ସ୍ମୃତିର ପରଦାରେ ‘ଭାଇ ଭାଇ’

ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’ ୧୯୫୬ ମସିହାରେ ମୁକ୍ତିଲାଭ କରିଥିଲା


ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’ ୧୯୫୬ ମସିହାରେ ମୁକ୍ତିଲାଭ କରିଥିଲା । ଏହା ନିତାଇ ପାଲିତଙ୍କ ସ୍ବାଧୀନ ଭାବେ ନିର୍ଦ୍ଦେଶନାର ପ୍ରଥମ ଚଳଚ୍ଚିତ୍ର । ପୂର୍ବରୁ ସେ କେଦାର ଗୌରୀ ଚଳଚ୍ଚିତ୍ରରେ ମନୋରଞ୍ଜନ ଦାସଙ୍କ ସହ ଯୌଥ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଏହି ସିନେମାର ପ୍ରଯୋଜନାର ଭାର ରହିଥିଲା ଗୌର ଘୋଷଙ୍କ କାନ୍ଧରେ । ଶାନ୍ତ୍ବନୁ କୁମାର ଦାସଙ୍କ କାହାଣୀର ଏହି କଥାଚିତ୍ରର ସଂଳାପ ମନୋଜ ଦାସ ଲେଖିଥିବାବେଳେ ଏଥିରେ ଲୀଳା ଦୁଲାଳୀ, ଗୌର ଘୋଷ, ଚପଳା ନାୟକ, ଶ୍ରୀକାନ୍ତ, ଲକ୍ଷ୍ମୀ, ଗାେବିନ୍ଦ, କିଶାେରୀ, ସାମୁଏଲ୍ ସାହୁ (ବାବି) ପ୍ରମୁଖ ଅଭିନୟ କରିଥିଲେ ।

ଏହି ସିନେମାରେ ବାଳକୃଷ୍ଣ ଦାଶ ଓ ଭୁବନେଶ୍ୱର ମିଶ୍ରଙ୍କ ସଂଗୀତ ରହିଥିବାବେଳେ ଗୀତ ରଚନା କରିଥିଲେ ମନୋଜ ଦାସ ଓ ପର୍ଶୁରାମ ନାୟକ ।ଏହି ସିନେମାରେ ମନୋଜ ଦାସଙ୍କ ରଚିତ ଭୁଲନା ଭୁଲନା ସଖୀ …ଗୀତରେ କମଳା ଦେବୀ କଣ୍ଠଦାନ କରଥିଲେ ।

ଓଡ଼ିଆ ଚଳଚ୍ଚିତ୍ରର କ୍ରମ ଅନୁଯାୟୀ ଅଷ୍ଟମ ସିନେମା ଭାବେ ‘ଭାଇ ଭାଇ’ ସିନେମା ମୁକ୍ତିଲାଭ କରିଥିଲା । ସାମାଜିକ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ସିନେମାର କାହାଣୀରେ ଏକ ପ୍ରେମ କାହାଣୀକୁ ସମାନ୍ତରାଳ ଭାବେ ବର୍ଣ୍ଣନା କରାଯାଇଥିଲା । ଅସ୍ପୃଶ୍ୟତା ଓ କୁସଂସ୍କାର ଉପରେ ଆଧାରିତ ଏହି ସିନେମାର କାହାଣୀରେ ଗୋଟିଏ ଗ୍ରାମର ଉଚ୍ଚ ଜାତି ଓ ନୀଚ୍ଚ ଜାତିଙ୍କର ମଧ୍ୟରେ ରହିଥିବା ସମ୍ପର୍କକୁ ଦେଖାଯାଇଛି । ଏଥିରେ ଚପଳା ନାୟକ ଅର୍ଥାତ ପାର୍ବତୀ ଘୋଷ ଏକ ମୁଖ୍ୟ ଚରିତ୍ରରେ ଉଭା ହୋଇଥିଲେ । ସିନେମାଟିର ଚିତ୍ରଗ୍ରହଣର ସମସ୍ତ କାର୍ଯ୍ୟ ଆଉଟଡୋରରେ ସମ୍ପନ୍ନ ହୋଇଥିଲା । ଏହି ସିନେମାଟିର ସଫଳତା ପରେ ଗୌର ଘୋଷ ଜଣେ ଦକ୍ଷ ପ୍ରଯୋଜକ ରୂପେ ପରିଚିତି ହାସଲ କରିଥିଲେ ।

Report an Error