ଓଡ଼ିଆ ଜାତୀୟତାର ସର୍ବୋତ୍ତମ ପ୍ରତୀକ: ଶ୍ରୀମଦ୍ ଭାଗବତ

ଭକ୍ତକବି ଜଗନ୍ନାଥ ଦାସଙ୍କର ଶ୍ରେଷ୍ଠ କୃତି ଭାବେ ଶ୍ରୀମଦ୍ ଭାଗବତ ଓଡ଼ିଆ ବାଣୀର ଏକ ଗନ୍ତାଘର । ଶିକ୍ଷା, ସାହିତ୍ୟ, ଧର୍ମ, ଦର୍ଶନ, ସଂଗୀତ, ନୈତିକତା ପ୍ରଭୃତି ବିଭିନ୍ନ ଦୃଷ୍ଟିରୁ ଭାଗବତ ଓଡ଼ିଆ ଜାତିର ଆଦର୍ଶ ।


ଆଜି ହେଉଛି ପବିତ୍ର ପୁସ୍ତକ ଭାଗବତର ଜନ୍ମଦିବସ । ପୃଥିବୀର କୌଣସି ଦେଶରେ ପୁସ୍ତକର ଜନ୍ମଦିବସ ପାଳନ ହେଉଛି କି ନାହିଁ ସେ ବିଷୟରେ ଯଦିଓ କିଛି ତଥ୍ଯ ନାହିଁ, ତେବେ ଓଡ଼ିଆ ଜାତିର ଶ୍ରେଷ୍ଠ କୃତି ଶ୍ରୀମଦ୍ ଭାଗବତର ଜନ୍ମଦିବସକୁ ଆମ ଓଡ଼ିଆମାନେ ଏକ ଉତ୍ସବ ରୂପେ ପାଳନ କରନ୍ତି । ଭାଦ୍ରପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମା ତିଥିରେ ସଂସ୍କୃତ ଭାଗବତ ଆରମ୍ଭ ହୋଇଥିବାରୁ ଏହି ତିଥିଟିକୁ ଭାଗବତ ଜନ୍ମ ରୂପେ ପାଳନ କରାଯାଇଥାଏ ।

ବ୍ୟାସଦେବଙ୍କ ଦ୍ୱାରା ଅଠର ହଜାର ଶ୍ଳୋକ ବିଶିଷ୍ଟ ଶ୍ରୀମଦ୍ ଭାଗବତ ମଣିଷ ସମାଜ ପାଇଁ ଉତ୍ତମ ପଥ ପ୍ରଦର୍ଶକ । ଭାଗବତର ବକ୍ତା ହେଉଛନ୍ତି ଶୁକଦେବ ଆଉ ଶ୍ରୋତା ହେଉଛନ୍ତି ରାଜା ପରୀକ୍ଷିତ । ମୃତ୍ୟୁ ଭୟରୁ ରାଜା ପରୀକ୍ଷିତଙ୍କୁ ଉଦ୍ଧାର କରିବାକୁ, ଶୁକମୁନି ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ଅମୃତ ଆଖ୍ୟାନ ସାତଦିନ ଧରି ଶୁଣାଇଥିଲେ, ତାହା ହେଉଛି ‘ଶ୍ରୀମଦ୍‌ ଭାଗବତ’ । ଭାଗବତ ଶବ୍ଦର ଅର୍ଥ ଅନୁସାରେ ‘ଭ’ର ଅର୍ଥ ଭାବ, ‘ଗ’ର ଅର୍ଥ ଜ୍ଞାନ, ‘ବ’ର ଅର୍ଥ ବୈରାଗ୍ୟ ଏବଂ ‘ତ’ର ଅର୍ଥ ତତ୍ତ୍ୱ ।

ଭକ୍ତକବି ଜଗନ୍ନାଥ ଦାସଙ୍କର ଶ୍ରେଷ୍ଠ କୃତି ଭାବେ ଶ୍ରୀମଦ୍ ଭାଗବତ ଓଡ଼ିଆ ବାଣୀର ଏକ ଗନ୍ତାଘର । ଏହା ୧୪ଶ ଶତାବ୍ଦୀରେ ତାଳପତ୍ର ପୋଥିରେ ଲେଖାଯାଇଥିଲା । ବ୍ୟାସଙ୍କ କୃତ ଭାଗବତରେ ୩୩୨ଟି ଅଧ୍ୟାୟ, ୧୦୨୯ଟି ଉଵାଚ ରହିଛି । ମୂଳ ସଂସ୍କୃତ ଭାଗବତଟି ବାର ସ୍କନ୍ଧ ବିଶିଷ୍ଟ ହୋଇଥିବାବେଳେ ଓଡ଼ିଆ ଭାଗବତରେ ତେରଟି ସ୍କନ୍ଧ ରହିଛି । ଭକ୍ତକବି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଷାରେ ରଚିତ ଶ୍ରୀମଦ୍ ଭାଗବତ ଗ୍ରନ୍ଥ ଅତି ସରଳ, ସାବଲୀଳ ଓ ନବାକ୍ଷରୀ ବୃତ୍ତରେ ରଚିତ । ଭାଗବତରେ ଭଗବାନଙ୍କର କୀର୍ତ୍ତି ଏବଂ ମାହାତ୍ମ୍ୟ ବର୍ଣ୍ଣିତ । ଜଗନ୍ନାଥ ଦାସଙ୍କ ଭାଗବତରେ ପୌରାଣିକ ଭାବଧାରା ଏକ ନୈତିକ ଓ ବିଚିତ୍ର ରୂପ ସୃ୍‌ଷ୍ଟିର ଆବେଶରେ ପ୍ରକୃତି, ପ୍ରାଣୀ ଓ ମାନବ ଜଗତକୁ ଏକ ସୁନ୍ଦର ଐକ୍ୟସୂତ୍ରରେ ଗ୍ରଥିତ କରିଅଛି । ଏଥିରେ ଯୋଗୀ, ଭୋଗୀ, ଗୁରୁ ଓ ଶିଷ୍ୟ, ବ୍ରାହ୍ମଣ, କୃଷକ, ଦାନଶୀଳ ରାଜା ପ୍ରଭୃତିର ବର୍ଣ୍ଣନା କରାଯାଇ ମନୁଷ୍ୟ ସମାଜର ଏକ ସଂପୂର୍ଣ୍ଣ ଚିତ୍ରଲେଖା ସହ ପ୍ରକୃତି ଓ ପ୍ରାକୃତିକ ଜଗତ ଏକାତ୍ମ ହୋଇ ପ୍ରକାଶିତ ହୋଇଅଛି । ନାମ, ଜପ ଓ ଧ୍ୟାନ, ସ୍ତୋତ୍ର ଓ ମାହାତ୍ମ୍ୟ ଏ ସକଳ କ୍ଷେତ୍ରରେ ଭାଷାର ଅତିରଂଜନ ଓ ପୁନରାବୃତ୍ତି ଶକ୍ତିର ପୂର୍ଣ୍ଣ ବିନିଯୋଗ କରାଯାଇଅଛି ।

ଭାଗବତ ହେଉଛି ଭାବ, ଜ୍ଞାନ, ବୈରାଗ୍ୟ, ତତ୍ତ୍ୱ ମାର୍ଗର ପ୍ରଦର୍ଶକ । ଅନ୍ୟ ଅର୍ଥରେ ଭଗବାନଙ୍କର ସାକ୍ଷାତ ସ୍ୱରୂପ । ଭାଗବତ ଶାସ୍ତ୍ରରେ ଷଡସମ୍ବାଦ ମାଧ୍ୟମରେ ସକାମ ଓ ନିଷ୍କାମ କର୍ମ, ସକାମ ଓ ନିଷ୍କାମ ଭକ୍ତର ବିବିଧ ସ୍ୱରୂପ, ସାଧନ ଜ୍ଞାନ, ସାଧ୍ୟ ଜ୍ଞାନ, ମର୍ଯ୍ୟାଦା ମାର୍ଗ, ବର୍ଣ୍ଣାଶ୍ରମ ଧର୍ମ, ପୌରୁଷର ସାଧନ, ଅବତାର ରହସ୍ୟ, ଧର୍ମର ଆଶ୍ରୟ, ହରିଭକ୍ତ ରସାମୃତ, ସୃଷ୍ଟି ସ୍ଥିତି ପ୍ରଳୟାଦି ବିବରଣୀ ଓ ଦ୍ଵେତ-ଅଦ୍ଵେତ ଦର୍ଶନ ଅବତାରଣା କରାଯାଇଛି । ଏହି ଶାସ୍ତ୍ର ପରମାର୍ଥ ସହିତ ସାଂସାରିକ ଜୀବନକୁ ସୁଖମୟ ଓ ଉନ୍ନତି କରିବା ପାଇଁ ମାର୍ଗଦର୍ଶକ ଅଟେ । ସକଳ ବିଘ୍ନ ନାଶ ପାଇଁ ନାରାୟଣ କବଚ, କାମନା ପୂର୍ତ୍ତି ପାଇଁ ପୁଂସବନ ବ୍ରତ, ମନୋବାଛିଂତ ସନ୍ତାନ ସନ୍ତତି ପାଇଁ ପୟୋବ୍ରତ, ଋଣମୁକ୍ତି ପାଇଁ ଗଜେନ୍ଦ୍ର ସ୍ତୁତି ଆଦି ଅବ୍ୟର୍ଥ ଉପାୟ ସବୁ ଏହି ଶାସ୍ତ୍ରରେ ବର୍ଣ୍ଣିତ ହୋଇଅଛି । ଇହଲୋକ ଓ ପରଲୋକର କଲ୍ୟାଣକାରୀ ଏହି ଶାସ୍ତ୍ରକୁ ପରମହଂସ ସଂହିତା ବୋଲି ମଧ୍ୟ କୁହାଯାଏ । ସେଥିପାଇଁ କବି କହନ୍ତି - ‘ସକଳ ଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥିବ ନିତ୍ୟ’ ।

ଓଡ଼ିଆ ସମାଜରେ ଭାଗବତ ନୈତିକ ଆଦର୍ଶର ପ୍ରାଣକେନ୍ଦ୍ର ଥିଲା । ଭାଗବତର ଶ୍ରବଣ ଓ ପ୍ରଚାର ପାଇଁ ଗ୍ରାମଗୁଡିକରେ ଭାଗବତ ଟୁଙ୍ଗିମାନ ପ୍ରତିଷ୍ଠା କରାଯାଇଥିଲା । ସାରା ଦିନର ଖଟଣି ପରେ, ଓଡ଼ିଆମାନେ ଏହି ଗ୍ରନ୍ଥ ଶ୍ରବଣ କରି କେବଳ ଅବସର ବିନୋଦନ କରୁ ନଥିଲେ, ବରଂ ନୈତିକ ଆଦର୍ଶର ଛାଞ୍ଚରେ ନିଜର ଜୀବନକୁ ସଜାଡ଼ୁ ଥିଲେ ମଧ୍ୟ । ଏହି ଭାଗବତ ଟୁଙ୍ଗିଗୁଡିକରେ ନ୍ୟାୟ ନିଶାପ ଓ ଆଧ୍ୟାତ୍ମିକ ଆଲୋଚନା ମାନ ହେଉଥିଲା । କେବଳ ଭାଗବତ ଟୁଙ୍ଗିରେ ନୁହେଁ ପଲ୍ଲୀ ଓଡ଼ିଶାର ପ୍ରାୟେ ଘରେ ପ୍ରତିଦିନ ସନ୍ଧ୍ୟାରେ ଭାଗବତ ପାଠ ହେଉଥିଲା । ମରଣ କାଳରେ ଭାଗବତ ଶୁଣିଲେ ଆତ୍ମା ମୁକ୍ତି ଲାଭ କରେ ବୋଲି ଓଡ଼ିଆ ଜାତିର ଦୃଢ ବିଶ୍ୱାସ ଥିଲା ଆଜି ମଧ୍ୟ ଏହି ବିଶ୍ୱାସ ରହିଛି । ସେଥିପାଇଁ ତ ମଣିଷର ମୃତ୍ଯୁ ଶଯ୍ୟା ନିକଟରେ ଧୀର ଗମ୍ଭୀର ସ୍ୱରରେ ଭାଗବତର ମହାନ୍‌ବାଣୀ ଉଚ୍ଚାରିତ କରାଯାଉଛି ।

ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନ ବହୁ ଘାତପ୍ରତିଘାତ ଓ ପରିବର୍ତ୍ତନ ଭିତର ଦେଇ ବେଶ୍ ପରିବର୍ତ୍ତିତ ହୋଇଛି । ଏହା ମଧ୍ୟରେ ମଣିଷର ରୁଚି ବଦଳିଛି, ଜୀବନର ଧାରା ମଧ୍ୟ ବଦଳିଛି । କିନ୍ତୁ ଓଡ଼ିଆ ଜାତିର ଧ୍ୟାନ-ଧାରଣାର ସୂକ୍ଷ୍ମ ଚେତନାରେ ସାମାନ୍ୟତମ ପରିବର୍ତ୍ତନ ସୁଦ୍ଧା ଘଟିନାହିଁ । ତା’ର କାରଣ ହେଉଛି ଭାଗବତ । ଜଗନ୍ନାଥ ଦାସଙ୍କ ଭାଗବତ ହେଉଛି ଓଡ଼ିଆ ଜାତୀୟତାର ସର୍ବୋତ୍ତମ ପ୍ରତୀକ । ଶିକ୍ଷା, ସାହିତ୍ୟ, ଧର୍ମ, ଦର୍ଶନ, ସଂଗୀତ, ନୈତିକତା ପ୍ରଭୃତି ବିଭିନ୍ନ ଦୃଷ୍ଟିରୁ ଭାଗବତ ଓଡ଼ିଆ ଜାତିର ଆଦର୍ଶ ମଧ୍ୟ । ଭାଗବତ କେବଳ ଏକ ଧର୍ମୀୟ ଗ୍ରନ୍ଥ ନୁହେଁ, ଓଡ଼ିଆ ଜାତି ପାଇଁ ଏହା ହେଉଛି ଏକ ଆଧ୍ୟାତ୍ମିକ ଅନୁଭୂତି । ଏହା ପ୍ରତ୍ୟେକ ଓଡ଼ିଆ ଜୀବନର ଶିକ୍ଷାଦାତା - ଗୁରୁ । ପୁଣି ଶେଷ ଜୀବନର ସହଚର । ଆସନ୍ତୁ ଆଜିର ଏହି ପବିତ୍ର ଲଗ୍ନରେ ଶ୍ରୀମଦ୍ ଭାଗବତର ବାଣୀକୁ ନିଜ ଜୀବନରେ ଉତ୍ତାରିବା ।

Report an Error