ମାନବତା ପାଇଁ ଯୋଗ

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ୨୦୧୫ ମସିହାରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଆସୁଛି ।


ଯୋଗ ହେଉଛି ଭାରତୀୟ ସଂସ୍କୃତିର ଏକ ଅନନ୍ୟ ପରିଚୟ । ଯୋଗ ଶବ୍ଦ ସଂସ୍କୃତ "ଯୁଜ୍" ଧାତୁରୁ ଆସିଅଛି, ଯାହାର ଅର୍ଥ: "ଏକତ୍ର କରିବା, ଯୁକ୍ତ କରିବା, ସନ୍ଧି କରିବା ବା ଏକାତ୍ମତା । ଆଧ୍ୟାତ୍ମିକ ଅର୍ଥରେ ଏହା ଜୀବାତ୍ମା ଓ ପରମାତ୍ମାଙ୍କ ମିଳନକୁ ବୁଝାଏ । ଯୋଗର ଅର୍ଥ କେବଳ ଆମେ କରୁଥିବା ଆସନ ନୁହେଁ । ଯୋଗର ପ୍ରୟୋଗ ଓ ମାର୍ଗକୁ ନେଇ ଅନେକ ଶାଖା ରହିଛି । ଯୋଗ ଶରୀର, ମନ ଓ ଆତ୍ମାକୁ ଏକ ସୂତ୍ରରେ ଯୋଡ଼ିଥାଏ । ଯୋଗ ଦ୍ୱାରା ଉଭୟ ଶରୀର ଓ ମନ ସୁସ୍ଥ ରହିଥାଏ । ମାନବ ସଭ୍ୟତା ଆରମ୍ଭ ହେବା ଦିନଠାରୁ ଯୋଗ ରହିଛି ବୋଲି ବିଶ୍ୱାସ କରାଯାଏ । ଯୋଗ ମାନବ ସମାଜ ପାଇଁ ବରଦାନଠାରୁ ମଧ୍ୟ କିଛି କମ ନୁହେଁ ।

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଭାରତର କୋଣ ଅନୁକୋଣରେ ଯୋଗ ଦିବସ ପାଳନ ହେଉଛି । ଆମ ଜୀବନରେ ଯୋଗର ଉପାଦେୟତାକୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଗ ଶିବିରମାନ କରାଯାଉଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଯୋଗ ସମ୍ପର୍କିତ ଏକ ପାଠ୍ୟକ୍ରମ ରହିବା ସହ ଯୋଗ ଉପରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଯୋଗର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ୨୦୧୫ ମସିହାରୁ ଜୁନ୍ ୨୧ ତାରିଖରେ ପ୍ରଥମେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଏହା ପରଠୁ ପ୍ରତ୍ୟେକ ବର୍ଷ ଯୋଗ ଦିବସ ପାଳନ କରାଯାଉଛି । ଏହି ଦିବସ ପାଳନ ନେଇ ଏକ ଥିମ୍ ବା ବିଷୟବସ୍ତୁ ଚୟନ କରାଯାଇଥାଏ । ସେହିପରି ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ରହିଛି - ମାନବତା ପାଇଁ ଯୋଗ । ମାନବ ଜାତି ପାଇଁ ଯୋଗ ଏକାନ୍ତ ଅପରିହାର୍ଯ୍ୟ । ଆଜିର ବିଷାଦଗ୍ରସ୍ତ ସମୟରେ ନିଜ ଜୀବନରେ ଶାନ୍ତି ଆଣିବା ପାଇଁ ଯୋଗ ଅତ୍ଯନ୍ତ ଆବଶ୍ଯକ ହାେଇପଡିଛି ।

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ । ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ କିଛି ଯୋଗ କରିବା ଉଚିତ, ଯାହାଦ୍ୱାରା ଶରୀର ସୁସ୍ଥ ରହିବା ସହ ଫିଟ ରହିହେବ । ଯଦି ଆପଣ ଡିପ୍ରେସନରେ ରହୁଥିବେ ତେବେ ଯୋଗର ଗୋଟିଏ ଦୁଇଟି ଆସନ କରିବା ଦ୍ୱାରା ନିଜକୁ ସୁସ୍ଥ ରଖିପାରିବେ । ଏହାସହିତ ଆପଣଙ୍କ ଏକାଗ୍ରତା ଓ ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି ପାଇବ । ଯୋଗ କରିବାର ପ୍ରକୃଷ୍ଟ ସମୟ ହେଲା ସକାଳ ଓ ସନ୍ଧ୍ୟା । ଆପଣ ନିଜ ବ୍ୟସ୍ତ ସମୟରୁ କିଛି ସମୟ ବାହାର କରି ଯୋଗ କରି ସୁସ୍ଥ ରହିପାରିବେ ।

ଗୀତାରେ ବର୍ଣ୍ଣିତ ଅଛି ଯେ,”ଯୋଗ ହେଉଛି ନିଜକୁ ନିଜ ମାଧ୍ୟମରେ ନିଜ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏକ ଯାତ୍ରା ।“ ଯଦି ଯୋଗକୁ ଠିକ୍ ଭାବରେ କରାଯାଏ ତେବେ ଏହା ସବୁଠୁ ଅଧିକ ଲାଭ ଦିଏ । ଏହା ଶରୀରରୁ ସମସ୍ତ ରୋଗ ଦୂର କରି, ଚିନ୍ତାମୁକ୍ତ କରିଥାଏ । ଏହା ଦ୍ଵାରା ଆମ ଶରୀର ଭିତରେ ଥିବା ଲୁକ୍କାୟିତ ଶକ୍ତିର ପରିପ୍ରକାଶ ହୁଏ । ଯୋଗ ହେଉଛି ସାଧନାର ମାର୍ଗ । ବିନା ସାଧନାରେ ଯୋଗ ସମ୍ଭବ ନୁହେଁ । ପ୍ରତ୍ୟେକେ ପ୍ରତିଦିନ ଅଭ୍ୟାସ କରି କିଛି ସମୟ ଯୋଗରେ ବସିବା ଉଚିତ୍।

ସମ୍ପ୍ରତି ଓଜନ ବୃଦ୍ଧି ଓ ମେଦବହୁଳତା ଏକ ପ୍ରମୁଖ ସମସ୍ୟା ରୂପେ ମୁଣ୍ଡ ଟେକିଛି । ଯୋଗ ଦ୍ୱାରା ଆମେ ଓଜନକୁ ଯଥାସମ୍ଭବ ନିୟନ୍ତ୍ରଣ କରିପାରିବା । ଏମିତି କିଛି ଆସନ ରହିଛି, ଯାହା ଦ୍ୱାରା ଆମେ ସହଜରେ ଓଜନ ହ୍ରାସ କରିପାରିବା । ଏଥିପାଇଁ ଆପଣମାନେ ଦୈନନ୍ଦୀନ ବ୍ୟାୟାମରେ ସୂର୍ଯ୍ୟ ନମସ୍କାର, ଚତୁରଙ୍ଗ ଦଣ୍ଡାସନ, ବୀରଭଦ୍ରାସନ, ତ୍ରିକୋଣାସନା, ଧନୁରାସନ, ଅଧୋମୁଖ ଶ୍ଵାନାସନ, ସର୍ବାଙ୍ଗାସନ ପ୍ରମୁଖକୁ ସାମିଲ କରନ୍ତୁ। ଆସନ୍ତୁ ସୁସ୍ଥ ଓ ଫିଟ୍ ରହିବା ପାଇଁ ଆମ ଦୈନନ୍ଦୀନ ଜୀବନଚର୍ଯ୍ଯାରେ ଯୋଗକୁ ସାମିଲ କରିବା ।