ଶ୍ରୀମନ୍ଦିରରେ ଠାକୁରମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ । ପଞ୍ଚୁକର ପାଞ୍ଚଦିନ କାଳ ଶ୍ରୀଜୀଉମାନେ ବିଭିନ୍ନ ବେଶରେ ସଜ୍ଜିତ ହୁଅନ୍ତି । ଯେମିତିକି ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ହୋଇଥାନ୍ତି । ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ ବା ବାମନ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ ଓ କାର୍ତ୍ତିକ ପୂର୍ଣ୍ଣମୀ ଦିନରେ ରାଜରାଜେଶ୍ୱର ବେଶ ବା ସୁନାବେଶ ହୋଇଥାଏ । ଏବଂ ଯେଉଁବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଛଅଦିନ ହାେଇଥାଏ, ସେଇ ବର୍ଷ ପଞ୍ଚୁକର ଷଷ୍ଠ ଦିନରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ । ତେବେ ଶ୍ରୀଜୀଉମାନେ ପ୍ରତ୍ୟେହ ଅବକାଶ ନୀତି ଶେଷହେବା ପରେ ଦିନ ଅନୁଯାୟୀ ବିଭନ୍ନ ବେଶରେ ସଜ୍ଜିତ ହୁଅନ୍ତି । ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି ।

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁସାରେ ଲକ୍ଷ୍ମୀ ନାରାୟଣ ବେଶରେ ଶ୍ରୀଭୁଜ-୪, ଶ୍ରୀ ପୟର-୪, ଆଡକାନି-୪, ତଡଗି-୨, ଆୟୁଧ (ଶଙ୍ଖ, ଚକ୍ର-ଜଗନ୍ନାଥ, ହଳ, ମୂଷଳ-ବଳଭଦ୍ର), କାନ-୬, ଚନ୍ଦ୍ରିକା-୨, ଓଡ଼ିଆଣୀ-୩, କିଆ-୫୪ ଆଦି ସୁନା ଅଳଙ୍କାର ଲାଗି ହୋଇଥାଏ । ସେହିପରି ବାଙ୍କଚୂଡା ବେଶରେ ଠାକୁର ଦ୍ୱୟଙ୍କ ଶ୍ରୀମସ୍ତକକୁ ଚୂଡା ବେଶରେ ସୁନ୍ଦର କମନୀୟ ପରିପାଟୀରେ ଭୂଷିତ କରାଯାଇଥାଏ । ମହାପ୍ରଭୁଙ୍କ ଏହି ଚୂଡା ଦକ୍ଷିଣ ଦିଗକୁ ସମ୍ୟକ ଢଳି ଥିବାର ଦେଖାଯାଇଥାଏ । ଶ୍ରୀଜୀଉଦ୍ୱୟଙ୍କ ଏହି ଚୂଡା ପ୍ରସ୍ତୁତ କରିବା ଲାଗି ବେତରେ କନା ଆବୃତ୍ତ କରାଯାଇ ଠାକୁରଙ୍କ ମସ୍ତକରେ ଲଗାଯାଇଥାଏ । ସୁବର୍ଣ୍ଣ କାନ ଓ କୁଣ୍ଡଳ ବି ପିନ୍ଧା ଯାଇଥାଏ । ଏତଦ୍‌ଭିନ୍ନ ଘାଗଡା, ପଦ୍ମଫୁଲ, ଅଗସ୍ତି ଓ କଣ୍ଠି -ଏମିତି ଚାରି କିସମର କଣ୍ଠି ମାଳି ଠାକୁରଙ୍କ ଶ୍ରୀକଣ୍ଠରେ ପିନ୍ଧାଯାଇ ଆଭୂଷିତ କରାଯାଇଥାଏ ।

ଆଡକିଆ ବେଶରେ ସୁନାକିଆ ପ୍ରଲମ୍ବିତ ଭାବରେ ଖୋସା ହୋଇଥାଏ । ସୁନାକିଆଗୁଡିକୁ ଠାକୁରଙ୍କ ଚୂଳରେ କଇଁଥ ଅଠାରେ ଖୋସାଯାଇଥାଏ । ଚୂଳର ଶେଷରେ ଲଗାଯାଇଥାଏ ସୁବର୍ଣ୍ଣ ଚନ୍ଦ୍ରିକା । ଏହି ବେଶରେ ସୁଭଦ୍ରା ମାତା ବି ସୁଶୋଭିତ ହୁଅନ୍ତି ଗୋଟିଏ ସୁବର୍ଣ୍ଣ ଚନ୍ଦ୍ରିକାରେ । ତେବେ ତାଙ୍କ ମସ୍ତକରେ ଚୂଳ ଲାଗି ପରିବର୍ତ୍ତେ ସୁନା କିରୀଟ ଲଗାଯାଏ । ଘାଘଡା, ବରକୋଳି, ପଦ୍ମ, ଗିନି, ପଦକ ମାଳି ଆଦି ଠାକୁରଙ୍କ ଶ୍ରୀକଣ୍ଠରେ ପିନ୍ଧାଯାଇଥାଏ । ଏହାଛଡା, ଶ୍ରୀ ପୟର, ଶ୍ରୀହସ୍ତ ଓ ଅନ୍ୟାନ୍ୟ ଅଳଙ୍କାର ବି ମହାପ୍ରଭୁଙ୍କଠାରେ ଲାଗି ହୋଇଥାଏ । ଶ୍ରୀବିଗ୍ରହ ଦ୍ୱୟଙ୍କୁ ଲୁଗା କଛା ମାରି ପିନ୍ଧାଇ ଦିଆଯାଇଥାଏ ।

ଡାଳିକିଆ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡଠାକୁର ବଳଭଦ୍ରଙ୍କ ଶ୍ରୀମସ୍ତକର ଶିଖର ଭାଗରେ ଜରି, ବେତ, କନାର ଡାଳି ଦ୍ୱୟ ଚୂଳ ସଂଲଗ୍ନ ହୋଇଥାଏ । ସୋଲ ଜରିରେ ନିର୍ମିତ ଥୋକେ ଫୁଲ ଧାଡି ଧାଡି କରି ଲଗାଯାଇଥାଏ ଏହି ଡାଳି ଓ ଚୂଳରେ । ମାଳି ଆଉ ପଦକ ମାଳି ମଧ୍ୟ ଏହି ବେଶରେ ଲଗାଯାଇଥାଏ । ସେହିପରି ଠାକୁରଙ୍କଠାରେ ଲାଗି ହୋଇଥାଏ ଶ୍ରୀଭୁଜ ଆଉ ଶ୍ରୀପୟର । ଆୟୁଧ ରୂପେ ମହାପ୍ରଭୁଙ୍କ ଶ୍ରୀହସ୍ତରେ ଶଙ୍ଖ ଓ ଚକ୍ର ଆଉ ବଡ ଠାକୁରଙ୍କ ଶ୍ରୀହସ୍ତରେ ହଳ ଓ ମୂଷଳ ଶୋଭା ପାଇଥାଏ । ଦେବୀ ସୁଭଦ୍ରା ବି ଆଭୂଷିତା ହୁଅନ୍ତି ଅନେକ ମୂଲ୍ୟବାନ ସୁନା ଅଳଙ୍କାର ଓ ଆଭୂଷଣରେ ।

ଶ୍ରୀଜୀଉମାନେ ନାନା ପ୍ରକାର ରତ୍ନ ତଥା ପୁଷ୍ପ ଅଳଙ୍କାର ଓ ମୂଲ୍ୟବାନ ଆଭୂଷଣରେ ସୁଶୋଭିତ ହୋଇଥାନ୍ତି ରାଜରାଜେଶ୍ୱର ବେଶରେ । ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପି ଅନୁସାରେ ଏ ବେଶରେ ଶ୍ରୀଭୁଜ-୪, କୀରିଟ-୩ ମୂର୍ତ୍ତି, ଶ୍ରୀ ପୟର-୪ ମୂର୍ତ୍ତି, କର୍ଣ୍ଣ-୬ ମୂର୍ତ୍ତି, ଚନ୍ଦ୍ର ସୂର୍ଯ୍ୟ-୬ ମୂର୍ତ୍ତି, ହଳ- ମୂଷଳ-୨ ମୂର୍ତ୍ତି, ଚନ୍ଦ୍ରିକା-୨, ଘାଗଡା-୧, କଦମ୍ବ ମାଳି-୪ ମୂର୍ତ୍ତି, ହରିଡା କଦମ୍ବ ମାଳି (୧-୩୮ କଦମ୍ବ, ୩୮-ହରିଡା) ଶ୍ରୀଜଗନ୍ନାଥ, ତାବିଜ ମାଳି-୧ ମୂର୍ତ୍ତି, ସେବତୀ ମାଳି-୩ ମୂର୍ତ୍ତି, କୁଣ୍ଡଳ-୪, ଚିତା (ତିଳକ)-୨, ରୂପାଶଙ୍ଖ- ୧ ମୂର୍ତ୍ତି, ଶ୍ରୀମୁଖ ପଦ୍ମ-୪ ମୂର୍ତ୍ତି, ବାହାଡା ମାଳି-୨ ମୂର୍ତ୍ତି, ବାଘନଖୀ ମାଳି- ୧ମୂର୍ତ୍ତି, ଓଡ଼ିଆଣୀ- ୩ ମୂର୍ତ୍ତି, ଶଙ୍ଖଚକ୍ର- ୧ମୂର୍ତ୍ତି, ତ୍ରିଶାଖା- ୨ମୂର୍ତ୍ତି, ଅଳକା- ୩ମୂର୍ତ୍ତି, ତଡଗି- ୨ମୂର୍ତ୍ତି ଆଦି ମୂଲ୍ୟବାନ ରତ୍ନ ସ୍ୱର୍ଣ୍ଣ ଅଳଙ୍କାରମାନ ଲଗାଯାଇଥାଏ ।

Report an Error