ଆଜି ଭାରତୀୟ ଡାକ ଦିବସ

ଆଜି ସାରା ଦେଶରେ ଡାକ ଦିବସ ପାଳନ କରାଯାଉଛି । ଯଦିଓ ଅକ୍ଟୋବର ୯ ତାରିଖକୁ ବିଶ୍ୱ ଡାକ ଦିବସ ରୂପେ ପାଳନ କରାଯାଏ । କିନ୍ତୁ ଅକ୍ଟୋବର ୧୦ ତାରିଖକୁ ଭାରତୀୟ ଡାକ ଦିବସ ରୂପେ ପାଳନ କରାଯାଏ ।


ଆଜି ସାରା ଦେଶରେ ଡାକ ଦିବସ ପାଳନ କରାଯାଉଛି । ଯଦିଓ ଅକ୍ଟୋବର ୯ ତାରିଖକୁ ବିଶ୍ୱ ଡାକ ଦିବସ ରୂପେ ପାଳନ କରାଯାଏ । କିନ୍ତୁ ଅକ୍ଟୋବର ୧୦ ତାରିଖକୁ ଭାରତୀୟ ଡାକ ଦିବସ ରୂପେ ପାଳନ କରାଯାଏ । ଜାତୀୟ ଡାକ ଦିବସ ଅବସରରେ ଡାକ ବିଭାଗ ଜାତୀୟ ଡାକ ସପ୍ତାହ ପାଳନ କରିଥାଏ । ଭାରତୀୟ ଜନଜୀବନରେ ଡାକସେବାର ଏକ ଅନନ୍ୟ ଭୂମିକା ରହିଛି । ଏହା କେବଳ ଚିଠି ଦେଣନେଣ, ଲଫାପା, ଡାକ ଟିକଟ ବିକ୍ରି କରି ନ ଥାଏ ବରଂ ସମ୍ପର୍କୀୟଙ୍କୁ ପରସ୍ପର ସହ ଆତ୍ମିକ ଭାବେ ଯୋଡି ଥାଏ । ‘ଜାତୀୟ ଡାକ ଦିବସ’ର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଡାକସେବା ବିଷୟରେ ପ୍ରଚାର ପ୍ରସାର କରିବା ଏବଂ ଏହାର ଗୁରୁତ୍ୱ ବିଷୟରେ ଜଣାଇବା । ଏଥିସହ ଲୋକଙ୍କ ସାମାଜିକ ଜୀବନ ଓ ଦେଶରେ ଅର୍ଥନୈତିକ ବିକାଶରେ ଏହାର ଅବଦାନ ବିଷୟରେ ପ୍ରଚାର କରିବା ।

୧୮୫୪ ମସିହାରେ ଭାରତରେ ଡାକ ସେବା ଆରମ୍ଭ ହୋଇଥିଲା । ତେବେ ସର୍ବପ୍ରଥମେ ୧୭୬୬ ମସିହାରେ ଦେଶରେ ଡାକସେବା ଆରମ୍ଭ କରିବା ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ ୱାରେନ୍ ହାଷ୍ଟିଙ୍ଗସ୍ ପଦକ୍ଷେପ ନେଇଥିଲେ । ଏହା ପ୍ରଥମେ "କମ୍ପାନୀ ମେଲ୍" ନାମରେ ପ୍ରତିଷ୍ଠିତ ହୋଇଥିଲା । ପରେ ପରେ ଏହା ଲର୍ଡ ଡେଲହାଉସୀଙ୍କ ଦ୍ୱାରା ୧୮୫୪ ମସିହାରେ ଏକ ସେବାରେ ରୂପାନ୍ତରିତ ହୋଇଥିଲା ।

ବାସ୍ତବରେ ଦେଶର ଡାକ ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭାରତୀୟ ଡାକ ଦିବସ କିମ୍ବା ଜାତୀୟ ଡାକ ଦିବସ ଜାତୀୟ ସ୍ତରରେ ପାଳନ କରାଯାଏ । ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ପୋଷ୍ଟ ବିଭାଗ ଭାରତୀୟ ପୋଷ୍ଟ ସେବା ପରିଚାଳନା କରେ । ବିଶ୍ୱର ସର୍ବୋଚ୍ଚ ଡାକଘର ହିମାଚଳ ପ୍ରଦେଶର ହିକ୍କିମରେ ଥିବାବେଳେ ୧୭୭୪ ମସିହାରେ କୋଲକାତାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ଭାରତର ପ୍ରଥମ ଡାକଘର ପ୍ରତିଷ୍ଠା କରାଯାଇଥିଲା । ସେହିପରି ସ୍ୱାଧୀନ ଭାରତରେ ପ୍ରଥମ ଡାକ ଷ୍ଟାମ୍ପ ନଭେମ୍ବର ୨୧, ୧୯୪୭ରେ ଜାରି କରାଯାଇଥିଲା । ସ୍ୱାଧୀନ ଭାରତର ପ୍ରଥମ ଡାକ ଷ୍ଟାମ୍ପରେ ଭାରତର ଜାତୀୟ ପତାକା ଚିତ୍ର ରହିଥିଲା । ଗାନ୍ଧିଜୀ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯାହାଙ୍କ ଚିତ୍ର ପ୍ରଥମ ସ୍ୱାଧୀନ ଭାରତ ଡାକ ଷ୍ଟାମ୍ପରେ ସ୍ଥାନ ପାଇଥିଲା ।

ଆଜିର ହ୍ଵାଟ୍ସଆପ ଓ ଇମେଲ ଯୁଗରେ ହାତଲେଖା ଚିଠି ଆମର ନବପିଢ଼ିଙ୍କ ପାଇଁ ଯଦିଓ ଏକ ଅତୀତ ହୋଇପାରେ, କିନ୍ତୁ ତାହାର ସ୍ମୃତି ସର୍ବଦା ସଜ୍ଜଳ । ଚିଠିରେ ବାର୍ତ୍ତା ପହଁଚିବା ପାଇଁ ଯଦିଓ ବେଶ କିଛି ସମୟ ଲାଗୁଥିଲା, କିନ୍ତୁ ଚିଠି ଲେଖୁଥିବା ଲୋକ ଆଉ ପଢ଼ୁଥିବା ଲୋକର ଭାବଗତ ସମ୍ପର୍କ ବହୁତ ନିକଟରେ ଅନୁଭବ ହେଉଥିଲା । ଚିଠି କେବଳ ଏକ କାଗଜରେ ଲେଖା ଅକ୍ଷର ନଥିଲା, ଚିଠି ଥିଲା ସ୍ନେହ, ପ୍ରେମ, ଭଲ ପାଇବାର ଏକ ନିଆରା ଅନୁଭବ । ଯଦିଓ ଡାକଵାଲା ଏବେ ଆଉ ଘର ଘର ବୁଲି ବାର୍ତ୍ତା ପହଞ୍ଚଉନି ତଥାପି ଆମ ଡାକ ସେବା ରହିଛି । ପରିବର୍ତ୍ତିତ ଧାରା ସହ ପାଦ ମିଶାଇ ବଦଳି ଚାଲିଛି ଆମ ଡାକସେବା । ଉନ୍ନତ ଅତ୍ୟାଧୁନିକ ଡିଜିଟାଲ୍‌ - ଫ୍ରେଣ୍ଡଲି ଓ ସବୁବର୍ଗ ତଥା ସବୁ ବୟସର ସାଥୀ ହୋଇଛି ଡାକ ସେବା ।

Report an Error