ସ୍ମୃତିର ପରଦାରେ ଓଡ଼ିଆ କଥାଚିତ୍ର ‘ଅଭିନେତ୍ରୀ’

ଓଡ଼ିଆ କଥାଚିତ୍ର ‘ଅଭିନେତ୍ରୀ’ ୧୯୬୫ରେ ପରଦାକୁ ଆସିଥିଲା । ଏଥିରେ ଝରଣା ଦାସ ଦ୍ୱୈତ ଭୂମିକାରେ ଅଭିନୟ କରିଥିଲେ ।


ଅଭିନେତ୍ରୀ ଝରଣା ଦାସଙ୍କ ଅଭିନୀତ ତଥା ଓଡ଼ିଆ କଥାଚିତ୍ର ‘ଅଭିନେତ୍ରୀ’ ୧୯୬୫ରେ ପରଦାକୁ ଆସିଥିଲା । ଅମର ଗାଙ୍ଗୁଲିଙ୍କ ନିର୍ଦ୍ଦେଶନାର ଏହି କଥାଚିତ୍ରର ପ୍ରଯୋଜନା ଭାର ରହିଥିଲା ବାବୁଲାଲ ଦୋଶୀଙ୍କ କାନ୍ଧରେ ।

କାହ୍ନୁ ଚରଣଙ୍କ ଉପନ୍ୟାସ ‘ଅଭିନେତ୍ରୀ’ ଆଧାରରେ ନିର୍ମିତ ଏହି କଥାଚିତ୍ରରେ ଧୀର ବିଶ୍ୱାଳ, ଝରଣା ଦାସ, ଅଶୋକ, ରଜନୀକାନ୍ତ, ସାମୁଏଲ ସାହୁ, ମଣିମାଳା ଦେବୀ, ପୂର୍ଣ୍ଣଚନ୍ଦ୍ର, ଲକ୍ଷ୍ମୀପ୍ରିୟା, ଗୀତା, ମୀରା, ବିମଳ, ରମାକାନ୍ତ, ନଟବର, ଶ୍ୟାମଳେନ୍ଦୁ, ସାଗର ପ୍ରମୁଖ ଅଭିନୟ କରିଥିଲେ ।

ସିନେମାରେ ନାରାୟଣ ପ୍ରସାଦ ସିଂହଙ୍କ ରଚିତ ଗୀତଗୁଡିକୁ ବାଳକୃଷ୍ଣ ଦାଶ ସଂଗୀତରେ ସ୍ଵରବଦ୍ଧ କରିଥିଲେ । ସିନେମାର ଗୀତଗୁଡିକରେ ଅକ୍ଷୟ ମହାନ୍ତି, ବାଳକୃଷ୍ଣ ଦାଶ, ସିକନ୍ଦର ଆଲାମ, ନିର୍ମଳା ମିଶ୍ର, ସନ୍ଧ୍ୟା ମୁଖାର୍ଜୀ ପ୍ରମୁଖ କଣ୍ଠଦାନ କରିଥିଲେ ।

ସିନେମାରେ ରହିଥିବା ଗୀତଗୁଡିକ ମଧ୍ୟରେ ଆମେ ହସିବା …. ଗୀତରେ ଅକ୍ଷୟ ମହାନ୍ତି, ଜାଣେ ଜାଣେ ମୋ ରାଧିକା…ଗୀତରେ ସନ୍ଧ୍ୟା ମୁଖାର୍ଜୀ, ଆହା ରୁହନା… ଗୀତରେ ସିକନ୍ଦର ଆଲାମ, ଅନେକ ଦିନ ପରେ … ଗୀତରେ ନିର୍ମଳା ମିଶ୍ର, ମରମ ତଳେ ଅତୀତ… ଗୀତରେ ବାଳକୃଷ୍ଣ ଦାଶ …, କଇଁଚି କାକୁଡି ନଳିତା ପିତା… ଗୀତରେ ନିର୍ମଳା ମିଶ୍ର କଣ୍ଠଦାନ କରିଥିଲେ । ସେହିପରି ଏହି ସିନେମାର ଚିତ୍ରନାଟ୍ୟ ଅମର ଗାଙ୍ଗୁଲି ରଚନା କରିଥିବାବେଳେ ସିନେମାରେ ସଂଳାପ ରଚନା କରିଥିଲେ ଗୋପାଳ ଛୋଟରାୟ । ଚିତ୍ରଗ୍ରହଣ କରିଥିଲେ ଦେଓଜୀ ଭାଇ ଓ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ କେଳୁଚରଣ ମହାପାତ୍ର ।

ତେବେ ଏହି ସିନେମାରେ ପ୍ରଥମ ଥର ପାଇଁ ଦ୍ୱୈତ ଭୂମିକା ରହିଥିଲା । ଏହି କଥାଚିତ୍ରରେ ଅଭିନେତ୍ରୀ ଝରଣା ଦାସ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇ ଅତି ନିପୁଣ ଭାବେ ଅଭିନୟ କରିଥିଲେ । ସେ ଦ୍ୱୈତ ଭୂମିକା ମାୟା ଓ ଛାୟା ଚରିତ୍ରରେ ଅଭିନୟ କରି ଏହି ଚରିତ୍ରକୁ ସ୍ମରଣୀୟ କରିଛନ୍ତି । ଏକଦା ଏହି ସିନେମା ଦେଖି କାହ୍ନୁ ଚରଣ ସିନେମାରେ ତାଙ୍କ ଲିଖିତ ଚରିତ୍ରଦ୍ବୟ ଜୀବନ୍ତ ହୋଇଥିବାର କହିଥିଲେ । ମାନସିକ ଦ୍ଵନ୍ଦ୍ବ ଓ ସଂଘାତର ପ୍ରତିରୂପ ଥିଲା ଏହି ଭୂମିକାଦ୍ୱୟ । ଆଜିବି ଓଡ଼ିଆ ସିନେମାରେ ଏହି ଚରିତ୍ରଦ୍ୱୟ ସ୍ମରଣୀୟ ଓ ଈର୍ଷଣୀୟ ।

ଅଭିନେତ୍ରୀ କଥାଚିତ୍ରଟି ମୁକ୍ତିଲାଭ ସମୟରେ ଭାରତ - ପାକିସ୍ତାନ ଯୁଦ୍ଧ ଲାଗିଥିବାରୁ ସିନେମାଟି ଆଶାଜନକ ବ୍ୟବସାୟିକ ସଫଳତା ପାଇପାରିନଥିଲା । ତୁଳନାତ୍ମକ ଦୃଷ୍ଟିରୁ କଥାଚିତ୍ରଟି ଉନ୍ନତଧରଣର ହୋଇପାରିଥିଲା ।

ଓଡ଼ିଆ ସିନେ ଜଗତରେ ଅଭିନେତ୍ରୀ ଝରଣା ଦାସ ଜଣେ ସଫଳ ଅଭିନେତ୍ରୀ । ଷାଠିଏ ଦଶକରେ ଓଡ଼ିଆ ସିନେମାରେ ଅଭିନୟ କରି ଅନ୍ୟମାନଙ୍କ ପାଇଁ ସେ ପାଲଟି ଥିଲେ ଉଦାହରଣ । ଅଭିନୟର ପ୍ରଥମ ପର୍ଯ୍ୟାୟରେ ସେ ନାୟିକା ଭାବରେ ପାଞ୍ଚୋଟି ସିନେମାରେ ଅବତୀର୍ଣ୍ଣ ହୋଇ ନିଜ ଦକ୍ଷତାର ପରିଚୟ ଦେଇଥିଲେ । ଶ୍ୟାମଳ ସୁନ୍ଦରୀ ଝରଣାଙ୍କର ଅନନ୍ୟ ପରିଚୟ ଥିଲା ତାଙ୍କ ସ୍ୱର । ତାଙ୍କ ଅଭିନୀତ ଚରିତ୍ରମାନେ ଆଜି ବି ସତେଜ ଆଉ ଜୀବନ୍ତ ।

Report an Error