ସ୍ମୃତିର ପରଦାରେ ଓଡ଼ିଆ କଥାଚିତ୍ର ‘ସପ୍ତଶଯ୍ୟା’

ବିଶିଷ୍ଟ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ କାହାଣୀର ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ କଲ୍ୟାଣ ଗୁପ୍ତା ।


୧୯୩୬ ମସିହାରେ ଓଡ଼ିଆ ସିନେମାର ମୂଳଦୁଆ ପଡିଥିଲା ‘ସୀତା ବିବାହ’ କଥାଚିତ୍ର ଜରିଆରେ । ଏହି ସିନେମାର ମୁକ୍ତିଲାଭର ପ୍ରାୟ ପନ୍ଦର ବର୍ଷ ପରେ ଆସିଥିଲା ‘ଲଳିତା’ । ଏହାପରେ ପଚାଶ ଦଶକରେ ପରଦାକୁ ଆସିଲା ଶ୍ରୀଜଗନ୍ନାଥ । ଏହାପରଠାରୁ ଓଡ଼ିଆ ସିନେମା ନିରବଚ୍ଛିନ୍ନ ଭାବରେ ପ୍ରସ୍ତୁତ ହୋଇ ଚାଲିଲା । ଓଡ଼ିଆ କଥାଚିତ୍ର କ୍ରମରେ ‘ସପ୍ତଶଯ୍ୟା’ ଚତୁର୍ଥ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା ଭାର ସମ୍ଭାଳିଥିଲେ ଢେଙ୍କାନାଳ ରାଜପରିବାରର ଶେଷ ସଦସ୍ୟ ପ୍ରତାପ ସିଂହଦେଓ, ଯିଏ ନିନି ସାହେବ ଭାବେ ବେଶ ପରିଚିତ ଥିଲେ । ବିଶିଷ୍ଟ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ କାହାଣୀର ଏହି ସିନେମାକୁ ନିର୍ଦ୍ଦେଶନା ଦେଇଥିଲେ କଲ୍ୟାଣ ଗୁପ୍ତା । ‘ସପ୍ତଶଯ୍ୟା’ ହେଉଛି ଢେଙ୍କାନାଳର ଏକ ଲୋକପ୍ରିୟ ସ୍ଥାନ । କୁହାଯାଏ ଶ୍ରୀରାମ ବନବାସ ସମୟରେ ସେଇ ପର୍ବତରେ କିଛି ଦିନ ଆଶ୍ରୟ ନେଇଥିଲେ । ତେବେ କିମ୍ବଦନ୍ତୀକୁ ନେଇ ଏହି କଥାଚିତ୍ରଟି ପ୍ରସ୍ତୁତ ହୋଇନଥିଲା । ପ୍ରଥମ ତିନୋଟି ଓଡ଼ିଆ ସିନେମା ପୌରାଣିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଥିବାବେଳେ ଚତୁର୍ଥ ସିନେମାଟିର କାହାଣୀ ସମ୍ପୂର୍ଣ୍ଣ ରୂପେ ସାମାଜିକଧର୍ମୀ ଥିଲା ।

ଏହି ସିନେମାରେ ଅଭିନୟ କରିଥିଲେ ବ୍ୟୋମକେଶ ତ୍ରିପାଠୀ, ଅନିମା ପେଦିନି, ଗିରିଧାରି, ପଙ୍କଜ ନନ୍ଦ, ରତିକାନ୍ତ ନାୟକ, କିଶୋରି ରାଜେନ୍ଦ୍ର, ଟୁନିଆ ପ୍ରମୁଖ । ସେହିପରି ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌର ଗୌସ୍ୱାମୀ ଓ ସୁରେନ ପାଲ । ଏଥିରେ ଥିବା ଗୀତଗୁଡିକରେ କଣ୍ଠଦାନ କରିଥିଲେ ପ୍ରଫୁଲ୍ଲ କୁମାର ସିଂହଦେଓ, କମଳା ଦେବୀ, ଉଦୟନାଥ ସାହୁ, ଶଙ୍କର ପୂଜାରୀ ଓ ପର୍ଶୁରାମ ନାୟକ । ସେହିପରି ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ଅନନ୍ତ ପଟ୍ଟନାୟକ । ଏହି ସିନେମାର ଚିତ୍ରଗ୍ରହଣ କଲିକତାର ଇନ୍ଦ୍ରପୁରୀ ଷ୍ଟୁଡିଓରେ ହୋଇଥିଲା ।

ତେବେ ଏହି ସିନେମାଟି କଳାକାର ବ୍ୟୋମକେଶ ତ୍ରିପାଠୀଙ୍କ ପ୍ରଥମ ସିନେମା ଥିଲା । ବ୍ୟୋମକେଶ ତ୍ରିପାଠୀ ଜଣେ ନାଟ୍ୟକାର, ନିର୍ଦ୍ଦେଶକ ଓ କଳାକାର । ସେ ପ୍ରାୟ ୭୧ଟି ନାଟକରେ ନିର୍ଦ୍ଦେଶକ ଅବା ଅଭିନେତା ଭାବେ କାମ କରିଛନ୍ତି । ସେ ପ୍ରାୟ ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଅନ୍ୟ ସିନେମାଗୁଡିକ ମଧ୍ୟରେ ରହିଛି - କା, ଅଭିଳାଷ, ନୀରବ ଝଡ, ଭାଇ ଭାଉଜ, ଘର ସଂସାର, ମୁକ୍ତି, ମମତା, ବତୀଘର, ଉଲ୍‌କା, କାଚଘର, ଭକ୍ତ ସାଲବେଗ, ସବୁ ମାୟାରେ ବାୟା, ଜୟଦେବ, କଣ୍ଢେଇ, ଉଦଣ୍ଡୀ ସୀତା, ଭାଗ୍ୟ ହାତେ ଡୋରୀ, କି ହେବ ଶୁଆ ପୋଷିଲେ, ପଞ୍ଜୁରୀ ଭିତରେ ଶାରୀ ପ୍ରମୁଖ ।

ଗ୍ରେଟ ଇଷ୍ଟର୍ଣ୍ଣ ମୁଭିଟୋନ ବ୍ୟାନର ଦ୍ୱାରା ନିର୍ମିତ ହୋଇଥିବା ସପ୍ତଶଯ୍ୟା କଥାଚିତ୍ରଟି ୧୯୫୦ ମସିହାର ଶେଷଭାଗରେ ପରଦାକୁ ଆସିଥିଲା ।

Report an Error