ଆଜି ପବିତ୍ର ଜନ୍ମାଷ୍ଟମୀ

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁତ୍ର ରୂପେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ ।


ହିନ୍ଦୁ ଧର୍ମରେ ‘ଶ୍ରୀକୃଷ୍ଣ’ ଲୋକପ୍ରିୟ ଦେବତା ଭାବରେ ନିଜ ଗାରିମା ପ୍ରକାଶ କରିଛନ୍ତି । କୃଷ୍ଣଭକ୍ତିର ଉଦ୍ଭବ ଓ ବିକାଶ ବୈଷ୍ଣବ ଧର୍ମ ଦର୍ଶନର ଏକ ବିବର୍ତ୍ତିତ ଅବସ୍ଥାର ନମୁନା । ସର୍ବଶକ୍ତିମାନ ବିଷ୍ଣୁ ଅନେକ କ୍ଷେତ୍ରରେ ବିଭିନ୍ନ ନାମରେ ପୂଜିତ ହୋଇ ଆସିଛନ୍ତି । ‘କୃଷ୍ଣ’ ନାମଟି ବିଷ୍ଣୁଙ୍କ ବିଭିନ୍ନ ନାମ ମଧ୍ୟରେ ଅନ୍ୟତମ । ଭାରତୀୟ ଧାର୍ମିକ ଚେତନା ଓ ସଂସ୍କୃତିରେ କୃଷ୍ଣାବତାରର ମହତ୍ତ୍ବ ଅତ୍ଯନ୍ତ ତାତ୍ପର୍ଯ୍ଯପୂର୍ଣ୍ଣ । ଏହି ଅବତାରରେ କୃଷ୍ଣଙ୍କ ଲୀଳାକୁ ବାଳ ଲୀଳା,ଐଶ୍ୱର୍ଯ୍ୟ ଲୀଳା, ମାଧୁର୍ଯ୍ୟ ଲୀଳାରେ ଚିହ୍ନିତ କରାଯାଇଛି । ଅତ୍ଯାଚାରୀ କଂସର ନିର୍ମମ ଅତ୍ଯାଚାରରେ ଯେତେବେଳେ ସମଗ୍ର ଧରା ଭୟ ଓ ଯନ୍ତ୍ରଣାରେ ଅସ୍ଥିର ହୋଇ ଉଠିଥିଲା, ଠିକ୍ ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ । କେବଳ କଂସ ନିଧନ ନୁହେଁ ସମକାଳୀନ ସମାଜରେ ଦେଖାଦେଇଥିବା ଚରମ ବିଶୃଙ୍ଖଳା, ଅଧର୍ମ ଓ ଅନୀତିର ବିଲୋପ କରି ଧର୍ମ ସଂସ୍ଥାପନ ପାଇଁ ତାଙ୍କର ଆବିର୍ଭାବ ଘଟିଥିଲା ।

ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଦ୍ଧରାତ୍ରୀରେ ରୋହିଣୀ ନକ୍ଷତ୍ର - ବୃଷରାଶିର ସଂଯୋଗ ସମୟରେ ଶ୍ରୀକୃଷ୍ଣ ଜନ୍ମ ଲାଭ କରିଥିଲେ । ସେଥିପାଇଁ ତ ଭାଗବତରେ କୁହାଯାଇଛି -

ଋତୁଙ୍କ ମଧ୍ୟେ ଶ୍ରେଷ୍ଠବଳ । ସମ୍ପୂର୍ଣ୍ଣ ବରଷାର କାଳ
ଭାଦ୍ରବ ମାସ କୃଷ୍ଣ ପକ୍ଷ । ସକଳ ଗ୍ରହେଛନ୍ତି ଉଚ୍ଚ
ଅଷ୍ଟମ ନିଶି ଅର୍ଦ୍ଧ ଭାଗେ । ରୋହିଣୀ ବୃଷର ସଂଯୋଗେ
ବୃଷ ରାଶିରେ ନିଶାକର । ନକ୍ଷେତ୍ର ଗ୍ରହେ ବଳିଆର

ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳା କରିଥିଲେ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିଛି । ଭଗବାନଙ୍କ ଅବତାରର ଏହି ବିଶେଷ ଦିନକୁ ସାରା ଭାରତରେ ବେଶ୍ ହର୍ଷ ଉଲ୍ଲାସରେ ପାଳିତ କରାଯାଏ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।

ଓଡ଼ିଶାରେ ମଧ୍ୟ ବୈଷ୍ଣବ ଧର୍ମ ଓ କୃଷ୍ଣ ଉପାସନା ବେଶ୍ ପ୍ରାଚୀନ । ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣଙ୍କ ଏକ ଅଂଶ ରୂପେ ବିଚାର କରାଯାଏ । ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣ ଅଭିନ୍ନ ବୋଲି ପରିଗୃହୀତ ହୋଇଛି । ପଂଚଦଶ ଶତାବ୍ଦୀର ରଚିତ ବହୁ ଭକ୍ତି ସାହିତ୍ୟରେ ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣ ଏକ ବୋଲି କୁହାଯାଇଛି । ସାରଳା ଦାସଙ୍କ ମହାଭାରତର ମୂଷଳୀ ପର୍ବରେ ଶ୍ରୀକୃଷ୍ଣଙ୍କର ଦେହାବଶେଷ ହିଁ ଜଗନ୍ନାଥଙ୍କର ଦାରୁ ବ୍ରହ୍ମ ବିଗ୍ରହର ରୂପାନ୍ତର ବୋଲି କୁହାଯାଇଛି । ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀର ସ୍ୱତନ୍ତ୍ର ନୀତିକାନ୍ତି ଦେଖିବାକୁ ମିଳିଥାଏ । ଜନ୍ମାଷ୍ଟମୀ ନୀତି ପୂର୍ବରୁ ମହାପ୍ରଭୁଙ୍କୁ ଯେଉଟ ଭୋଗ ଲାଗିହେବା ସହ ଗର୍ଭଉଦକ ବନ୍ଦାପନା ନୀତି କରାଯାଏ ।

ଓଡ଼ିଶାରେ ପ୍ରାୟ ମଠ ମନ୍ଦିରରେ ରାଧାକୃଷ୍ଣଙ୍କର ପୂଜା କରାଯାଇଥାଏ । ସାକ୍ଷୀଗୋପାଳର ସାକ୍ଷୀଗୋପାଳ ମନ୍ଦିର, ରେମୁଣାର କ୍ଷୀରଚୋରା ଗୋପୀନାଥ, ଜଗନ୍ନାଥବଲ୍ଲଭ ମଠରେ ପୂଜା ପାଉଥିବା ଗୋପୀନାଥ, ଦାଣ୍ଡ ମୁକୁନ୍ଦପୁରର ଗୋପୀନାଥ ମନ୍ଦିର ଆଦି ଓଡ଼ିଶାରେ କୃଷ୍ଣ ପୂଜାର ବ୍ୟାପକତାକୁ ସ୍ପଷ୍ଟ କରେ । ଏହି ସବୁ ମନ୍ଦିରରେ ଜନ୍ମାଷ୍ଟମୀ ବହୁ ଜାକଜମକରେ ପାଳିତ ହୋଇଥାଏ ।

ଓଡିଶାରେ ଜନ୍ମାଷ୍ଟମୀ ପର୍ବ ପାଳନକୁ ନେଇ କିଛି ଭିନ୍ନତା ଦେଖିବାକୁ ମିଳେ । ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି । ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ଲୋକମାନେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ବହି ପାଠ କରିଥାନ୍ତି । ଜନ୍ମାଷ୍ଟମୀ ଦୁଇ ଦିନ ଧରି ପାଳିତ ହୁଏ । ଜନ୍ମାଷ୍ଟମୀ ପରଦିନକୁ ନନ୍ଦ ଉତ୍ସବ ଭାବେ ପାଳନ କରାଯାଇଥାଏ ।

Report an Error